୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ
ବଣ୍ଟି ବବଲି ଜେଲରେ, ବାହାରିବ କି ଗୁପ୍ତ ରହସ୍ୟ ?
ଭୁବନେଶ୍ବର: ଶେଷରେ ଜେଲ୍ ଯାଇଛନ୍ତି ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଜାମିନ ଆବେଦନ କରିଥିଲେ ମଧ୍ୟ ତାହା ଗ୍ରହଣଯୋଗ୍ୟ ହୋଇନାହିଁ । ବ୍ଲାକମେଲର ଅର୍ଚ୍ଚନା ନାଗ ଆଉ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ଆଣି ଆଗକୁ ତଦନ୍ତ କରିପାରେ ପୋଲିସ । ତେବେ ସତ୍ୟ କେତେ ପଦାକୁ ବାହାରୁଛି ତାକୁ ନେଇ ଚର୍ଚା ଚାରିଆଡେ ।
ଆଜି ସକାଳୁ ଜଗବନ୍ଧୁଙ୍କୁ ଗିରଫ କରାଯିବା ପରେ ତାଙ୍କୁ ପ୍ରଥମେ ଖଣ୍ଡଗିରି ଥାନାକୁ ନିଆଯାଇ ପଚରାଉଚରା କରାଯାଇଥିଲା। ଏହା ପରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ କୋର୍ଟ ଚାଲାଣ କରାଯାଇଥିଲା । ଏହି ଘଟଣା ଏବେ ସାରା ରାଜ୍ୟରେ ଆଲୋଚନା ଚାଲିଥିବା ବେଳେ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି-ଠକାମି ମାମଲାରେ ଯାହାର ବି ସଂପୃକ୍ତି ଥିବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଚଳିତ ମାସ ୬ରେ ଅର୍ଚ୍ଚନାଙ୍କୁ ପୋଲିସ ଗିରଫ କରିଥିଲା । ସେ ଏବେ ଜେଲରେ ଅଛନ୍ତି । ଆଜି ଜଗବନ୍ଧୁଙ୍କୁ ଗିରଫ କରାଯାଇଛି, ଅର୍ଚ୍ଚନାଙ୍କ ଭଳି ଜଗବନ୍ଧୁଙ୍କ ନାଁରେ ବି ସମାନ ଅଭିଯୋଗ ରହିଥିବା ଡିସିପି କହିଛନ୍ତି ।
ଏହା ସହ ଜଗବନ୍ଧୁ ଚାନ୍ଦଙ୍କ ଘରୁ ଡାଏରୀ ମିଳିଥିବା ନେଇ ଡିସିପି ପ୍ରତୀକ ସିଂହଙ୍କ ସୂଚନା ଦେଇଛନ୍ତି । ଜଗବନ୍ଧୁଙ୍କ ଘରୁ ୪ଟି ମୋବାଇଲ, ଗୋଟିଏ ଲାପଟପ ଓ ଗୋଟିଏ ଡାଏରୀ ମିଳିଛି; ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମିଳିଥିବା ଡିସିପି କହିଛନ୍ତି । ଏସବୁ ମଧ୍ୟ ତଦନ୍ତ ପରିସରଭୂକ୍ତ ହେବ । ଓଡ଼ିଶାର ଏହି ବଣ୍ଟି ବବଲିଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚା ହେଲାଣି । କାହାକୁ କାହାକୁ ସେ ନିଜ ଜାଲରେ ଫସାଇଛନ୍ତି ତାହାର ଫଟୋ ସୋସିଆଲ ମିଡିଆରେ ପ୍ରତିଦିନ ଭାଇରାଲ ହେବାରେ ଲାଗିଛି । ସବୁ ଦିନ ନୂଆ ନୂଆ ଚେହେରା ଏହି ଦୁଇଜଣଙ୍କ ଜାଲରେ ଫସିଥିବା ଖବର ପ୍ରସାରିତ ହେଉଛି । ତେବେ ପୋଲିସ ରିମାଣ୍ଡରେ ଏମାନେ କେତେ ସତ କହୁଛନ୍ତି ଏବଂ ସତ ବାହାରୁଛି କି ନାହିଁ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି ।
Comments are closed.