ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୦
ତତ୍କାଳୀନ ଓ ଚିରଂତନ
ମଧ୍ୟରେ ଭେଦ ନିରୂପଣ
କରିଜାଣେନି ଯେଉଁ ଜାତି
କରେନି କେବେ ବି ଉନ୍ନତି
ପୂର୍ବର ଭୂମିଚିତ୍ର ଦେଖି
ଏବେ କେ ଯାତ୍ରା କରିବ କି?
ପୂର୍ବର ମୂଲ୍ୟସୂଚି ଦେଖି
କିଛି ବି କିଣିପାରିବ କି?
ଅତୀତ ଯେଣୁ ଇତିକଥା
ବଢ଼ାଇଥାଏ ଲୋକ ଆସ୍ଥା
କିଂତୁ ହେଲେ ଅତୀତାଶ୍ରୟୀ
ସଂସ୍କୃତି ହୁଏ ଅବକ୍ଷୟୀ
କଠୋର ମୌଳବାଦୀ ଚିଂତା
ସ୍ବଭାବେ ଉଦ୍ଭାବନ ହଂତା
ବୁଦ୍ଧି ଓ ଜ୍ଞାନର ବିରୋଧୀ
ବିକାଶ ମାର୍ଗ ଦିଏ ରୁଂଧି
ସାଂସ୍କୃତିକ ଓ ସାମାଜିକ
ପ୍ରଥାର ହେଲେ ସଂରକ୍ଷକ
ଯାହା ବି ଥାଏ ସ୍ବାଭାବିକ
ତା ରହେ ହୋଇ ସଦା ମୂକ
ଏଠି ସଂଖ୍ୟାଗରିଷ୍ଠ ଲୋକ
ହୁଅଂତି ବିକାଶ ବାଧକ
ଅଥଚ ବେଶ୍ ଆଧୁନିକ
ତାଂକର ବେଶ ଆଉ ଭେକ
ଏପରି ପାତର ଅଂତର
ହେଲେହେଁ ସତେ ହାନିକର
ଲୋକେ ନ କରଂତି ବିଚାର
ମନରେ ପୋଷି ମିଛ ଡର
ପ୍ରତିଭାଧର ବହୁ ଲୋକ
ପାଆଂତିନାହିଁ ସମର୍ଥକ
ତେଣୁ ହୁଅଂତି ପଳାତକ
ଅନ୍ୟତ୍ର ହୁଅଂତି ନାୟକ
ଭାଷାର ସେବା ଯତ୍ନ ପାଇଁ
ଅଯଥା ଭୂମିତ୍ୟାଗୀ ହୋଇ
ସହଂତି ନିରବ ଯଂତ୍ରଣା
କାହାକୁ ପଡ଼ୁନି କି ଜଣା?
Comments are closed.