Latest Odisha News

ସ୍ୱଳ୍ପ ଗଳ୍ପ : କୁଞ୍ଚିତ କେଶ, ଏକ ତୁଚ୍ଛ ଇତିହାସ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୧

 

କୁଞ୍ଚିତ କେଶ ବା ଯାହାକୁ ଆମେ ଇଂରେଜୀରେ କହିବା “କର୍ଲ” , ଏହାର ଉପଲକ୍ଷ କିନ୍ତୁ ଏଇଠି ହେଉଛି ନାରୀ । ଏଇ ଆଲେଖରେ ନାରୀର କୁଞ୍ଚିତ କେଶରାଜି ସମ୍ପର୍କରେ କିଛି ଚର୍ଚ୍ଚା କରାଯିବ । ଯଦିଓ ଆମେ ସବୁବେଳେ କେଶକୁ ନେଇ ଏକ ପ୍ରସାଧନର ପରିଧି ତିଆରି ଯତ୍ନଶୀଳ ରହିଥାଉ । ପ୍ରସାଧନର ଉର୍ଦ୍ଧ୍ୱରେ କେଶ ହେଉଛି ବିଚାରଦୃଷ୍ଟିରୁ ଏକ ଅଣଗମ୍ଭୀର, ଅପାଂକ୍ତେୟ ଏବଂ ପ୍ରାୟତଃ ବର୍ଜିତ ଶବ୍ଦ ।

 

ଆମର “ଚୂଳ-ଚିରା” ବିଚାର ବୋଲି କଥାଟିଏ ଅଛି । ଯେତେବେଳେ ଜଣେ କୌଣସି ବସ୍ତୁର ବିନିର୍ମାଣ କରି ତାହାର ଅତ୍ୟନ୍ତ ସୂକ୍ଷ୍ମାତିସୂକ୍ଷ୍ମ ସ୍ତରକୁ ଯାଇଥାଏ ଆମେ ସେହି ବିଚାରକକୁ ବିଚରା ସାବ୍ୟସ୍ତ କରିବା ପାଇଁ ତାହାକୁ ସମ୍ମାନର ସହିତ ଅସମ୍ମାନିତ କରିବା ପାଇଁ ଏହି ଭଳି ଗମ୍ଭୀର ଶୁଭୁଥିବା “ଚୂଳ-ଚିରା” ବିଚାରର ଅବତାରଣା କରିଥାଉ । ଏଇଠି ବସ୍ତୁତଃ ଆମର କହିବାର ଥାଏ ଯେ, ବିଚାରକ ବାପୁଡାର ଏହା ଏକପ୍ରକାର ଅସୁଖ ଯେ ସେ ଏଇ ଭଳି ତୁଚ୍ଛ କଥାର ଏତେ ଗହୀରକୁ ଯିବା ଦ୍ୱାରା ସମୟର ଘୋର ଅପଚୟ କରୁଅଛି । ସେ ଏହାଠାରୁ ଅର୍ଥାତ୍ ଏହିଭଳି କେଶ-ବିଚାରଠାରୁ ଯଥାସମ୍ଭବ ଦୂରରେ ରହି ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ କର୍ମରେ ମନୋନିବେଶ କରିବା ଉଚିତ ।

 

ସଂକ୍ଷେପରେ କହିଲେ କେଶ ହେଉଛି ତୁଚ୍ଛ ଆଉ ଯାହା ତୁଚ୍ଛ ତାହା ସର୍ବଦା ବର୍ଜନୀୟ। କିନ୍ତୁ କେଶକୁ ତୁଚ୍ଛ ମଣିବା ବେଳେ ଆମର ବିଚାରଜଗତରେ ଆଉ ଗୋଟିଏ ଦିଗରେ ଏଇ ତୁଚ୍ଛ କେଶ ସ୍ୱାଭାବିକ ଭାବରେ ଆଲୋକିତ ହେବାରେ ଲାଗିଲା । କେଶ ଗୋଟିଏ ପଟେ ତୁଚ୍ଛ ଏବଂ ଆଉ ଗୋଟିଏ ପଟେ ଏହା ଆଲୋକିତ, ଏହିପରି ହେବ କେମିତି ? ଯେତେବେଳେ ଜଣେ କୌଣସି ବିଷୟ ସମ୍ପର୍କରେ ନିଜର ବିଚାରକୁ ସର୍ବନ୍ୟୁନ ସ୍ତରକୁ ଅର୍ଥାତ୍ କେଶ-ସ୍ତରକୁ ନେଇ ଯାଏ ସେତେବେଳେ ଆମେ ତାହାକୁ ଯେତେ ଅସ୍ୱୀକାର କଲେ ବି ତାହାର ତୁଚ୍ଛପଣ ପ୍ରତି ଆଗ୍ରହକୁ ବସ୍ତୁତଃ ଦେଖିଥାଉ । ତୁଚ୍ଛ ପଣ ପ୍ରତି ଆଗ୍ରହର ଅର୍ଥ ହେଉଛି ସାମଗ୍ରିକତା ପ୍ରତି ଆଗ୍ରହ, ଯେଉଁଠି ସାର୍ଥକ ଆଉ ଅସାର୍ଥକ ସମସ୍ତେ ଏକାଠି ବିଦ୍ୟମାନ । ତେଣୁ ଗୋଟିଏ ପଟେ ତୁଚ୍ଛ କେଶ ଆରପଟରେ ସାମଗ୍ରିକତାର ପ୍ରତୀକ ହୋଇଯାଏ ସହଜରେ । ତେଣୁ କେଶ-ବିଚାର କହିଲେ ଏକ ବିସ୍ତୃତ ପରିସର ବା ଡିଟେଲିଂକୁ ବି ବୁଝାଇ ଥାଏ ।

