Latest Odisha News

ଅମେରୁଦଣ୍ଡୀ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ସେଦିନ ଚକ୍ରଧର ବଡ଼ ବ୍ୟସ୍ତ ଥିଲା। ଏତେ ବ୍ୟସ୍ତ ଯେ, ତା ବାପା ମାଆ ପାଖରେ ଠିଆ ହୋଇଥିଲେ ବି ସେ ସେମାନଙ୍କୁ ଦେଖିପାରୁନଥିଲା। କାରଣଟା କଣ .. ତା ଶାଳକର ବାହାଘର। ବରଯାତ୍ରୀ ବାହାରିବ କନିଆ ଘରକୁ। ସେଥିପାଇଁ କେତେ କଣ ପ୍ରସ୍ତୁତି ଦରକାର। ତେଣୁ ସେ ସେଥିରେ ବ୍ୟସ୍ତ। ଅବଶ୍ୟ ଏ ପ୍ରସ୍ତୁତି ଚାଲିଛି ଚକ୍ରଧରର ଶ୍ୱଶୂର ଘରେ। ଯେଉଁଠି ସେ ବାହା ହେଲା ଦିନଠୁ ଗୋତି ପଶିଛି। ତା ସ୍ତ୍ରୀର ଦି ଦିଟା ଭାଇ ଅଛନ୍ତି ଯେତେବେଳେ, ସେତେବେଳେ ତ ଆଉ ତା ଶ୍ୱଶୂର ତାକୁ ଘରଜୋଇଁଆ କରି ନେଇନାହାନ୍ତି। ତେଣୁ ସିଧା ସିଧା କହିଲେ, ସେ ଅଙ୍ଗୁଳି ପ୍ରବେଶାତ୍ ବାହୁ ପ୍ରବେଶ ବଦଳରେ ସ୍ୱୟଂ ପ୍ରବେଶ କରି ଏବେ ଶ୍ୱଶୂର ଘରର ଗୋତି। ଶାଶୂ, ଶ୍ୱଶୂର କିମ୍ବା ଶାଳକମାନେ କେହି ପଚାରୁନାହାନ୍ତି। ଇଏ ବାବୁ ଘରର ବଡ଼ ଜ୍ୱାଇଁ ବୋଲି ଆପଣାଛାଏଁ ଶ୍ୱଶୂର ଘରେ ହାକିମାତି ଦେଖାଉଛି। ସବୁ କଥାରେ କହୁଛି, ତା କଥା ହିଁ ନିର୍ଣ୍ଣାୟକ। ତେଣୁ ସେ ଯାହା କହିବ, ତାକୁ କେବଳ ତା ସ୍ତ୍ରୀ ନୁହେଁ, ଶ୍ୱଶୂର ଘରର ସମସ୍ତେ ମାନିବାକୁ ବାଧ୍ୟ। ଏମିତି ସ୍ଥଳେ ବାହାଘର ନିମନ୍ତ୍ରଣ ପାଇ ସେଇଠି ପହଞ୍ଚିଛନ୍ତି ଚକ୍ରଧରର ବାପା ମାଆ। କିନ୍ତୁ ସେମାନଙ୍କ ଆସିବା ନଆସିବା, ସେ ସବୁ ନେଇ ଚକ୍ରଧର ନିର୍ବିକାର। କାରଣ ଯେଉଁଦିନଠୁ ସେ ବାହା ହୋଇଛି, ସେବେଠୁ ସେ ଦୁନିଆର ସବୁଠୁ ବଡ଼ ସ୍ତ୍ରୈଣ। ତା ନହୋଇଥିଲେ କି ସେ ଶ୍ୱଶୂରଘର ଦୁଆରେ ନିଜ ବାପାମାଆଙ୍କୁ ଉପେକ୍ଷା ବା ଅଣଦେଖା କରିଥାନ୍ତା?

