Latest Odisha News

BREAKING NEWS

ଫିଲ୍ମର କାହାଣୀ ଅବଲମ୍ବନରେ ଗଳ୍ପ ଲେଖିଥିବାରୁ କ୍ଷମା ମାଗିଲେ ମମତାମୟୀ ଚୌଧୁରୀ

ଭୁବନେଶ୍ୱର: ଲେଖାଚୋରି ଘଟଣାକୁ ନେଇ ଫେସବୁକରୁ ଆରମ୍ଭ ହୋଇଥିବା ବିବାଦ ଶେଷରେ ସେହି ଫେସବୁକ୍ ରେ ହିଁ ଶେଷ ହୋଇଛି । ନିଜ ଟାଇମଲାଇନରେ ଲେଖିକାଜଣକ ନିସର୍ତ୍ତ କ୍ଷମା ମାଗିବା ପରେ ଦୁଇ ଦିନ ଧରି ଓଡ଼ିଆ ସାହିତ୍ୟ ଜଗତରେ ଚାଲିଥିବା ତୋଫାନ ଆପାତତଃ ଥମିଯାଇଛି ।

ଘଟଣା ଅନୁଯାୟୀ ମାସିକ ସାହିତ୍ୟ ପତି୍ରକା ‘ନନ୍ଦିକା’ର ମେ’ ୨୦୧୯ ସଂଖ୍ୟାରେ ମମତାମୟୀ ଚୌଧୁରୀଙ୍କ ‘ଚୁପଚାପ୍‍’ ଶୀର୍ଷକ ଏକ ଗଳ୍ପ ପ୍ରକାଶ ପାଇଥିଲା । ଏହାକୁ ନେଇ ଫେସବୁକରେ ଅଭିଯୋଗ ଉଠିଥିଲା ଯେ ଏହା ବିଲାଲ ହାସନଙ୍କ ନିର୍ଦେଶିତ ବହୁଚର୍ଚ୍ଚିତ ସର୍ଟଫିଲ୍ମ ‘ଚୁପଚାପ୍‍’ର ନକଲ । ପ୍ରଥମରୁ ଏକଥା ସ୍ୱୀକାର କରିନଥିଲେ ମମତାମୟୀ । ବରଂ ସେ ଲେଖିଥିଲେ ଯେ କେରଳରେ ଘଟିଥିବା ଏକ ସତ୍ୟଘଟଣା ଉପରେ ଆଧାରିତ ତାଙ୍କର ଏହି କାହାଣୀ, ଯାହା ସଂପର୍କରେ ସେ ସମ୍ବାଦପତ୍ରରେ ଏକ ଖବର ପଢ଼ିଥିଲେ । ଆଲୋଚିତ ସର୍ଟଫିଲ୍ମ ସେ ଦେଖିନାହାନ୍ତି କି ଏହି ଶୀର୍ଷକର କୌଣସି କାହାଣୀ ସେ ପଢ଼ିନାହାନ୍ତି ।

ତେବେ ଫେସବୁକରେ ମମତାଙ୍କ ଗଳ୍ପର ନକଲ ସହ ସିନେମାର ୟୁଟ୍ୟୁବ ଲିଙ୍କ ଉପଲବ୍ଧ ଥିବାରୁ ଶତାଧିକ ଓଡ଼ିଆ ଲେଖକ ଓ ସାହିତ୍ୟପ୍ରେମୀ ଘଟଣାର ସତ୍ୟାସତ୍ୟ ଉପଲବ୍ଧି କରି ଲେଖିକାଙ୍କୁ ଛି’ଛାକର କରିଥିଲେ । ଅନ୍ୟପକ୍ଷରେ ସିନେମାର ମୂଳ କାହାଣୀକାର ବିଲାଲ ହାସନଙ୍କ ନଜରକୁ ଲେଖାଚୋରି ଘଟଣାଟି ଆସିବା ପରେ ସେ କପିରାଇଟ୍‍ ଆକ୍ଟରେ ଲେଖିକାଙ୍କ ନାମରେ ଅଭିଯୋଗ ଆଣିବେ ବୋଲି ଧମକ ଦେଇଥିଲେ । ଯଦି ମମତାମୟୀ ସର୍ବସମକ୍ଷରେ ନିଜର ଦୋଷ ସ୍ୱୀକାର ନକରନ୍ତି, ତେବେ ସେ ଗଣମାଧ୍ୟମର ସହାୟତା ନେବା ସହ ଆଇନଗତ କାର୍ଯାନୁଷ୍ଠାନ ଗ୍ରହଣ କରିବେ ବୋଲି କହି ଚାପ ସୃଷ୍ଟି କରିଥିଲେ ।

ବିବାଦ ଘନଉଥିବା ଦେଖି ଶେଷରେ ଲେଖିକା ମମତାମୟୀ ଚୌଧୁରୀ ଆଜି ସଂଧ୍ୟାରେ ନିଜ ଫେସବୁକ ୱାଲରେ ଦୋଷ ସ୍ୱୀକାର କରିଛନ୍ତି । ମାନସିକ ଅବସାଦରେ ଥିବା ଅବସରରେ ସର୍ଟଫିଲ୍ମ ‘ଚୁପଚାପ’ର କାହାଣୀର ଛାୟାରେ ସେ ଏହି ଗପଟି ଲେଖିଥିବାରୁ ନିସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି ।

ମମତାଙ୍କ ସ୍ୱୀକାରୋକ୍ତି

ତାଙ୍କର ଏହି ସ୍ୱୀକାରୋକ୍ତିକୁ ମୁକ୍ତ ମନରେ ଗ୍ରହଣ କରି ଅଭିଯୋଗକାରୀ ବିଲାଲ ହାସନ ତାଙ୍କ କମେଣ୍ଟରେ ଲେଖିଛନ୍ତିି ଯେ ଏକଦା ବ୍ରୁସ୍‍-ଲି କହିଥିଲେ, “ଭୁଲ୍‍ ସବୁବେଳେ କ୍ଷମଣୀୟ, ଯଦି ଜଣେ ତାକୁ ସ୍ୱୀକାର କରିବାର ସାହସ ରଖିଥାଏ ।”

ଏହାପରେ ଦୁଇଦିନ ଧରି ଚାଲିଥିବା ଏକ ବଡ଼ ବିବାଦର ଅବସାନ ଘଟିଥିଲେ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଯଶସ୍ୱୀ ଲେଖିକାଙ୍କ ଏହି କାରନାମାକୁ ଓଡ଼ିଆ ଲେଖକ-ପାଠକ-ସଂପାଦକମାନେ ସହଜରେ ଗ୍ରହଣ କରିପାରିନାହାନ୍ତି, ଯାହା ବିଭିନ୍ନ ଫେସବୁକ ପୋଷ୍ଟରୁ ପ୍ରତୀୟମାନ ହେଉଛି ।

କେମିତି ଧରାପଡ଼ିଲା ମମତାଙ୍କ ଗପଚୋରି ! ପଢ଼ିବା ପାଇଁ କ୍ଲିକ କରନ୍ତୁ

Leave A Reply

Your email address will not be published.