Latest Odisha News

BREAKING NEWS

ଶିଶୁ କବିତା : କୁହ ଜହ୍ନମାମୁଁ

ଅଶୋକ କୁମାର ପ୍ରଧାନ

ନୀଳ ଆକାଶରେ ବିରାଟ କୋଳରେ
ଗଢିଛି କେ ତୋତେ ଜହ୍ନରେ
ଦେଖିଲେ ତୋହାର ତୋଫା ଚେହେରାକୁ
ଖୁସି ଆସେ ମୋର ମନରେ।

କେତେ ତୁମେ ତୋଫା କିରଣ ବିତର
ବିଲ ବାଡି ନଈ ନାଳରେ
ଦିନରେ ତ ତୁମେ ଦେଖା ଦିଅ ନାହିଁ
ଆସ କିଆଁ ରାତି କାଳରେ।

ଦେହରେ ତୁମର ପାହାଡ଼ ପଥର
ଦିଶେ ମୋତେ ଭାରି ବଢ଼ିଆ
କୁହ ଜହ୍ନ ମାମୁଁ ତୁମ ରାଇଜରେ
ମିଳୁଛି କି ଗୁଆ ନଡ଼ିଆ

ରୂପା ପରି ତୁମ କଅଁଳ କିରଣ
କିଆଁ ଭରେ ଖୁସି ମନରେ
ତୁମକୁ ଦେଖାଇ ବୋଉ କାହିଁ କହେ
ଖାଇଦେ ମୋ ସୁନା ଧନରେ।

ଦେଖି ମୁ ତୁମକୁ ହସି ସିନା ଖାଏ
ବୋଉ ବାଢିଥିବା ଭାତକୁ
ମୋର ଇଚ୍ଛା ହୁଏ ତୁମ ରାଇଜର
ଦେଖିବାକୁ ଯାନି ଯାତକୁ।

ଶୁଣ ଜହ୍ନ ମାମୁଁ ତୁମ ଦେଶେ ମୋତେ
ନେବ କି ଥରେଟେ ବୁଲାଇ
ତୁମ ରାଇଜର ବଣ ପାହାଡର
ଆଣବ କି ମୋତେ ଝୁଲାଇ।

ବୁଲିବି ସେଇଠି ବଣ ପାହାଡ଼ର
ମନ ଲୋଭା ଛବି ଦେଖିବି
ବଡ ହେଲେ ମୁହିଁ ତୁମ ବିଷୟରେ
କେତେ ସତକଥା ଲେଖିବି।

ସାରା ଜଗତକୁ କହିବି ମୁଁ ଆସି
ତୁମ ରାଇଜର କଥାକୁ
ଭଲ ପାଠ ପଢ ଜହ୍ନ ଦେଶେ ଯିବା
ଉଚ୍ଚ କରି ଆମ ମଥାକୁ।

ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ
ରୋହିଗାଁ ,ଗଞ୍ଜାମ
ମୋ-୮୨୪୯୧୧୯୧୩୦

 

Comments are closed.