କୁଣିଆ ମୈତ୍ର ବନ୍ଧୁ ବାନ୍ଧବ ସମସ୍ତଙ୍କ ଭିଡ଼ ଭିତରେ, ଚକ୍ରଧରର ଚରିତ୍ରଟା ଲାଗୁଥିଲା ଗୋଟିଏ ଭୋଜିଘର ବିଲେଇ ଭଳି। ତାକୁ କେହି ପଚାରନ୍ତୁ ବା ନପଚାରନ୍ତୁ, ସେ କିନ୍ତୁ ଏଘରୁ ସେ ଘର ଘୂରି ବୁଲୁଥାଏ। ଚକ୍ରଧରର ବାପା ବିକଳାନନ୍ଦ ଏ ସବୁ ଦେଖି ସମ୍ପୂର୍ଣ୍ଣ ସଂକୁଚିତ ହୋଇଯାଇଥାନ୍ତି। ତାଙ୍କୁ ଲାଗୁଥାଏ ସତେ ଯେମିତି ଦୌଡ଼ ଲଗାଉଥିବା ଠେକୁଆକୁ କେହି ଜଣେ କଇଁଛର ଖୋଳପା ଭିତରେ ଜୋର ଜବରଦସ୍ତ ଭର୍ତ୍ତି କରି ବନ୍ଦ କରି ଦେଇଛି। ସେଥିପାଇଁ ତ ନିଜ ଗାଁରେ କେଡ଼େ କେଡ଼େ ଲୋକଙ୍କ ମୁହଁ ବନ୍ଦ କରିଦେଉଥିବା ବିକଳାନନ୍ଦ, ଏବେ ପୂରା ଚୁପ୍। ନିଶରେ ଘିଅ ଲଗାଇ ମାମଲତିକାର ଦେଖାଉଥିବା ବିକଳାନନ୍ଦଙ୍କ ମୁହଁ ଦେଖିଲେ ଲାଗୁଛି ଯେ, କେହି ଜଣେ ଆସି ସତେ ଯେମିତି ତାଙ୍କ ମୁହଁ ଉପରକୁ ଗୋଟିଏ ଶକ୍ତ ମୁଥ ମାରିଛି। ସେଇ ମାଡ଼ରେ ସେ ଆଉ ମୁହଁ ବି ଖୋଲି ପାରୁନାହାନ୍ତି।
ସେ ଭୋଜିଘର ଗହଳି ଭିତରୁ ବିକଳାନନ୍ଦ ଚେଷ୍ଟା କରୁଥାନ୍ତି ଚକ୍ରଧରକୁ ନିଜ ପାଖକୁ ଡାକି ବୁଝାସୁଝା କରିବା ପାଇଁ। ହେଲେ ଯାହା ନ ହୋଇଛି ବାଳୁତ କାଳେ, ତାହା କି ହେବ ପାଚିଲା ବାଳେ ନ୍ୟାୟରେ ଚକ୍ରଧର, ଆଉ ତା ବାପାଙ୍କୁ ଧରାଛୁଆଁ ଦେଉନି। ମାଆ ଡାକିଲେ ବି, ତା ପାଖରେ ସମୟ ନାହିଁ। ଏତିକି ବେଳେ ଖନ୍ଦାଶାଳ ଆଡୁ କେହି ଜଣେ ବଡ଼ ଜୋରରେ ଚିଲ୍ଲେଇ ଡାକିଲା, ଚକରା .. ଆରେ ଏ ଚକରା .. ଟିକିଏ କୁଣିଆମାନଙ୍କୁ ଶୀଘ୍ର ଖୁଆଇ ପିଆଇ ବରଯାତ୍ରୀ ବାହାର କରିବା ବ୍ୟବସ୍ଥା କର। ଚକ୍ରଧରଠୁ ସାତ ସାନ ସେ ପିଲା, ଏବେ ତାକୁ ଅର୍ଡର ପକଉଛି। ଏ ସବୁ ଦୃଶ୍ୟ ନିଜ ଆଖି ଆଗରେ ଦେଖି ତାଙ୍କ ପୁରୁଣା ଦିନସବୁକୁ ମନେ ପକାଉଛନ୍ତି ବାବା ବିକଳାନନ୍ଦ।
୫ ବର୍ଷ ତଳେ ଯେତେବେଳେ ଚକ୍ରଧର ଘରର ପୁଅ ହୋଇ ରହିଥିଲା, ସେତେବେଳ ଯାଏଁ ସବୁ ଠିକଠାକ୍ ଥିଲା। ତାର ସବୁ କାର୍ଯ୍ୟକଳାପ ଦେଖିଲେ ଲାଗୁଥିଲା ଯେମିତି, ଇଏ ହେଉଛି ଦୁନିଆର ସବୁଠୁ ବଡ଼ ପିତୃମାତୃ ଭକ୍ତ। କେବଳ ସେତିକି ନୁହେଁ, ଚକ୍ରଧର ନିଜର ଦୁଇ ବଡ଼ ଭାଇଙ୍କର ବି ଅତି ଆଜ୍ଞାବହ ହୋଇ କାମ କରିଛି। କିନ୍ତୁ ଯେଉଁଦିନ ତା ବଡ଼ଭାଇ ଦୁଇ ଜଣ ନିଜ ନିଜ ସ୍ତ୍ରୀଙ୍କୁ ଧରି ଘରୁ ଅଲଗା ହେବା ସହ, ଯିଏ ଯେଉଁଠି କାମ କରୁଥିଲେ, ସେଇଠିକି ଚାଲିଗଲେ, ସେଇଦିନ ଚକ୍ରଧରକୁ ଏକ ମାନସିକ ଧକ୍କା ଲାଗିଥିଲା। ସିଏ ଭାବିଲା, ଏଇଠି ରହିବା ଅପେକ୍ଷା, ନିଜେ ନିଜ ବାଟ ଦେଖିବାଟା ହିଁ ଠିକ୍ ହେବ।

