Latest Odisha News

BREAKING NEWS

ସମବାୟ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ: ବିଜେପି

ଭୁବନେଶ୍ୱର : ଚଳିତ ସମବାୟ ନିର୍ବାଚନରେ ପ୍ରାଥମିକ ସ୍ତରରେ ହେଉଥିବା ଲ୍ୟାମ୍ପ୍ସ ଓ ପ୍ୟାକ୍ସ ନିର୍ବାଚନରେ ଶାସକ ବିଜେଡି ସରକାରୀ କର୍ମଚାରୀଙ୍କ ସହାୟତାରେ ନିର୍ବାଚନକୁ ସଂପୂର୍ଣ୍ଣ ଭାବେ ପ୍ରଭାବିତ କରିବା ସହିତ ଚାଷୀମାନଙ୍କୁ ଧୋକା ଦେଉଛି । ଅନେକ ପ୍ରାଥମିକ ସମବାୟ ସମିତିରେ ଶାସକ ଦଳକୁ ନିର୍ବାଚିତ କରିବା ପାଇଁ ଅନ୍ୟ ସମସ୍ତଙ୍କ ପ୍ରାର୍ଥୀପତ୍ରକୁ ବିଭିନ୍ନ ମିଥ୍ୟା ଆଳ ଦେଖାଇ ପ୍ରାର୍ଥୀପତ୍ରକୁ ନାକଚ କରି ସୋସାଇଟମାନଙ୍କୁ ଅପ୍ରତିଦ୍ୱନ୍ଦ୍ୱୀ ନିର୍ବାଚିତ ଘୋଷଣା କରାଯାଉଛି । ନିର୍ବାଚନରେ  ନାମାଙ୍କନ ପତ୍ର ଶୁଦ୍ଧ ଓ ସଠିକ ହେବାକୁ ଥିବାବେଳେ ଚଳିତ ସମବାୟ ନିର୍ବାଚନରେ ଏହି ପ୍ରାର୍ଥୀପତ୍ରରେ ବ୍ୟାପକ ଅଶୁଦ୍ଧି ପରିଲକ୍ଷିତ ହେଉଛି । ମନୋନୟନ ପତ୍ରରେ କେବଳ ସମର୍ଥକ ଓ ପ୍ରସ୍ତାବକଙ୍କ ନାମ ଦର୍ଶାଇବା ପାଇଁ ସ୍ଥାନ ଥିବାବେଳେ ତାଙ୍କ ଦସ୍ତଖତ ପାଇଁ ସ୍ଥାନ ନାହିଁ । ଯାହାର ଆଧାରରେ ନିର୍ବାଚନ ଅଧିକାରୀ ସ୍ଥଳ ବିଶେଷରେ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କର ପ୍ରାର୍ଥୀପତ୍ର କାୟାମ ରଖିବାବେଳେ ବିରୋଧିମାନଙ୍କ ନାମାଙ୍କନ ନାକଚ କରିଚାଲିଛନ୍ତି । ଏହା ଏକ ସଂପୂର୍ଣ୍ଣ ଅସାମ୍ବିଧାନିକ ବ୍ୟବସ୍ଥା ହୋଇଥିବାରୁ ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ବିଜେପି ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ  ପବିତ୍ର ମୋହନ ଦାଶ ଦାବି କରିଛନ୍ତି ।

ସମବାୟ ନିର୍ବାଚନରେ ହେଉଥିବା ବିଭିନ୍ନ ଅନିୟମିତତାକୁ ନେଇ  ରାଜ୍ୟ ସମବାୟ ନିର୍ବାଚନ କମିଶନଙ୍କୁ ଭେଟି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ସମବାୟ ପ୍ରକୋଷ୍ଠ ତରଫରୁ ଦାବି କରାଯାଇଛି । ଶାସକ ବିଜେଡି ସଭାପତି ତଥା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇବା ପରେ ସମବାୟ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ ଶାସକ ବିଜେଡିକୁ ଜିତାଇବାର ପ୍ରୟାସ ଆରମ୍ଭ କରିସାରିଛନ୍ତି ।

