ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”
ବାସ୍ତବରେ ଓଡ଼ିଶାସମଗ୍ର ଦେଶରେ ଏକ ଧନୀ ରାଜ୍ୟ, କିନ୍ତୁ ଓଡ଼ିଶାର ଲୋକମାନେ ଗରିବ, ପ୍ରତାରିତ, ଶୋଷିତ, ନିର୍ଯ୍ୟାତିତ, ଅବହେଳିତ । ଯାହାର ମାଟି ତଳେ ଅଜସ୍ର ଖଣିଜ ସମ୍ପଦ, ମାଟି ଉପରେ ତଳେ ପର୍ଯ୍ୟାପ୍ତ ଜଳ, ଜମି, ଜଙ୍ଗଲ, ତା’ର ପୁଅ ଝିଅମାନେ ଅଶାନ୍ତି, ଅସନ୍ତୋଷର ବହ୍ନିରେ ପ୍ରଜ୍ଜ୍ୱଳିତ । ୭୫ ବର୍ଷରେ ଓଡ଼ିଶାକୁ ଯେତେ ନେତା ଶାସନ କଲେ କେହି ବି ଆଜି ପର୍ଯ୍ୟନ୍ତ ଓଡ଼ିଶାର ବାସ୍ତବ ବିକାଶ ପାଇଁ ମନ ଧ୍ୟାନ ଦେଇପାରିଲେ ନାହିଁ । ଆଜି ବି ଦୁଃଖିନୀ ଓଡିଶା କାନ୍ଦୁଛି ଓଡ଼ିଶାରେ ନେତା ନାହିଁ ନେତୃତ୍ୱର ଘୋର ସଙ୍କଟ ।
ଆମର ଅବଚେତନର ପ୍ରଥମ ରୁଦ୍ଧ ସ୍ୱରଟିଏ ହେଉଛି ବିକଳ୍ପ ପାଇଁ ସଂକଳ୍ପ । ବର୍ତ୍ତମାନ ଗଣମାଧ୍ୟମ ଜରିଆରେ ଗାଁ ଗହଳରେ ମଧ୍ୟ ଗୋଟାଏ ପ୍ରକାର ଭୂଆଁବୁଲା ଅପପ୍ରଚାରକୁ କିଛି ନ୍ୟସ୍ତସ୍ୱାର୍ଥ ବାହିନୀ ଅନୁପ୍ରବେଶ କରି ସାରିଲେଣି । ତାହା ହେଉଛି – ନବୀନ ପଟ୍ଟନାୟକଙ୍କର କେହି ବିକଳ୍ପ ନାହାଁନ୍ତି । ଓଡିଶାର ସରଳତମ ଓ ନିରୀହତମ ଗ୍ରାମବାସୀଙ୍କର ମସ୍ତିଷ୍କରେ ମଧ୍ୟ ଏଇ ବିଷକୁ ଭର୍ତି ଉଦ୍ୟମ କରାଯାଇ ଆସିଛି । ଅଥଚ ନବୀନ ପଟ୍ଟନାୟକ ପଛପଟର ପରଦାକୁ ଟେକିଲା ବେଳକୁ ସେଠି ଦିଶୁଛି ଆଉ ଗୋଟାଏ ମୁଖଶ ସେ କାଳେ ଅଙ୍କଲ୍ । ଯିଏ ଚଳନ୍ତି ରାଜନୀତିର ସବୁ ଅକଲର ଚାବିକାଠି । ପୁଣି ଏଇ ଅକଲବାଜ ଅଙ୍କଲଙ୍କ ପଛପଟର ପରଦା ଅପସାରିତ ହେଲେ ଦେଖିବାକୁ ମିଳୁଛି ଭୂଷଣ କମ୍ପାନୀଠୁ ଆରମ୍ଭ କରି ଭୁଷୁଣ୍ଡା ଦଲାଲମାନଙ୍କର ପାଟ ପଟୁଆର । ଚାଷୀ ଭାସି ଯାଉଛନ୍ତି ମେହନତୀ ମଣିଷ ଭିଟାମାଟି ଛାଡି ବିସ୍ଥାପିତ ହେଉଛି । ଅଥଚ କି ପ୍ରଗତିର ନାଟକ ଚାଲିଛି । ଏ ପ୍ରଗତି କେବଳ ପ୍ରହସନ । କିଛି ଧନୀ ଏବଂ ଦଲାଲମାନଙ୍କର ଦୁର୍ଗ ନିର୍ମାଣ ପାଇଁ ଏ ପ୍ରଗତିକୁ ସ୍ୱାଗତ କରାଯାଇ ସାରା ଓଡିଶା ଭୂଇଁକୁ ପ୍ରଦୂଷିତ କରି ରଖିବାର ଚାଲାକି ଚାଲିଛି କେବଳ । ପରବର୍ତ୍ତୀ ପୀଢ଼ି ପାଇଁ ଆମେ କି ଉପହାର ଦେବା କେବଳ କ’ଣ ଅଙ୍ଗାର ଆଉ ପାଉଁଶର ଗୋଟାଏ ରୁଗ୍ଣ ଓଡିଶା । ଏଇ କଥାକୁ ହେଜି ପରିବର୍ତ୍ତନ ପାଇଁ ପ୍ରକ୍ରିୟା ପ୍ରତି ଆସନ୍ତୁ – ଆମେ ଅଭାବର ଏଇ ଉତ୍କଟ ଉତ୍କଳରେ ଆଜିଠୁଁ ପାରସ୍ପରିକ ଭାବବିନିମୟର ଅସଲ ବାଟ ଫିଟାଇବା । ପରିବର୍ତ୍ତନ କେବଳ ପ୍ରତିକ୍ରିୟାରେ ପ୍ରକାଶ ପାଇଲେ ଚଳିବ ନାହିଁ । ଏହା ସର୍ବାଦୌ ପ୍ରକଟିତ ହେବା ବାଂଛନୀୟ ଏକ ପ୍ରକୃତ ପ୍ରକ୍ରିୟାତ୍ମକ ପନ୍ଥାରେ ।
ଆମେ ସମସ୍ତେ ମିଶିଲେ ସିନା ଏ ପ୍ରକାର ପରିବର୍ତନ ଆସିବ । ଆଉ ଆମର ମାଆ ଓଡିଶା ହସିବ । ତା’ ବଦଳରେ ପରସ୍ପରକୁ ପରସ୍ପରଠୁଁ ନିରାପଦ ଦୂରତ୍ୱରେ ରହି କେବଳ ମନ୍ତବ୍ୟ ଦେଇ ଚାଲିଲେ ଗନ୍ତବ୍ୟ ଦିଶିବ କି ?
ଦୃଷ୍ଟିଭଙ୍ଗୀର ସୃଷ୍ଟି ହିଁ ପରିବର୍ତ୍ତନର ମଞ୍ଜି । ଓଡ଼ିଶା ଗୋଟିଏ ମନୁଷ୍ୟକୃତ ମହାମରୁଡିର ମୂଲକ । ଏ ମହାମରୁଡି କେବଳ ଖାଦ୍ୟାଭାବ କ୍ଷେତ୍ରରେ ନୁହେଁ ଅନ୍ୟାନ୍ୟ ଅନେକ ଅଭାବ କ୍ଷେତ୍ରରେ ଜନସଚେତନତାର ଅଭାବ ହିଁ ମୁଖ୍ୟ । ଏଠି ଦପ୍ତର, ଦରବାର ସବୁ ଗୁଣ୍ଡା ଗେଣ୍ଡାମାନେ ଅକ୍ତିଆର କରିନେଇଛନ୍ତି । ଓଡ଼ିଶା ଗୋଟିଏ ମନୁଷ୍ୟକୃତ ମରୁପ୍ରଦେଶ । ଏଠି ବର୍ଷା ବନେ ବତାସ, ଚଷା ହୁଏ ହତାଶ । ଏଠି ଜାଗୁଆର୍ଙ୍କୁ ଜୁଟେ ଜାଗିରି, ଡକାୟତଙ୍କୁ ମିଳେ ଡିଗିର, ଚାକୁବାଲାଙ୍କୁ ଦିଆଯାଏ ଚାକିରୀ, ବେଠିଆଙ୍କୁ ବଣ୍ଟାଯାଏ ବେକାରୀ । ଦେବତା ଏଠି ଦାରୁ, – ନେତା ଏଠି ମାରୁ – ଭୋଟରମାନେ ଭୀରୁ ।