ସେଥିପାଇଁ ସେହିଦିନଠୁ ହିଁ ସେ ଲାଗିପଡ଼ିଲା ବାପା ମାଆଙ୍କ ପଛରେ। ଯେତେବେଳେ ଯାହାକୁ ଦେଖିଲା, ତାକୁ ବାହାହେବ ବୋଲି କହିଲା। ଏମିତି ସ୍ଥଳେ ଚକ୍ରଧରର ବାପା, ପାଖ ଗାଁରେ ହିଁ ବନ୍ଧୁ ବାନ୍ଧିଲେ। ଚକ୍ରଧରକୁ ବାହା କରାଇ ଦେଇ ନିଜେ ଦାୟିତ୍ୱ ମୁକ୍ତ ହେବା ଉଦ୍ଦେଶ୍ୟରେ ସେ କାମଟା ସାରିଦେଲେ। ଦୁଇ ପୁଅ ଚାକିରି କରି ଯେତେବେଳେ ଘରଠୁ ଦୂରରେ ରହିବେ, ସେତେବେଳେ ଅନ୍ତତଃ ସାନପୁଅ ଚକ୍ରଧର ଘର ସମ୍ଭାଳିବ। ଖାଲି ସେତିକି ନୁହେଁ, ନିଜ ଜମିବାଡ଼ି ବି ସେ ସମ୍ଭାଳି ନେବ। କିନ୍ତୁ ବାହାହେବା କ୍ଷଣି ଚକ୍ରଧର କି ପାଠ ପଢ଼ିଲା କେଜାଣି, ତାର ଗୋଟିଏ ପରେ ଗୋଟିଏ ଡିମାଣ୍ଡ ଆସିଲା। ପ୍ରଥମେ ଭାଇମାନଙ୍କୁ କହିଲା, ତମେ ଉଭୟେ ନିଜ ଦରମାର ତିରିଶ ପ୍ରତିଶତ ଯଦି ମତେ ଦେବ, ତାହେଲେ ମୁଁ ଘରର କାମ କରିବି। ଜମିବାଡ଼ି କଥା ବୁଝିବି। ନଚେତ୍ ଘର ଛାଡ଼ିଦେବି।

