Latest Odisha News

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୯

ମୋ’ ପରିଶ୍ରମ ସାର୍ଥକ ହେଉଥିଲା। ଆଃ ,ମନଖୁସି। ବରଗଛ ମୂଳରୁ ଆସିଥିବା ସନିଆ, ମୁଗୁନିଙ୍କୁ ଟ୍ରେନିଂ ପରେ ବାଉଁଶରେ ଘରସଜା ଜିନିଷଠାରୁ ନାନାଦି ଘର ଉପକରଣ ବନେଇ ପ୍ରଦର୍ଶିତ କରାଯାଇଥିଲା। ଅସମ୍ଭବ ଭାବରେ ଲୋକପ୍ରିୟତା ହାସଲ ହେଉଥିଲା। ପେଟ ପୋଷିବାକୁ ଉପାୟଟେ ମିଳିଲା। ତା’ଛଡା ନର୍ସିଂହୋମ କାମରେ ଲାଗିଲେ ସେମାନେ।ଛୋଟିଆ ଅପରେସନ ପରେ ମୁଗୁନି ମାଆ ହେଲା। ଆଉ ଏକ ନୂଆ ସଦସ୍ୟ ଆମ ପରିବାରରେ ଯୋଡି ହୋଇଗଲା। ଆମର ନୂଆ ପ୍ରଜେକ୍ଟ ନାରଣଗଡରେ ସେମାନେ ପ୍ରଥମେ ସାମିଲ ହେଲେ। ସଞ୍ଜୁଅପା ଅନେକ ସମୟରେ ବବଲି, ସାଲୁ, ତାରାଦିଦି ଇତ୍ୟାଦିଙ୍କ ସହ ସେଠାକୁ ଯାଏ ଆଉ ତଦାରଖକରି ଆସେ।ଭଲ ଲାଗେ ନିଜର ଦୃଢ ଇଚ୍ଛାଶକ୍ତି ବଳରେ କେମିତି ପାହାଚ ପରେ ପାହାଚ ଚଢେ ମଣିଷ। ହାରିବା ସେ ଲୋକର ଜାତକରେ ନାହିଁ ।ସତରେ ମୁଁ ଧନ୍ୟ ମଣେ ଏମାନଙ୍କୁ ପାଖରେ ପାଇ। ପୁରୁଣା ଭିତରେ ମୁଁ ଏବେ ଏକା। ଅମୃତା, ଜବା,ଚନ୍ଦ୍ରା ଯିଏ ଯାହାର କାମରେ।ଆଣ୍ଟି ଦିନକୁ ଦିନ ଦୁର୍ବଳ ହେଉଥିଲେ।ବାରମ୍ବାର ନର୍ସିଂହୋମକୁ ଯାଉଥିଲେ। ଆଉ ଭଲଲାଗୁନଥିଲା ସେଠାକୁ ଯିବାକୁ।ଘର ଏକରକମ ଡାକ୍ତରଖାନାରେ ରୂପାନ୍ତରିତ ହେଉଥିଲା।

ଅଞ୍ଜନା ଆଣ୍ଟି ନା…ଜମା ଅନେଇବିନି ତାଙ୍କ ଆଡକୁ କହୁଥିଲି ମନେ ମନେ। କିନ୍ତୁ ,ଆଖି ବାରମ୍ବାର ଯାଉଥିଲା ତାଙ୍କ ପାଖକୁ। ଅମ୍ଳାନ ଓ ଚିତ୍ରାର ସବୁକଥା ଜାଣି ମୋତେ ଛଳିଥିବା ମଣିଷକୁ ଅନେଇବିନି କି କଥାହେବିନି। ସତ କହିବାକୁ ଗଲେ କ୍ଷଣିକରେ ରାଗ ପୁଣି ମୋ’ ମନ ଭିତରୁ ଚାଲିଗଲା। କେମିତି ଏକ କରୁଣାରଝର ଫିଟିଗଲା। ମୁଁ ତ ଶୁଣୁଥିଲି ଯୋଗମାୟା ଦିଦିଙ୍କ କଥା। ସେ ଶୁଣୁଥିଲେ କି ଖାଲି ବସିଥିଲେ କେଜାଣି, ଲାଗୁଥିଲା ଯେମିତି ମଣିଷ ଖୋଳ ଭିତରେ ଆଉ ଏକ ଜୀବ ରହିଛି ଭଳି। ସେ କ୍ବେଷ୍ଟର କ୍ଲବ ଆସୁଛନ୍ତି ? ଯିବିକି ଯିବିନି ହୋଇ ଗଲି ପାଖକୁ, ଠିକ୍ ସରିଲା ବେଳକୁ। ସେ ଯାହାସବୁ କହିଲେ, ମନଗଢା କଥା ତ ନୁହେଁ ….। ସିଙ୍ଗାପୁରର କେହି ଜଣେ ବ୍ୟବସାୟୀ ଅମ୍ଲାନଙ୍କ ସହ ମିଶି କିଛି ନୂଆକାମ କରିବାକୁ ଚାହୁଁଥିଲା। ସେ ହିଁ ଚିତ୍ରାକୁ ନେଇ ଯାଇଥାଆନ୍ତା ହୁଏତ…ଆଉ ଅମ୍ଳାନ ସେଇ ସୁରାକ ପାଇ ନିଜେ ଚିତ୍ରାକୁ …।

