ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଚାର
ଏଇ କିଛି ଦିନ ତଳର କଥା । ସନ୍ଧ୍ୟାରେ ପତ୍ନୀଙ୍କ ସାଙ୍ଗରେ ଝଗଡା । ଝଗଡାଟା ମୋର ଦେହସୁହା କଥା । କାରଣ ତାଙ୍କ ଅଭିଯୋଗର ତାଲିକା ଏତେ ଲମ୍ବା ଯେ ତାକୁ ପୂରା କରୁ କରୁ ଦାମ୍ପତ୍ୟର ଗୋଟିଏ ଜନ୍ମର ବାରଅଣା ଜୀବନ ସରିଗଲାଣି । ଆହୁରି ଛଅ ଜନ୍ମ ପାଇଁ ଧୈର୍ଯ୍ୟ ନାହିଁ । ଅଭିଯୋଗ ଆରମ୍ଭ ହୁଏ ଘର କାମରୁ । ସବୁବେଳେ ତାଙ୍କର ଅଭିଯୋଗ ଥାଏ ଯେ ସେ କାଳେ ମୋ ସଂସାର ସମ୍ଭାଳୁ ସମ୍ଭାଳୁ ତାଙ୍କର ଦିନ କାଳ ଗଲା । ନିଜ ପାଇଁ ତାଙ୍କୁ ସମୟ ମିଳୁନି । ବାହା ପୂର୍ବରୁ ଭଲ ବର ପାଇଁ କେତେ ଶିବ ପୂଜିଥିଲେ । ସପ୍ନ ବି ଦେଖିଥିଲେ କାଳେ ଶିବ ତାଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ତଥାସ୍ତୁ କରୁଛନ୍ତି । କେଉଁ ରାଜକୁମାର ସହ ବାହାହୋଇ ପୋଇଲି ପରିବେଷ୍ଟିତ ହୋଇ ପଲଙ୍କ ସେବା ପାଉଛନ୍ତି ।
ଏସବୁ ଶୁଣି ମୁଁ ରାଗରେ ତାଙ୍କୁ କହିଦିଏ , ” ଶିବଙ୍କୁ ପୂଜିବ ତୁମେ ଆଉ ଦୋଷ ମୋର ! କେଉଁ ପୁରାଣରେ ଲେଖା ଅଛି କି ଶିବ ତାଙ୍କ ଭକ୍ତ ପାଇଁ ଯୋଗସୂତ୍ର କମ୍ପାନୀର ମଧ୍ୟସ୍ତି କାମ କରିଛନ୍ତି ? ତୁମେ ଭୁଲ ଦେବତାଙ୍କୁ ପୂଜା କରିବ ଏପଟେ ମୋତେ ନିନ୍ଦିବ । ଶୁଣ ମୁଁ ମୋ’ ମାଆର ରାଜକୁମାର । ସିଏ ବି ମୋ ବାହାଘର ପାଇଁ କେଉଁ ରାଜକୁମାରୀକୁ ବୋହୂ ରୂପରେ ଚାହୁଁଥିଲା । ବୋଧେ ତୁମ ଭଳି ଭୁଲ ଦେବତାଙ୍କ ପାଖେ ଭୋଗ ଲଗେଇଛି ତେଣୁ ତୁମେ ମିଳିଛ । ‘ଭୁଲ ‘ ଭଳି ଶବ୍ଦ କି କାମ ଠାକୁରଙ୍କ ପାଖରେ ନାହିଁ । ଭୁଲ ସବୁ ତୁମମାନଙ୍କ ପାଖରେ । କାଷ୍ଠା କରି କେଉଁ ବ୍ରତ ତୁମେ କରିଛ ଭଲା କହିଲ ? ସାବିତ୍ରୀ ଓଷା ହେଉ କି ଦ୍ଵିତୀୟା ଓଷା ହେଉ । ସନ୍ତୋଷୀ ମା’ ପୂଜା ହେଉ କି କୁମାର ପୂର୍ଣ୍ଣିମାର ଚାନ୍ଦ ପୂଜା ସବୁଥିରେ ତୁମ୍ଭମାନଙ୍କର ସ୍ୱାର୍ଥ ଥାଏ । ପୁରାଣ ସାକ୍ଷୀ ଅଛି ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ହେଉ କି ପୁଅ ପାଇଁ ହେଉ , ଧନ ପାଇଁ ହେଉ କି ଭଲ ବର ପାଇଁ ହେଉ ସବୁ ଉପାସ ବ୍ରତ ପଛରେ ନିଶ୍ଚେ କିଛି ସ୍ୱାର୍ଥ ତୁମ୍ଭମାନଙ୍କ ଥିବ । ଠାକୁର କଣ ଏତେ ବୋକା ? ସେ ସବୁ ବୁଝନ୍ତି । ସେଇଥିପାଇଁ ବଡ଼ ଠାକୁର ତାଙ୍କ ପ୍ରଥମ ସେବକର ଅଧିକାର ଗଜପତି ରାଜାଙ୍କୁ ଦେଇଛନ୍ତି । ରାଣୀତ ଦୂର ଦୂର ପର୍ଯ୍ୟନ୍ତ ମାନଚିତ୍ରରେ ନାହାଁନ୍ତି ।
ମୁଁ ବି ଏମିତି ସମୟରେ ଭାବେ ରାଜା ମହାରାଜା ହୁଅନ୍ତୁ କି ଦେବତା ହୁଅନ୍ତୁ ସେମାନେ ସମସ୍ତେ ପତ୍ନୀ ପ୍ରପୀଡ଼ିତ ଥିଲେ । ସେଇଥିପାଇଁ ସେମାନେ ଏକରୁ ଅଧିକ ବାହା ହେଉଥିଲେ । ଗୋଟିଏ ରାଣୀ ସହ ଝଗଡା ହେଲେ ଆର ରାଣୀ ପାଖକୁ ଚାଲିଯାଉଥିଲେ । କିନ୍ତୁ ହାୟ ଆମ ଭଳି ଦୁଃସ୍ଥ ପତିମାନଙ୍କର ସେତକ ସୁଯୋଗ ନାହିଁ । ଦ୍ଵିତୀୟ ରାଣୀ କେବଳ ଆମ ସ୍ୱପ୍ନରେ ଆସନ୍ତି ଏବଂ ପ୍ରଥମ ତଥା ଶେଷ ପାଟରାଣୀ ସେ ସ୍ଵପ୍ନର ଧଜିଆ ଉଡେଇବାକୁ ତାଙ୍କ ଜନ୍ମସିଦ୍ଧ ଅଧିକାର ଭାବି ସେ ସ୍ୱପ୍ନ ପୂରା ହେବାକୁ ଦିଅନ୍ତି ନାହିଁ । ନିଜେ କରିବେନି କି କାହାକୁ କରେଇ ଦେବେନି । ସେଦିନ ରାତିରେ ମୁଁ ଗୋଟିଏ ଦ୍ଵିତୀୟ ରାଣୀର ସ୍ୱପ୍ନ ଦେଖୁଥିଲି । କଣ ହେଲା କେଜାଣି କିଛି ସମୟ ପରେ ଦେଖିଲି ମୋ ହାତ ଗୋଡ଼ ବନ୍ଧା ହୋଇଛି ଓ ଦୁଇ ଜଣ ଯାକ ରାଣୀ ମୋତେ ଗାଳିମନ୍ଦ କରି ଝାଡୁ ,ପିଠାପାତିଆରେ ଗୋଡ଼କୁ , ହାତକୁ , ପିଠିକୁ ଉତ୍ତମ ମଧ୍ୟମ ଦେଉଛନ୍ତି । ସେହି ଦରଜରେ ନିଦ ଭାଙ୍ଗିଗଲା । ଶହେ ରାଣୀଙ୍କ ପତି ସେଇ ରାଜା ଓ ଦେବତାଙ୍କୁ ହାତଯୋଡି ନମସ୍କାର କଲି । ସତରେ କି ଧୈର୍ଯ୍ୟ ଓ ମୋଟା ଚମଡ଼ା ହେଇନଥିବ ସେମାନଙ୍କର !! ମୁଁ ଜଣେ ପତ୍ନୀଙ୍କ ପୀଡା ସହି ପାରୁନି ସେମାନେ କେମିତି ଶହେ ପତ୍ନୀଙ୍କ ପୀଡା ସହୁଥିବେ କେଜାଣି ! ଧନ୍ୟ ସେମାନେ । ସେଇଥିପାଇଁ ତ ସେମାନେ ଦେବତା । ସର୍ବତ୍ର ପୂଜା ପାଉଛନ୍ତି ।
