Latest Odisha News

BREAKING NEWS

ଆବାସ ଯୋଜନାରେ ରାଜ୍ୟର ଦାବି ମୁତାବକ ଅଧିକ ଘର ଦେଇଛି କେନ୍ଦ୍ର: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକାଶ ପାଇଥିବା ଯୋଗ୍ୟ ହିତିଧିକାରୀ ତାଲିକା ଏବଂ ବଢୁଥିବା ଅସନ୍ତୁଷ୍ଟଙ୍କ ନେଇ ଚେତାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ କହିଛନ୍ତି, ଆବସ ଯୋଜନାରେ ପୂର୍ବ ଅପେକ୍ଷା ଅଧିକ ଘର ଏବଂ ଟଙ୍କା ଦେଇଛନ୍ତି କେନ୍ଦ୍ର ସରକାର। ତେଣୁ କିଭଳି ଯୋଗ୍ୟ ହିତାଧିକାରୀ ଘର ପାଇବେ ସେ ନେଇ ରାଜ୍ୟ ସରକାରଙ୍କୁ ଦାୟିତ୍ୱ ନେବାକୁ ପଡ଼ିବ। ରାଜ୍ୟ ସରକାରଙ୍କ ପାଖରେ ଗୋଟିଏ ବଡ ବ୍ୟବସ୍ଥା ରହିଛି ଏହାଦ୍ୱାରା ଯୋଗ୍ୟ ଲୋକ ଘର ପାଇବେ ବୋଲି ଆଶା ରଖିଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶା ସରକାର ଗରିବ ଲୋକଙ୍କ ଉପରେ ଚାପ ନ ପକାଇ ନିଜେ ଦାୟିତ୍ୱ ନିଅନ୍ତୁ ଓ ଆବାସ ତାଲିକାରେ ସାଧୁତା ଅବଲମ୍ବନ କରି ଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରେ ସାମିଲ କରନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ନାଁ ଭର୍ତ୍ତି କରିବା ପାଇଁ ଓଡିଶା ପାଇଁ ନିୟମକୁ କୋହଳ କରିଥିବା କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ଉଚିତ୍ । ୨୦୧୮ ରୁ ୨୦୧୯ର ଅଧା ସମୟ ପର୍ଯ୍ୟନ୍ତ ଆବାସ ପ୍ଲସ ପୋର୍ଟାଲ ଖୋଲା ହୋଇ ରହିଲା । ସେହି ସମୟରେ ଓଡିଶା ସରକାର ଯୋଗ୍ୟ ହିତାଧିକାରୀମାନଙ୍କ ନାମ ସାମିଲ କଲେ ନାହିଁ ।

ପରବର୍ତ୍ତୀ ପର୍ଯ୍ୟାୟରେ ବାରମ୍ବାର ଆବାସ ପ୍ଲସ ପୋର୍ଟାଲ ଖୋଲିବା ପାଇଁ ବିଭାଗୀୟ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଅନୁରୋଧ କରାଗଲା । ପିଏମ ଆବାସ ପ୍ଲସ ପୋର୍ଟାଲ ଖୋଲିବା ପରେ ଅତିରିକ୍ତ ୮ ଲକ୍ଷ ଘର ଓ ଫୋନି କ୍ଷତିଗ୍ରସ୍ତଙ୍କୁ ୧.୫ ଲକ୍ଷ ଘର ଅର୍ଥାତ୍ ମୋଟ ସାଢେ ୯ ଲକ୍ଷ ଘର ଓଡ଼ିଶାକୁ ଦିଆଯିବ ବୋଲି ନିଷ୍ପତି ହେଲା । ରାଜ୍ୟରେ ପିଏମ ଆବାସ ଯୋଜନା ନେଇ ବିଭିନ୍ନ ଟିପ୍ପଣୀ ହେବା କାରଣରୁ ସାଢେ ୯ ଲକ୍ଷ ଘର ଯୋଗ୍ୟ ହିତାଧିକାରୀ ମାନଙ୍କୁ ଦେବା ପାଇଁ କେନ୍ଦ୍ର ସରକାର ରଖିଥିବା ସର୍ତ୍ତରେ ରାଜ୍ୟ ସରକାର ସମ୍ମତି ଜଣାଇଥିଲେ ।

ଆବାସ ତାଲିକାରେ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ଭୁଲବଶତଃ ରହିଥିଲେ ଲୋକମାନେ ଅଭିଯୋଗ କରିବା ନେଇ ରାଜ୍ୟ ସରକାର କହିଛନ୍ତି । ମାତ୍ର ବାସ୍ତବରେ ଦେଖିଲେ ଯଦି ଗାଁର ପ୍ରତିପତ୍ତିଶାଳୀ ଲୋକ ଆବାସ ପାଇବା ପାଇଁ ଅଯୋଗ୍ୟ ଥିବା ସତ୍ତ୍ୱେ ତାଲିକାରେ ଅସାଧୁ ଉପାୟରେ ନାଁ ଭରିଲେ ତେବେ ସେ ଅଞ୍ଚଳର ଗରିବ ଲୋକ ସେହି ବ୍ୟକ୍ତି ବିରୋଧରେ ପ୍ରତିବାଦ ନ କରିପାରେ । ଏଭଳି ଆଶଙ୍କା ଦେଖାଯାଇଥିବାରୁ ବ୍ଲକ ଗୁଡିକରେ ରାଜ୍ୟ ସରକାର ଗରିବ ଲୋକଙ୍କ ଉପରେ ଚାପ ସୃଷ୍ଟି ନ କରି ସଠିକ୍ ତର୍ଜମା କରି ଘର ପାଇବାକୁ ଯୋଗ୍ୟ ଲୋକଙ୍କ ନାଁ ସାମିଲ କରନ୍ତୁ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏବେ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚାୟତଓ୍ୱାରୀ ବିଭିନ୍ନ ବ୍ଲକରେ ଆବାସ ତାଲିକା ଲଗାଯିବା ପରେ ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରେ ନ ଥିବା କଥା ସାମ୍ନାକୁ ଆସିଛି । ପୂର୍ବରୁ ଅନୁରୂପ ଭାବରେ ପିଏମ ଆବାସରେ ୧୮ ଲକ୍ଷ ଘର ଆସିବା ପରେ ସମାନ ଅଭିଯୋଗ ଆସିଥିଲା । ଏବେ ଅତିରିକ୍ତ ସାଢେ ୯ ଲକ୍ଷ ଘର ଓଡ଼ିଶାକୁ ମିଳିବା ପରେ ଯୋଗ୍ୟ ଲୋକଙ୍କୁ ଘର ମିଳୁ ବୋଲି କେନ୍ଦ୍ର ସରକାର ଅପେକ୍ଷା ରଖିବା ସ୍ୱାଭାବିକ । ଏ ଦାୟିତ୍ୱ ରାଜ୍ୟ ସରକାରଙ୍କୁ ନେବାକୁ ପଡିବ । ଏତେ ଟଙ୍କା ଆସିବାରେ ମଧ୍ୟ ଯଦି ଯୋଗ୍ୟ ଲୋକ ଘର ପାଇବେ ନାହିଁ ତେବେ ତାହା ଗମ୍ଭୀର ବିଷୟ ।

Comments are closed.