Latest Odisha News

ସୌରଭ ଗାଙ୍ଗୁଲୀଙ୍କ କିଛି ଅଜଣା କଥା ଜାଣନ୍ତୁ ତାଙ୍କ ଜନ୍ମଦିନରେ…

ଭୁବନେଶ୍ୱର: ଭାରତୀୟ କ୍ରିକେଟ ଇତିହାସର ଅନ୍ୟତମ ସଫଳ ଅଧିନାୟକ ହେଲେ ସୌରଭ ଗାଙ୍ଗୁଲି । ଟିମ୍ ଇଣ୍ଡିଆର ଜଣେ ପ୍ରତିଭାବାନ୍ ଅଧିନାୟକ ଭାବେ ସେ ଅନେକ କିର୍ତ୍ତୀମାନ ହାସଲ କରିଛନ୍ତି । ଭାରତୀୟ କ୍ରିକେଟରେ ସେ ‘ଦାଦା’ ଭାବେ ବେଶ୍ ପରିଚିତ । ଆଜି ସୋରଭ୍ ଦା’ ତାଙ୍କର ୪୭ତମ ଜନ୍ମଦିବସ ପାଳନ କରୁଛନ୍ତି । ଏବେବି ସମଗ୍ର ବିଶ୍ୱରେ ରହିଛନ୍ତି ତାଙ୍କର ଅଗଣିତ ଫ୍ୟାନ୍ ।

ଯେତେବେଳେ ଭାରତୀୟ କ୍ରିକେଟ ଦଳ ଜଣେ ଭଲ ଅଧିନାୟକ ଖୋଜୁଥିଲା, ସେହି ସମୟରେ ସୌରଭ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ଗ୍ରହଣ କରି ଦଳକୁ ଶୀର୍ଷରେ ପହଞ୍ଚାଇବାରେ ସହଯୋଗ କରିଥିଲେ ।

ସୌରଭଙ୍କ ପିଲାଦିନେ ତାଙ୍କ ବାପା-ମାଆ ତାଙ୍କ ଡ଼ାକନାମ ‘ମହାରାଜ’ ରଖିଥିଲେ । ତାଙ୍କର ବାପା ଅନୁମାନ କରିନେଇଥିଲେ ଯେ, ତାଙ୍କ ପୁଅ ବଡ଼ ହେଲେ ନିଶ୍ଚିତ ଭାବେ ନେତୃତ୍ୱ ନେବ । ତେଣୁ ତାଙ୍କ ଡ଼ାକନାମ ଏପରି ରଖିଥିଲେ । ପରେ ମହାନ କ୍ରିକେଟର୍ ଜେଫ୍ରି ବୟକଟ୍ ସୌରଭଙ୍କ ନିକ୍ ନେମ୍ ‘ପ୍ରିନ୍ସ ଅଫ କାଲକାଟା’ ବା ‘କଲିକତାର ରାଜକୁମାର’ ନାମକରଣ କରିଥିଲେ । କ୍ରିକେଟ ଜଗତରେ ଏହି ନାମକରଣ ବେଶ୍ ଚର୍ଚ୍ଚିତ ହୋଇଥିଲା ।

କୋଲକାତା ନିବାସୀ ସୌରଭଙ୍କ ପିତା ଚଣ୍ଡିଦାସ ଗାଙ୍ଗୁଲୀ ‘ଫ୍ଲୋରିଶିଂ ପ୍ରିଣ୍ଟିଂ’ ବ୍ୟବସାୟ କରୁଥିଲେ । ତାଙ୍କର ଏହି କମ୍ପାନୀ ଏସିଆର ୩ୟ ବୃହତ ‘ଫ୍ଲୋରିଶିଂ ପ୍ରିଣ୍ଟିଂ’ ବ୍ୟବସାୟର ମାନ୍ୟତା ଅର୍ଜନ କରିପାରିଛି । ସୌରଭଙ୍କ ପରିବାର କଲିକତାର ଅନ୍ୟତମ ଧନୀକ ପରିବାର ମଧ୍ୟରୁ ଏକ ପରିବାର ଭାବେ ପରିଗଣିତ । କଲିକତାର ବେହେଲାଠାରେ ସୌରଭଙ୍କ ବିରାଟ ଅଟ୍ଟାଳିକାରେ ରହିଛି ୪୫ଟି କୋଠରୀ ଯେଉଁଥିରେ କି ପରିବାରର ୩୦ ଜଣ ସଦସ୍ୟ ଏକତ୍ର ରହିଥାନ୍ତି ।

କ୍ରିକେଟ ଖେଳିଲା ବେଳେ ସୌରଭ ବ୍ୟାଟିଂ କଲାବେଳେ ବାମହାତରେ ବ୍ୟାଟିଂ କରିଥାଆନ୍ତି । ମାତ୍ର ପ୍ରକୃତରେ ସେ ବାମହାତୀ ନୁହନ୍ତି । ଦାଦାଙ୍କ ଭାଇ ସ୍ନେହାଶୀଷ ଗାଙ୍ଗୁଲୀ କିନ୍ତୁ ପ୍ରକୃତରେ ଜଣେ ବାମହାତୀ ଏବଂ ବାମହାତୀ ବ୍ୟାଟ୍ସମ୍ୟାନ । ଭାଇଙ୍କ କ୍ରିକେଟ୍ କିଟ୍ ବୋହିବାକୁ ସେ ବାମହାତରେ ବ୍ୟାଟିଂ କରିଥିବା କହନ୍ତି ସୌରଭ ।

ଉସୌରଭ ଭଲ ଖେଳି ବେଙ୍ଗଲ୍ ରଣଜୀ ଦଳରେ ସ୍ଥାନ ପାଇଥିଲେ ମଧ୍ୟ କ୍ରିକେଟ ଖେଳୁଥିବା ନିଜ ଭାଇଙ୍କୁ ତାଙ୍କ ବଦଳରେ ସ୍ଥାନ ଦେଇଥିଲେ । ପ୍ରକୃତରେ ସୌରଭଙ୍କ ଭାଇପ୍ରୀତି କମ୍ ନୁହେଁ !

