Latest Odisha News

BREAKING NEWS

ମନେ ପଡ଼ନ୍ତି ପ୍ରବାଦ ପୁରୁଷ

ବିଜୁ ପଟ୍ଟନାୟକ ଶ୍ରାଦ୍ଧ ବାର୍ଷିକୀ ଅବସରରେ

ବରଦା ପ୍ରସନ୍ନ ଦାସ

ଛାତ୍ର ଜୀବନରେ ଗାନ୍ଧୀ, ଗୋପବନ୍ଧୁଙ୍କ ସାନିଧ୍ୟ ଲାଭପରେ ପାଇଲଟ ଜୀବନରେ ପଣ୍ଡିତ ଜବାହର ଲାଲ ନେହେରୁ ଓ ବିପ୍ଲବୀ ସମାଜସେବୀ ନେତା ଜୟପ୍ରକାଶ ନାରାୟଣଙ୍କ ସହ ବିଜୁବାବୁଙ୍କ ଘନିଷ୍ଠ ସମ୍ପର୍କ ଗଢି ଉଠିଥିଲା । ଯାହା ଫଳରେ ଓଡ଼ିଶାରେ ବହୁ ଆଖି ଦୃଶିଆ କାର୍ଯ୍ୟ ତାଙ୍କ ଦ୍ୱାରା ସମ୍ଭବପର ହୋଇପାରିଥିଲା । ବିଜୁବାବୁଙ୍କ ପରିବାରରୁ ଧର୍ମ ନିରପେକ୍ଷପତାର ପରିଚୟ ମିଳେ । ସେମାନେ ତିନି ଭାଇ ଥିଲେ ଓ ଭିନ୍ନ ଭିନ୍ନ ତିନି ଜାତିର କନ୍ୟାକୁ ବିବାହ କରିଥିଲେ । ତାଙ୍କ ପରି ସାହସୀ ପାଇଲଟ ଭାରତ କାହିଁକି ସାରା ପୃଥିବୀରେ କମ ଅଛନ୍ତି ।

୧୯୪୫ ମସିହାରେ ବିଜୁବାବୁ ଜେଲରୁ ଖଲାସ ହେଲେ । କିନ୍ତୁ ସେ ଜେଲରୁ ଛାଡ ପାଇଲା ପରେ ମଧ୍ୟ ତାଙ୍କ ଉପରେ କଟକଣା ଜାରି ହୋଇଥିଲା । ସେ ନିଜ ବାସସ୍ଥାନ ଠାରୁ ୩୦ ମାଇଲରୁ ଅଧିକ ଦୂର ଅନ୍ୟ କେଉଁଠିକୁ ଯାଇପାରିବେ ନାହିଁ ବୋଲି ବାରଣ କରିଥିଲେ । ସେଥିପାଇଁ ସେ ମନେ ମନେ କଟକ ଓ ଚୌଦ୍ୱାରକୁ ନିଜର କର୍ମସ୍ଥଳୀ ଭାବେ ବାଛି ନେଇଥିଲେ । ସେତେବେଳେ ଚୌଦ୍ୱାର ଥିଲା ଗୋଟିଏ ରୁକ୍ଷ ଟାଙ୍ଗରା ଭୂଇଁ । ରାସ୍ତାଘାଟ କିଛି ନାହିଁ । ଚୌଦ୍ୱାରକୁ ଲୁଗାକଳ ଥିଲା ଓଡ଼ିଶାବାସୀଙ୍କୁ ବିଜୁବାବୁଙ୍କ ପ୍ରଥମ ଭେଟି । ତାପରେ କଳିଙ୍ଗ ଟ୍ୟୁବସ, କଳିଙ୍ଗ ରେପିଂ ଜରେଟସ, କଳିଙ୍ଗ ଇଣ୍ଡଷ୍ଟ୍ରିଜ ଆଦି ଚୌଦ୍ୱାରରେ ଗଢି ଉଠିଥିଲା । ଶହ ଶହ ଓଡ଼ିଆ ଯୁବକ ଚାକିରୀ ପାଇଲେ । ଦେଶ ସ୍ୱାଧୀନତା ଆଗରୁ ୧୯୪୬ ମସିହାରେ ବିଜୁବାବୁ ଚୌଦ୍ୱାରରୁ ବିଧାୟକ ହୋଇ ନିର୍ବାଚିତ ହେଲେ । ସେହି ବର୍ଷଠାରୁ ୧୯୯୭ ମସିହା ଏପ୍ରିଲ ୧୭ତାରିଖ ପର୍ୟ୍ୟନ୍ତ ବହୁ ଉତଥାନ, ପତନ ସଙ୍ଘର୍ଷ ଜୀବନ ମଧ୍ୟରେ ବିଜୁ ପଟ୍ଟନାୟକଙ୍କ ଜୀବନ ଗତି କରିଛି । ବିଜୁ ବାବୁ ମୁଖ୍ୟମନ୍ତ୍ରୀ ହେଲା ବେଳକୁ ତାଙ୍କ ବୟସ ଥିଲା ମାତ୍ର ୪୫ ବର୍ଷ । ଏତେ କମ ବୟସରେ ଓଡ଼ିଶାର କୌଣସି ନେତା ମୁଖ୍ୟମନ୍ତ୍ରୀ ହୋଇନଥିଲେ ।

ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ଜବାହାର ଲାଲ ନେହେରୁ । ତାଙ୍କ ସହ ବିଜୁବାବୁଙ୍କର ଖୁବ ଭଲ ସମ୍ପର୍କ ଥିଲା । ଏହାର ସୁଯୋଗ ନେଇ ବିଜୁବାବୁ ଓଡ଼ିଶାରେ ବହୁତ ଲୋକହିତକର କାର୍ଯ୍ୟ କରିଥିଲେ । ବିଜୁ ବାବୁ ଗ୍ରାମ ପଞ୍ଚାୟତ ଆଇନକୁ ସଂଶୋଧନ କରି ପଞ୍ଚାୟତ ରାଜ ଶାସନରେ ମହିଳାମାନଙ୍କ ପାଇଁ ଶତକଡା ୩୦ ଭାଗ ଆସନ ସଂରକ୍ଷଣ କରାଇଲେ । ମାର୍ଚ୍ଚ ୫ ତାରିଖ ଦିନକୁ ବିଜୁ ଜୟନ୍ତୀ ଭାବେ ପାଳନ ନକରି ପଞ୍ଚାୟତି ରାଜ ଦିବସ ଭାବରେ କରିବା ପାଇଁ ସେ ସରକାରୀ ନିର୍ଦ୍ଦେଶ ଦେଇଥିଲେ । ୧୯୯୬ ମସିହାରେ ଲୋକସଭା ନିର୍ବାଚନ ହୋଇଥିଲା । ବିଜୁ ବାବୁ ଆସିକା ଓ କଟକ ଲୋକସଭା ଆସନରୁ ୨ଟି ଜିଣିଲେ । ଚାଲିଗଲେ ଜାତୀୟ ରାଜନୀତିକୁ । ପ୍ରଧାନମନ୍ତ୍ରୀ ନିର୍ବାଚନରେ ତାଙ୍କର ଭୂମିକା ଥିଲା ସବୁଠାରୁ ବେଶୀ । କେନ୍ଦ୍ରରେ ଏକ ଅଣ କଂଗ୍ରେସ ଓ ଧର୍ମ ନିରପେକ୍ଷ ସରକାର ପ୍ରତିଷ୍ଠାରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ସରକାରରେ କୌଣସି ସଙ୍କଟ ହେଲେ ତାଙ୍କୁ ଡାକ ପଡୁଥିଲା । ସେ କେବଳ ଜନତା ଦଳର ନେତା ନଥିଲେ ସେ ଥିଲେ ଭାରତୀୟ ରାଜନୀତିର କେନ୍ଦ୍ରବିନ୍ଦୁ । ଜାତୀୟ ନେତା କିଙ୍ଗ ମେକର ବିଜୁ ପଟ୍ଟନାୟକ । ତାଙ୍କ ଦ୍ୱାରା ଆନ୍ତର୍ଜାତିକ ବିଜ୍ଞାନ କ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତିଙ୍କୁ କଳିଙ୍ଗ ପୁରସ୍କାର ପ୍ରଦାନ ପ୍ରଚଳନ ହୋଇଅଛି । ଏହିପରି ଭାବେ ନଜର ବନ୍ଦୀରୁ ସଫଳ ରାଜନେତା ହୋଇ ପାରିଥିଲେ ବିଜୁ ପଟ୍ଟନାୟକ ।