ସକାଳୁ ପତ୍ନୀ ସେମିତି ଗାଲେଇ ବାସି ଶେଯରେ ଶୋଇଥାନ୍ତି । ଚେଇଁ ଶୋଇବ ଯିଏ ତାକୁ ଉଠେଇବ କିଏ? ମୁଁ ତାଙ୍କୁ କିଛି ନକହି ନିଜେ କିଛି ଘର ଦାୟିତ୍ୱ ସମ୍ଭାଳିବା ପାଇଁ ଚିନ୍ତା କରି ଚାଲିଲି ପୁଅର ଶୋଇବା ଘରକୁ । ପ୍ରଥମେ ଗେଲରେ ଡାକିଲି,” ଧନ ଉଠୁ ସ୍କୁଲ ଯିବୁ । ଡେରି ହେଲାଣି ।” କିଛି ପ୍ରତିକ୍ରିୟା ନାହିଁ । ତା ପରେ ଆଉ ଟିକେ ପ୍ରେମରେ ଡାକିଲି ,ସେ ଏବେ ଭିଡି ମୋଡି ହେଲା । ତା ପରେ ଗୋଟେ ଧଡାସ ଥାପଡ଼ ଖଟବାଡ଼ାକୁ ଦେଲି । ବାସ୍ ଗୋଟିଏ ଥାପଡ଼ର ଗୁଞ୍ଜରଣ ଏତେ ପ୍ରଭାବୀ ଥିଲା ଯେ ସେପଟେ ଚେଇଁ ଶୋଇଥିବା ପୁଅର ମାମା ସିଧା ଉଠି ଖଟରେ ବସିଗଲେ । ଏପଟେ ଧନ ଉଠି ଆଖି ମଳୁଥିଲା । ଧନକୁ କହିଲି ଯଦି ଭାବୁଥିବୁ ତୋତେ ଟେକି ଟେକି ନେଇ ମୁଁ ଦାନ୍ତ ଘଷେଇବି, ଗାଧେଇଦେବି ଡ୍ରେସ ପିନ୍ଧେଇ ଦେବି ତେବେ ଭାବେ ଯେ ତୁ ଏଯାଏଁ ନିଦରେ ଅଛୁ । ଗୋଟିଏ ଦିନ ଦାନ୍ତ ନଘଷିଲେ କିଛି ଗୋଟାଏ ଅଶୁଦ୍ଧି ହେଇଯିବନି । ଶୀଘ୍ର ଡ୍ରେସ ପିନ୍ଧି ବାହାରେ । ସେପଟେ ମାତାଶ୍ରୀ ତାଙ୍କର କିଛି ପ୍ରତିକ୍ରିୟା ନରଖି ସେମିତି ସବୁ ଦେଖୁଥାନ୍ତି । ମୁଁ ଫ୍ରିଜରୁ କିଛି ବ୍ରେଡ଼ ଜାମ ଆଣି ଟିଫିନ ବାକ୍ସରେ ରଖିଲି । ପୁଅକୁ ଡ୍ରେସ ପିନ୍ଧିବାରେ ସାହାଯ୍ୟ କଲି । ତା ମୁଣ୍ଡ କୁଣ୍ଡେଇଦେଲି । ସ୍କୁଲ ବ୍ୟାଗ ସଜାଡ଼ିଲି । ତାପରେ ଗଡ଼ ଜିଣିଲା ଭଳି ବୀର ଦର୍ପରେ ଧନକୁ ମାନେ ପୁଅକୁ ଧରି ସ୍କୁଲରେ ଛାଡିବାକୁ ବାହାରିଲି । ସେପଟୁ ପତ୍ନୀ ପଛରୁ ଡାକିଲେ । ମୋତେ ଏଇ ପଛରୁ ଡାକିବା ଆଦୌ ଭଲ ଲାଗେନି ସେ ଜାଣନ୍ତି । ବିରକ୍ତ ହୋଇ କହିଲି, “ତୁମ ସାହାଯ୍ୟ ବିନା ମୁଁ ଏସବୁ କାମ କରିପାରେ । “ମୋ କଥା ଶୁଣି ପତ୍ନୀ କହିଲେ , “ତୁମ କଥା କିଏ ପଚାରୁଛି । ମୁଁ ଧନକୁ କହୁଥିଲି ତାର ଆଜି ସ୍କୁଲ ଯିବା ଦରକାର ନାହିଁ । ଆଜି ରବିବାର । ”
କିହୋ କି ଅଜବ ଲୋକ ! ଯଦି ଜାଣିଛ ଆଜି ରବିବାର ତାହାହେଲେ ମୁଁ ଧନକୁ ସ୍କୁଲ ପାଇଁ ତିଆରି କରୁଥିବାବେଳେ ଚୁପ କାହିଁକି ବସିଥିଲ ?
