ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୮
ଗୁରୁବାକ୍ୟ ଚିରସ୍ମରଣୀୟ। ଅଦମ୍ୟ ଉତ୍ସାହ ତଥା ଆକର୍ଷଣ ଫଳରେ ଗୁରୁଙ୍କ କଥାମାନି, ଦିନେ ମୁଁ ଧାଇଁଲି ସେ ଅଗଣାକୁ, ଟିକିଏ ଦେଖି ଆସିବାକୁ। ବିରାଟ ବଙ୍କିଂହାମ ରାଜପ୍ରାସାଦ ଶୈଳୀରେ ସୁନ୍ଦର ପ୍ରାସାଦ। ସୁଦୃଶ୍ୟ ପକ୍କା ଅଗଣା। ଧୂଳି ଟିକିଏ ପାଇଁ ମୁଣ୍ଡିଆ ମାରିଲି ତା’କୁ ଛୁଇଁ, କେତେ କଳାକାରଙ୍କ ପାଦ ପଡିଥିବ ଏଇଠାରେ, କେତେ ଗୁରୁଙ୍କ ଶିଷ୍ୟ ପରୀକ୍ଷା ଦେଇଥିବେ ଏଇଠାରେ । ଏଇଠି ଗ୍ୟାସ ଲାଇଟ ଲଗେଇ ନାଚୁଥିବେ ଦିନେ କେତେ କଳାକାର। ସତରେ କଳାର ମାଟି ଇଏ।
ଚୈତ୍ର ସଞ୍ଜରେ ଜହ୍ନ ପଡିଥିବ। ନା ଶୀତଥିବ ନା ଗରମ ଆସିଥିବ…ମୁକ୍ତାକାଶ ତଳେ କଳାକାର ପ୍ରଦର୍ଶନ କରୁଥିବେ କେତେ ଅଙ୍ଗଭଙ୍ଗୀ। ଚମ୍ପା, ମଲ୍ଲୀ, ବଣମାଳତୀ ସହିତ କୁରେଇ ଫୁଲର ମହକରେ ମହକିତ ହେଉଥିବ ସଞ୍ଜୁଆ ପହର। ମହାରାଜା ଓ ମହାରାଣୀ ତଥା ରାଜପରିବାର ସହ ମନ୍ତ୍ରୀ, ପାର୍ଷଦ ଆଉ ଥିବେ ଆମନ୍ତ୍ରିତ ଅତିଥି… । ମଖମଲି ଗଦି ଉପରେ ଶଙ୍ଖ ଧବଳଚାଦର, ଗୋଲ ତକିଆର ମେଳଣ, ପାନ ସଜଡା ହୋଇଥିବ ଚୁଆ କେତକୀ ବାସ୍ନା ସହିତ , ହୋଇଥିବ ନାନା ପ୍ରକାର ପଣା ,ପାଣିର ବ୍ୟବସ୍ଥା। ସହରର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରଜାନୁରଞ୍ଜକ ରାଜାଙ୍କ ସହିତ ବସିଥିବେ ମୂଲ୍ୟାୟନ କରିବାପାଇଁ ନୂତନ ଧାରାର ନୃତ୍ୟକୁ।ବ୍ରିଟିଶ୍ ଶାସନ କାଳରେ ଯେତେବେଳେ ଅନେକ କିଛି ସଂସ୍କାର ସଂସ୍କୃତି ଅବକ୍ଷୟ ମୁହାଁ ସେତେବେଳେ ଏ ରାଜବାଟିକାରେ ହେଉଥିଲା ଲୋକକଳାର ଉତ୍ତୁଙ୍ଗ ପ୍ରଚାର।ବାଃ !!! ଚମତ୍କାର !!!
ପ୍ରତିଯୋଗିତା ସବୁଠି ସବୁକାଳେ। ରାଧା ଦାମୋଦର କଉଡି ଖେଳନ୍ତି ଆଉ ମାଧବ ହାରିଯାଇ ଜିତୁ ଥାଆନ୍ତି ରାଧାରାଣୀଙ୍କ ଅମୀୟ ହୃଦୟକୁ। ଉତ୍ତର ସାହି, ଦକ୍ଷିଣ ସାହି ଭାବରେ ଦୁଇଦଳରେ ବିଭକ୍ତ କଳାକାର। ରାଜାଙ୍କର ଗୋଟିଏ ସାହିକୁ ରାଣୀଙ୍କର ଗୋଟିଏ। ଉତ୍ସୁକତା ବଢେ, କିଏ ଜିତିବ ଆଉ କିଏ ହାରିବ..। ସତକହିବାକୁ ଗଲେ ହାରଜିତ ରାଜାରାଣୀଙ୍କର, ପ୍ରଜାତ ସବୁଦିନେ ଅନୁଗତ ସେମାନଙ୍କର। ହୃଦୟବାନ ରାଜା ,ରାଣୀଙ୍କୁ ଅଗ୍ରାଧିକାର ଦିଅନ୍ତି। ନିଜଲୋକଙ୍କୁ ପରକରି ଅନ୍ୟ ଅଚିହ୍ନାକୁ ସ୍ନେହଶ୍ରଦ୍ଧା ଯିଏ ଦେଇଚି ତା’କୁ ତ ସମ୍ମାନ ଦେବାକଥା। ସହଭାଗିତାରେ ଜୀବନ ଥାଏ। ଶ୍ରଦ୍ଧା ଓ ପ୍ରେମରେ ଭିଜେଇ ଥରେ ପରୀକ୍ଷା କଲେ ଜାଣିହୁଏ ସେ କିପରି ଢାଳିଦେଇଥାଏ ନିଜକୁ ,ସମର୍ପି ଦେଇଥାଏ ଶହେରୁ ଶହେ। ସତରେ ମହାରାଣୀ ଜିତନ୍ତି ଅନେକ ସମୟରେ ,କେବଳ ରାଜାଙ୍କ ଅନାବିଳ ଶ୍ରଦ୍ଧା ସକାଶେ ।
