ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୪
ସାଙ୍ଗମାନେ ଏତେ ନିର୍ଦ୍ଦୟ ! ନିଜର ଭାବିବା ଦୂରେଥାଉ ଶାଗୁଣା ମଢ ଖାଇଲାଭଳି ବେଢିଯାଆନ୍ତି ଚାରିପାଖ। ଫୁରସତ ପାଇଲେ ପଳେପଳେ ଖାଇଯାଆନ୍ତି, ଶୋଷି ନିଅନ୍ତି ରକ୍ତ। ‘ପୁଅପିଲା ହୋଇ ସେ ଝିଅମାନଙ୍କଭଳି କାହିଁକି ହଉଚୁ’ , ଗୋଟିଏ ସ୍ବରରେ କୋଟିଏ କହୁଥିଲେ ଏକାସାଙ୍ଗରେ। ମୋ’ କାନରେ ଅଜସ୍ର ପ୍ରତିଧ୍ବନି ପ୍ରତିଫଳିତ ହେଉଥିଲା। ସେ ଶବ୍ଦରେ କାନ ଫାଟିପଡୁଥିଲା। ରାଗରେ ଲାଲହୋଇ ଯାଉଥିଲା କାନମୁଣ୍ଡା। କି ପ୍ରକାର ଭେଦାଭେଦ ଏସବୁ, ବୁଝିଲେ ମଧ୍ୟ ନିରୁପାୟ ମୁଁ। ସ୍କୁଲ ଯିବାକୁ ଡର ଏଇମାନଙ୍କ ପାଇଁ।ସେଇଠି ଟଏଲେଟ ଯିବାକୁ ଭୟ ଏଇ ଦୁଷ୍ଟଙ୍କ ପାଇଁ। ଅସ୍ତବ୍ଯସ୍ତ କରିପକାନ୍ତି ଦେହକୁ ମୋ’ର । ପାଠ ଆଉ ଦିଶୁନଥିଲା ବହି,ଖାତାରେ। ଦିନ ରାତି ଡର ଖାଇ ଗୋଡାଉଥିଲା। କ’ଣପାଇଁ ମୋ’ ସହିତ ଏସବୁ ଘଟୁଥିଲା , ପ୍ରତିଦିନ, ପ୍ରତି ମୂହୁର୍ତ୍ତରେ ? ଲୁଚି ବୁଲିଲି ସମସ୍ତଙ୍କୁ। ନିର୍ଜ୍ଜନତା ସାଥି ହୋଇଗଲା। ଅନ୍ଧାର ସଙ୍ଗାତ ବସିଲା। ମାଆର ଶାଢୀ ମୋ’ ପୃଥିବୀର କକ୍ଷ ପଥ ହେଲା ଆଉ ଦିଦିର ପୁରୁଣା ଫ୍ରକ ଅକ୍ଷାଂଶ, ଦ୍ରାଘିମା ସେବେଳେ। ମାଆ କି ବାପା ଜମା ବୁଝି ପାରୁନଥିଲେ ମୋତେ। ପରିବର୍ତ୍ତନକୁ ଗ୍ରହଣ କରିପାରୁ ନଥିଲେ ସହଜରେ।ପାଠ ପଢୁନି ବୋଲି ମାଡ ଦେଉଥିଲେ ନିଷ୍ଠୁର ଭାବରେ। କିନ୍ତୁ, କେବେ ବୁଝୁନଥିଲେ କାହିଁକି ଅମନଯୋଗୀ ହେଉଚି ମୁଁ ? ବିତୃଷ୍ଣା କାହିଁ ଆସୁଚି ମୋ’ ଭିତରେ ?