ସମବାୟ ନିର୍ବାଚନକୁ ଅବାଧ, ମୁକ୍ତ, ସ୍ୱଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ସମବାୟ ନିର୍ବାଚନ କମିଶନଙ୍କ ସମେତ ନିର୍ବାଚନ ଅଧିକାରୀମାନେ ଶାସକ ବିଜେଡି ପ୍ରାର୍ଥୀଙ୍କୁ ଅପ୍ରତିଦ୍ୱନ୍ଦୀ ନିର୍ବାଚିତ କରାଇବା ଦାୟିତ୍ୱରେ ଲାଗିପଡିଛନ୍ତି । ଏପରିକି ବିନା ନାମାଙ୍କନ ପତ୍ରରେ ମଧ୍ୟ ଶାସକ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ନାମକୁ ସ୍ଥାନୀୟ ନିର୍ବାଚନ ଅଧିକାରୀମାନେ ଘୋଷଣା କରିବାକୁ ପଛାଉ ନାହାନ୍ତି । ନିର୍ବାଚନ ସମ୍ବନ୍ଧୀୟ ଅଭିଯୋଗ ଶୁଣିବାକୁ କେହି ଉପସ୍ଥିତ ନାହାନ୍ତି । ନିର୍ବାଚନ ପ୍ରକ୍ରିୟାକୁ ଚଂଚକତା କରାଯାଇ ଶାସକ ବିଜେଡି ସପକ୍ଷରେ କାର୍ଯ୍ୟ କରାଯାଉଥିବାର ବହୁ ଅଭିଯୋଗଗୁଡିକୁ ତଥ୍ୟ ଓ ପ୍ରମାଣ ସହିତ ସମବାୟ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବା ସତ୍ୱେ କୈାଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ସମବାୟ ନିର୍ବାଚନ କମିଶନଙ୍କ ନିରବତା ଏବଂ ଶାସକ ବିଜେଡିକୁ ଖୋଲାଖୋଲି ସମର୍ଥନ ଦେବା ବର୍ତମାନ ନିରପେକ୍ଷ ସମବାୟ ନିର୍ବାଚନକୁ ନେଇ ବିରାଟ ସନ୍ଦେହ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସମବାୟ ନିର୍ବାଚନ କମିଶନ ପାଟି ଓ ଦାନ୍ତବିହୀନ ହୋଇପଡିଛନ୍ତି ବୋଲି ଶ୍ରୀ ଦାଶ କହିଛନ୍ତି ।

କୋରାପୁଟ ଜିଲ୍ଲା ବୋରିଗୁମା ଲ୍ୟାମ୍ପ୍ସ ଅଧିନସ୍ଥ ଜୋନ-୧୨,ପୋଣ୍ଡେସଗୁଡା ପାଇଁ ହେବାକୁ ଥିବା ନିର୍ବାଚନରେ ଶାସକ ବିଜେଡି ସମର୍ଥିତ ପ୍ରାର୍ଥୀ  ଏଲ.ନାରାୟଣ ରାଓଙ୍କ ପ୍ରାର୍ଥୀ ପତ୍ରକୁ ଚଂଚକତା କରାଯାଇଛି । ନିର୍ବାଚନରେ ପ୍ରତିଦଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ  ଚିତରଂଜନ ପ୍ରଧାନଙ୍କ ପ୍ରସ୍ତାବକ ଓ ସମର୍ଥକଙ୍କ ନାମ ଚଂଚକତା କରି ଶ୍ରୀ ରାଓ ନିଜ ପ୍ରାର୍ଥୀପତ୍ରରେ ଉଲ୍ଲେଖ କରିଛନ୍ତି, ଯାହାକୁ ସଂପୂର୍ଣ୍ଣ ବେନିୟମ । ଏହି ପ୍ରସଙ୍ଗରେ ଶ୍ରୀ ପ୍ରଧାନ ସ୍ଥାନୀୟ ନିର୍ବାଚନଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ୱେ କୈାଣସି କାର୍ଯ୍ୟାନୁଷ୍ଠାନ ପରିବର୍ତେ ସଂପୃକ୍ତ ନିର୍ବାଚନ ଅଧିକାରୀ ଜଣକ ଶ୍ରୀ ରାଓଙ୍କ ପ୍ରାର୍ଥୀପତ୍ରକୁ କାୟମ କରିଛନ୍ତି ।

ଏଭଳି ଅନେକ ଘଟଣା ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ହେଉଥିବାର ଅଭିଯୋଗମାନ ହସ୍ତଗତ ହୋଇଛି ଏବଂ ତଥ୍ୟ ଓ ପ୍ରମାଣ ସହିତ ଆମେ ଏ ସମସ୍ତ ଘଟଣା ସଂପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରିଛୁ । ନିର୍ବାଚନ କମିଶନ ବିହୀତ ପଦକ୍ଷେପ ଗ୍ରହଣ ନକଲେ ଅଗାମୀ ଦିନରେ ଆମେ କୋର୍ଟର ଦ୍ୱାରସ୍ଥ ହେବୁ ବୋଲି ଶ୍ରୀ ଦାଶ କହିଛନ୍ତି ।

ରାଜ୍ୟର ସମବାୟ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବେ ଧ୍ୱସ୍ତ ବିଧ୍ୱସ୍ତ କରାଯାଇଛି । ଖୋଲାଖୋଲି ଭାବେ ସମସ୍ତ ଆଇନ ଓ ନିୟମକୁ ଜଳାଞଳୀ ଦେଇ ଚଳିତ ସମବାୟ ନିର୍ବାଚନ ହେଉଥିବା କାରଣରୁ ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ଦାବି କରାଯାଉଛି ବୋଲି ଶ୍ରୀ ଦାଶ କହିଛନ୍ତି  ।

Comments are closed.