କେଶ-ଦର୍ଶନ ସବୁବେଳେ ଦୀର୍ଘ । ତୁଚ୍ଛମାନେ ଆମର ସାଧାରଣ ଜୀବନରେ ବେଶ୍ ନିରଙ୍କୁଶ ଭାବରେ ଶାସନ କରିଥାନ୍ତି । ଆମର ସେମାନଙ୍କର ଏକାଧିପତ୍ୟ ପ୍ରତି ସେମିତି କୌଣସି ସଶକ୍ତ ଅଭିଯୋଗ ନଥାଏ ।

ଏବେ ବିଚାରର ପରିସରକୁ ଯଥେଷ୍ଟ ସଙ୍କୁଚିତ କରି ଯଦି ଆମେ ନାରୀର କୁଞ୍ଚିତ କେଶ ରାଜି ଆଡକୁ ଆସିବା ତାହାହେଲେ ଦେଖିବା ଯେ, ଯଦି ଆପଣ ବିବାହିତ ଏବଂ ପୁରୁଷ ତାହାହେଲେ ଆପଣମାନଙ୍କ ପାଇଁ ଏଇ ଭଳି ଗୋଟିଏ ଇତିହାସ ଅର୍ଥାତ୍ କହିବାକୁଗଲେ କୁଞ୍ଚିତ କେଶରାଜିର ଇତିହାସ କଦାପି କ୍ଷୁଦ୍ର ହୋଇ ରହିବ ନାହିଁ ଏବଂ ଆମେମାନେ ସବୁବେଳେ ନାରୀର କୁଞ୍ଚିତ କେଶରାଜିକୁ ପ୍ରସାଧନ ଦୃଷ୍ଟିରୁ ଏକ ସର୍ବୋତ୍ତମ ସୃଜନଶୀଳ ସୃଷ୍ଟି ବୋଲି ମନେକରୁ ଏବଂ ତାହା ସହିତ ବି ମନେକରୁ ଏକ ଅଲରାପଣ ଯେ,ଏହି ଭଳି କୁଞ୍ଚିତ କେଶ ରାଜି ଅତି ସ୍ୱାଭାବିକ ଭାବରେ ନିଜର ଅସଜଡା ପଣକୁ ପ୍ରକାଶ କରୁଛି । ଏହି ବିରୋଧାଭାସ ତାହାର ନିଜସ୍ଥାନରେ ଥାଉ,କାରଣ ଆମ ପାଇଁ ସବୁବେଳେ ଅସଜଡା ସୌନ୍ଦର୍ଯ୍ୟ ହେଉଛି ଶ୍ରେଷ୍ଠ ସୌନ୍ଦର୍ଯ୍ୟ । ସବୁ ସୌନ୍ଦର୍ଯ୍ୟ ଭିତରୁ ଆମେ ଅସଜଡା ପଣ ଖୋଜୁଥାଉ, କାରଣ ସେଥିରୁ ଆମକୁ ସ୍ୱାଭାବିକ ତଥା ପ୍ରାକୃତିକ ଅବବୋଧଟିଏ ମିଳିଥାଏ , ଠିକ୍ ସେମିତି ଏଇଠି ଅସଜଡା ପଣ ହେଉଛି ଚିରକିଶୋରୀର କୁଞ୍ଚିତ କେଶରାଜି ।

