ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା
ଅମୃତ ଆଶ୍ଳେଷ : କିଛି ଅମୃତ ଅନୁଭବର କଥା
କବିତା ବହି : ଅମୃତ ଆଶ୍ଳଷ
କବୀ : ସୁପ୍ରିୟା ପଣ୍ଡା
ପ୍ରକାଶକ : ଏଥେନା ବୁକ୍ସ
ପୃଷ୍ଠା ସଂଖ୍ୟା : ୧୨୩
ମୂଲ୍ୟ : ୧୬୦ ଟଙ୍କା
କବୀ ସୁପ୍ରିୟା ପଣ୍ଡାଙ୍କ ପ୍ରଥମ କବିତା ସଙ୍କଳନ “ଅମୃତ ଆଶ୍ଳେଷ” । ୫୦ ଗୋଟି କବିତାକୁ ନେଇ ସମୃଦ୍ଧ କବିଙ୍କର ଏହି କବିତା ସଙ୍କଳନକୁ ପଢିଲେ ନିଶ୍ଚୟ ଅନୁଭବ ହେବ କବିଙ୍କ କଲମର ସମ୍ଭାବନାକୁ, କବିତାର ମିଠାପଣକୁ ତଥା ନିଜ ଭିତରେ ଏକ ଅମୃତ ଅନୁଭବକୁ। ସେହି ଅମୃତ ଅନୁଭବ ହିଁ କବିଙ୍କ ମନରେ ସୃଷ୍ଟି କରେ ଓଁକାର ଧ୍ବନି ଓ ସେହି ଧ୍ବନିର ନିବିଡ଼ ଆଶ୍ଳଷରୁ ଜନ୍ମ ନିଏ କବିଙ୍କ କବିତା।
ଛୋଟ ଶିଶୁଟିଏର ହସରେ କି କାନ୍ଦରେ ଯେମିତି ନଥାଏ କୃତ୍ରିମତା ଠିକ୍ ସେମିତି ଏଠି କବିଙ୍କ କବିତାରେ ମୋତେ ଅନୁଭବ ହେଲା ବେଶ୍ କିଛି ନିର୍ଭେଜାଲ କଥା। ହୁଏତ ଏଠି କବିତାରେ ଚିତ୍ରକଳ୍ପର ଅଭାବ ଥାଇପାରେ, ରୂପକଳ୍ପର ବ୍ୟବହାର ଖୁବ୍ କମ୍ ହୋଇଥାଇ ପାରେ, କବିତା ସୁନ୍ଦରୀକୁ ମହଙ୍ଗା ଅଳଙ୍କାର ପିନ୍ଧା ଯାଇନଥାଇ ପାରେ, ତଥାପି କବିତା ଗୁଡ଼ିକ ଖୁବ୍ ସୁନ୍ଦର। କାରଣ ସେ କବିତା ଗୁଡିକରେ କୃତ୍ରିମତା ନାହିଁ, ବରଂ ଅଛି ଶିଶୁର ଚପଳତା, ଶିଶୁ ସୁଲଭ ହସ, କାନ୍ଦ ଓ କଞ୍ଚା ହାତରେ ପାଚିଲା ଫଳର ଅନୁଭବ।
ସେ ମୁକ୍ତି ଚାହେଁନା, ବନ୍ଧନ ଚାହେଁ। ସେ ପରିବାରଠୁ ଦୂରେଇ ଯିବାକୁ ଚାହେଁନା, ସେ ପରିବାର ଚାହେଁ, ପ୍ରେମ ଚାହେଁ, ସମର୍ପଣରେ ନିର୍ବାଣ ଚାହେଁ , ହେଲେ ହେଉ ପଛେ ତାହା ଏକ ବନ୍ଧନ। ଏଣୁ କବିତାରେ କବି କୁହନ୍ତି,
“ବାନ୍ଧି ରଖ ମତେ
ତମ ନିବିଡ଼ ଆଶ୍ଳଷରେ
ଚୁନା କରିଦିଅ ମୋର ଅସ୍ଥି ମଜ୍ଜା ସବୁ
ଅସ୍ତତ୍ବରୁ ଉକୁଟି ଆସୁ ତୁମରି ବାସ୍ନା
ନିର୍ବାଣ ଦେଇଦିଅ ମୋତେ
ସମର୍ପଣର ପରାକାଷ୍ଠା ପଣେ
ମୁକ୍ତିର ବନ୍ଧନ ଦେଇ ଦିଅ ”
(ପୃଷ୍ଠା ସଂଖ୍ୟା – ୩୨)
