Latest Odisha News

BREAKING NEWS

ଟ୍ବିଟର ଡିଲରୁ ପଛକୁ ହଟିବେ ଏଲନ୍ ମସ୍କ !

ନୂଆଦିଲ୍ଲୀ: ଟ୍ବିଟର ଡିଲରେ ଟ୍ବିଷ୍ଟ । ଏଲନ୍ ମସ୍କ ଟ୍ବିଟର କିଣିବା ପ୍ରକ୍ରିୟା ଯେତିକି ଆଗଉଛି, ଡିଲକୁ ନେଇ ସେତିକି ଟ୍ବିଷ୍ଟ ବଢ଼ିବାରେ ଲାଗିଛି । ଏମିତି ଲାଗୁଛି ଅସ୍ଥାୟୀ ଭାବେ ଅଟକିଥିବା ଟ୍ବିଟର କିଣିବା ରାଜିନାମାରୁ ଓହରି ଯାଇପାରନ୍ତି ଟେସଲା ସିଇଓ ଏଲନ୍ ମସ୍କ ।

ଆଉ ଯାହାର ସଂକେତ ନିଜେ ଏଲନ୍ ମସ୍କ ଦେଇଛନ୍ତି । କମ୍ପାନୀକୁ ଏଲନ୍ ମସ୍କ ଚିଠି ଲେଖିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ଟ୍ବିଟର ନିଜ ଦାୟିତ୍ବ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରିଛି । ଯେଉଁଥିପାଇଁ ଟ୍ବିଟର ଡିଲକୁ ବାତିଲ୍ କରିବା ଲାଗି ମସ୍କଙ୍କ ପାଖରେ ସମ୍ପୂର୍ଣ୍ଣ ଅଧିକାର ଥିବା ଚିଠିରେ ଲେଖା ଯାଇଛି ।

ଏହା ପୂର୍ବରୁ ଟ୍ବିଟର ଡିଲକୁ ଅସ୍ଥାୟୀ ଭାବେ ରୋକିଥିଲେ ଏଲନ୍ ମସ୍କ । ନିୟମିତ ଭାବେ ଟ୍ବିଟରରେ ସକ୍ରିୟ ଥିବା ନକଲି ଆକାଉଣ୍ଟର ତଥ୍ୟ ମାଗୁଥିଲେ । ଆଉ ଏହି କାରଣ ପାଇଁ ଏବେ ଯାଏ ଲଟକି ରହିଥିବା ଟ୍ବିଟର ଡିଲ୍ ଏବେ ସଂକଟ ମଧ୍ୟରେ । କୌଣସି ବି ମୁହୂର୍ତ୍ତରେ ଟ୍ବିଟର ଡିଲରୁ ପଛକୁ ହଟିପାରନ୍ତି ଏଲନ୍ ମସ୍କ ।

ଚିଠିରେ ଆହୁରି ଲେଖାଯାଇଛି, ‘ମସ୍କ ଭାବୁଛନ୍ତି ଚୁକ୍ତି ପୂରା କରିବା ଲାଗି ଟ୍ବିଟର ସମ୍ପୂର୍ଣ୍ଣ ସହଯୋଗ କରୁନାହିଁ । ଯାହାକି ପ୍ରକ୍ରିୟାକୁ ଆଗକୁ ବଢ଼ାଇବାରେ ଅନ୍ତରାୟ ସୃଷ୍ଟି କରିବା ସହ ସନ୍ଦେହ ବଢ଼ାଉଛି । ମସ୍କ ମାଗିଥିବା ତଥ୍ୟକୁ ଜାଣିଶୁଣି ଟ୍ବିଟର ଦେଉନାହିଁ । ଅନ୍ୟପଟେ ପ୍ରି-ମାର୍କେଟିଂ ଟ୍ରେଡିଂରେ ଟ୍ବିଟରର ସେୟାର ୫.୫ ପ୍ରତିଶତ ହ୍ରାସ ପାଇଛି ।’

ଟ୍ବିଟର ଡିଲ୍ ଅଟକି ରହିବାର ବଡ଼ କାରଣ ହେଉଛି ନକଲି ଆକାଉଣ୍ଟ । ସଂଖ୍ୟାଧିକ ସ୍ପାମ୍ ଓ ବଟ୍ ଆକାଉଣ୍ଟ ପାଇଁ ଟ୍ବିଟର ଡିଲ୍ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ । ମେ’ରେ ଟ୍ବିଟର ଦେଇଥିବା ସୂଚନା ଅନୁସାରେ, ପ୍ଲାଟଫର୍ମରେ ମାତ୍ର ୫ ପ୍ରତିଶତ ବଟ୍ ଆକାଉଣ୍ଟ ରହିଛି । ତେବେ ମସ୍କଙ୍କ କହିବା କଥା ବଟ୍ ଆକାଉଣ୍ଟକୁ ନେଇ ଅନେକ କିଛି ଲୁଚାଉଛି ଟ୍ବିଟର୍ । ଯାହାକୁ ନେଇ ଟ୍ବିଟର ଓ ଏଲନ୍ ମସ୍କ ମୁହାଁମୁହିଁ ହୋଇଛନ୍ତି ।

Leave A Reply

Your email address will not be published.