ଏଇଠି ଗୋଟିଏ ସୁନ୍ଦର ପ୍ରେମପୂର୍ଣ୍ଣ ଶବ୍ଦ ଆମର ସ୍ମରଣରେ ରହୁ । ଶବ୍ଦଟି ଇଂରେଜୀ ଶବ୍ଦ । ଆମ ଭାଷାରେ ସେମିତି ଗୋଟିଏ ଶବ୍ଦ ପ୍ରଚଳନରେ ଥିଲେ ନିଶ୍ଚିତ ସମସ୍ତ ପ୍ରେମାସ୍ପଦ ଆଉ ପ୍ରେମାସ୍ପଦା ମାନେ ଆନନ୍ଦିତ ହେବେ । ସେହି ଶବ୍ଦଟି ହେଉଛି ‘ କାଫୁନ୍’ । ଏହି ଶବ୍ଦଟି ହଠାତ୍ ଆମକୁ ଅତ୍ୟନ୍ତ ନରମ କରିଦେଇପାରେ । ଆମ କାନରେ ପୃଥିବୀର ମଧୁରତମ ସଂଗୀତର ଧୂନ ନିରବଚ୍ଛିନ୍ନ ବାଜି ଚାଲିପାରେ ଏବଂ ଆଉ କାହାକୁ ସାଥି ଆକାରରେ ଏକାଗ୍ରଭାବରେ ଲୋଡୁଥିବା କାରଣରୁ ଆମେ ପୃଥିବୀର ସର୍ବଶ୍ରେଷ୍ଠ ମଣିଷଭିତ୍ତିକ ପ୍ରଜାତିରେ ପରିଣତ ହୋଇଯାଇପାରୁ । ସେହି ବିଶେଷ ଶବ୍ଦ “କାଫୁନ୍” ର ଅର୍ଥ ହେଉଛି,ନିଜର ପ୍ରେମାସ୍ପଦ ବା ପ୍ରେମାସ୍ପଦାର କେଶରାଜିରେ ନିଜର ଆଙ୍ଗୁଳି ସଞ୍ଚାଳନ କରିବା । ଜଣେ ଜଣକର କେଶକୁ ଆଉଁଷି ଦେଉଛି,ପୃଥିବୀର ମଧୁରତମ ଦୃଶ୍ୟମାନଙ୍କ ମଧ୍ୟରୁ ଏହା ଅନ୍ୟତମ ।

କିନ୍ତୁ କାଫୁନ ଶବ୍ଦର ସେମିତି କୌଣସି ଗମ୍ଭୀର ଭାବ ବ୍ୟଞ୍ଜକ ଅର୍ଥ ଆପଣମାନେ ସେମାନଙ୍କର ନିକଟରୁ ପାଇବେ ନାହିଁ । ସେମାନେ କିନ୍ତୁ ଏକ ଭିନ୍ନ ପ୍ରକାରର ନୈବ୍ୟକ୍ତିକ କଳାକର୍ମରେ ନିୟୋଜିତ ହୋଇ ରହିଥାନ୍ତି । ସେମାନେ ହେଉଛନ୍ତି କେଶସଜ୍ଜାକାରୀ ବା ହେୟାର ଡ୍ରେସର୍ । ସେମାନଙ୍କ ପାଇଁ ଆଉ ଗୋଟିଏ ଚମତ୍କାର ଶବ୍ଦ ରହିଛି, ଟନସୋରିଆଲ୍
ଆର୍ଟିଷ୍ଟ । ସେ ଯାହାହେଉ ଜଣେ ହେୟାର୍ ଡ୍ରେସର ପାଇଁ କାଫୁନ୍ ଶବ୍ଦର କୌଣସି ଅର୍ଥନାହିଁ ।

