ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…
ବିଦେଶର ବନ୍ଦୀବଖରାରେ ମିଆଦ ପୂରିଯିବା ପରେ ମୁକ୍ତଭାରତର ଜନଗଣ ଯେଉଁ ନୂଆ ସକାଳର ଚେହେରା ଦେଖିବେ ବୋଲି ରାତି ବାରଟାରେ ସ୍ୱପ୍ନ ଦେଖୁଥିଲେ, ସେ ସ୍ୱପ୍ନ କୁହୁଡି କେବଳ । ଗାନ୍ଧୀଙ୍କ ଦ୍ୱାରା ଜୀବନ୍ୟାସ ପାଇଥିବା କଂଗ୍ରେସ୍ ଦଳକୁ ସ୍ୱାଧୀନତା ପରବର୍ତୀ ଭାରତବର୍ଷର ନେହରୁତନ୍ତ୍ର ସଂପୂର୍ଣ୍ଣ କବଳିତ କରିଦେଇ ଦେଶକୁ ଠେଲିଦେଲା ଗୋଟାଏ ପ୍ରବଂଚନାପୂର୍ଣ୍ଣ ପ୍ରଶାସନବ୍ୟବସ୍ଥା ମଧ୍ୟକୁ । ଗାନ୍ଧୀଙ୍କ ଗ୍ରାମସ୍ୱରାଜ୍ୟର ରାମରାଜ୍ୟ ପଡିଲା ରାଜନୈତିକ ରାବଣମାନଙ୍କ ସୁବିଧାବାଦୀ ଚକ୍ର ମଧ୍ୟରେ। ଅତୀତର ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ଅଳ୍ପକେତେକଙ୍କୁ ତାମ୍ରଫଳକ, ମାନପତ୍ର ଓ ପେନ୍ସନ୍ ଧରାଇଦେଇ ବର୍ତମାନର ଧୂର୍ତ ଶାସକବର୍ଗ ଏମ୍ଏଲ୍ଏ- ଏମ୍ପି- ମନ୍ତ୍ରୀଜାତୀୟ ଜୀବମାନଙ୍କ ପାଇଁ ଖଂଜିଦେଲେ ଯାବତୀୟ ସୁଖସ୍ୱାଚ୍ଛନ୍ଦ୍ୟ ସହିତ ଲୋଭନୀୟ ବେତନ ଓ ଭତା । କିନ୍ତୁ ଲୋକମାନଙ୍କ ପାଇଁ ସେମାନେ କ’ଣ କଲେ, ନକଲେ – ସେ ବାବଦରେ ପ୍ରଶ୍ନଟିଏ ପଚାରିବା ଏଠି ଆଇନବିରୋଧୀ କାର୍ଯ୍ୟକ୍ରମ ଭାବରେ ଗଣାଗଲା । ଇଏ କି ଦୃଷ୍ଟିଭଂଗୀ
? ଦେଶକୁ ଭଲପାଇବା ନା ଦଳକୁ ଭଲା ପାଇବା ? ଜାତିକୁ ଭଲପାଇବା ନା ଜାତିଆଣକୁ ଭଲପାଇବା ? ପାର୍ଟି ପତାକାଠୁ କ’ଣ ଜାତୀୟ ପତାକା ଏତେ ସାନ ? ଶୋଷକ ଶାସକମାନଙ୍କଠାରୁ କ’ଣ ଶୋଷିତ ଶାସିତବର୍ଗ ଏତେ ହୀନ ?