ବାଧ୍ୟହୋଇ ଘରଛାଡି ପଳେଇଲି ଦିନେ।
ମାତ୍ର, ଯିବି କୁଆଡେ ? ପାଖ ବସ ଷ୍ଟପରେ ଅପେକ୍ଷା କଲାପରେ ବସ ଆସିଲା। ଉଠିଗଲି ଧିରେ। ଯିବି କୋଉଠିକୁ ଜାଣିନଥିଲି। ମନରେ ଭାବିଲି, ଯୋଉକିଛି ନାମ ଗୋଟିଏ କହିଦେଲେ ହେବ। କଣ୍ଡକ୍ଟର ସମସ୍ତଙ୍କୁ ପଚାରି ଟିକେଟ ଦବାସହ ଟଙ୍କା ନେଉଥିଲେ।ମୋ’ ପାଖରେ ଟଙ୍କା ନଥିଲା କି ଠିକଣା ନଥିଲା, ଗନ୍ତବ୍ୟସ୍ଥଳୀର। ହୃଦୟବାନ କଣ୍ଡକ୍ଟର ମୋତେ ଦେଖି ଓ ପଚାରି ଯାହା ବୁଝିଲେ ,ସେଥିରୁ ସେ ମାଗଣାରେ ବସର ଶେଷ ଠିକଣାକୁ ନେଇଗଲେ ମୋତେ। ନିଜ ହେପାଜତରେ ଖୁଆଇପିଆଇ ଘେନି ଆସିଲେ ଯୋଉଠି ଉଠିଥିଲି, ସେଇ ଜାଗାକୁ, ବଳରାମ ପୁର, ଗାଁ ମିଶା ଅର୍ଦ୍ଧ ସହରକୁ।
ପାଦରେ ଚାଲିଚାଲି ପଳେଇବି କୁଆଡେନାଇ କୁଆଡେ , ନିଜକୁ ନିଜେ କହୁଥିଲି ମନେମନେ। ଘରକୁ ଯିବିନି, ପୁଣି ଆରମ୍ଭ ହବ ଗାଳି,ମାଡ। ଚକ ଲାଗିନଥାନ୍ତା ମୋ’ ପାଦରେ । ସୁର୍ କରି ଖସରି ଯାଆନ୍ତି ଆଗକୁ, ଆଗକୁ ଅନେକ ଆଗକୁ। ହାତରେ ଛତାଧରି ବୁଲନ୍ତି ଚକଲଗା ପାଦରେ, କେତେ ମଜାରେ, ଯୁଆଡେ ଇଚ୍ଛା ସେଆଡେ। ନହଲେ ଡେଣା ଦୁଇଟା କଅଁଳି ଯାଆନ୍ତା କି , ଉଡନ୍ତି ମନଇଚ୍ଛା ଗୀତ ଗାଇଗାଇ । ଚକ ଓ ଡେଣା ଦୁଇଟା ଥିଲେ ଆଃ ଘର କବାଟରେ ଧକ୍କା ଖାଇଲା ଦେହ। ବୋଉ ,ବାପା ତଟସ୍ଥ। ମୁଁ ତଳକୁ ମୁହଁପୋତି ମାଟିରେ ମିଶି ଯାଉଥିଲି। କୋଳେଇ ନେଲେନି କେହି। ଭୁଲକୁ କ୍ଷମା କରି ପାରିଲେନି। ନିସ୍ତୁକ ମାଡ ବସିଲା।
ଡରଉଥିଲେ ମୋତେ ସେମାନେ, ଆଉ ସେ ଭୁଲ ନକରିବାକୁ। ମାଡ ବଦଳରେ କ’ଣ ଆଉ କିଛି ଉପାୟ ନଥିଲା ଭୁଲ ଟିକକ ସୁଧାରିବାକୁ ? ନୀରବରେ ଲୁହ ଝରୁଥିଲା। ଦିଦି ସକସକ ହେଲା ପାଖକୁ ଆସି। କହିଲା, ‘ଭାଇରେ ,ତୁ ଗଲା ପରେ ବୋଉ ବାୟାଣୀ ଆଉ ବାପା ଖୁବ୍ ମନଦୁଃଖରେ ଥିଲେ। କାହିଁକି ଏମିତି ହଉଚୁ? ପାଠକୁ ଛାଡିଦେଲେ ଆମର ଆଉ ଅଛି କ’ଣ ଯେ , ତୁ ପେଟ ପୋଷିବୁ? ‘ ଜମା ବିଶ୍ଵାସ ହେଉନଥିଲା ତା’ କଥା। ଯଦି ମୋତେ ହଜେଇଦେବାର ଭୟ ଅଛି ତାହାଲେ ମୋ’ କଥା ବୁଝିପାରୁନାହାଁନ୍ତି କାହିଁକି ଏମାନେ ? ଏଇଆ କ’ଣ ଭଲପାଇବା ? ମାଡ,ଗାଳି ବ୍ୟତୀତ ଆଉ କିଛି ତ ଦେଇନାହାଁନ୍ତି କେବେ ? ନା, ନା ,ନା,ନା, ଭୁଲ ହେବ।