ସେ ଈଶ୍ୱରଙ୍କ ସନ୍ଧାନରେ ବାହାରେ, ହେଲେ ସନ୍ଧାନ ସରେନି। ଈଶ୍ବର ମିଳନ୍ତିନି। ଅଥଚ ଅନୁଭବ ହୁଏ, ଇଶ୍ବର ଏଇ ପାଖରେ ଅଛନ୍ତି, ଆଞୁଳିରେ ବି ,ଅଣ୍ଟିରେ ବି।
(ପୃଷ୍ଠା ସଂଖ୍ୟା -୮୫)
ଏତିକିବେଳେ ସେ ଅନୁଭବ କରେ ଅମୃତ ଆଶ୍ଳେଷର କଥା , ପୁନର୍ଜନ୍ମର କଥା। ଏଣୁ ସେ କୁହେ,
” ଅନନ୍ତ କାଳର ନୀରବତା ପରେ
ମୁଁ ଫେରୁଥିଲି
ଅମୃତ ଆଶ୍ଳେଷର ଧ୍ବନି ପାଖକୁ
** ** **
ସମାଧିସ୍ଥ କରୁଥିଲି
ଯୁଗ ଯୁଗର ଯନ୍ତ୍ରଣା
ଅନାସକ୍ତର ଆୟୂଧ
ଅବଶିଷ୍ଟ ଦଗ୍ଧୀଭୁତ ଦୀର୍ଘଶ୍ବାସ ”
( ପୃଷ୍ଠା ସଂଖ୍ୟା – ୧୧୦)
ଠିକ୍ ଏହି ସମୟରେ ମନେ ପଡନ୍ତି ବୁଦ୍ଧ। ମନେ ପଡ଼େ ଦୁଃଖର କାରଣ କାମନା ଓ କାମନାର ବିନାସରେ ଦୁଃଖର ବିନାସ କଥା। ହେଲେ କାମନାର ବିନାସ ପ୍ରାୟତଃ ଅସମ୍ଭବ। ଏଣୁ ମଣିଷ ଏବେ ବୁଦ୍ଧତ୍ବ ଠାରୁ ଦୂରରେ ରହି ସୁଖ ନାମରେ ଦୁଃଖ ଭୋଗିବାକୁ ଚାହୁଁଛି। ସେ ଚାହେଁ ଯୁଦ୍ଧ, ରକ୍ତପାତ ଆଉ କୁଢ କୁଢ ଶବ। ସେ ବୁଦ୍ଧତ୍ବ ନୁହେଁ, ଚାହେଁ ସଂସାରର ଲୋଭ, ମୋହ, ମାୟା। ଏହି କଥାକୁ କହିବାକୁ ଯାଇ କବି କୁହନ୍ତି,
” ତୁମ ବୁଦ୍ଧତ୍ବ ପାଇଁ
ତେଜି ପାରିବିନି
ତମାମ୍ ମାୟା ,ମୋହ
ହୋଇଥାଉ ଏ ସଂସାର ଦୁଃଖମୟ
ପାପୁଲିରୁ ଖସି ପଡ଼ୁଥାଉ
ମୋ ମାନବିକତା
ମୋତେ ଦେଖିବାର ନାହିଁ !
ଦୁଃଖର କାରଣ କାମନା
ମୁଁ ଠିକ୍ ଜାଣେ
ହେଲେ ବୁଝିବାକୁ ଚାହେଁନାହିଁ ”
(ପୃଷ୍ଠା ସଂଖ୍ୟା -୧୧୩)
ଏମିତି ବେଶ୍ କିଛି କବିତା ମୋତେ ଖୁବ୍ ଭଲ ଲାଗିଛି। କିଛି କବିତା, କବିତା କମ୍, କଥା ଭଳି ଅଧିକ ମନେ ହୋଇଛି। ସେଠି ଚିତ୍ରକଳ୍ପ ଓ ପ୍ରତୀକ ଥୋଇ ଅଳ୍ପରେ କହିଥିଲେ ସ କବିତା ଗୁଡ଼ିକ ଆହୁରି ଅଧିକ ଭଲ ଲାଗିଥାନ୍ତା ବୋଲି ଅନୁଭବ ହୋଇଛି। ପ୍ରଥମ କବିତା ସଙ୍କଳନ ହେଲେ ବି ଭାବ ଓ ଭାଷାର ସମନ୍ଵୟର ସମାହାର ଏହି ପୁସ୍ତକଟି ବିପୁଳ ପାଠକୀୟ ଆଦୃତି ଆର୍ଲଭ କରିବ ଏଥିରେ କୌଣସି ସନ୍ଦେହ ନାହିଁ ।
Comments are closed.