Latest Odisha News

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୬)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’

ଦୀର୍ଘଶ୍ଵାସ ଛାଡ଼ି ସରମା କହିଲେ, ” ସ୍ୱାମୀ ବିଦ୍ୟୁତ୍ ଜିହ୍ଵାଙ୍କ ବଧ ପରେ ସୂର୍ପଣଖା ଲଙ୍କା ଛାଡି ଅରଣ୍ୟ ମଧ୍ୟରେ ସମୟ ବିତାଉଥିଲେ। ଯେତେବେଳେ ସେ ଦଣ୍ଡକାରଣ୍ୟ ମଧ୍ୟରେ ରାମ,ଲକ୍ଷ୍ମଣଙ୍କୁ ଦେଖିଲେ ଏବଂ ଜାଣିଲେ ଯେ ଏହି ଭ୍ରାତାଦ୍ବୟଙ୍କ ଦ୍ୱାରା ତାଙ୍କର ମାତାମହୀ ତାଡ଼କା , ମାତୁଳ ସୁବାହୁ ଓ ମାରୀଚଙ୍କର ବଧ ହୋଇଛି ତାଙ୍କ ମନରେ ବିଶ୍ୱାସ ଜନ୍ମିଲା , ଏହି ଦୁଇ ବୀରଙ୍କ ମାଧ୍ୟମରେ ଦଶାନନଙ୍କର ବଧ ହୋଇପାରିବ। ସେ ଏକଥା ମଧ୍ୟ ଜାଣିଥିଲେ ଯେ, ରାବଣ ବଧ କୌଣସି ଦେବତା ବା ଅସୁରଙ୍କ ଦ୍ଵାରା ସମ୍ଭବ ହୋଇପାରିବ ନାହିଁ ବରଂ ନର, ବାନର ଓ ଭଲ୍ଲୁକଙ୍କ ଦ୍ୱାରା ହିଁ ହେବ। ”

ସୁଲୋଚନା ଆଶ୍ଚର୍ଯ୍ୟ ହୋଇ ସବୁ ଶୁଣୁଥିଲେ। ସେ ପଚାରିଲେ, “ଏପରି କାହିଁକି ? ”

” ଥରେ ଲଙ୍କେଶ୍ୱର ଈଶ୍ୱର ପାର୍ବତୀଙ୍କର ଦର୍ଶନ ନିମିତ୍ତ କୈଳାଶ ପର୍ବତକୁ ଯାଇଥିଲେ। ସେଠାରେ ଈଶ୍ୱରଙ୍କର ବାହନ ନନ୍ଦୀଙ୍କୁ ଦେଖି ବାନର ମୁଖା ବୋଲି କହି ତାଙ୍କୁ ଥଟ୍ଟା କରି ହସିଥିଲେ । ଏଥିରେ ଅପମାନିତ ନନ୍ଦୀ ଦଶାନନଙ୍କୁ, ବାନର ତାଙ୍କର ବଧର କାରଣ ହେବେ ବୋଲି ଅଭିଶାପ ଦେଇଥିଲେ। ”

” ଖର, ଦୁଷଣ ଓ ଅନେକ ଭୟଙ୍କର ଅସୁରଙ୍କର ବଧ ସୁର୍ପଣଖାଙ୍କୁ ପ୍ରତ୍ୟୟ ଦିଆଇଥିଲା ଯେ ଏହି ଭ୍ରାତାଦ୍ବୟଙ୍କ ଦ୍ଵାରା ହିଁ ରାବଣ ବଧ ସମ୍ଭବ ହୋଇପାରିବ। ତେଣୁ ନିଜର ନାସିକା ଛେଦନ ପରେ ସେ ରାବଣଙ୍କୁ ସୀତା ହରଣ ନିମିତ୍ତ ପ୍ରବର୍ତ୍ତାଇ ଥିଲେ। ସୀତାଙ୍କର ସୌନ୍ଦର୍ଯ୍ୟକୁ ସେ ଭ୍ରାତା ରାବଣଙ୍କ ସମ୍ମୁଖରେ ବର୍ଣ୍ଣନା କରି କହିଥିଲେ, ତ୍ରିଭୁବନରେ ଏପରି ସୁନ୍ଦରୀ ନାରୀ ଦ୍ଵିତୀୟା କେହି ନାହାଁନ୍ତି ଏବଂ ସେ ଲଙ୍କେଶ୍ୱରଙ୍କର ରାଣୀ ହେବାକୁ କେବଳ ଯୋଗ୍ୟା। ସ୍ୱ-ଭଗିନୀର ଅପମାନର ପ୍ରତିକାର ସ୍ୱରୂପ ବନବାସୀ ରାମଙ୍କର ପତ୍ନୀକୁ ହରଣ କରି ଆଣିବା ନିମିତ୍ତ ସେ ରାବଣଙ୍କୁ ବିଶେଷ ଭାବରେ ଉସୁକାଇଥିଲେ । ”

 

କ୍ରମଶଃ…

Comments are closed.