ସୌରଭ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ୧୯୯୨ ମସିହା ବ୍ରିିସବେନଠାରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ । ପ୍ରଥମ ମ୍ୟାଚରେ ସେ ଶତକ ଅର୍ଜନ କରିଥିଲେ । ମାତ୍ର ତାଙ୍କର ବଦରାଗୀ ପ୍ରକୃତି ଯୋଗୁଁ ଲଗାତର ତାଙ୍କୁ ଟିମରେ ନିଆଯାଇନଥିଲା । ସେ ମୁହାଁମୁହିଁ ଜବାବ ଦେଇଦିଅନ୍ତି । ଯେଉଁଥିଲାଗି ତାଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଛି ।

ସୌରଭ ତାଙ୍କର ପିଲାଦିନର ସାଥୀ ଡ଼ୋନାଙ୍କୁ ଅନେକ ଦିନପରେ ଇଂଲଣ୍ଡରେ ଖେଳୁଥିବା ବେଳେ ଭେଟିଥିଲେ । ତା’ପରେ ତାଙ୍କୁ ସେଠାରେ ବିବାହ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ । ଉଭୟ ପରିବାର ଅନେକ କଷ୍ଟରେ ରାଜିହେବା ପରେ ଦୁହିଁଙ୍କ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପତ୍ନୀ ଡ଼ୋନା ଗାଙ୍ଗୁଲୀ ଜଣେ ପେଶାଦାର ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭକ୍ତ ଭାବେ ଜଣାଶୁଣା ।

ଇଂଲଣ୍ଡ ବିପକ୍ଷରେ ୨୦୦୨ ମସିହାରେ ଭାରତ ସୌରଭ ଗାଙ୍ଗୁଲୀଙ୍କ ଅଧିନାୟକତ୍ୱରେ ଖେଳୁଥିଲା ‘ନାଟୱେଷ୍ଟ ସିରିଜ’ । ମ୍ୟାଚ୍ ଜିତିବା ପରେ ସୌରଭ ନିଜର ଟି-ସାର୍ଟ ଖୋଲି ବିଜୟ ଉଲ୍ଲାସରେ ସେଲେବ୍ରେଟ୍ କରିବା ଘଟଣା ସମଗ୍ର କ୍ରିକେଟ ଜଗତରେ ସେତେବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲା । ଦଳର ଅନ୍ୟତମ ବରିଷ୍ଠ ସଦସ୍ୟ ତଥା ମହାନ କ୍ରିକେଟର୍ ଭି ଭି ଏସ ଲକ୍ଷ୍ମଣ ତାଙ୍କର ଏକ ପ୍ରକାଶିତ ପୁସ୍ତକରେ ଏହି ଘଟଣାକୁ ବର୍ଣ୍ଣନା କରିଛନ୍ତି । ସେହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମହମ୍ମଦ କୈଫ ବ୍ୟାଟିଂ କରୁଥିଲେ, ବିଜୟ ସୂଚକ ରନ୍ ନେବା ପରେ ଭାରତ ମ୍ୟାଚ୍ ଜିତିଥିଲା । ପ୍ୟାଭିଲିୟନରେ ସାଥି ଖେଳାଳିଙ୍କ ସହିତ କପ୍ତାନ ସୌରଭ ଗାଙ୍ଗୁଲୀ ଖୁସିରେ ଆତ୍ମହରା ହୋଇ ନିଜ ଟି-ସାର୍ଟ ଖୋଲି ଦେଇ ପଡ଼ିଆକୁ ଧାଇଁ ଥିଲେ । ଏହାକୁ ଦେଖି ବୋଲର୍ ହରଭଜନ ସିଂହ କହିଥିଲେ “ଦାଦା ! ମୁଁ ମଧ୍ୟ ମୋର ଟି-ସାର୍ଟ ଖୋଲିଦେବି କି? ଖୁବ୍ ମଜ୍ଜା ହୁଅନ୍ତା ।” ମାତ୍ର ସୌରଭ ତାଙ୍କ୍ୁ ବାରଣ କରିଥିଲେ ।

‘ପ୍ରିନ୍ସ ଅଫ କୋଲକାତା’ ସୌରଭ ଚଣ୍ଡିଦାସ ଗାଙ୍ଗୁଲୀ ୮ ଜୁଲାଇ ୧୯୭୨ ମସିହାରେ କଲିକତାର ବେହେଲାଠାରେ ଜନ୍ମଗ୍ରହଣ କରିଥିଲେ । କ୍ରିକେଟ ଦୁନିଆରେ ସେ ମଧ୍ୟ ‘ଗଡ଼ ଅଫ ଅଫସାଇଡ୍’ ଭାବେ ପରିଚିତ । ସେ ଭାରତ ଲାଗି ୧୧୩ଟି ଟେଷ୍ଟ ମ୍ୟାଚ ଏବଂ ୩୧୧ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ସେ ୧୬ଟି ଶତକ ଏବଂ ୩୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଦିନିକିଆରେ ସୌରଭ ୨୨ଟି ଶତକ ଏବଂ ୭୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

ସୌରଭ ଗାଙ୍ଗୁଲୀ ଭାରତ ଲାଗି ୧୦୬ ଟି ଟେଷ୍ଟ ଏବଂ ୮୪ଟି ଦିନିକିଆ ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି ।

Leave A Reply

Your email address will not be published.