Latest Odisha News

BREAKING NEWS

ଭାରତରେ ପ୍ରଥମଥର ଭୁବନେଶ୍ୱର ଓୟୁଏଟି ଭେଟେରିନାରୀ କଲେଜରେ ସଫଳହେଲା ଅହିରାଜର ଚିକିତ୍ସା

ଭୁବନେଶ୍ୱର: ଗତ ଡିସେମ୍ବର ମାସ ୨୪ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ଚିଲିକା ଛକ ନିକଟରେ ରହୁଥିବା ରିଙ୍କୁ ବିଶ୍ୱାଳଙ୍କ ବାଡ଼ିରେ ଏକ ବିରାଟ ଅହିରାଜ ସାପ ପଶିଯାଇଥିଲା । ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ବାପି ମିଶ୍ର ଓ ମିହିର ପଣ୍ଡା ଘଟଣା ସ୍ଥଳରେ ପହଁଚି ସାପ ଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ପୂର୍ବରୁ ରିଙ୍କୁ ବିଶ୍ୱାଳଙ୍କ ପଡିଶା ଘର ଛାତ ଉପରୁ କେହି ଜଣେ ଗୋଟା ଇଟା ସାପ ଉପରକୁ ଫିଙ୍ଗି ଦେଇଥିଲେ, ଯାହା ଫଳରେ ଅହିରାଜଟି ଆହତ ହୋଇଥିଲା । ୧୨ ଫୁଟ ଲମ୍ବର ଆହତ ଅହିରାଜ ଭୁବନେଶ୍ବର ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜରେ ଏକ୍ସରେ କରିବା ପରେ ୪ ଟି ପଞ୍ଜରା ହାଡ ଭାଙ୍ଗିଯାଇଥିବା ଜଣାପଡ଼ିଥିଲା । ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ଇନ୍ଦ୍ରମଣୀ ନାଥ ଏବଂ ତାଙ୍କର ଟିମ ମିଶି ଗତ ୩୦ ଡିସେମ୍ବର ତାରିଖରେ ସଫଳତାର ଅହିରାଜ ସାପର ପ୍ଲାଷ୍ଟର୍ କରିଥିଲେ ।

ପ୍ଲାଷ୍ଟର୍ କରିବା ପାଇଁ ଏକ ୩ ଇଞ୍ଚ ମୋଟେଇ ପିଭିସି ପାଇପକୁ ଆରି ପାତ ସାହାଯ୍ୟରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେ କାଟି ଦୁଇଭାଗ କରିଥିଲେ । ଏହା ପରେ ସେହି ଦୁଇ ଫାଳ ପାଇପର ଭିତର ପଟେ ତୁଳା ଓ ମାଇକ୍ରୋପୋର ବ୍ୟାଣ୍ଡେଜ୍ ସାହାଯ୍ୟରେ ପ୍ୟାଡିଙ୍ଗ ଦିଆଯାଇ ନରମ ଗଦି ପରି ବ୍ୟବସ୍ଥା କରାଯାଇଥିଲା ଯେମିତି କି ସାପ ଦେହରେ କଠିନ ପ୍ଲାଷ୍ଟିକ ପାଇପ ଘଷି ହୋଇ କ୍ଷତ ହେବନାହିଁ । ଆଜି ସେହି ପ୍ଲାଷ୍ଟରକୁ ଖୋଲା ଯାଇଥିଲା । ପ୍ଲାଷ୍ଟର ଖୋଳିବା ପୂର୍ବରୁ ଅହିରାଜ ସାପର ମୁଣ୍ଡକୁ ଏକ ଟ୍ରାନ୍ସପାରେଣ୍ଟ ରିଷ୍ଟ୍ରେନିଂ ଟ୍ୟୁବ ଭିତରେ ଭର୍ତ୍ତି କରିବା ପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟମାନେ ଅତ୍ୟନ୍ତ ସତର୍କତାର ସହିତ ସାପକୁ କବଳିତ କରି ଟେବୁଲ ଉପରେ ଧରି ରଖିଥିଲେ ।

ଏକ୍ସରେ କରିବା ପରେ ସାପର ପଞ୍ଜରା ହାଡ ଗୁଡିକ ଯୋଡି ହୋଇଥିବା ଜଣା ପଡିଥିଲା । ଏହାପରେ ଭେଟେରିନାରୀ ସର୍ଜରୀ ବିଭାଗର ପ୍ରଫେସର ଇନ୍ଦ୍ରମଣୀ ନାଥ, ଆସିଷ୍ଟାଣ୍ଟ ପ୍ରଫେସର ସିଦ୍ଧାର୍ଥ ଶଙ୍କର ବେହେରା ଓ ତାଙ୍କ ଟିମ ଅହିରାଜର ପ୍ଲାଷ୍ଟରକୁ ଖୋଲିଥିଲେ । ପ୍ରାୟ ଘଣ୍ଟାକ ମଧ୍ୟରେ ପ୍ଲାଷ୍ଟର ଖୋଲାଯାଇଥିଲା । ଏହା ପରେ ସାପଟିକୁ ଖୋଲରେ ଛାଡି ତାର ଗତି ବିଧି ଲକ୍ଷ କରାଯାଇଥିଲା । ସାପଟି ଠିକରେ ଚଳପ୍ରଚଳ କରିପାରୁଥିଲା । ପ୍ରଫେସର ଇନ୍ଦ୍ରମଣୀ ନାଥ କହିଛନ୍ତି “ସାପତ୍ୟ ଏବେ ସମ୍ପୂର୍ଣ ସୁସ୍ଥ । ତେବେ ଛାଡିବା ପୂର୍ବରୁ ଆଉ ୩-୪ ଦିନ ପର୍ୟ୍ୟନ୍ତ ଅବଜରଭେସନ ରଖି ତାକୁ ଜଙ୍ଗଲରେ ଛାଡି ହେବ” ।

ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ଏତେ ବଡ ବିଷଧର ସାପକୁ ଚିକିତ୍ସା କରିବା ଆମ ପାଇଁ ଏକ ଚ୍ୟାଲେଞ୍ଜ ଥିଲା ଏବଂ ଆମେ ଏହା ସଫଳତାର ସହ ସମାପନ କରିଛୁ । ସାରା ଭାରତରେ ଅହିରାଜ ସାପର ହାଡ ଭଙ୍ଗା ଚିକିତ୍ସା ଏଇଟା ପ୍ରଥମ । ଡାକ୍ତରଙ୍କ ପରାମର୍ଶ କ୍ରମେ ୟା ଭିତରେ ଆମେ ସାପକୁ କେବଳ ପାଣି ପିଇବାକୁ ଦେଇଥିଲୁ । ଆମେ ରବିବାର ଦିନ ବାଲୁଗାଁ ରେଞ୍ଜରଙ୍କ ଉପସ୍ଥିତିରେ ଅହିରାଜକୁ ଜଙ୍ଗଲରେ ଛାଡିବାକୁ ବ୍ୟବସ୍ଥା କରିଛୁ” ।

Comments are closed.