ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଚୋରାବାଲି ଭାଗ : ୫
ପିଲାଦିନର ଭାବଧାରା ସମ୍ପୂର୍ଣ୍ଣ ବଦଳିଯାଏ ।
ସେ ଚାଲି ଯାଏ ଅନ୍ୟ ଏକ ଦୁନିଆଁକୁ ।
ଧିରେଧିରେ ବର୍ଷା ଛିଟାକୁ ସେ ଗୋଡ଼ ବଢେଇଲା । ପାଦ ଓଦା ହେଲା । ପରେ ପରେ ଆଣ୍ଠୁ ଯାଏ ଭିଜିଲା । ଟିକେ ଟିକେ ଭିଜିଲା
ନାଇଟ୍ ଗାଉନ । ଫେରେଇ ଆଣିଲା ଗୋଡ଼ ।
ଝୁଙ୍କିପଡି ମୁହଁ ଦେଖେଇଲା । ଟୋପା ଟୋପା ପାଣି ପଡିଲା ମୁହଁରେ । ଆଗକୁ ବଢିଲା । ଛାତି..ପେଟ… ତାପରେ ସମ୍ପୁର୍ଣ୍ଣ
ତିନ୍ତେଇଦେଲା ସାରା ଶରୀର ।
ଓଫ୍..ବିନ୍ଦୁ ବିନ୍ଦୁ ପାଣି ଲାଗି ହାଲ୍କା ଆଲୁଅରେ ତା’ଚମ୍ପା ରଙ୍ଗର ଦେହଟା କେମିତି ଝଟକୁଛି । ଅତି ଲୋଭନୀୟ । ହୋଉ
ଲୋଭନୀୟ, କ’ଣ ଫରକ୍ ପଡୁଛି?
ପୁଣି ଫେରିଲା ଦୋଳିକୁ ।
ଫୋନ୍ରେ ହାତ ଚଲେଇ ଦେଖିଲା ।
କୁମାର! ୫୬ ମିନିଟ୍ ତଳେ ତ’ ଅନଲାଇନ୍ ଥିଲେ । ଏବେ ଶୋଇଯିବେଣି । ଶୁଅନ୍ତୁ । ସଂସାରର ସମସ୍ତେ ଶାନ୍ତିରେ
ଶୋଇଯାଆନ୍ତୁ । କୋଉଦିନ ଟିକେ ଶାନ୍ତିରେ ନିଦ୍ରାଯିବାଟା ଯେ କେତେ ଦୁର୍ମୁଲ୍ୟ, ତା’ଠାରୁ ଅଧିକ କିଏ ଜାଣେ? ଛାଡ଼!!
କାଲି ପା ଲିପି ଡାକିଛି । ଡାକିଛି ମାନେ ଫୋନ୍ ନମ୍ବର କୋଉଠି ଖୋଜିଖୋଜି ଯୋଗାଡ଼ କରି ଡାକିଛି । ପ୍ରକୃତରେ
କ’ଣ କହିବାକୁ ଡାକିଥିବ! ତା’କଥା! କଲେଜ ବେଳର କଥା? ତା’ଫ୍ୟାମିଲି ବିଷୟରେ? ନା’ ଆଉ କ’ଣ?
ଆସିଲାନି ତ’ ଘରକୁ । କଫି ସପ୍କୁ ଡାକିଦେଲା । କେତେ ବର୍ଷ ପରେ ତା’ ସହ ଭେଟ ହବ । ଯାହା ବି ହେଉ, କାଲି ନିଶ୍ଚିତ ଯିବ ।
ସେଇ ଭାବନା ନେଇ ସେଇଠି ଢୁଳେଇ ପଡ଼ିଛି ଯେ, ତା’ର ହୋସ୍ ନାହିଁ ।
ଭୋ’ର ବେଳାର କୁମ୍ଭାଟୁଆ ଡାକରେ ତା’ଚେତା ଫେରିଲା । ବର୍ଷା ଛାଡ଼ି ଯାଇଥାଏ । ତା’ ନାଇଟ୍ ଗାଉନ୍ ବି ଆପେଆପେ
ଶୁଖି ଯାଇଛି । ନିର୍ମଳ ଆକାଶରେ କଅଁଳ ସୂର୍ଯ୍ୟ କିରଣ ହାଲ୍କା ହାଲ୍କା ଦିଶିଲାଣି । ଆକାଶ ରାଗିଥିଲା ନା; କାଲି ସାରାରାତି
ଝାଡ଼ିଛି । ଏବେ ପୁରା ସଫା ।
ଭଲ…ଆଖି ମଳିମଳି ଦେଖିଲା । ଗ୍ଲାସ୍ ଆର ପାଖେ ବୈଭବଙ୍କ ଶୋଇବା ମୁହଁ । ଦେଖିବେ ଯଦି ସାରାରାତି ବାହରେ ବସିଥିଲା, ସେ ପୁଣି ଓଦା ହେଇ, ତ; ନିହାତି ବିରକ୍ତ ହେବେ । ଧଡପଡ ହେଇ ଉଠିଗଲା ଭିତକୁ ।
ତା’କୁ ରେଡି ହବାକୁ ହବ । ବୈଭବଙ୍କୁ ଅଫିସ ବିଦା କରି ଯିବାକୁ ହବ ଲିପି ପାଖକୁ ।
(କ୍ରମଶଃ)
Comments are closed.