ଏ କଥାରେ ଭାଇମାନେ ରାଜି ହେଲେନି। ତେଣୁ ତାର ପରବର୍ତ୍ତୀ ଡିମାଣ୍ଡ ହେଲା, ଯଦି ଦରମାରୁ ଭାଗ ଦେବନି, ତାହେଲେ ଘରର ସବୁ ଜମିବାଡ଼ି ମୋ ନାଁରେ କରିଦିଅ। ମୁଁ ଜମିର ମାଲିକ ହେବି, ଆଉ ସେ ଜମିକଥା ବୁଝିବି। ସେଥିରେ ବି ରାଜିହେଲେନି ତାର ଭାଇ କିମ୍ବା ଭାଉଜମାନେ। ଏଣିକି ବାପାମାଆଙ୍କ ଉପରେ ନିଜର ରାଗ ସୁଝିଲା ଚକ୍ରଧର। ରାତି ପାହିଲେ ପ୍ରତିଦିନି ବାପାମାଆଙ୍କୁ ନିର୍ଯାତନା ଦେବା ତାର କାମ ପାଲଟିଗଲା। କିନ୍ତୁ ଚକ୍ରଧରର ସ୍ତ୍ରୀଟି ଭଲ ପିଲାଟାଏ। ତାକୁ ପରିବାର, ଘରର ସଣ୍ଠଣା ଜଣା। ସେ ନିଜ ଶାଶୂ ଶ୍ୱଶୂରଙ୍କ ସହିତ ଏକାଠି ରହିବାକୁ ଚାହୁଁଥିଲା। କିନ୍ତୁ ଚକ୍ରଧର ଚାହୁଁନଥିଲା ଯେ, ତା ସ୍ତ୍ରୀ ଏଇଠି ରହୁ। ତେଣୁ ତାକୁ ଦୂର୍ ଦୂର୍ ମାର୍ ମାର୍ କରି ବାପଘରକୁ ପଠେଇ ଦେଲା ଚକ୍ରଧର। ସିଏ ଯେଉଁଦିନ ବାପଘରକୁ ଚାଲିଗଲା, ସେଦିନ ଚକ୍ରଧରକୁ ମିଳିଗଲା ସୁବର୍ଣ୍ଣ ସୁଯୋଗ। ସ୍ତ୍ରୀ ଯିବାର ଦୁଇ ଘଣ୍ଟା ହୋଇଛି କି ନାହିଁ, ଶ୍ୱଶୂର ଘରେ ଯାଇ ହାଜର ଚକ୍ରଧର।

ଜ୍ୱାଇଁପୁଅ ବୋଲି ପାଞ୍ଚ ସାତ ଦିନ ଯାଏଁ ତାର ବେଶ୍ କୁଣିଆ ଚର୍ଚ୍ଚା କଲେ ଶ୍ୱଶୂରଘର ଲୋକେ। ହେଲେ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ନିଜ ଗାଁକୁ ଯେତେବେଳେ ଆଦୌ ଫେରିବାକୁ ଚାହୁଁନି ଚକ୍ରଧର, ସେତେବେଳେ ଶ୍ୱଶୂରଘର ଲୋକେ ବା ଆଉ କଣ କରନ୍ତେ? ତାକୁ ଘରେ ବସେଇ ଖାଇବାକୁ ଦେଲେ। ଧୀରେ ଧୀରେ ସେ ପାଲଟିଗଲା ଗୋଟିଏ ପରାଙ୍ଗପୁଷ୍ଟ ଉଦ୍ଭିଦ। ଶ୍ୱଶୂର ଘରେ ଏମିତି ଅଧିକାର ସାବ୍ୟସ୍ତ କଲା ଯେ, ସେମାନେ ଏଥିରେ ତ୍ରସ୍ତ ହୋଇସାରିଥିଲେ। କିନ୍ତୁ କିଛି କହିପାରୁନଥିଲେ ସେମାନେ। ମୁହଁ ଉପରକୁ କରି ଯଦି ଛେପ ପକାଯାଏ, ତାହେଲେ ସେଇଟା ନିଜ ମୁହଁରେ ହିଁ ପଡ଼ିବ। ସେହି ନ୍ୟାୟରେ ଚକ୍ରଧରକୁ ଘରୁ ବିଦା କରିବାକୁ ଚାହୁଁଥିଲେ ବି ଅନନ୍ୟୋପାୟ ଥିଲେ ତା ଶାଶୂ, ଶ୍ୱଶୂର ଆଉ ଶାଳକମାନେ।

ଏପଟେ ଚକ୍ରଧରର ଗାଁରେ ଯଦି କେହି କେତେବେଳେ ତା ବିଷୟରେ ତା ବାପାମାଆଙ୍କୁ କିଛି ପଚାରିଦିଏ, ସେତେବେଳେ କଥା ସରିଲା। ନିଜ ଭିତରେ ନିଜେ ଜଳୁଥିବା ବିକଳାନନ୍ଦ, ସେହି ଲୋକଟି ଉପରେ ହଠାତ୍ ଗର୍ଜିବା ଆରମ୍ଭ କରିଦିଅନ୍ତି। ତାଙ୍କୁ ଦେଖିଲେ ଲାଗେ ଯେମିତି ହଠାତ୍ ଏକ ବିରାଟ କଳାହାଣ୍ଡିଆ ମେଘ ଫାଟିଯାଇ ମୂଷଳାଧାରରେ ବର୍ଷି ଯାଉଛି।