୧୯୦୫ ଖ୍ରୀଅ ର କଥା । କାର୍ଲ ନେସଲର୍ ବୋଲି ଜଣେ ଜର୍ମାନ ହେୟାର୍ ଡ୍ରେସର୍ ନିଜର ପତ୍ନୀଙ୍କ ମଥାରେ ଏକ ଆବେଗଘନ ମୁହୂର୍ତ୍ତରେ ହସ୍ତ ସଞ୍ଚାଳନ କଲାବେଳେ ତାଙ୍କର ମଥାକୁ ଗୋଟିଏ ଅଜବ ଧାରଣା ପ୍ରବେଶ କରିଥିଲା । ପତ୍ନୀଙ୍କ ମଥାର ଚୂଳକୁ କୁଞ୍ଚିତ କରାଯାଇପାରେ । ତାହାପରଠାରୁ ସେଇ “କର୍ଲ” ର ଚକ୍କରରେ ପଡିଗଲେ କାର୍ଲ । ବାହାରେ ନିଜର ହେୟାର ଡ୍ରେସିଙ୍ଗ କରିବା ସମୟରେ ନୁହଁ କେବଳ ନିଜଘରେ ହିଁ ସେ କେଶକୁ କେଉଁ ଭଳି ସହଜରେ କୁଞ୍ଚିତ କରାଯାଇପାରିବ ସେ ଦିଗରେ ଗମ୍ଭୀର ପରୀକ୍ଷାନିରୀକ୍ଷା କରିବାରେ ଲାଗିଥିଲେ । କହିବା ବାହୁଲ୍ୟ ତାଙ୍କର ଏହି ସମସ୍ତ କେଶ-ଜାତୀୟ ପରୀକ୍ଷାନିରୀକ୍ଷାରେ ଏକମାତ୍ର ଉପସ୍ଥିତ ଶହୀଦ ଥିଲେ ତାଙ୍କର ପତ୍ନୀ । କାଫୁନରୁ କଥାଟି ଆରମ୍ଭ ହୋଇଥିଲେ ହେଁ
ପରେ ଆଉ ତାହା କାଫୁନ ଭିତରେ ରହିନଥିଲା । କାର୍ଲ ନେସଲର୍ ଶେଷରେ କେଶକୁ କୁଞ୍ଚିତ ବା କର୍ଲ କରିବାର ଫର୍ମୁଲା ପାଇଗଲେ । ସେହି ଫର୍ମୁଲା ଆଧାରରେ ଜଣେ ନାରୀ ନିଜର କେଶକୁ ପୁରା ଦୁଇଦିନ ରଖିପାରିବ । ପରେ ଜଣେ ନାରୀ ତାହାର କେଶକୁ କେମିତି କେତେ ସପ୍ତାହ ଧରି କୁଞ୍ଚିତ କରି ରଖିପାରିବ ତାହାର ପ୍ରୟୋଗବିଧିରେ ସେ ସଫଳ ହୋଇଥିଲେ । କାର୍ଲ ନେସଲରଙ୍କ ବିଜ୍ଞାପନରେ ଏଇ କଥା ବ୍ୟାପକ ଭାବରେ ପ୍ରଚାରିତ ହୋଇଥିଲା ସେ ସମୟର ଜର୍ମାନୀରେ । କିନ୍ତୁ ଯେଉଁକଥା ପ୍ରଚାରିତ ହୋଇନଥିଲା ଜଣେ ନାରୀର ଅସହ୍ୟ
ଯନ୍ତ୍ରଣା । ନିଜର ମଥାର କୁଞ୍ଚିତ କେଶ ସହ ଘଣ୍ଟା ପରେ ଘଣ୍ଟା ଗୋଟିଏ ସ୍ଥାନରେ ସ୍ଥିର ଭାବରେ ବସି ରହିବାର ଯନ୍ତ୍ରଣା, ବାହାରକୁ ଯାଇ ଆଉ କୌଣସି ପ୍ରିୟଜନକୁ ଭେଟି ନପାରିବାର ଯନ୍ତ୍ରଣା,କାଳେ ନୂତନ ପ୍ରୟୋଗ ବିଫଳ ହୋଇଯିବ ବୋଲି ଦୀର୍ଘକାଳର ଯୌନବିରାମର ଯନ୍ତ୍ରଣା ଏବଂ ବିଶେଷତଃ ଜଣେ ନାରୀର ଅସ୍ତିତ୍ୱ କେବଳ ତାହାର କେଶରେ ଆଉ ତାହାର କେଶର କୁଞ୍ଚରେ ରହିଛି ବୋଲି ଏକ ଅବବୋଧର ଯନ୍ତ୍ରଣା । ସବୁ ଗବେଷଣାର ଆଢୁଆଳରେ ଏଇମିତି ଅନାମିକା ଗୃହାଙ୍ଗନା ମାନଙ୍କର ଗୋପନର ଚିରବସତି କଥା ଆମର ଇତିହାସ ସାରା ବିସ୍ତୃତ ।

ଗୋଟିଏ ପର୍ଯ୍ୟାୟରୁ ଆଉ ଅଧିକ ଆଗକୁ ନେବା ସମ୍ଭବ ହେଲାନାହିଁ। କାର୍ଲ ନେସଲରଙ୍କ ବିବାହ ବିଚ୍ଛେଦ ଘଟିଥିଲା ।

