Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ପରିବା ପ୍ରାର୍ଥନା

ପ୍ରଭୁଙ୍କ ପ୍ରସାଦ ତୁମେ ବାବାଜୀଙ୍କ ପ୍ରିୟ
ସାଦାଖିଆ ଭକତଙ୍କ ତୁମଠାରେ ଜୟ!
କୃପା କରି ସୁରୁ ହେଉ ମହଙ୍ଗା ସରିବା,
ଜୟ ଜୟ ହେ ଜୟ ଜୟ ହେ ପରିବା…॥

ଜୟ ଜୟ ବାଇଗଣ ପରିବାର ରାଜା
କୃପାକର କଡେଇରେ ହେବାପାଇଁ ଭଜା!
ତୁମେ ଏବେ ଅପହଞ୍ଚ ମୋ ବେଏଗରେ
ତୁମକୁ ପାଇବା ପାଇଁ ମୁଁ ଚୋରୀ କରେ!!
ଏତେ ଟଙ୍କା ପାଶେନାଇଁ କଣ କରିବା…?
ଜୟ ଜୟ ହେ ଜୟ ଜୟ ହେ ପରିବା…॥

ହେ ସଜନା ଛୁଇଁ ତୁମ ପାଦରେ ମୁଣ୍ଡିଆ
ଶହେ ଟପି ଖାଉଟିକୁ କଲଣି ଲାଣ୍ଡିଆ!
ତମକୁ ପାଏଟେ କିଣିଥାଏ ଯେଉଁ ନର
ଭାବେ ହାତେ ଗୋଟେ ବଡ ଅସ୍ତ୍ର ଅଛି ତାର!!
ଦେଖି ଡରି ଯାଇଥାନ୍ତି ଗରିବ ଗୁରୁବା,
ଜୟଜୟ ହେ ଜୟଜୟ ହେ ପରିବା…॥

ଜୟଜୟ ହେ ବିନ୍ସ ଭଜାର ନାୟକ
ଦରଦେଖି ଛୋଟସାପ କହିଲେଣି ଲୋକ!
କ୍ରିକେଟ ଖେଳ କି ତୁମେ ଅଧିକ ଦେଖୁଚ
ପରିବା ବଜାରେ ନିତି ଶତକ ମାରୁଛ!!
ଦୟାକର ଦେଖି ପର୍ସୁ ପଇସା ସରିବା,
ଜୟଜୟ ହେ ଜୟଜୟ ହେ ପରିବା…॥

ହେ ଧନିଆ ପତ୍ର ତୁମେ କେଉଁ ପୂଣ୍ଯବଳେ
ବସି ପୂଜା ପାଉଅଛ ଦୋକାନୀର କୋଳେ!
ତମ ପତ୍ରଟେ ପାଇବା ସୈାଭାଗ୍ୟର କଥା
ପ୍ରତିପାଖୁଡାରେ ଟଙ୍କା ଫଳିଅଛି ଯଥା!!
ମଜା ନେଉଅଛ ଦେଖି ଆମର ଡରିବା,
ଜୟଜୟ ହେ ଜୟଜୟ ହେ ପରିବା…॥

ଜୟ ହେ ପୋଟଳ ସାର ଔଷଧକୁ ଖାଇ
ପକେଟ ମୋ ଦେଖି କହୁଅଛ ନାଇଁନାଇଁ!
କୁହ କୋଉଦିନ ସେଇ ସୈାଭାଗ୍ୟ ମିଳିବ
ବେଏଗରେ ପଶି ମୋ ଘରକୁ ଚଳିବ!!
ନଖାଇଲେ ଛି ଜୀବନ ଖାଇଲେ ମରିବା,
ଜୟଜୟ ହେ ଜୟଜୟ ହେ ପରିବା…॥

ଜୟ ହେ କଲରା ତୁମେ ସୁଆଦରେ ପିତା
ଦର ତୁମ ଶୁଣି ମନ ହୋଇଯାଏ ପିତା!
ସତେ କିବା ପୁଣି ସେଇ ସୁଦିନ ଆସିବ
ତୁମ ଚିପ୍ସ ବେସର ଏ ପାଟିରେ ପଶିବ!!
ଡରଲାଗେ କ୍ରୟେ ଆୟକରର ଧରିବା,
ଜୟଜୟ ହେ ଜୟଜୟ ହେ ପରିବା…॥

ଜୟଜୟ ହେ କୁନ୍ଦୁରୁ ଗରିବର ବନ୍ଧୁ
ରାଗିବନି ଅନ୍ୟଦିନେ ଯେଣୁ ଆମେ ନିନ୍ଦୁ!
ବୁଦ୍ଧିନାଶ ବୋଲି କହିଥିଲି ଖାଇ ନିଷା
ବୁଦ୍ଧିହଜା ବେଳେ ତୁମେ ଅଟେ ହେ ଭରସା!!
ତୁମେ ହିଁ ସମ୍ଭାଳ ଏବେ ବେଏଗ ଭରିବା,
ଜୟଜୟ ହେ ଜୟଜୟ ହେ ପରିବା…॥

ହେ ଟମାଟ ହେ କାଙ୍କଡ ହେ କଞ୍ଚାକଦଳୀ
ଆଉଯେତେ ବସିଅଛ ଦେବାଦେବୀ ଭଳି!
ନିତି କାଟୁଅଛୁ ବୋଲି କ୍ରୋଧ କି କରୁଛ
ନିତି ବିରହରେ ମୋତେ କନ୍ଦେଇ ମାରୁଛ!!
କ୍ଷମାକର ଯେତେ ପାପ କରିବା ଧରିବା,
ଜୟଜୟ ହେ ଜୟଜୟ ହେ ପରିବା…॥

 

Leave A Reply

Your email address will not be published.