୧୯୧୬ ମସିହା ମାର୍ଚ୍ଚ ୫ରେ ହଜାର ବର୍ଷ ପୂର୍ଣ୍ଣ କରିଥିବା ଐତିହାସିକ କଟକ ସହରରେ ସେ ଜନ୍ମ ଗ୍ରହଣ କରିଥିଲେ । ୧୯୯୭ ମସିହା ଏପ୍ରିଲ ମାସ ୧୭ ତାରିଖ ଦିନ ଦିଲ୍ଲୀରୁ ପଲ୍ଲୀ ପର୍ୟ୍ୟନ୍ତ ବିଜୁଳି ବେଗର ପ୍ରଚାରିତ ହେଲା କିମ୍ବଦନ୍ତୀ ନାୟକଙ୍କ ତଥା ପ୍ରବାଦ ପୁରୁଷ ବିଜୁବାବୁ ଚାଲିଗଲେ। ଶେଷରେ ପୁରୀ ମହୋତ୍ସବ ତଟରେ ଅନ୍ତିମ ବିଶ୍ରାମ ନେଲେ । ବିଜୁ ବାବୁଙ୍କ ଚିର ନିଦ୍ରା ପରେ ଆରମ୍ଭ ହେଲା କବି ଓ ଲେଖକଙ୍କ ମଧ୍ୟରେ ପ୍ରତିଯୋଗୀତା । ନିଜ ଲେଖନି ମୁନରେ ବହୁ ଶ୍ର୍ରଷ୍ଠା ସଜେଇ ଦେଲେ ବିଜୁ ବାବୁଙ୍କର ଅତୀତ ଓ ଅଭୁଲା ସ୍ମୃତି । ଜ୍ଞାନପୀଠ ବିଜେତା ଡକ୍ଟର ସଚ୍ଚି ରାଉତରାୟ ତାଙ୍କର ‘ ମହାପ୍ରସ୍ଥାନର ପଥ‘ କବିତାରେ ବିଜୁବାବୁଙ୍କ ପାର୍ଥୀବ ଶରୀର କଟକ ନ ଆସିବା କଥାକୁ ବର୍ଣ୍ଣନା କରି ଲେଖିଥିଲେ –
‘ କାହିଁ କଟକ ଆସିଲ ନାହିଁତ ?
ତୁମ ମହା ପ୍ରସ୍ଥାନ ପଥ
ଲମ୍ବି ଆସେ ଦିଲ୍ଲୀର ଆକାଶୁ
ଦେଖିବାକୁ ମହାସ୍ଥବିରର ଅନ୍ତିମ ପ୍ରୟାଣ
ତୁମେ ତେଣେ ଚାଲିଗଲ ମହୋଦଧି ତଟେ
ନେବା ପାଇଁ ଅନ୍ତିମ ବିଶ୍ରାମ ‘

ପଣ୍ଡିତ ପ୍ରବୋଧ କୁମାର ମିଶ୍ର ତାଙ୍କର ସଂସ୍କୃତ କବିତା କିମ୍ବଦନ୍ତୀ ନାୟକ, ଶୀର୍ଷକରେ ବିଜୁ ବାବୁଙ୍କ ସାହାସ ଓ ବୀରତ୍ୱର ଗାଥା ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି –
“ ମୁକ୍ତି -ଜାତି-ଦୃପ୍ତ-ବୀର । ଉତ୍କଳୀୟ ସିଂହକ ।
ତ୍ୱଂ ଚ ମାତୃ- ତୃପ୍ତ- ମନ୍ତ୍ର-ତନ୍ତ୍ର-ଧାରକଃ ।
ପୂର୍ବଭାଲେ ମୁକ୍ତି ସୂର୍ୟ୍ୟଃ
ପଶ୍ଚିମେତୁ ରକ୍ତବୀର୍ୟ୍ୟଃ
କିମ୍ବଦନ୍ତୀ ନାୟକ । ତ୍ୱସିଷ୍ଟ-ପୁଷ୍ଟ-ସାଧକଃ ।
କଳିଙ୍ଗର ହୃଦୟ ସମ୍ରାଟ’ କବିତାରେ ବିଜୁ ବାବୁଙ୍କ ଗରିମା ବର୍ଣ୍ଣନନା କରି ଡଃ: ହୁସେନ ରବି ଗାନ୍ଧୀ ଲେଖିଛନ୍ତି-
“ ଏକବିଶଂ କରାଘାତ କରେ ଯେବେ
ଜାତି ଦ୍ୱାର ଦେଶେ,
ଶ୍ରେଷ୍ଠତମ ହେ ଓଡିଆ,
ହେ ଅନନ୍ୟ ପ୍ରବାଦ ପୁରୁଷ
ବିଂଶର ଏ ଶେଷ “

ବିଜୁ ବାବୁଙ୍କର ଏକମାତ୍ର କନ୍ୟା ତଥା ବିଖ୍ୟାତ ଲେଖିକା ଗୀତା ମେହେଟ୍ଟା ତାଙ୍କର ଇଂରାଜୀ ପୁସ୍ତକ “ସ୍ନେକ ଲାଡର୍ସରେ ବିଜୁ ବାବୁଙ୍କ ସମ୍ପର୍କରେ ଆଲୋଚନା କରିଛନ୍ତି । ଆଜି ମଧ୍ୟ ମନେ ପଡନ୍ତି ପ୍ରବାଦ ପୁରୁଷ ଓ ତାଙ୍କ କୃତି ଅଭୁଲା ସ୍ମୃତି ।

ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ , ସୂଚନା ଓ ଲୋକ ସମ୍ପର୍କ ବିଭାଗ
କେଶରପୁର, ମୋହାନ୍ତି ଲେନ୍‌, କଟକ ୧
ମୋ- ୯୮୬୧୧୪୫୬୮୭

Leave A Reply

Your email address will not be published.