ଓଡ଼ିଶା ଗୋଟିଏ ମନୁଷ୍ୟକୃତ ମଶାଣିପଦା । ଏଠି ଅନେକ ଶବଦାହ । ଶବଦାହ ସ୍ୱପ୍ନର, ସଂକଳ୍ପର, ସଂସ୍କୃତିର, ସାହିତ୍ୟର, ସାମ୍ବାଦିକତାର, ସତ୍ୟତାର, ସଭ୍ୟତାର । ଶବଦାହ ବିଦୋହର, ବିପ୍ଲବର, ପ୍ରତିବାଦର, ପ୍ରତିଭାଦୀପ୍ତ ନବ ତାରୁଣ୍ୟର । ଭୋକର ଭୂଗୋଳ ଏ ଓଡ଼ିଶା ନିଜ ଇତିହାସର ଇତିକଥା ଲେଖେ ସନନ୍ଦରେ, ଶିଳାଲିପିରେ, ପୋଥିପତ୍ରରେ, ପାଞ୍ଜିଫର୍ଦ୍ଦରେ, ପୋକରା ପାଇକ ଖେଦାରେ, ଫିମ୍ପିମରା ପୂର୍ବ ମଗଧୀରେ ଏ ଓଡ଼ିଶା ହେଉଛି – ଏକ ବିଚିତ୍ର ଜାତି। ଯିଏ ନିଜ ଭୂଇଁକୁ ଭଲ ପାଇ ପାରେନା, ନିଜ ଭାଇକୁ ଭାଗ ପାଇଁ ଭଗାରୀ ବନାଇଦିଏ, ପ୍ରତିକ୍ରିୟାହୀନ, ପ୍ରତିବାଦହୀନ ଓଡ଼ିଆ ଜାତି ସବୁ ପ୍ରକାର ଜୁଲୁମକୁ ବରଦାସ୍ତ କରି ନେଉଥିବାରୁ ହିଁ ଏଠି ଶାସନ ଲଙ୍ଗଳା, ପ୍ରଶାସନ ହୁଗୁଳା ।
ଓଡ଼ିଶା ଗୋଟିଏ ମନୁଷ୍ୟକୃତ ମେରୁପ୍ରଦେଶ । ଏଠି ସବୁ ଶୀତଳ । ସବୁ ଶିଥିଳ । ବରଫଠାରୁ ଆହୁରି ଥଣ୍ଡା ଓଡ଼ିଆମାନଙ୍କର କଲିଜା । ଏଠି ଭଲ ସରକାରଟାଏ ନାହିଁ । ଭୋଟରମାନଙ୍କୁ ଖରାପ ସରକାର ମଧ୍ୟରୁ କମ୍ ଖରାପ ସରକାର ବାଛିବା ସକାଶେ ଭୂଆଁ ବୁଲିବାକୁ ପଡିଥାଏ ପ୍ରତି ଥର । ମୂର୍ଖ ଏଠି ହୋଇପାରେ ମୁଖ୍ୟ; ଗଣତନ୍ତ୍ର ଗୌଣ । ଯିଏ ମୁଖ୍ୟ, ସିଏ ଯାହାପାରି ତାହା କହୁ, ତାହା ବେଦବାକ୍ୟ । ଲୋକେ ତା’ ହସକୁ ଦେଖନ୍ତି, ରହସ୍ୟ ବୁଝନ୍ତି ନାହିଁ । ଏଠି ଅବିଚାର, ବ୍ୟଭିଚାର, ଭ୍ରଷ୍ଟାଚାର, ନଷ୍ଟାଚାର, ଅନାଚାର, ଇତ୍ୟାଦି ଅନେକ ଆଚାର ମିଳୁଥାଏ ମାହାଳିଆ । କରଜର କୋରଡା ମାଡ଼ରେ ମରୁଥାଏ ଚାଷୀ – ଅନ୍ନ ବିହୁନେ ହଂସହାନି ଦର୍ଶାଉଥାଏ ଉପାସୀ ଆଦିବାସୀ । ଏଠି ସବୁ ଶୀତଳ – ଅବତଳ ଓ ସମତଳକୁ ଉପହାସ କରୁଛି ଶତସହସ୍ର ସପ୍ତତଳ ! ଏଇସବୁ ସପ୍ତତଳରେ ଗୁପ୍ତ ମନ୍ତ୍ରଣାରତ ତୃପ୍ତ ଘାତକ ଦଳ ।
ଓଡ଼ିଶା ଗୋଟିଏ ମନୁଷ୍ୟକୃତ ମୃଗୟା କ୍ଷେତ୍ର । ଏ ମୃଗୟା କ୍ଷେତ୍ରରେ ମୃଗୁଣୀ ସ୍ତୁତିକୁ କର୍ଣ୍ଣପାତ କରନ୍ତିନି କେବେ କୌଣସି ଠାକୁର । ମାଆଟିଏ ମଥା ନୁଆଉଁଥାଏ କଥାର ବାଟୁଳି ମାରୁଥିବା ପୁଅ ପାଖେ, ଝିଅଟିଏ ଝାଉଁଳି ପଡୁଥାଏ ଝାମେଲାର ଝିନଝଟରେ । ଟଙ୍କାର ଟ୍ରେଜେରୀରେ ଲୁଚି ରହିଛି ଟ୍ରକ ଟ୍ରକ ଟ୍ରାଜେଡି, ନୋଟ ନିର୍ମାଣ କରୁଛି ନେଟୱାର୍କ । ଭୋଟ କିଣାଯିବ କୋର୍ଟ କାନୁନ୍କୁ ଆଖିମାରି । ଗାଁ ଗାଁକୁ ଚାଲିଲେଣି ସହରି ଶିକାରୀ ।
ଓଡ଼ିଶା ଗୋଟିଏ ମନୁଷ୍ୟକୃତ ମହରଗ ମହକୁମା । ତୈଳଦର ଯେତେ ବଢୁ, ରାଜନୀତିର ତୈଳିକରଣ ଆଭିମୁଖ୍ୟରେ କିନ୍ତୁ ଆଞ୍ଚ ଆସିବନି ଇଞ୍ଚଟାଏ । ଗରିବମାନେ ଗହଳି କଲେ ଗୁଣ୍ଡାଗୁଡା ଗୁଣ୍ଡ ହେଇଯିବେ ଏକା ଦିନରେ – କିନ୍ତୁ ସରକାରୀ ସାଇଁ ସାଇବମାନଙ୍କ ଗୁପ୍ତ ମର୍ଡର – ଅର୍ଡର ମାନି ପୁଲିସ୍ ଗୁଳି ଚଳଉଛି ଓଡ଼ିଶାର ଗରିବମାନଙ୍କୁ । ୟା’ଠାରୁ ବଳି ବର୍ବରତା ଅଛି କ’ଣ ? ଆଇନକୁ ଆଖି ମାରୁଛି ଅସୁମାରି ଅବିଚାର – କାନୁନର କିତାବରେ କଳାଗାର – ସବୁ ଅଙ୍ଗୀକାର ଓଡ଼ିଶା ପାଇଁ ଅଙ୍ଗାର । ଓଡ଼ିଶା ଗୋଟିଏ ମନୁଷ୍ୟକୃତ ଦୁର୍ଭାଗ୍ୟର ଦୃଶ୍ୟପଟ । ଝଡି- ମରୁଡି-ବଢିର ମାନଚିତ୍ର ରୂପେ କୁଖ୍ୟାତ ଏ କଣପଟିଆ ରାଜ୍ୟ ଏଇନେ ଅପରାଧୀଙ୍କ ଅଭୟାରଣ୍ୟ । ଚୋର ସର୍ଦ୍ଦାରଙ୍କ ଚରାଭୂଇଁ । ଖୁଲମ୍ଖୁଲା ଖୁଣୀଙ୍କ ଖାସ୍ମାହାଲ । ଗୁପ୍ତଚରଙ୍କ ଗିରିଗୁମ୍ଫା । ସଇତାନ ସୁପୁତ୍ରଙ୍କ ସୁଡଙ୍ଗ । ଅଧିକାଂଶ ଅଯୋଗ୍ୟ ଅପାତ୍ର ଓଡ଼ିଶା ଏଠି ଦଖଲ କରନ୍ତି ରାଜନୈତିକ କ୍ଷମତା – ଅବଶିଷ୍ଟ ଓଡ଼ିଆଙ୍କୁ ତଳିତଳାନ୍ତ କରିବାରେ କାଣିଚାଏ କୁଣ୍ଠା ନଥାଏ । କମ୍ପାନୀମାନେ ଖଣି କିଣିନେବେ, କୁବେରମାନେ ଓଡିଶା ମୁଣ୍ଡରୁ ମଣି କାଢିନେବେ – ଆଦିବାସୀ ଆଉ ଅଧିବାସୀମାନଙ୍କ ଉତରପିଢୀ ଦାଣ୍ଡର ଭିକାରୀ ଭଳି ଭୂଆଁ ବୁଲିବା ଛଡା ଆଉ କରିବେ କ’ଣ ? ଓଡ଼ିଶା ଗୋଟିଏ ମରୀଚିକାର ମହାମଣ୍ଡଳ । ଏଠି ସହି ନ ହେଉଥିବା ଅଧୀନରେ ରହିବାକୁ ବାଧ୍ୟ ହୋଇଥାନ୍ତି ଓଡ଼ିଶାବାସୀ । ଏଠି କୁଜୀ ନେତାକୁ କୁର୍ଣ୍ଣିସ୍ କରେ କୁଳପତି । ରାଜନେତାଙ୍କୁ ରାଗିଣୀ ଶୁରାଏ ରମଣୀମଣି । କାଲିର କୁଳାଙ୍ଗାର ଯେଉଁଠି ଆଜିର ଅତିଥି ବେଶରେ ମଞ୍ଚ ମଣ୍ଡନ କରେ – ସେଇଠି ହିଁ ଦିଶିଯାଉଥାଏ ଓଡ଼ିଶା । ଏଠି ଆଇନ ଅନ୍ଧ, ପୁଲିସ୍ ମୂକ, ପ୍ରଶାସନ ବଧିର । ଅତଏବ ଅପଶାସନର ଶକୁନ ଛାୟାରେ ଆତଙ୍କିତ ଓଡ଼ିଶା ଆଉ ଏକ ତୁମୂଳ ପରିବର୍ତ୍ତନ ଅପେକ୍ଷାରେ ଉର୍ଦ୍ଧ୍ୱଶାସନ ।
ବର୍ତ୍ତମାନ ସାରା ଓଡିଶାରେ – ଗାଁ ଗଣ୍ଡା – ସହରବଜାର, ସବୁଆଡେ ଚାଷୀ, ଶ୍ରମିକ, ବିସ୍ଥାପିତ, ଛାତ୍ର ଯୁବକ, ମହିଳା, କୃଷି ଶ୍ରମିକ ମଧ୍ୟରେ ପ୍ରବଳ ଅଶାନ୍ତି ଅସନ୍ତୋଷ । ସେମାନେ ଥରେ ଏକାଠି ହେଲେ – ସଠିକ୍ ନେତୃତ୍ୱ ମିଳିଲେ ଏ ସମସ୍ତଙ୍କୁ ସାବାଡ କରିଦେବେ । ହେଲେ ନେତା କାହିଁ ? ବାରମ୍ବାର ଲୋକେ ପ୍ରତିଶ୍ରୁତିର ପଦ୍ମତୋଳା ଶୁଣି ଶୁଣି ପ୍ରତାରିତ ହୋଇ ଭାଗ୍ୟକୁ ନିନ୍ଦୁଛନ୍ତି ।