ରାଗ ତମ ତମ ହୋଇ ସାହି ମୁଣ୍ଡ ପାନ ଦୋକାନ ପାଖରେ ଆସି ଚାହା ପିଉଛି ଆଉ ମନେ ମନେ ଭଗବାନଙ୍କୁ ଗାଳି କଲି। ସୌନ୍ଦର୍ଯ୍ୟ ସହ ଯଦି ଅର୍ଦ୍ଧାଙ୍ଗିନୀଙ୍କୁ ଆମର ବୁଦ୍ଧି ଦେଇଦେଇଥାନ୍ତ ତେବେ କଣ ଶାସ୍ତ୍ର ଅଶୁଦ୍ଧି ହେଇଯାଇଥାନ୍ତା ! ଅନ୍ତତଃ ମର୍ତ୍ତ୍ୟରେ ବିଚରା ପତିଟି ହେଲେ ଟିକେ ପତ୍ନୀଙ୍କ ଠାରୁ ବୁଦ୍ଧି ଧାର ନେଇ ଚଳି ଯାଇଥାନ୍ତା । ଏମିତିରେ ପତି ମାନେ ଜନ୍ମରୁ ନିର୍ବୁଦ୍ଧିଆ ବୋଲି ସବୁ ପତ୍ନୀମାନଙ୍କ ଧାରଣା । ମୁଁ ବାଦ ପଡ଼ନ୍ତି କୁଆଡୁ !
ଏତିକିବେଳେ ଚାହା ଦୋକାନ କଡ଼ ବର ଗଛରୁ ଗୋଟେ ବର ଫଳ ମୁଣ୍ଡରେ ପଡିଲା । ନିଉଟନଙ୍କ ମୁଣ୍ଡରେ ସେଓ ପଡିଲା ପରେ ଯେମିତି ନିଉଟନଙ୍କ ଜ୍ଞାନ ଉଦୟ ହେଲେ ସେମିତି ମୋ ମୁଣ୍ଡ ଉପରେ ବରଫଳ ପଡିଲା ପରେ ମୁଁ ହଠାତ ଦାର୍ଶନିକ ଭଳି ଭାବିଲି । ଭଗବାନଙ୍କ ଉଦ୍ଦେଶ୍ୟରେ ଦଣ୍ଡବତ ପକେଇ ଆକାଶକୁ ଅନେଇ କହିଲି ସତରେ ଭଗବାନ ଆପଣଙ୍କ ଲୀଳା ଅପାର । ଏଡ଼େ ବଡ଼ ଗଛରେ ଏଡିକି ଟିକେ ଫଳ ଦେଇଛ ବୋଲି ଆଜି ଜୀବନ ରହିଲା । ଯଦି ଏଡ଼େ ବଡ଼ ବିଶାଳ ଗଛକୁ ତଭୁଭୁଜ ଭଳି ଫଳ ଦେଇଥାନ୍ତ ଆଜି କି ମୁଁ ଆଉ ଥାନ୍ତି ! ଯଦି ପତ୍ନୀଙ୍କୁ ମୋର ବୁଦ୍ଧି ଓ ସୌନ୍ଦର୍ଯ୍ୟ ଉଭୟ ଦେଇଥାନ୍ତ ତେବେ ଆଜି ସେ କଣ ସୂର୍ଯ୍ୟ ଚନ୍ଦ୍ର ଆଉ ମାନିଥାନ୍ତେ ! ଭସ୍ମାସୁର ଭଳି ତୁମକୁ ଛାଡି ନଥାନ୍ତେ । ଦାମ୍ପତ୍ୟରେ ସମତୁଲ ପାଇଁ ତୁମେ ବୁଦ୍ଧି ଓ ସୌନ୍ଦର୍ଯ୍ୟ ଅଲଗା ଅଲଗା ବାଣ୍ଟିଛ । ଭଗବାନ ତୁସି ଗ୍ରେଟ ହୋ ।
Comments are closed.