ବିଦେଶୀ ଶାସନକୁ ଶେଷ କରିଦେଲା ପରେ ଆରମ୍ଭ ହେଲା ବିଦେଶୀ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ । ଏମିତି ଦିନେ ବଣିକ ବେଶରେ ଭାରତକୁ ଆସିଥିଲେ ବିଦେଶୀ ବାହିନୀ । ଏବେ ଏ ନବ୍ୟବଣିକବର୍ଗଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବାର ପରବର୍ତୀ ବିଷମୟ ପରିଣାମ ଭୋଗିବାକୁ ପ୍ରସ୍ତୁତ କି ଭାରତୀୟ ଶାସନର ନେତୃପକ୍ଷ ? ବର୍ତମାନ କେବଳ ବଣିକ ଦେଶରେ ବିଦେଶୀମାଲିକମାନେ କେବଳ ଭାରତର ମହାନଗରମାନଙ୍କୁ ମୁହାଉଁନାହାନ୍ତି, ଧର୍ମଯାଜକ ରୂପରେ ମଧ୍ୟ ସେମାନେ ଆମ ଆଦିବାସୀ ଗାଆଁଗଣ୍ଡା ଆଉ ଅନ୍ଧାରିମୂଲକ ମଧ୍ୟକୁ ପଶିଆସିଲେଣି । ଶିଳ୍ପଠାରୁ ଆରମ୍ଭ କରି ସଂସ୍କୃତି ପର୍ଯ୍ୟନ୍ତ – ଆମ ଜୀବନର ସବୁ କ୍ଷେତ୍ର କାଲି କୁରୁକ୍ଷେତ୍ରର ପାଉଁଶଗଦା ପାଲଟିବାକୁ ଯାଉଛି । ଯଦି ଏ ବାବଦରେ ଠିକଣା ବେଳରେ ପଦକ୍ଷେପ ନିଆ ନଯାଏ, ତା’ହେଲେ କନ୍ଧମାଳ ଓ ଅନ୍ଧମାଳ ମିଶି ଭବିଷ୍ୟତରେ ଗଢିଉଠିବ ଗୋଟାଏ
ମୃତ ମନୁଷ୍ୟତାର ମରୁମୟ ମାନଚିତ୍ର – ଭସ୍ମୀଭୂତ ଭାରତବର୍ଷ ! ଆଜି ଜୀବନସଂଗ୍ରାମର ସ୍ୱାଧୀନତା ପାଇଁ ଦେଶବାସୀ ଶପଥବଦ୍ଧ ନହେଲେ ଆସନ୍ତାକାଲି ନାତି-ଅଣନାତି-ପଣନାତିମାନଙ୍କର ଉତପ୍ତ ଉତରପିଢି ଆଗରେ ଆମ ଇତିହାସ ହେବ ନିତାନ୍ତ ଲାଂଛିତ ଓ ଲଜ୍ଜାବନତ ।
ଜୀବନସଂଗ୍ରାମର ସ୍ୱାଧୀନତା ହେଉଛି କେବଳ ଅର୍ଥନୈତିକ ପରାଧୀନତାରୁ ମୁକ୍ତି ନୁହେଁ, ଆମ ସାଂସ୍କୃତିକ ଦାସତ୍ୱରୁ ନିଷ୍ପୃତି ମଧ୍ୟ । ବଂଚିବାର ସର୍ବନିମ୍ନ