ମହାମନ୍ତ୍ରୀ ଉତ୍ସାହିତ କରନ୍ତି ଉଭୟ ଦଳଙ୍କୁ। ‘ହାରଜିତ ନୁହେଁ ବିମଳ ଆନନ୍ଦ ଦେବା ହିଁ କଳାକାରଙ୍କ ଲକ୍ଷ୍ୟହେଉ’ ,ବୋଲି କହନ୍ତି ସେ।ସ୍ବର୍ଣ୍ଣ ମୁଦ୍ରା ସହ ଉପଢୌକନ ଦିଆଯାଏ ପ୍ରତ୍ୟେକ କଳାକାର ଓ ଓସ୍ତାଦ୍ ବା ଗୁରୁଙ୍କୁ। ବାଦ୍ୟ ବଜାଉଥିବା କଳାକାରଙ୍କୁ ସମାନ ଭାବରେ ସମ୍ମାନିତ କରାଯାଏ। ଉପସ୍ଥିତ ଜନତା ଖୁସିରେ ତାଳି ଦିଅନ୍ତି। ଇଷ୍ଟଇଣ୍ଡିଆ କମ୍ପାନୀର ଦୌରାତ୍ମ୍ୟ ସେ ରାଜ୍ୟକୁ ଉତ୍ପୀଡନ ଦେଇପାରେ ନା, ସମସାମୟିକ କମିଶନର ଟି.ଇ.ରେଭେନ୍ସା ସାହେବଙ୍କ ସହିତ ଭଲ ବନ୍ଧୁତାଥାଏ। ତା’ଛଡା ନିଜେ ରାଜା ସୁଚାରୁରୂପେ ସମାଧାନ କରନ୍ତି ରାଜ୍ୟର ସବୁକିଛି ।
ଏସବୁ କଥା ଚା’ ପାନ ବିରତି ସମୟରେ ଗୁରୁ ଏଭଳି କହନ୍ତିଯେ ଆଖିରେ ଭାସିଉଠେ ପ୍ରତିଚ୍ଛବି। ସେଇ ମାଟିରେ ଠିଆହୋଇ ଦେଖୁଚି ସବୁ, ଭାବନାରେ ପଶିଆସୁଚନ୍ତି କେତେ ଚରିତ୍ର ..। ସ୍ଥବିର ରାଜପ୍ରାସାଦ ମୂକସାକ୍ଷୀ ସେସବୁ ସ୍ମୃତିର।
ବହୁତ ଇଚ୍ଛା ହେଉଚି ସବୁ ବୁଲି ଦେଖିବାକୁ। ଗାଇଡ କିଏ ହବ। କିଏ ବୁଝେଇଦବ ଏସବୁର ଟିକିନିଖି ରହସ୍ୟ। ଅସଂଖ୍ୟ ପାରା ଘୁଟୁରୁ ଘୁଁ କରୁଥିଲେ ବାରଣ୍ଡାରେ , ଆଉ କିଛି ଅଗଣାରେ ଖାଦ୍ୟ ଶସ୍ୟ ଅନୁସନ୍ଧାନରେ ଢଳିଢଳି ଘୂରି ବୁଲୁଥିଲେ ନିର୍ଦ୍ବନ୍ଦରେ । ଲାଗିଲା ସତେଯେମିତି ଏ ପ୍ରାସାଦର ବଂଶଧର କି ପ୍ରହରୀ । ହଁ , ପ୍ରତୀକ, ସେ ଏ କଲେଜରେ ପଢୁଥିଲା। ପଚାରିଲେ ତାକୁ ଟିକିଏ ହୁଅନ୍ତା। ହୁଏତ କିଛି ବୁଝେଇ କହିପାରନ୍ତା। ଦୋ ଦୋ ପାଞ୍ଚ ହୋଇ ଫେରିଯିବାଠାରୁ ଫୋନଟେ କଲେ କ୍ଷତି କ’ଣ ହବ। ନହେଲେ ଥାଉ ଆଜି, ଆଉ ଦିନେ ଆସିଲେ ଚଳିବ।
ଫେରିଯିବାକୁ ମନ ଚାହୁଁ ନଥିଲା କି କଲ୍ କରିବା ପାଇଁ ମନ ନଥିଲା। ପ୍ରତୀକ ମୋ’ ସହିତ ଅଫିସ୍ରେ କାମ କରେ। ଆଜି ଟିକିଏ ସମୟ ପାଇଚି ତ ବୁଲି ଦେଖିହବ ଏସବୁ। ଅଯଥା ଅବଲିଗେସନ ମାନେ, …। ସଙ୍କୋଚରେ କଲ୍ କଲି। ଆରେ, ସେପଟୁ ଖୁସିର ଲହର। ବାଇକଧରି ଆସିବ କହିଲା। ଅପେକ୍ଷା କଲି କିଛି ସମୟ। ମେଘୁଆ ଆକାଶ। ପବନ ହାଲୁକା ହାଲୁକା ଦେଉଚି। ବୁଲି ଦେଖିବାକୁ ପାଗଟା ସୁହେଇଲା ଭଳି ହୋଇଚି। ଆସୁ ପ୍ରତୀକ କହି ଦୁଇପଟକୁ ଲମ୍ବିଥିବା ପାହାଚରେ ବସିଲି ଅଗଣାକୁ ଅନେଇ।