ଅସମ୍ଭବ ଏକଥା ଶୁଣି ବିଶ୍ବାସ କରିବା… ମୁଁ କେତେ ଆଉ ନିଜକୁ ସମ୍ଭାଳିବି ..। ତାପରେ ସେମାନେ ଏ ସହରର ଛାଡି କୁଆଡେ ଗଲେ, ଫେରିବା ପୂର୍ବରୁ ଶେଷ ଅନେକ କିଛି ….ଟଙ୍କା କଣ ଜୀବନ…ଜୀବନରେ ଟଙ୍କା ବିନା କିଛି ହବନି… ଟଙ୍କା ଜୀବନ ବି ଦବନି …ବିଚିତ୍ର … ! ଆଣ୍ଟି କହି ପାରୁନଥିଲେ ଆଗକୁ…. ରୁନ୍ଧିଯାଉଥିଲେ… । ଏବେ ଯାହାଥିଲା ତାଙ୍କର ସବୁ ନାରଣଗଡ ପାଇଁ ଦେଇ ଅପେକ୍ଷା କରୁଥିଲେ।

ଦୁଇ ଡକ୍ଟର ଆଣ୍ଟି ବେଶ ବୁଝୁଥିଲେ ମୋ’ ମନକଥା। ମୁଁ ବୁଝୁଥିଲି ଅଞ୍ଜନା ଆଣ୍ଟିଙ୍କୁ …ଆଉ ସେ ପ୍ରିୟ ଆଣ୍ଟି ବେଶି ରୋଗିଣା ହେଉଥିଲେ। ଗଲେ ତାଙ୍କ ପାଖକୁ ମନ ଖରାପ ହୋଇଯାଏ। କେତେ ଆଶା ନେଇ ତାଙ୍କ ସେବା ଶୁଶ୍ରୂଷା ତ କରୁଥିଲି…ଭଲ ଆଡକୁ ନ ଯାଇ ଏମିତି ବିଛଣାଧରା ହୋଇଗଲେ…ଧନ୍ୟରେ ସମୟ .. ଡକ୍ଟର ବସା ଆଣ୍ଟି ଆପ୍ରାଣ ଚେଷ୍ଟା କରୁଥିଲେ.. ମନେ ପଡୁଥିଲା କେମିତି ଥିଲା ସେ ଜୀବନ … କେତେ କଡା ଅନୁଶାସନ …ଆଉ ସେଇ ମୂଳଦୁଆ ମଣିଷକୁ କୋଉଠି ଆଣି ରଖିଲା। ଅସ୍ଥାୟୀ ସବୁ ଜାଣି ଆମେ କେତେ ଧନ୍ଦି ହେଉ।

କ୍ୟାଣ୍ଟିନରୁ କଫି ପିଇଲୁ ଦୁହେଁ। ରୁନ୍ଧିଚୁଣ୍ଟି ଯାଉଥିବା ଅବସ୍ଥାରେ ଅଞ୍ଜନା ଆଣ୍ଟି କହିଲେ ପୁଣି ଅମ୍ଳାନ ଓ ଚିତ୍ରା ବିଷୟରେ… ଦୁହେଁ ଜୀବନ ଭୟରେ ଲୁଚୁଥିଲେ..ବାରମ୍ବାର ସହରବାହାରେ ରହୁଥିଲେ…କେଜାଣି ଉପଭୋଗ କରିପାରିଥିଲେ କି ନା ଜୀବନକୁ… ଖୋଜ ଖବର ନାହିଁ। କେତେ ଅପେକ୍ଷା ପରେ ନିଜକୁ ଉଦାସୀନତାରୁ ମୁକ୍ତି ଦେବାକୁ ଏଇ କ୍ଲବ, ଏଇ ଡକ୍ଟର, ଏଇ ନାରଣଗଡ …ଯାତ୍ରା ନୂଆ ଦିଗନ୍ତକୁ।

ସେ ଝରୁଥିଲେ, ମୁଁ ଅବିଚଳିତ ଭାବେ ଗ୍ରହଣ କରୁଥିଲି ପରିସ୍ଥିତିକୁ। ନିଜେ ସେ ପ୍ରଜେକ୍ଟରେ ସାମିଲ ଥିଲି, ଜାଣିଥିଲି ସବୁ। ହଜେଇ ଦେଇଥିବା ଅତୀତ ଆଜି ଇତିହାସ। ଭାବି ଲାଭ କ’ଣ। ଯାଉ..ଯାହାସବୁ ନିଜର ନୁହେଁ ତାକୁ ଜାବୁଡି ଧରିବା ଅକାରଣ ମନେହୁଏ।ମନ ପସନ୍ଦର ଜିନିଷ କୋଉ ମିଳେ ଯେ….ଯୋଗମାୟା ଦିଦିଙ୍କ କଥା ମନକୁ ଏମିତି ଶକ୍ତି ଯୋଗାଏ ଯେ ମଣିଷ ଭୁଲିଯାଏ ଭାବପ୍ରବଣତାକୁ। ନିଚ୍ଛକ ସତକଥାର ମନୋଜ୍ଞ ପରିପ୍ରକାଶ ତାଙ୍କ ଶବ୍ଦରୁ ଝରେ…। ( କ୍ରମଶଃ )

Leave A Reply

Your email address will not be published.