ପାରମିତା ଷଡଙ୍ଗୀ
ସେ ଥିଲା ଗୋଟେ ଜରା ଜର୍ଜରିତ
ଘରର ଉପେକ୍ଷିତ ବଖରାଟିଏ
ଇତିହାସର କେଉଁ ଏକ
ଗର୍ବିତ ଦୁର୍ଗର
ଭ୍ରମ ଥିଲା ତାର ସବୁଠୁ ଉଚ୍ଚହେବାର
ହଲେ ତାକୁ ଜଣା ନ ଥିଲା
ସହର ଭିତରେ ଶୁଖିଲା ଘାସର
ଗୋଟେ ଜଙ୍ଗଲ ବ୍ୟାପିଲାଣି
ଯାହାର ଧାରୁଆ ପତ୍ରସବୁ
ନିଜ ନିଜ ଭିତରେ ଘଷି ହୋଇ
ହତ୍ୟା କରି ଚାଲିଛନ୍ତି ସ୍ବପ୍ନମାନଙ୍କୁ
ପୂଜାର ଯୋଗ୍ୟ ଥିବା ପଥରଟି
ସ୍ବାର୍ଥର ଅର୍ଘ୍ୟ ନେଇ ନେଇ
ଭାଙ୍ଗିଯିବାକୁ ବସିଲାଣି
କାକର ଗୁଡେଇ ସକାଳଟା ତା’
ଲଜ୍ଜାକୁ ସାଉଁଟିବାରେ ଲାଗିଗଲାଣି
ଅନ୍ଧାରଟା ନିଜ ଭିତରେ ଛନ୍ଦିହୋଇ
ଆଉ ଗୋଟେ ଅନ୍ଧାରକୁ ଡାକି ଚାଲିଛି
କିଛି ତ କରିବାକୁ ପଡିବ
ଖୋଜିବାକୁ ପଡିବ
ଶବ୍ଦ ପଛରେ ଲୁଚି ରହିଥିବା ଅର୍ଥକୁ
ସେ ଅର୍ଥକୁ ଗଣିତରେ ହିସାବ ନ କରିବା ଭଲ , ନ ହେଲେ
ତର୍କ କରୁଥିବା ଶବ୍ଦମାନେ
ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ
ଜରୁରୀ ନୁହଁ
କିଛି ଭାଙ୍ଗିବା ବା ଗଢିବା
ଏବେ ଇତିହାସର ନୀରବତାକୁ
ଟିକେ ପାଖକୁ ନିଅ
ରଫୁ କରିଦିଅ ତାର
ଚିରାଛିଣ୍ଡା ଲୁଗାକୁ
ଶୁଣିନିଅ ତାଭଙ୍ଗା ଶବ୍ଦ ଗୁହାରୀକୁ
ସେ ବାହାରି ଆସିବ
ତାକୁ ଆଚ୍ଛାଦିତ କରି ରଖିଥିବା
ଗୋଟେ ଶକ୍ତ ମୁହୂର୍ତ୍ତ ଭିତରୁ
ତୁମେ ଦେଖିବ
ଏଇ ରାତିଟା ଆଉ ଅଲୋଡା ଜିଦ କରିବନି ।
ସନ୍ ସିଟି ଫେଜ ୧ ଠାକୁର ଭିଲେଜ
କାନ୍ଦିବଲି ପୂର୍ବ ମୁମ୍ବାଇ ୪୦୦୧୦୧
ମୋ_୯୮୬୭୧୧୩୧୧୩
୮୮୫୦୧୯୯୩୪୯
Comments are closed.