ପରିବର୍ତ୍ତନ ପାଇଁ ନୂଆ କିଛି କଥା କହିଲେ ଏକଦମ୍ ଠିକ୍ ବୋଲି କହୁଛନ୍ତି । ମତଲବୀ ନେତୃବର୍ଗ ଭଡାଟିଆ ଗୁଣ୍ଡାବାହିନୀ ଓ ସରକାରୀ କଳର ଦମନ ଅତ୍ୟାଚାରକୁ ମୁକାବିଲା କରିବା ଅସମ୍ଭବ ବୋଲି ଲୋକେ ଭାବୁଛନ୍ତି । ଏ ଦୁନିଆରେ ଅସମ୍ଭବ ବୋଲି ଚିନ୍ତା କରିବା ହିଁ ପରାଜୟର ଲକ୍ଷଣ ।
ଗଣ ଜାଗରଣର ନୂତନ ଅଧ୍ୟାୟ ସୃଷ୍ଟି ନ ହେଲେ ଦୃଷ୍ଟିଭଙ୍ଗୀ ବଦଳି ପାରିବ ନାହିଁ । ଶାସନର ଢାଞ୍ଚା ବଦଳି ପାରିବନାହିଁ । ଏବେଠୁଁ ହିଁ ସାରା ଓଡିଶା ନିଜେ ନିଜକୁ ବଦଳାଇବାର ପଣ ନକଲେ, ଗଣତନ୍ତ୍ର ଏଠି ଏମିତି ପଡିରହିଥିବ ଗୋବର ଗଦାରେ ଆଉ ଜନଗଣ ମିଶି ଯାଇଥିବେ ମଶାଣୀ ପଦାରେ ।
ଆଜି ଦଳମାନଙ୍କର ତାମସା ଓ ତାଣ୍ଡବନୃତ୍ୟ ଦେଖି ଗାଁଗଣ୍ଡା ସହର ବଜାରରେ ଥିବା ସଂଖ୍ୟାଧିକ ଲୋକଙ୍କ ମନରେ ପ୍ରବଳ ଘୃଣା, ବିତୃଷ୍ଣା ଓ ହତାଶ ଭାବ । ସେମାନେ କୌଣସି ଦଳ ଓ ନେତାମାନଙ୍କୁ ବିଶ୍ୱାସ କରୁନାହାନ୍ତି । ସେମାନେ ବିକଳ୍ପ ଖୋଜୁଛନ୍ତି । ଚଳନ୍ତି ନେତୃତ୍ୱ ଚାହୁଁନି ଓଡ଼ିଶା ବଦଳୁ । ଓଡ଼ିଶା ବଦଳିଲେ ନକଲି ନେତୃତ୍ୱ ବଦଳିବାକୁ ବାଧ୍ୟ । ସବୁ ଦଳ ଭିତରେ ମାତ୍ର ୫ ଭାଗ ଭଲ ଲୋକ ଅଛନ୍ତି । ଦଳବିହୀନ ରାଜନୀତିରେ ଓଡିଶା ୯୦ ଭାଗ ଲୋକ ଅଛନ୍ତି । କିଛି କିଛି ଭଲ
ଲୋକ ଆସନ୍ତୁ ଗୋଟିଏ ମଞ୍ଚରେ ଏକାଠି ହେବା । ବଜ୍ରମୁଷ୍ଟି ଉତ୍ତୋଳନ କରିବା । କ୍ଷମତାନ୍ଧ, କ୍ଷୁଧିତ ନେତୃତ୍ୱର କାଚଘର ସାମ୍ନାରେ ନିର୍ମାଣ କରିବା ନିର୍ଭୀକ ପ୍ରତିବାଦର ବିଶାଳ ପରମ୍ପରା । ଆମେ ନିକାଲି ଦେବା ଏ ନକଲି ରାତିର ଜରିଗୁଡା ଜହ୍ନ ଆଉ କାଗଜ ଫୁଲର କାରୁକାର୍ଯ୍ୟକୁ – ଆମେ ଚିରିଦେବା ନାହିଁ ନାହିଁର ନକ୍ସା । ଆମେ ଗଢିବା ନୂଆ ଓଡ଼ିଶା ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩
Comments are closed.