କେଶକୁ କୁଞ୍ଚିତ କରିପାରିବାର ଦକ୍ଷତା ଏବଂ ଅଭିଜ୍ଞତାର କାରଣରୁ କାର୍ଲଙ୍କର ଆତ୍ମବିଶ୍ୱାସ ବଢି ଚାଲିଥାଏ। ସେ ଅନୁଭବ କଲେ ଯେ,ଜର୍ମାନୀ ହେଉଛି ଅନେକ ପରିମାଣ ରେ ରକ୍ଷଣଶୀଳ ଦେଶ । ତେଣୁ କେଶକୁ କୁଞ୍ଚିତ କରିବା ଭଳି ତାଙ୍କର ଫେସନ୍-ଶୈଳୀକୁ ସେଠାରେ ସେମିତି ସୁଯୋଗ ମିଳିବ ନାହିଁ । ସେତେବେଳେ ପୃଥିବୀର ସବୁଠୁ ମୁକ୍ତ ଫେଶନ୍-ପ୍ରିୟ ତଥା ଫେଶନ୍-ସମୃଦ୍ଧ ଦେଶ ହେଉଛି ଫ୍ରାନସ୍, ପାରିସ୍ ସହର  ଏବଂ ଏକଥା ସମସ୍ତଙ୍କର ଜଣା ଯେ ଫ୍ରାନ୍ସ ଆଉ ଜର୍ମାନୀ ମଧ୍ୟରେ ଇତିହାସ ଦୃଷ୍ଟିରୁ ଅହିନକୂକ ସମ୍ପର୍କ । ଯେଉଁ ଶତ୍ରୁର ବିରୋଧରେ ସବୁବେଳେ ନିଜର ମଥା କଣ୍ଡିସନଡ୍, ସେହି ମଥାକୁ କେମିତି ସେହି ଶତ୍ରୁ ହିଁ ସୁନ୍ଦର କରି ସଜାଇବା ପାଇଁ ଜଣେ ପ୍ରସ୍ତୁତ ହୋଇଯିବ ,ସେ କଥା ଦେଖିବାକୁ ଆମର ଆଗ୍ରହ ରହିବା ସ୍ୱାଭାବିକ ।

ଫ୍ରାନ୍ସରେ ପହଞ୍ଚିବା ପରେ କାର୍ଲ ନେସଲର୍ ନିଜର ନାଆଁକୁ ବଦଳାଇ ଦେଲେ । ସେ ହେଲେ ଚାର୍ଲସ୍ ନେସଲର୍ , ସଂକ୍ଷେପରେ ଚାର୍ଲି । ତାଙ୍କର ନାଆଁ ଆଉ ତାଙ୍କର ଉତ୍ପାଦ ଅର୍ଥାତ୍ ଏଇ “କର୍ଲ” ଫେଶନପ୍ରିୟ ପାରିସବାସୀଙ୍କୁ ଯଥେଷ୍ଟ ଆକୃଷ୍ଟ କରିପାରିଥିଲା । ଏହାର ଲୋକପ୍ରିୟତାକୁ ଦେଖି ସେ ୧୯୦୯ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡକୁ ଯାଇ ସେଠାରେ ଏହି “କର୍ଲ” ବା କେଶ-କୁଞ୍ଚକୁ ବ୍ୟବସାୟଗତ ଅଧିକୃତ ପଞ୍ଜିକରଣ ବା ପାଟେଣ୍ଟ କରିଥିଲେ । ଅବଶିଷ୍ଟ ଜୀବନ ତାଙ୍କର ଲଣ୍ଡନରେ ବିତିଥିଲା ।

ନେସଲରଙ୍କ କେଶ-କୁଞ୍ଚ ପଦ୍ଧତି କେବଳ ଯେ ନାରୀମାନଙ୍କୁ ଆକୃଷ୍ଟ କରୁଥିଲା ସେକଥା ନୁହଁ । ପ୍ରସିଦ୍ଧ ଗ୍ରୀକ୍ ଆଉ ରୋମୀୟ ସମ୍ରାଟମାନଙ୍କ ଷ୍ଟାଇଲରେ ଅନେକେ ତରୁଣ ନିଜର “ମାଚୋ” ଇମେଜ ପାଇଁ ସେଇଭଳି କେଶସଜ୍ଜା କରିବାକୁ ସେ ସମୟରେ ଆଗଭର ହେଉଥିଲେ ।

ଏହି ତୁଚ୍ଛ ଇତିହାସର ଶେଷ କଥାଟି ଏମିତି ହେଉ : ଆମର କିଶୋରକାଳର କ୍ରସ୍ ହେଉଛନ୍ତି ଜଣେ କୁଞ୍ଚିତ କେଶରାଜିର ମନୋହାରିଣୀ ନାୟିକା । ତାଙ୍କର ନାଆଁ, ସାଧନା ।

 

 

Comments are closed.