Latest Odisha News

BREAKING NEWS

ସ୍ପେୟାର୍ ପାର୍ଟସ୍ ଆଳରେ ଚାଲିଥିଲା ନକଲି ମଦ ବୋତଲ ଠିପି ଓ ଷ୍ଟିକର୍ କାରବାର

ଅନୁଗୁଳ: ଅବକାରୀ ବିଭାଗ ଓ କଟକ ଫ୍ଲାଇଂ ସ୍କ୍ୱାର୍ଡକୁ ମିଳିଲା ବଡ ଧରଣର ମିଳିତ ସଫଳତା । ଅନୁଗୁଳ ଜିଲ୍ଲା ରାଣୀଗୁଡାରେ ଜବତ ହେଲା ବିପୁଳ ପରିମାଣର ବିଦେଶୀ ମଦ ବୋତଲ ଠିପି ଓ ଷ୍ଟିକର୍ । ସ୍ପେୟାର ପାର୍ଟସ୍ ଆଳରେ ଏହି କାରବାର ଚାଲିଥିବା ନେଇ ସୂଚନା ରହିଛି ।

ରାଣୀଗୁଡାର ଜୟ ପ୍ରକାଶ ଗୁପ୍ତା ନାମକ ଜଣେ ବ୍ୟକ୍ତି ଦୀର୍ଘ ୫ ବର୍ଷ ଧରି ରାଣୀଗୁଡାରେ ଘର ଭଡା ନେଇ ରହୁଥିଲେ । ଘର ମାଲିକକୁ ସ୍ପେୟାର୍ ପାର୍ଟସ୍ ବ୍ୟବସାୟ କରୁଥିବା କହି ଚଳାଇଥିଲେ କଳା ସାମ୍ରାଜ୍ୟ । ରାଜ୍ୟ ବାହାରୁ ନକଲି ବିଦେଶୀ ମଦ ବୋତଲର ସାମଗ୍ରୀ ଆମଦାନୀ କରି ଓଡିଶାର ବିଭିନ୍ନ ଅଂଚଳକୁ ରପ୍ତାନୀ କରୁଥିଲେ । ଏପରିକି ଘରେ ତାଙ୍କ ପରିବାର ଲୋକେ ରହୁଥିଲେ ବି କେହି ଏ ବିଷୟରେ ଟେର୍ ପାଇନଥିଲେ ।

ଆଜି କୋଲକାତାରୁ ଏକ ବସ ଯୋଗେ ନକଲି ବିଦେଶୀ ମଦ ବୋତଲ ସାମଗ୍ରୀ ଆସୁଥିବାବେଳେ ବାଲେଶ୍ୱରରେ ଧରାପଡିଥିଲା । ଅବକାରୀ କମିଶନର୍ ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶ କ୍ରମେ ବସର ପିଛା କରି ଅବକାରୀ ଟିମ୍ ରାଣୀଗୁଡାରେ ପହଂଚିଥିଲା । ପରେ ଜୟ ପ୍ରକାଶଙ୍କ ଘର ତାଲା ଭାଙ୍ଗି ୧୦୦ ବସ୍ତାରୁ ଅଧିକ ମଦ ବୋତଲ ଠିପି ଓ ଷ୍ଟିକର୍ ଜବତ କରିଥିଲା ।

ଚଢାଉ ପରେ ଅବକାରୀ ବିଭାଗ ତଦନ୍ତ ଚଳାଇଛି । ଅନ୍ୟପଟେ ଭୁବନେଶ୍ୱରରେ ସପିଂ କରିବାକୁ କହି ସକାଳୁସକାଳୁ ସପରିବାର ଅନୁଗୁଳ ଛାଡିଥିଲା ଅଭିଯୁକ୍ତ ଜୟ ପ୍ରକାଶ ଗୁପ୍ତା । ଅଭିଯୁକ୍ତର ଘର ତାଲା ଭାଙ୍ଗି ସମସ୍ତ ସାମଗ୍ରୀ ଜବତ ହୋଇଥିଲାବେଳେ କୋଲକାତାରୁ ଆସିଥିବା ବସ୍ ମଧ୍ୟ ଅବକାରୀ ବିଭାଗ ଦ୍ୱାରା ଅଟକ ରହିଛି ।

Comments are closed, but trackbacks and pingbacks are open.