Latest Odisha News

BREAKING NEWS

ଦାମଙ୍କ ପରେ ଏବେ ପୁଅ ସମ୍ବିତଙ୍କ ସହ ବଢିଲା ଦେବାଶିଷଙ୍କ ବିବାଦ

ଭୁବନେଶ୍ୱର: ପାରାଦୀପ ରାଜନୀତିରେ ପୂର୍ବତନ ମନ୍ତ୍ରୀ ଦାମଦୋର ରାଉତ ଜଣେ ପୁରୁଖା ନେତା । ଦୀର୍ଘ ବର୍ଷ ହେବ ଏହା ତାଙ୍କର ଗଡ ଭାବେ ରହିଆସିଛି । ସେ ଏହି ଆସନରୁ ନିର୍ବାଚିତ ହୋଇଆସୁଥିଲେ କିନ୍ତୁ ୨୦୧୯ରେ ପୁଅକୁ ଏହି ଆସନ ଛାଡି ନିଜେ ବିଜେପି ଟିକେଟରୁ ଆଉ ଏକ ଆସନରୁ ନିର୍ବାଚନ ଲଢି ପରାଜୟ ହୋଇଛନ୍ତି । କିନ୍ତୁ ବନ୍ଦର ନଗରୀ ଭାବେ ପରିଚିତ ଏହି ପାରାଦୀପ ଉପରେ ରହିଛି କଟକ-ବାରବାଟୀର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କ ନଜର । ନିକଟରେ ଶ୍ରମିକ ଦିବସ ଅବସରରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ଦେବାଶିଷ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଉପରେ ବର୍ଷିଥିଲେ।

ସେ କହିଥିଲେ, ବିଧାୟକ ପ୍ରଣବ ପ୍ରକାଶ ଦାଶ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବୀ ମିଶ୍ର ତାଙ୍କ ଏରିଆରେ ଅନେକ ଗରିବ ଲୋକଙ୍କୁ ଶ୍ରମ କାର୍ଡ ଦେଇ ସହାୟତାର ହାତ ବଢାଇଛନ୍ତି । ହେଲେ ଏଠିକାର ବିଧାୟକ ଏହା କରିବାରେ ବିଫଳ । ଏଠିକାର ଲୋକଙ୍କ ସହ ବିଧାୟକଙ୍କର ସମ୍ପର୍କ ନାହିଁ । ବିଧାୟକଙ୍କୁ କେହି ଚିହ୍ନନ୍ତି ନାହିଁ ଯଦି ପ୍ରଭୁ ଜଗନ୍ନାଥ, ମା ଶାରଳା ଆଶୀର୍ବାଦ କରିବେ ତାହେଲେ ସେ ଏଠାରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ପାରାଦୀପରେ ଅନେକ ପ୍ରକଳ୍ପ ରହିଛି । ହେଲେ କୌଣସି ଓଡିଆ ବା ସ୍ଥାନୀୟ ଲୋକ କିପରି ନିଯୁକ୍ତି ପାଇବେ ସେ ଦିଗରେ ବିଧାୟକଙ୍କର କୌଣସି ଅବଦାନ ନାହିଁ ବୋଲି ଦେବାଶିଷ କହିଥିଲେ।

ଆଗକୁ ୨୦୨୪ ବିଧାନସଭା ନିର୍ବାଚନ। ତେଣୁ ନେତାମାନେ ଏବେ ଲୋକଙ୍କ ନିକଟତର ହୋଇ ନିଜର ଭୋଟ୍ ବ୍ୟାଙ୍କ ବଢାଇବାକୁ ପ୍ରୟାସ କରିବାରେ ବ୍ୟସ୍ତ । ଏପରି ସ୍ଥିତିରେ ଦେବାଶିଷ କଟକରୁ ଆସି ପାରାଦୀପରେ ଏପରି କହିବା ଅର୍ଥ ସେ ପାରାଦୀପରୁ ବିଧାୟକ ହେବାକୁ ଇଚ୍ଛା ରଖିଛନ୍ତି । ଦେବାଶିଷଙ୍କ ଏପରି ମନ୍ତବ୍ୟକୁ ନେଇ ଉଭୟ ପାରାଦୀପ ରାଜନୀତିର ଝଡ ସୃଷ୍ଟି ହୋଇଥିବା ବେଳେ ବିଜେଡିରେ ମଧ୍ୟ ଚାପା ଗୁଞ୍ଜରଣ ଦେଖାଦେଇଛି। କେହି ମୁହଁ ଖୋଲୁନଥିଲେ ବି ଏହାକୁ ନେଇ ପରସ୍ପର ନିକଟତମ ନେତାଙ୍କ ସହ ଚାଲିଛି ଚର୍ଚ୍ଚା ।

ଏହାରି ଭିତରେ ସଚିବାଳୟରେ ବିଧାୟକ ସମ୍ବିତ ରାଉତରାୟ ଜବାବ ରଖିଛନ୍ତି, ସ୍ୱପ୍ନ ଦେଖିବା ମନା ନାହିଁ । ହେଲେ ଦିବା ସ୍ୱପ୍ନ ଦେଖିବା ଠିକ୍ ନୁହେଁ ବୋଲି କହି ଦେବାଶିଷଙ୍କୁ ପାଲଟା ବାଣ ମାରିଛନ୍ତି । ପାରାଦୀପ ତାଙ୍କ ବାପା ଦାମ ରାଉତ ପ୍ରତିନିଧିତ୍ୱ କରୁଥିଲେ ଏବେ ସେ କରୁଛନ୍ତି । ଦୀର୍ଘ ୪୫ ବର୍ଷ ହେବ ଏହି ଅଞ୍ଚଳର ଲୋକଙ୍କ ସହ ଜଡିତ। ପାରାଦୀପ ସହ ଦେବାଶିଷଙ୍କର କଣ ଭୂମିକା ରହିଛି ବୋଲି ପଚାରିଛନ୍ତି । ସେହିପରି ଯଦି ଲୋକଙ୍କ ସହ ତାଙ୍କର ସମ୍ପର୍କ ନାହିଁ ତାହେଲେ ଭୋଟ୍ ବେଳେ ତାଙ୍କ ମୁହଁ ଦେଖି ଲୋକେ ଭୋଟ୍ ଦେଇଥିଲେ କି ବୋଲି ପଚାରିଛନ୍ତି।

ଉଲ୍ଲେଖଯୋଗ୍ୟ, ଅନ୍ୟ ଦଳରେ ବିଶୃଙ୍ଖଳା ରହିଛି । ହେଲେ ନବୀନ ପଟ୍ଟନାୟଙ୍କ ନେତୃତ୍ୱାଧୀନ ବିଜେଡିରେ କନ୍ଦଳ ସାମ୍ନାକୁ ଆସେନି । ହେଲେ ଏବେ ସମ୍ବିତ ଏବଂ ଦେବାଶିଷଙ୍କ ବାକ ଯୁଦ୍ଧ ଏକ ନୂଆ ମୋଡ ଦେଇପାରେ । ପୂର୍ବରୁ ପାରାଦୀପରେ ଦାମ ଏବଂ ଦେବାଶିଷ କଳି, ଦାମ ଓ ବିଷ୍ଣୁ କଳି ଚର୍ଚ୍ଚାରେ ରହୁଥିବା ବେଳେ ଏବେ ଦେବାଶିଷ ଏବଂ ସମ୍ବିତ କଳି ଆଗକୁ ବଢିବ ବୋଲି କୁହାଯାଉଛି।

Leave A Reply

Your email address will not be published.