ସେଦିନ କିନ୍ତୁ ଭୋଜିଘରେ ଚକ୍ରଧରର ହାବଭାବ ଓ ବ୍ୟବହାର ଦେଖି ବିକଳାନନ୍ଦଙ୍କୁ ଲାଗୁଥିଲା, ଏବେ ତାକୁ ଡେଣାଧରି ଭିଡ଼ି ଆଣି ଦିଟା ଉତ୍ତମ ମଧ୍ୟମ ବର୍ଷି ଦେଇଥାନ୍ତେ। ଏ କି ବିଚିତ୍ର ବ୍ୟବହାର। ନିଜ ଶ୍ୱଶୂର ଘରେ ତୁ ତୋ ବାପାମାଆଙ୍କୁ ଚିହ୍ନିବୁନି। ଅଚିହ୍ନା ଅପରିଚିତଙ୍କ ଭଳି ବ୍ୟବହାର କରିବୁ? ଏମିତି କିଛି କଥା ଭାବିଲା ବେଳକୁ ହଠାତ୍ ଦୂରରେ ଗଣ୍ଡଗୋଳର ଶବ୍ଦ ଶୁଭିଲା। ବିକଳାନନ୍ଦ ଓ ତାଙ୍କ ସ୍ତ୍ରୀ ଉଭୟେ ଦୌଡ଼ିଗଲେ ସେ ଆଡ଼କୁ। ସେଇଠି ଦେଖିଲା ବେଳକୁ, ଚକ୍ରଧରକୁ ଯେଛା ତା ଗାଳି ଦେଇଚାଲିଛି ତା ଶାଳକ, ଯାହାର ବରଯାତ୍ରୀ ବାହାରିବା ପାଇଁ ଏ ସବୁ ବନ୍ଧୁବାନ୍ଧବ ଆସିଛନ୍ତି। ଏତେ ଲୋକଙ୍କ ଗହଳି ଭିତରେ ଗୋଟିଏ ପଟେ ମୁଣ୍ଡ ନୁଆଁଇ ଠିଆ ହୋଇଛି ଚକ୍ରଧର। ତା ସାମ୍ନାରେ ତା ବାପା ମାଆ। ଆଉ ମଝିରେ ଚକ୍ରଧରର ଶାଳକ ଗର୍ଜୁଛି। .. ଟିକିଏ ଲାଜ ଲାଗୁନି? ପାଞ୍ଚ ବର୍ଷ ହେଲାଣି ଆମ ଘରେ ଗୋତି ପଡ଼ିଛୁ, ଆହୁରି କହୁଛୁ କଣ ନା ମୋ ପାଇଁ କାହିଁକି ସୁନା ଚେନ୍, ପାଟ ଯୋଡ଼, ନୂଆ ସୁଟ୍ ହେଲାନି? ହଇବେ, ଆମେ ଜମି ବାଡ଼ି ବିକି ଯାନି ଯୌତୁକ ଦେଇ ତତେ ଆମେ ଝିଅ ଦେଇଥିଲୁ ତୁ ତାକୁ ନେଇକି ପାଳିବୁ ପୋଷିବୁ ତୋ ଘରେ ରହିବୁ ବୋଲି ନା ଆମ ଘରେ ଜବରଦସ୍ତି ଘରଜୋଇଁଆ ହେବୁ ବୋଲି? ଆରେ ଆମର ଏ ଆଖପାଖ ଖଣ୍ଡମଣ୍ଡଳରେ ତୋ ଭଳିଆ ଗୋଟେ ଅଲାଜୁକ ମଣିଷ କିଏ ଅଛି? ବର୍ଷ ବର୍ଷ ଧରି ଯିଏ ଶ୍ୱଶୂର ଘରେ ଗୋତି ପଶିଛି।