ଅଧିକାର ଛଡାଇନେଉଥିବା ଶୋଷକ ଶାସନତନ୍ତ୍ର ବିରୋଧରେ ବଂଚିତ ଓ ପ୍ରବଚିଂତ ଜନସାଧାରଣଙ୍କର ଏହା ହେବ ମରଣପଣ ମହାଯୁଦ୍ଧ । ଶିକାରୀ ଶାସକମାନଙ୍କ କଲମୀ କୁଂଜ ବାହାରେ ଆମ ଜନତା ଓ ଜନଜାତି ଦଳଦଳ ଘୃଣିତ ଭିକାରି ନୁହନ୍ତି ଯେ ଶେଷଯାଏଁ କେବଳ ମୁଣ୍ଡରେ ହାତଦେଇ କାନ୍ଦୁଥିବେ । ଦେଶବାସୀଙ୍କ ଦୁଃଖଦୁର୍ଗତ ପ୍ରତି ବ୍ୟଙ୍ଗ କରି ରାଜନୈତିକ ବ୍ୟବସାୟ ବିସ୍ତାର ପାଇଁ ଏଭଳି ଅମାନୁଷିକ ଅଧିକାର ଏ ରାଜନେତାମାନଙ୍କର ଆସିଲା କେଉଁଠୁ? ଗତକାଲି ମୁକ୍ତିସଂଗ୍ରାମ ଆରମ୍ଭ ହୋଇଥିଲା ଦେଶୀ ଶାସକବାହିନୀ ବିରୋଧରେ, ଆସନ୍ତାକାଲି କିନ୍ତୁ ଜୀବନସଂଗ୍ରାମର ସ୍ୱାଧୀନତା ପାଇଁ ଘାଟିରେ ମାଟିରେ ନିଆଁ ଜଳିବ ଦେଶୀ ଶାସନତନ୍ତ୍ରର ଅବିଚାରିତ ଅଭ୍ୟସ୍ତତାକୁ ମୂଳପୋଛ କରିବାକୁ ।
ଜୀବନସଂଗ୍ରାମର ସ୍ୱାଧୀନତା ପାଇଁ ଘାଟି କାନ୍ଦୁଚି, ମାଟି ବାହୁନୁଚି । ମାଳମାଳ ମଫସଲ, ଗରିବଗୁରୁବାର ଗାଆଁଗଣ୍ଡା, ଅଭେକା ଆଦିବାସୀ ଅନ୍ଧାରିମୂଲକରେ ମଣିଷ ପୋକମାଛି ପରି ଜୀବନ ବଂଚୁଥିଲାବେଳେ ଆଜି ନେତାମାନଙ୍କ ଭାରତବର୍ଷ ଶିଳ୍ପପତି ଶ୍ରେଣୀ ଦ୍ୱାରା ନ୍ୟସ୍ତ ଓ ନିର୍ମିତ ମାର୍କାମରା ମହାନଗରମାନଙ୍କରେ ବିଳାସବ୍ୟସନରେ ଉବୁଟୁବୁ ।
ଏବେ ସବୁଠୁ ଭୟଙ୍କର ଷଡଯନ୍ତ୍ର ସୃଷ୍ଟି ହୋଇସାରିଛି ଜନସାଧାରଣଙ୍କ ଜୀବନସଂଗ୍ରାମକୁ ମୃତ୍ୟୁମୁହଁକୁ ପଠାଇଦେବା ପାଇଁ । ଆମେ ଏ ଷଡଯନ୍ତ୍ରର ନାଆଁ ଦେବା – ମେସିନ୍ ମାଫିଆ ! ମେସିନ୍ ମାଫିଆ ? ହଁ, ଆଜି ଆଉ ପ୍ରତ୍ୟକ୍ଷ ଭାବରେ ଦେଶୀ ଶାସନର ସେନାପତିମାନେ ଆମ ଭୋଟ୍ ବୁଥ୍ ଦଖଲଠୁ ଆରମ୍ଭ କରି ଆମକୁ ଆମ ଭିଟାମାଟିରୁ ବେଦଖଲ କରିବାର ଷଡଯନ୍ତ୍ରରେ ଯେଉଁ ମାଫିଆ ବାହିନୀକୁ ଜାଗତିଆର କରି ରଖିଥିଲେ, ସେ ଧାରା ଏବେ ଦ୍ରୁତ ବଦଳିବାକୁ ଯାଉଛି। ଆଜି ମେସିନ୍ ହିଁ ନେବାକୁ ଯାଉଛି ନକାରାତ୍ମକ ଅପଶକ୍ତି ମାଫିଆର ଭୂମିକା ।
ବନ୍ଧୁଗଣ, ବିଦେଶରୁ ବହୁକିସମର ମେସିନ୍ ପଶିଆସୁଚି ଦେଶ ଭିତରକୁ । ଯେଉଁଠି ମେସିନ୍ ମଣିଷର ବଂଚିବାର ଯୁଦ୍ଧରେ ସୈନ୍ୟର ଭୂମିକା ନେଇଥାଏ, ସେଠି ଏ
