Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ବିଜୁଳି ଦର ବଢିବା ଦରକାର

ଏବେ ବିଜୁଳିର ଦର ଯେମିତି ବୟସ ଭଳିଆ ବଢୁଛି
ମଣିଷ ଏସି ଛାଡ ଏଲ୍ଇଡି ସୁଇଚ୍ ଅନ୍ କରିବାକୁ ଡରୁଛି !
କେଜାଣି କାହାକୁ ହାତ କରିଛି ସେ ଚଞ୍ଚଳା ବିଜୁଳି
ବିଚରା ଉପଭୋକ୍ତାଙ୍କର ଦେଉଛି ପକେଟ ଉଝାଳି!

ଯେତେବେଳେ ବି ବିଜୁଳିର ୟୁନିଟ୍ ପିଛା ଦର ବଢିଥାଏ
ରାଜ୍ୟସାରା ପ୍ରତିବାଦ ଓ ବିକ୍ଷୋଭ ଦେଖିବାକୁ ମିଳିଥାଏ !
ବିଜୁଳି ଦର କମାଅ ବୋଲି କହିଲେ କେହି ଶୁଣନ୍ତି ନାହିଁ
ଆଜି ବଢାଅ କହିବା କାଳେ ଖୁସିରେ ଦେବେ ସେ କମାଇ!!

ଯିଏ ବଢାଅନ୍ତି କହନ୍ତି କାଳେ ଅଧିକରେ କିଣୁଛନ୍ତି ସିଏ,
ନିଆ ଅଣାରେ ବି କୁଆଡେ ବହୁତ ବିଜୁଳି ନଷ୍ଟହୁଏ !
ଅନେକ ଲୋକ ବିଲ୍ ବାକି ରଖି ଆଜି କାଲି ଗଡାଉଛନ୍ତି
ତେଣୁ ଖୁସିରେ ନୁହଁ ବାଧ୍ୟ ହୋଇ କମ୍ପାନି ଦର ବଢାଉଛନ୍ତି ।

ଆମର କହିବା କଥା ଯଦି ବିଜୁଳିରୁ ଲାଭ ହେଉନାଇଁ,
କମ୍ପାନି ନିଲାମ ଡାକୁନି ବିଜୁଳି ହାଟ ଖୋଲିଦେଇ ।
ନଚେତ୍ ପେଟ୍ରୋଲ ଡିଜେଲ ଭଳିଆ ଦୈନନ୍ଦିନ ବୃଦ୍ଧିକରି
କରିଦିଅ ୟୁନିଟ୍ ପିଛା ବିଜୁଳି ଦରକୁ ଶହେ ପାରି ।

ଅବଶ୍ୟ ବିଜୁଳି ଦର ବୃଦ୍ଧି ଦ୍ବାରା ଆମର ହେଉଛି ଲାଭ
କଣ ଜାଣିବାକୁ ଆଗକୁ ପଢ ନଚେତ ନିଜେ ଭାବ !
ପ୍ରଥମ କଥା ବିଜୁଳିବାଲା ଚାଇନା ମିଟର ଲଗାଇଛନ୍ତି
ଆମମାନଙ୍କୁ ଦେଶପ୍ରେମୀ କରି ଚୀନ୍ ବିରୁଦ୍ଧରେ ରଗାଇଛନ୍ତି!

ଅଧିକ ବିଲ୍ ଗଣିବା ଡରରେ ବିନା ଏସିରେ ଚଳେ ମଣିଷ
ହେବ ନାଇଁ ତାକୁ କରୋନା ବେମାରୀ ଓ ଥଣ୍ଡାକାଶ!
ଗରମ ହୋଇଲେ ବାହାରକୁ ଯାଇ ଖୋଲି ଫାଟକ
ଏକାଠି ହୋଇକି ଗପସପ କରି ବଢଇ ଆମର ଲୋକ ସମ୍ପର୍କ ।

ମୋବାଇଲି ଖେଞ୍ଚା ରାତି ଅଧ ଯାଏଁ ନିଦେ ନଶୋଇ,
କେତେ କାହାଙ୍କର ଆଖି ଓ ଦେହ ଖରାପ କରଇ !
ବିଜୁଳିର ବିଲ୍ ଡରେ ଏବେ କେତେ ଲାଇଟ୍ ଲିଭାଇ
ଖାନା ପିନା କରି ସପରିବାରେ ସଞ୍ଜ ବେଳରୁ ପଡିବେ ଶୋଇ ।

ବିଜୁଳି ବିଲ୍ ଡରରେ ଟିଭିକୁ ଝିଅ ବୋହୁଗଣ କମ୍ ଦେଖିବେ
ତେଣୁ ସିରିଏଲରୁ କଳିଗୋଳ ସିଏ କମ୍ ଶିଖିବେ ।
ଅତଏବ ବହୁ ଘରେ ଅଯାଚିତ ଶାନ୍ତି ମିଳିବ
କହିଲେ ଏମିତି ସୁଖ ମୁହୂର୍ତ୍ତ କି ଫ୍ୟାନ୍ ଦେବ?

କେହି ମନଦୁଃଖ କରିବେନି ଆଉ ଘନଘନ ଯଦି ବିଜୁଳି କଟେ
ବ୍ରଜସାହୁ ଦିନେ କହୁଥିଲେ ମୋତେ ଘଟଣା ଗୋଟେ !
ଅର୍ଥ ଅଭାବରୁ ଚିନ୍ତିତ ଥିଲେ ଝିଅ ବାହାଘର ହେଉନି ବୋଲି
ବିଜୁଳି ବିଭ୍ରାଟ ସଞ୍ଜେ ପ୍ରେମିକ ସହିତ କନ୍ୟା ଗଲା ଯେ ଚାଲି ।

ଯିଏ ଖୋଜୁଥିବେ ଥିଲାବାଲା ଘରେ ବଡ ରୋଜଗାରିଆ ଜ୍ବାଇଁ
ଅସୁବିଧା ଯଦି ତାଙ୍କ ରୋଜଗାର କେତେ ଜାଣିବା ପାଇଁ ।
ବିଜୁଲି ବିଲ୍ କେତେ ଆସେ ଯଦି ଏମିତି ମଜାରେ ପଚାରି ଦେଲ
ବାସ୍ ରୋଜଗାର ଏବଂ ଥାଟବାଟ ତମେ ଜାଣି ତ ଗଲ ।

ଅଧିକ ରୋଜଗାର କାରଣରୁ ପିଇଥାନ୍ତି କେତେ ଲୋକ ମଦ
ଖିଆପିଆ କରି କେତେ ହଇରାଣ ହରକତ ବଢିବାରୁ ମେଦ!
ବାସ୍ ଯଦି ମୋଟା ଅଙ୍କେ ଚାଲିଯିବ ବିଜୁଳି ବିଲ୍ ବଢି
ନିଶା ତାଙ୍କ ଛାଡିଯିବ ହ୍ୟାଣ୍ଡ୍ସମ୍ ହେବେ ପାଇ ସ୍ଲିମ୍-ଟ୍ରିମ୍ ବଡି ।

ଆକାଉଣ୍ଟ୍ଅଧା ଖାଲି ହୋଇଗଲେ ବିଜୁଳି ବିଲ୍ ଦେଇ
ଉଦ୍ଧତାମୀ ଅଂହକାର ମଣିଷଠୁ ଯିବ ଯେ ଉଭେଇ ।
ଆୟକର ବାଲା ଆଉ ଘରେ ଓ ଶଶୁର ଘରେ ଚଢଉ କରିକି
ଜବତ କରିବେ କଚୁ ଖେଳନ୍ତୁ ସେ ଟଙ୍କାଗଣା ମେସିନ୍ ଧରିକି ।

ବିଜୁଳିର ଅଛି ଅନେକ ମହିମା ଜାଣିଛି ମୁଁ ଦର ସକ୍ ଖାଇ
କହୁଥିଲେ ଜାଗା ନିଅଣ୍ଟ ହୋଇବ ସରିବ ନାଇଁ ।
ତେଣୁ ଆଜ୍ଞାମାନେ ବିଜୁଳିର ଦର ଆହୁରି ଆହୁରି ବଢେଇଦିଅ
ଜୀଇଁ ଥାଉଥାଉ ବିଜୁଳି ସିଡିରେ ମଣିଷଙ୍କୁ ସ୍ବର୍ଗେ ଚଢେଇ ଦିଅ!

Leave A Reply

Your email address will not be published.