ସତ୍ୟରଞ୍ଜନ ପ୍ରହରାଜ
ସବୁଠୁ ବେଶି ଅନ୍ତରଙ୍ଗ ହୁଏ ସେ
ଛୁଏଁ ବେକ ଓଠ ଆଖି ଓ କପାଳ
ଓଦା କରେ ନିଜକୁ
ସାଉଁଟିନିଏ କିଛି ସ୍ୱେଦ ପରି ରକ୍ତ
କିଛି ରକ୍ତ ପରି ଲୁହ
ଶୁଖିଲା ଓଠ କୋଣେ ଲାଗିଥିବା
ଏକ ବଜାରୀ ପ୍ରେମର
କିଛି ଲିପଷ୍ଟିକ୍ ଦାଗ !!
ସେ ସାଇତେ ସବୁକିଛି
ଯାହା ସବୁ ଫିଙ୍ଗିବାର ଯୋଗ୍ୟ
ଢାଙ୍କେ ଅତୀତ, ଅପରାଧ
ପ୍ରେମ, ପ୍ରଣୟ ଓ ଛଳ
ପୋଛେ, ପିଏ
ଜଡପରି ଥାଏ
ତା’ ଦେହର ଯେତେସବୁ କଳଙ୍କ ଓ କୃତି
ଆଉ କାହା ଜୀବନର ଚିତ୍ର ଓ ଚରିତ୍ର॥
ଯେତକ ଅନ୍ଧାର, ଅତର ଓ ଉଷ୍ଣତା
ସେତକ ତା’ର ଜୀଜିବିଷା
ସେତକରେ ଅଟକାଏ ସେ
ରକ୍ତପ୍ରବାହ ଓ ଯୁଦ୍ଧ
ରଚେ ପ୍ରେମ ଅବା ଷଡଯନ୍ତ୍ର
ଫିଙ୍ଗା ହୁଏ ପଲଙ୍କରୁ ପଙ୍କଯାଏଁ ଫି’ଥର
ପୁଣି ସଜାଡେ ନିଜକୁ ଧୋଇଧାଇ ଦେଇ
ଭୋଗିବାକୁ ଚିହ୍ନା ଚିହ୍ନା
ଦେହ ଓ ଦଂଶନ ॥
ଯଦି ନିଖୋଜ ହୁଏ ସେ
ଖୋଜିବ ପାହାଡ ହେଉ ବା ପ୍ରବାଳ
ମୁଲାୟମ୍ ଦେହଟି ତା’ର
ପାଲଟିଯାଇପାରେ ମାଟି ବା ଶୈବାଳ
ଧରିପାରେ ନିଆଁ
ହଜାଇ ଦେଇପାରେ
କେବେଠୁ ଗୋପନ ଥିବା
ଏକ ମାତ୍ର ସ୍ମୃତି ଅବା ସମ୍ପର୍କର ସୂତା!!
ଦେଖ ତୁମ ରୁମାଲ୍ ଭିତରେ
ଥାଇପାରେ ଏକ କୋମଳ ହୃଦୟର
ଗୁଞ୍ଜନ, ଗୁମାନ, ଆଦର କି ଅବଜ୍ଞା
ଅବା ଏକ ଅନାହତ ପ୍ରଜାପତି
ଯା’ ଦେହରେ ଅନ୍ଧାରର ଟୀକା ପରି
ମେଞ୍ଚା ମେଞ୍ଚା ଚିତ୍ରିତ ଶୂନ୍ୟତା !!