Latest Odisha News

BREAKING NEWS

ବିଜେବି କଲେଜରେ +୨ ଛାତ୍ରଙ୍କୁ ଆକ୍ରମଣ; ମିମ୍ ପେଜ୍ ପାଇଁ ସହପାଠୀଙ୍କୁ ମାରିଲେ ତିନି ଛାତ୍ର

ଭୁବନେଶ୍ୱର: ରାଜ୍ୟର ନାଁ କରା ବିଜେବି କଲେଜ ଏବେ ଗଣ୍ଡଗୋଳର କ୍ୟାମ୍ପସ ବନିଗଲାଣି । ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ପର ଠାରୁ ନିଇତି କିଛି ନା କିଛି ଘଟଣା ରିପୋର୍ଟ ହେଉଛି । ଗୁରୁବାର ବିଜେବି କଲେଜରେ ପୁଣି ଏକ ଗଣ୍ଡଗୋଳ ଦେଖିବାକୁ ମିଳିଛି ।

ଇନଷ୍ଟାଗ୍ରାମ୍ ମିମ୍ ପେଜକୁ ନେଇ +୨ ର ତିନି ଜଣ ଛାତ୍ର ସହପାଠୀଙ୍କୁ ଆକ୍ରମଣ କରିଛନ୍ତି । କଲେଜ କ୍ୟାମ୍ପସ ଭିତରେ ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଘଟଣାଟି ଛାତ୍ରଙ୍କ ପ୍ରତି କିଛିଟା ସମ୍ବେଦନଶୀଳ ଥିବାରୁ ନାମ ଗୋପନ ରଖିବାକୁ ପୀଡ଼ିତ ଛାତ୍ର ଅନୁରୋଧ କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ପୀଡ଼ିତ ଛାତ୍ର ଜଣକ ବ୍ୟଙ୍ଗ ଉଦ୍ଦେଶ୍ୟ ରଖି ଇନଷ୍ଟାଗ୍ରାମରେ ଏକ ମିମ୍ ପେଜ୍ ଚଳାଉଥିଲେ । କିନ୍ତୁ ତାଙ୍କର କିଛି ସହପାଠୀ ଏହି ବ୍ୟଙ୍ଗରୁ ହତାଶ ଓ ଉତକ୍ଷିପ୍ତ ହୋଇ କଲେଜ କ୍ୟାମ୍ପସ ଭିତରେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମିମ୍ ପେଜରେ କଲେଜର ନାମ ସଂପୃକ୍ତ ଥିବାରୁ ପୀଡ଼ିତ ଛାତ୍ର ଜଣକ ଘଟଣା ବିଷୟରେ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବାକୁ ଡରିଛନ୍ତି । ତାଙ୍କ ଡର ସ୍ୱାଭାବିକ, କିନ୍ତୁ ତାଙ୍କ ଉପରେ ହୋଇଥିବା ଆକ୍ରମଣ କଲେଜର ଗଣ୍ଡଗୋଳିଆ ବାତାବରଣକୁ ଦର୍ଶାଉଛି ।

ବୁଧବାର ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ କଲେଜରେ ହେଉଥିବା ରାଗିଂ ଘଟଣାକୁ ନେଇ ଚିନ୍ତା ଜତାଇ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଶ୍ୱବିଦ୍ୟାଳୟ ଓ କଲେଜ ମାନଙ୍କୁ ଚିଠି ଲେଖିଛନ୍ତି । ତାର ଦିନକ ପରେ ଘଟିଛି ଏହି ଘଟଣା ।

କଲେଜରେ ଏହି ସବୁ ଘଟଣାକୁ ନିରୀକ୍ଷଣ କଲେ ଜଣାପଡୁଛି ଯେ, ପାଠ ପଢ଼ା ବାତାବରଣ ହଜିଗଲାଣି । ବରଂ କଲେଜ ଗଣ୍ଡଗୋଳର ସୁରକ୍ଷିତ ସ୍ଥଳ ବନୁଛି । କିଶୋର ବୟସରେ କୋହଳ ଦଣ୍ଡବିଧାନ ଆଳରେ ଏଭଳି ଗଣ୍ଡଗୋଳର ପ୍ରୟୋଗଶାଳା ବନିଯାଉଛି ।

ତେବେ ଉପରୋକ୍ତ ଘଟଣାରେ ଉଭୟ ପକ୍ଷରୁ ଆପୋଷ ବୁଝାମଣା ପାଇଁ ଚେଷ୍ଟା କରାଯାଉଛି ବୋଲି ସୂଚନା ମିଳିଛି । ଶୁକ୍ରବାର ଘଟଣାକୁ ନେଇ ଥାନା କିମ୍ବା କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି ପୀଡ଼ିତଙ୍କ ସଂପର୍କୀୟ କହିଛନ୍ତି ।

Leave A Reply

Your email address will not be published.