ନୂଆଦିଲ୍ଲୀ: ୨୦୨୦ ମସିହା ଦିଲ୍ଲୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟିର ପୂର୍ବତନ କାଉନସିଲର ତାହିର ହୁସେନ। ରାଜଧାନୀର ଏକ ତଳ କୋର୍ଟ ଏହି ଦଙ୍ଗା ମାମଲାରେ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତଳ କୋର୍ଟ କହିଛନ୍ତି, ପ୍ରାରମ୍ବିକ ତଦନ୍ତରୁ ଜଣାପଡିଛି ତାହିର ଦଙ୍ଗାରେ ସାମିଲ ଥିଲେ। ଏଥିସହ ଦଙ୍ଗାକୁ ଉସକାଇବାକୁ ଯେଉଁ ସବୁ ପରିବେଶ ଆବଶ୍ୟକ ତାକୁ ତିଆରି କରିବାରେ ନେତୃତ୍ୱ ନେଇଥିଲେ।
ଏହି ମାମଲାର ଶୁଣାଣି ସମୟରେ କୋର୍ଟ ମନ୍ତବ୍ୟ ଦେଇ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରେ ଯେଉଁ ତଥ୍ୟ ବାହାରିଛି, ତାହିର ହୁସେନ୍ ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ଆକ୍ରମଣ କରିବାକୁ ଷଡଯନ୍ତ୍ର କରିଥିବା ଜଣାପଡିଛି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ତାହିର ହୁସେନ୍ଙ୍କ ଘରେ ପଥର ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜମା କରାଯାଇଥିଲା।
ଏହି ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟରେ ପୋଲିସ କହିଛି ଯେ, ୨୦୨୦ ମସିହାରେ ହୋଇଥିବା ଦଙ୍ଗା ସମୟରେ, ପୂର୍ବତନ ଆମ୍ ଆଦମୀ ପାର୍ଟିର କାଉନସିଲର ତାହିର ହୁସେନଙ୍କ ଘରୁ ପଥର ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରର ପ୍ରମାଣ ମିଳିଛି। ଚାର୍ଜସିଟରେ ପୋଲିସ କହିଛି ଯେ ତାହିର ହୁସେନ୍ ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ଆକ୍ରମଣ କରିବା ସହ ଦଙ୍ଗା ସୃଷ୍ଟି କରିବାରେ ସମ୍ପୃକ୍ତ ଥିଲେ। କୋର୍ଟଙ୍କ ମନ୍ତବ୍ୟ ପରେ ବିଜେପି ଆମ୍ ଆଦମୀ ପାର୍ଟି ଉପରେ ବର୍ଷିଛି।
ଉଲ୍ଲେଖନୀୟ କଥା ହେଉଛି, ଯେତେବେଳେ ଦିଲ୍ଲୀ ଦଙ୍ଗାରେ ତାହିର ହୁସେନ୍ଙ୍କ ନାମ ଆସିଲା, ଆପ୍ ବିଧାୟକ କହିଥିଲେ ଯେ ତାହିର ହୁସେନ୍ ଜଣେ ମୁସଲମାନ, ତେଣୁ ତାଙ୍କୁ ଟାର୍ଗେଟ କରାଯାଉଛି। ଏବେ କୋର୍ଟଙ୍କ ରାୟ ପରେ ଆପ୍ ଚୁପ୍ ରହିଛି।