ମେସିନ୍ ଆମର ‘ମେସିହା’ (ଜ୍ଞରଗ୍ଦଗ୍ଦସବଷ) ବା ଦେବଦୂତ, ମାତ୍ର ଯେଉଁଠି ଲକ୍ଷଲକ୍ଷ ମଣିଷଙ୍କୁ ନିକିମା କରିଦେଇ ମେସିନ୍ ମୁନାଫାଖୋର୍ ମାଲିକର ହାତବାରିସି ସାଜିବାର ଭୂମିକା ନିର୍ବାହ କରେ, ସେଠି ତାହା ମାଫିଆ । ଆଜି ମେସିନ୍ମାଫିଆ ପଶିଆସିଲାଣି ଆଦିବାସୀ ଇଲାକାକୁ ମଧ୍ୟ । ହାତକୁ ହରାଇଦେଇ ହତିଆରକୁ
ଜିତାଇବାର ଜିଦ୍ ହେଉଛି ଏ ମେସିନ୍ମାଫିଆର ମତଲବ । ଜୀବନସଂଗ୍ରାମର ସ୍ୱାଧୀନତା-ଯୋଦ୍ଧାମାନେ ଏ ମେସିନ୍ମାଫିଆର ମତଲବକୁ ମୂଳପୋଛ ନକଲେ ନିଜେ ନିଶ୍ଚିହ୍ନ ହେବାକୁ ମଧ୍ୟ ।
ବର୍ତମାନ କୃଷିକ୍ଷେତ୍ରକୁ କବରଖାନାରେ ପରିଣତ କରି ଶିଳ୍ପକ୍ଷେତ୍ରର ଯେଉଁ ନବ୍ୟସାମ୍ରାଜ୍ୟବାଦ ବିସ୍ତାରିତ ହେବାରେ ଲାଗିଛି, ତାହା ଆମ ସମସ୍ତଙ୍କୁ ଦିନେ ଏକ
ବିସ୍ଥାପିତ ବର୍ଗରେ ପରିଣତ କରିଦେବ – ଏଥିରେ ତିଳାର୍ଦ୍ଧ ସନ୍ଦେହ ନାହିଁ । ଶାସନ, ପ୍ରଶାସନ ଓ ଶିଳ୍ପାୟତ ବ୍ୟବସ୍ଥାର ତ୍ରିଶକ୍ତିମେଂଟରେ ଜନତା ଆଜି ତ୍ରିଶଙ୍କୁ । ତାର
ନା ସ୍ୱର୍ଗ ଅଛି ନା ମର୍ତ୍ୟ ? କେବଳ ପାତାଳ । ଏବଂ ଏଇ ପାତାଳର ପ୍ରାଚୁର୍ଯ୍ୟ ପ୍ରତି ମଧ୍ୟ ନଜର ପଡିଛି ପରାଙ୍ଗପୁଷ୍ଟ ମାଲିକଶ୍ରେଣୀର । ଯଦି କୃଷିକ୍ଷେତ୍ରର ପୁନରୁଦ୍ଧାର ପାଇଁ ପ୍ରସ୍ତୁତିପର୍ବ ପୁଣି ଆରମ୍ଭ ନହୁଏ, ତା’ହେଲେ ଶିଳ୍ପକ୍ଷେତ୍ରର ଏ ବିସ୍ତାର ଦିନେ ଶେଷ କରିଦେବ ମାମୁଲି ମଣିଷମାନଙ୍କର ଅସ୍ତିତ୍ୱ । ଜୀବନସଂଗ୍ରାମର ସ୍ୱାଧୀନତା – ଏହି ଦୃଷ୍ଟିରୁ ଆଜିର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ । ଏ ଜୀବନସଂଗ୍ରାମର ସ୍ୱାଧୀନତା ପ୍ରତି ବିପଦ ଭିଆଇବାର ଅଭିସନ୍ଧି ଏବେ ସବୁଠି ଆମେ ଅଙ୍ଗେ ନିଭାଇଛୁ । ୪୦ ବର୍ଷ ତଳୁ ବିଦେଶରୁ ଆମଦାନି ହୋଇଥିବା ଗହମବସ୍ତା ଭିତରେ ଆମ ଦେଶକୁ ଚାଲିଆସିଥିଲା ବିଷାକ୍ତ ଘାସମଂଜି ! ଏହା ଅଜାଣତରେ ଆସିନଥିଲା, ଆସିଥିଲା ଏ ଦେଶର ଉର୍ବର ଫସଲକ୍ଷେତଗୁଡାକୁ ବାଂଝ ବଂଜରଭୂଇଁରେ ପରିଣତ କରିବାର ଦୁରଭିସନ୍ଧି ଯୋଗୁଁ ।
ତା’ଛଡା ଏ ଦେଶର ଅର୍ଥନୀତିକୁ କୃଷକବିରୋଧୀ ଅର୍ଥନୀତିରେ ବଦଳାଇଦେବାର ବିଦେଶୀ ପ୍ରଭାବକୁ ସେତେବେଳେ କେହି ଚିହ୍ନଟ କରିପାରିନଥିବା ହେତୁ
କୃଷକମାନଙ୍କୁ ଚକ୍ରବୃଦ୍ଧି ସୁଧ ସହ ଯେଉଁ କୃଷିଋଣ ପ୍ରବର୍ତନ କରାଯାଇଥିଲା, ତାହା ଯେ ଦେଶର ମେରୁଦଣ୍ଡ କୃଷକଶ୍ରେଣୀକୁ ଭାଙ୍ଗିବାର ଭୂମିକା ନିର୍ବାହ କରିଥିଲା – ଏ ଉତ୍କଟ ସତ୍ୟ ଆଜି ଉଣାଅଧିକେ ସମସ୍ତଙ୍କୁ ଗୋଚର । ବର୍ତମାନ ଗାଆଁଗାଆଁରେ ଶୂନ୍ଶାନ୍ ସମୟ । ଚାଷଜମିସବୁ ଚାକୁଣ୍ଡାଭୂଇଁ । ଯେଉଁ ଚଷା ସାରା ପୃଥିବୀର ଅନ୍ନଦାତା, ତା’ ପ୍ରତି ବିଶ୍ୱାସଘାତକତାର ଅନ୍ତହୀନ ବର୍ବରତା ବଜାୟ ରହିଛି ପୂର୍ବପରି । ଶାସନ, ପ୍ରଶାସନ ଓ ଶିଳ୍ପୀୟତ ବ୍ୟବସ୍ଥା ପାରସ୍ପରିକ ରାଜିନାମାର ରାଜନୀତି ଚାଲୁରଖି ଏ କୃଷକଶ୍ରେଣୀକୁ ଉଚ୍ଛେଦ କରିବା ପାଇଁ କାହିଁକି ରତ୍ପର ? କାରଣ କୃଷକ କେବଳ ତା’ ଫସଲକ୍ଷେତର ଜଗୁଆଳ ନୁହେଁ, ସେ ମଧ୍ୟ ଗ୍ରାମସଂସ୍କୃତିର ଗୃହରକ୍ଷୀ । କୃଷକଶ୍ରେଣୀ ମଜବୁତ ଥିବାଯାଏଁ ଗାଆଁକୁ ବଣିକବାହିନୀର ଭଡାଟିଆ ଗୁଣ୍ଡା କି ଶାସକ ବର୍ଗର ପାଳିତ ଶ୍ୱାନଦଳ ପଶିପାରିବା ଅସମ୍ଭବ । କୃଷକକୁ ଦୁର୍ବଳ କରିଦେଇ ତା’ ଜମି ଉପରେ କଳାକନାର ପତାକା ଉଡାଇବା ପାଇଁ ବଣିକ ଓ ଶାସକମାନଙ୍କ ମେଂଟ ଆଜି ପୂରାମାତ୍ରାରେ ସକ୍ରିୟ । ଏବେ ପୁଣି ଆଦିବାସୀଙ୍କୁ