ଚକ୍ରଧରକୁ ଏସବୁ କଥା କିଛି ଲାଗୁନଥିଲା। ଓଲଟା ସେ ବନ୍ଧୁବାନ୍ଧବଙ୍କ ମୁହଁକୁ ଅନାଇ ଦାନ୍ତ ଦେଖେଇ ହସୁଥାଏ। ଲୋକମାନେ କିଛି କହିବା ପୂର୍ବରୁ ନିଜ ଆଡୁ କହୁଥାଏ, ଇଏ ପିଲା ଲୋକଟା ତ, କିଛି ଜାଣିପାରୁନି। ସେଥିପାଇଁ ଏମିତି କହୁଛି। ଏତିକି ବେଳେ ତା ଶ୍ୱଶୂର, ଘର ଭିତରୁ ବାହାରକୁ ଆସି କହିଲେ, ବୁଝିଲ ବାପଧନ, ସିଏ ପିଲା ହେଇକି ଆଉ ନାହିଁ। ତାର ଯଦି ଆଜି ବାହାଘର ହେଉଛି, ତାହେଲେ ସେ ପିଲା ହେଲା କେମିତି? ତାଛଡ଼ା କହିଲ ଦେଖି, ତମେ ଯଦି ଏମିତି ହିଁ ଆମ ଘରେ ପଡ଼ି ରହିବ, କାଲି ସକାଳୁ ମୋ ବୋହୂମାନେ ଆସିଲେ କଣ କହିବେ? ତଥାପି ଚକ୍ରଧର ଉପରେ କିଛି ପ୍ରଭାବ ପଡୁନଥାଏ।

ଏପଟେ କିନ୍ତୁ ଏସବୁ କଥା ବିକଳାନନ୍ଦଙ୍କ ଦେହ ମନ ସବୁକିଛିକୁ ଝୁଣି ପକାଉଥାଏ। ତାଙ୍କୁ ଲାଗୁଥାଏ ସତେ ଯେମିତି କେହି ଜଣେ ସର୍ବସମ୍ମୁଖରେ ତାଙ୍କୁ ନିର୍ବସ୍ତ୍ର କରିଦେଉଛି। ଧୀରେ ଧୀରେ ବିକଳାନନ୍ଦଙ୍କ ପାରଦ ଉଠୁଥାଏ। କେତେବେଳେ ପାଦର ରାଗ ମୁଣ୍ଡରେ ପହଞ୍ଚିଲା ସେ ଜାଣିପାରିଲେନି। ଦୁମ୍ ଦୁମ୍ ପାଦ ପକାଇ ଆଗକୁ ଗଲେ ଏବଂ ଚକ୍ରଧରର ଗାଲରେ ଗୋଟିଏ ଶକ୍ତ ଚାପୁଡ଼ା ମାରିଲେ। ସବୁ କୁଣିଆ ମୈତ୍ର ବନ୍ଧୁବାନ୍ଧବ ସ୍ତବ୍ଧ ହୋଇ ଏ ଦୃଶ୍ୟ ଦେଖୁଥାନ୍ତି। ଏତିକି ବେଳେ ଚକ୍ରଧର କିଛି କହିବା ପୂର୍ବରୁ, ତା ବାପା କହିଲେ, ତୁ ମଣିଷ ନା ଗୋଟେ ଅମେରୁଦଣ୍ଡୀ ପ୍ରାଣୀ? ସାମାନ୍ୟ ମଣିଷ ହୋଇଥିଲେ, ତୁ ଏତେସବୁ କଥା ଘଟିବା ପରେ ବି ଏଇଠି ଏମିତି ଅଲାଜୁକ ଭଳି ଠିଆ ହୋଇଥାନ୍ତୁ? ମୋତେ ନିଜକୁ ଲାଜ ଲାଗୁଛି, ତୋ ଭଳି ଗୋଟାଏ ଅମେରୁଦଣ୍ଡୀକୁ ଆମେ ଜନ୍ମଦେଲୁ କେମିତି? ସେହି ଘଟଣା ପରଠୁ ବିକଳାନନ୍ଦଙ୍କ ଜମିରେ ତିନି ଗୁଣା ଫସଲ। ଘରେ ଶାନ୍ତି। ଆଉ କେହି କେବେ ଚକ୍ରଧରକୁ ତା ଶ୍ୱଶୂର ଘରେ ଦେଖିନି। ###

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪

Comments are closed.