ଆଗେ ସବୁ ଠିକ୍ ଥିଲା। ବୋଉ ଢେର ଗେହ୍ଲା କରୁଥିଲା। ଲୁଚେଇକି ଖାଇବା ଜିନିଷ ଦେଉଥିଲା। ବାପା ବି ଚକଲେଟ ଆଣୁଥିଲେ। ବଲ୍ କିଣିଦେଉଥିଲେ। ଏଇ ଯୋଉ କ’ଣ ସମୟଟା କାତି ଛାଡିଲା, ସେଇଦିନଠୁ ତାଙ୍କର ଅପମାନ ହେଲା। ଫଳସ୍ବରୂପ ମୋ’ ପିଠି ପାହାଡ ହେଲା । ଆଉ ପଥରକୁ ଭାଙ୍ଗିବାକୁ ବଳ ଦରକାର ପଡିଲା। ନୂଆ ଜୀବନ ଆଡକୁ ଠେଲି ହୋଇଗଲି ମୁଁ । ସେମାନେ ଖାପ ଖୁଏଇ ପାରିଲେନି ନୂତନତା ସହିତ। ସଂଘର୍ଷ, ସମସ୍ୟା ଯୋଡି ହୋଇଗଲା ଜୀବନ ସହିତ ମୋ’ର। ସାମାଜିକ ପ୍ରତିଷ୍ଠାରେ ଆଞ୍ଚ ଆସିଲା ସେମାନଙ୍କର। ଏଭରେଷ୍ଟ ଶୃଙ୍ଗଟିଏ ଜନ୍ମନେଲା ଆମଘରେ । ନିଜର ମଣିଷମାନେ ଅପରିଚିତ ମନେ ହେଉଥିଲେ। ମୋ’ ମନ ମାନୁନଥିଲା।
ମୁଁ ତ ଭଲପାଉଥିଲି ସେମାନଙ୍କୁ ନିବିଡଭାବରେ, ସେମାନେ ଘୃଣା କରୁଥିଲେ ନାଳ ନର୍ଦ୍ଦମା କି କୃମିକୀଟ ଭାବରେ। ଅସହାୟପଣ , ଅସନ୍ତୋଷମନ ରୂପ ନେଉଥିଲା କ୍ରୋଧଭାବରେ। ହିଂସ୍ରୁକ ହେବାକୁ ଉସକାଉଥିଲା ମନ। ହିତାହିତଜ୍ଞାନ ଶୂନ୍ୟ ହୋଇ ଫିଙ୍ଗା ଫୋଫଡା କରୁଥିଲି ଜିନିଷପତ୍ର। କାଟିକୁଟି ରଖି ଦଉଥିଲି ଲୁଗାପଟା। ପାଗଳ କହିବା ଆରମ୍ଭ କଲେ ମୋତେ। ଦଉଡିରେ ବାନ୍ଧି, ଅନ୍ଧାର ଘରେ ପକେଇ ଦେଉଥିଲେ। ଦିନ ଦିନ ସେଇଠି, ଖାଇବା ,ପିଇବାକୁ ବାଧ୍ୟ କରୁଥିଲେ। ଶୌଚ ବେଳକୁ ବାହାରକୁ ଆଣୁଥିଲେ। ମୁଁ ଜିଦ୍ଦିଆ ହେଉଥିଲି। ଇଚ୍ଛାହେଲେ ଖାଇବି, ନହେଲେ ନାହିଁ । ଅନ୍ଧାର ଘର ମୋତେ ବହିରେ ପଢିଥିବା କ୍ରାନ୍ତିକାରିଗଣଙ୍କ କଳାପାଣି ସେଲୁଲାର ଜେଲ ମନେପକେଇଦେଉଥିଲା । ନିଜକୁ କ୍ରାନ୍ତିବୀର ଭାବୁଥିଲି। ଷଡଯନ୍ତ୍ର ରଚୁଥିଲି ସେମାନଙ୍କ ବିରୁଦ୍ଧରେ ମନମନେ। ସଫଳ ହେଉନଥିଲି। ଅସଫଳତାକୁ ନେଇ ହାରୁନଥିଲି, ନିଶ୍ଚିତ ଜିତିବି ବୋଲି ଭାବୁଥିଲି।
ଦିଦିକୁ ଖୋଜୁଥିଲି ବହୁତ । ତା’କୁ ଭାବୁଥିଲି ସର୍ବସ୍ଵ ମୋ’ର। ଦିନେ , ସତରେ ଦିଦି ଆସିଲା, ଉଆଁସରାତିରେ ଜହ୍ନଭଳି ଲାଗିଲା ମୋତେ।ଦଲକାଏ ପବନ ମୋତେ ଛୁଇଁ ଯାଉଥିଲା। ଦଉଡି ଖୋଲି ବାହାରକୁ ଆଣିଲା। ମୁଁ ପୋଷା ବିଲେଇ ଭଳି ତା’ ସହିତ ଗେହ୍ଲା ହେଲି। ସେ କ’ଣ କହିଥିଲା ଘରେ , ଜାଣେନି ମୁଁ, ସେଦିନରୁ ଅନ୍ଧାର ଗଲା। କିନ୍ତୁ, ମୁଁ କଥା କହିବାକୁ ଭଲପାଉନଥିଲି ଆଉ। ଆଖିର ଇଶାରା ଓ ମୁଣ୍ଡହଲେଇ ପ୍ରକାଶ କରୁଥିଲି ନିଜକୁ। ଆଦୌ ଶବ୍ଦମନେ ପଡୁନଥିଲେ । ଲୁଚକାଳି ଖେଳୁଥିଲେ ସେସବୁ। ଆକାଶ, ପକ୍ଷୀ, ବାଡି, ବଗିଚା ଅଚିହ୍ନା ଲାଗୁଥିଲେ । କେମିତି ଗୋଟାଏ ଅନାବଶ୍ୟକ ଅଶ୍ବସ୍ତି ଅଣନିଃଶ୍ବାସି କରୁଥିଲା ମୋତେ।
Comments are closed.