ଆଇନକାନୁନ୍ଠାରୁ ଦୂରେଇରଖି ସେମାନଙ୍କ ଜଙ୍ଗଲକୁ ଲୁଟ୍ କରିବାର ଚକ୍ରାନ୍ତ ଚାଲିଛି । ଖଣିଗୁଡାକୁ ବିକିଦେବାର ମସୁଧା ଚାଲିଛି । ରାଜିନାମାର ରାଜନୀତିରେ କେବଳ କୃଷକ ଓ ଆଦିବାସୀବର୍ଗ ନୁହନ୍ତି, ମେହନତି ମଜଦୁର ତଥା ଶ୍ରମିକଶ୍ରେଣୀ ମଧ୍ୟ ବଳି ପଡିବାକୁ ଯାଉଛନ୍ତି । ମେସିନ୍ମାଫିଆ ଶ୍ରମିକ ମଜଦୁର ଭାଇ ଭଉଣୀମାନଙ୍କ ଜୀବନନାଟିକାକୁ ହରଣଚାଲ କରିନେବାକୁ ବାହା ପିଟୁଚି । ସମସ୍ତେ ପ୍ରଚାର କରୁଛନ୍ତି ପ୍ରଗତି – ପ୍ରଗତି ! ଶିଳ୍ପ ଆସିଲେ କୁଆଡେ ପ୍ରଗତି ଆସିବ । କିନ୍ତୁ ଯେଉଁ ପ୍ରଗତି ଆସିଲେ ମଣିଷର ଜମି, ଜଙ୍ଗଲ, ଜୀବନର ପତା ସୁଦ୍ଧା ମିଳିବନି ଏବଂ ବିସ୍ଥାପିତ ବର୍ଗର ବିକଳ ଆର୍ତନାଦରେ ସ୍ୱର୍ଗମର୍ତ୍ୟପାତାଳ ଥରିଉଠିବ, ସେ ପ୍ରଗତି କାହାର ? ସେ ପ୍ରଗତି ବଣିକର, ଶାସକର, ପ୍ରଶାସକର ପ୍ରଗତି – ସାଧାରଣ ମଣିଷର ମର୍ଯ୍ୟାଦା ସେ ପ୍ରକାର ପ୍ରଗତିରେ ଦିବାସ୍ୱପ୍ନ।
ଆଜି ସମସ୍ତଙ୍କ ମୁଣ୍ଡ ବିଗିଡିଯାଇଛି । ସେଥିପାଇଁ ଶାସକ ଓ ସୌଦାଗରମାନଙ୍କ ସୌଖିନ୍ ସଂସ୍କୃତିକୁ ସମସ୍ତେ ପ୍ରଗତିର ପ୍ରକୃତି ଭାବରେ ବୁଝୁଛନ୍ତି । କିନ୍ତୁ ମୁଣ୍ଡ
କାମ କରିଥିଲେ ଏ ମୋହ ଆଉ ଆମେ କାହାକୁ ପାଗଳ କରୁନଥାନ୍ତା । ଏବେ ମୁଣ୍ଡ ମରାମତି କାରଖାନା ଆଗେ ଦରକାର । ଏ ମୁଣ୍ଡ ମରାମତି କାରଖାନା କିଏ କରିବ ? ନା, କୌଣସି ମାଲିକ ନୁହେଁ, ମହାଜନ ନୁହେଁ, ଶାସକ ନୁହେଁ, ସୌଦାଗର ନୁହେଁ – ଏ କାରଖାନା ଚଳାଇବେ ଆଦିବାସୀମାନେ, ଅଧିବାସୀମାନେ, କୃଷକଶ୍ରମିକମାନେ ଏବଂ ପ୍ରବଂଚିତ ଦଳିତ ଜନସମୂହ । ମୁଣ୍ଡ ମରାମତି କାରଖାନା ଚାଲିଲେ ଜୀବନସଂଗ୍ରାମର ସ୍ୱାଧୀନତା ପାଇଁ ଆନ୍ଦୋଳନ ସାରା ପୃଥିବୀ ପାଇଁ ସୃଷ୍ଟି କରିପାରିବ ସଂଶୟମୁକ୍ତ ଶୁଭେଚ୍ଛା – ବଂଚିବାର ବାର୍ତା ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩
Comments are closed.