Latest Odisha News

BREAKING NEWS

ACF ସୌମ୍ୟ ମୃତ୍ୟୁ ମାମଲା: ଗଜପତି ଡିଏଫଓଙ୍କୁ କ୍ରାଇମବ୍ରାଞ୍ଚର ଜେରା

ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଜେରାରେ ପଡ଼ିଲା ଗଜପତି ଡିଏଫଓଙ୍କ ପାଳି । ଆଜି ତଦନ୍ତକାରୀ ଟିମ୍ ଆଗରେ ହାଜର ହୋଇଛନ୍ତି ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା । ପାରଳାଖେମୁଣ୍ଡି ପୋଲିସ ଗେଷ୍ଟ ହାଉସ୍‌ରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ ତାଙ୍କୁ ପଚରାଉଚରା ଚଳାଇଛନ୍ତି । ତାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ ସୌମ୍ୟଙ୍କ ପରିବାର ଲୋକ ।

ବୋହୂ ବିଦ୍ୟାଭାରତୀଙ୍କ ସହ ଗଜପତି ଡିଫଓଙ୍କ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା । ସୌମ୍ୟଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଡିଏଫଓଙ୍କ ନାଁରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ ବି ହୋଇଥିଲା । ପୂର୍ବରୁ ତଦନ୍ତ ବେଳେ ଗଜପତି ପୋଲିସ ତାଙ୍କୁ କ୍ଲିନଚିଟ୍ ଦେଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେବା ପରେ ଆଜି ତାଙ୍କୁ ପଚରାଉଚରା କରାଯାଉଛି ।

ତାଙ୍କ ନାଁରେ ଆସିଥିବା ଅଭିଯୋଗରେ କେତେ ରହିଛି ସତ୍ୟତା ? ସୌମ୍ୟଙ୍କ ସହ ତାଙ୍କର କିଭଳି ଥିଲା ସମ୍ପର୍କ ? ତାଙ୍କ ଘରକୁ ଯାଉଥିଲେ କି ଡିଏଫଓ ? ସୌମ୍ୟ ପୋଡ଼ି ହେବା ଖବର କାହା ପାଖରୁ ଜାଣିଥିଲେ ? ତାଙ୍କ କ୍ୱାର୍ଟରକୁ ଯାଇଥିଲେ କି ? ହସ୍ପିଟାଲ କାହିଁକି ଯାଇଥିଲେ ? ବିଦ୍ୟାଭାରତୀ ନା ଆଉ କିଏ ଫୋନ୍ କରି ତାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ?

ହସ୍ପିଟାଲରେ କେତେ ସମୟ ଥିଲେ ଓ ଡାକ୍ତରଙ୍କ ସହ କଣ ଆଲୋଚନା କରିଥିଲେ ? ମୃତ୍ୟୁକାଳୀନ ଜମାନବନ୍ଦୀ ନେବା ବେଳେ ସେ ଉପସ୍ଥିତ ଥିଲେ କି ? ଏଭଳି ଅନେକ ପ୍ରଶ୍ନର ତାଙ୍କୁ ପଚରାଉଚରା କରାଯାଉଥବା ସୂଚନା ମିଳିଛି । ଗତକାଲି ହସ୍ପିଟାଲରେ ଡାକ୍ତରଙ୍କ ସହ ଡିଏଫଓ ବସିଥିବା ଏକ ଭିଡିଓ ଭାଇରାଲ୍ ହେବା ପରେ ସୌମ୍ୟଙ୍କ ମୃତ୍ୟୁ ଘଟଣା ଅଧିକ ରହସ୍ୟମୟ ହୋଇଛି ।

ଗତକାଲି ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ତିନି ଘଣ୍ଟା ଧରି ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ । ତାଙ୍କର ବିଦ୍ୟାଙ୍କ ସହ ସମ୍ପର୍କ କଣ ଓ ଘଟଣା ଦିନ ସେ କାହିଁକି ହସ୍ପିଟାଲକୁ ଆସିଥିଲେ ପଚରାଉଚରା କରାଯାଇଥିଲା । ଏଯାଏ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ୧୫ରୁ ଅଧିକ ଲୋକଙ୍କୁ ଜେରା କରି ସାରିଲାଣି । ଆଗକୁ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ପାଳି ।

Leave A Reply

Your email address will not be published.