Latest Odisha News

BREAKING NEWS

ଓଡ଼ିଶାର ପଦ୍ମପୁର ସହ ୫ ରାଜ୍ୟରେ ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ : ଦେଶର ୫ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବାଚନର ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ  । ଡିସେମ୍ୱର ୫ ତାରିଖରେ ଉପନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡିକ ହେଉଛି ଓଡିଶା, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ ଓ ଛତିଶଗଡ । ଡିସେମ୍ୱର ୮ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବ ।

ଏହି ଘୋଷଣା ଅନୁସାରେ, ଓଡିଶାର ପଦ୍ମପୁର ବିଧାନସଭା ଉପନିର୍ବାଚନ ୫ତାରିଖରେ ହେବ  । ଏଥିପାଇଁ ନଭେମ୍ୱର ୧୦ ତାରିଖରେ ବିଜ୍ଞପ୍ତି ଜାରି ହେବ । ୧୭ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ । ୧୮ ତାରିଖରେ ନାମାଙ୍କନ ଯାଞ୍ଚ ହେବା ସହିତ ୨୧ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଘୋଷଣା ହୋଇଛି ।

ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁର ଆସନ ଖାଲି ପଡିଛି । ଚଳିତବର୍ଷ ଅକ୍ଟୋବର ୩ ତାରିଖରେ ୬୫ବର୍ଷୀୟ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ହୋଇଥିଲା । ସେ ଏହି ଆସନରୁ ୫ଥର ବିଧାୟକ ହୋଇଥିଲେ । ୧୯୯୦ ଓ ୨୦୦୦ରେ ଜନତା ଦଳ ତରଫରୁ ଟିକେଟ୍ ପାଇ ସେ ବିଜୟୀ ହୋଇଥିଲେ । ୨୦୦୪ ଓ ୨୦୦୯ରେ ବିଜେଡି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ ଓ ମନ୍ତ୍ରୀପଦରେ ଥିଲେ ।

ପଦ୍ମପୁର ସହିତ ଅନ୍ୟ ଯେଉଁ ରାଜ୍ୟ ଗୁଡିକରେ ବିଧାନସଭା ପାଇଁ ଉପନିର୍ବାଚନ ହେବ ସେଗୁଡିକ ମଧ୍ୟରେ ରହିଛି ରାଜସ୍ଥାନର ସରହଦସହର, ବିହାରର କୁରହନୀ, ଛତିଶଗଡର ଭାନୁପ୍ରତାପପୁର, ଉତ୍ତରପ୍ରଦେଶର ରାମପୁର । ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁସାରେ, ଉତ୍ତରପ୍ରଦେଶର ମୈନପୁର ଆସନ ପାଇଁ ସମାନ ତାରିଖରେ ଉପନିର୍ବାଚନ ହେବ । ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂ ଯାଦବଙ୍କ ପରଲୋକ ପରେ ଏହି ଆସନ ଖାଲି ପଡିଛି । ଏସବୁ ସ୍ଥାନରେ ଡିସେମ୍ୱର ୫ ତାରିଖରେ ନିର୍ବାଚନ ହେବ ଓ ୮ ତାରିଖରେ ଫଳାଫଳ ଘୋଷଣା କରାଯିବ । ସୂଚନାଯୋଗ୍ୟଯେ, ହିମାଚଳ ଓ ଗୁଜରାଟ ନିର୍ବାଚନର ଫଳାଫଳ ମଧ୍ୟ ଡିସେମ୍ୱର ୮ ତାରିଖରେ ପ୍ରକାଶ ପାଇବ ।

Leave A Reply

Your email address will not be published.