Latest Odisha News

BREAKING NEWS

ଭାଷା ଭାଗବତ : ସ୍ବଭାଷୀଂକ ସ୍ପୃହା

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

କାରଣ ବିନା ଜଣେ ହସି
ସତରେ ପାଇପାରେ ଖୁସି
ଅଯଥା ଚିଂତା କରି କାଂଦି
କାହିଁକି ହେଉଥିବ ଛଂଦି

ଭଲ ଓ ମଂଦର ବିଚାର
କରି ଚଂଚଳ ପରିହାର
ନ ହେଲେ ମିଛେ ବିଚାରକ
ମଣିଷ ପାଏ ସବୁ ସୁଖ

ନିର୍ମଳ ହୃଦ, ସଫା ମନ
ସଫଳ କରେ କାର୍ଯମାନ
ଶରୀର ମନ ବୋଲ ମାନି
ଯାହା ବି ଲୋଡ଼ା, ଦିଏ ଆଣି

ଭାଷାରେ ଯାହା ଇଚ୍ଛା ତାହା
ଲେଖିଲେ ମିଳେନାହିଁ ରାହା
ଲେଖକ, ପାଠକ ବିଭ୍ରାଂତ
ହୋଇଥାଂତି ଅସ୍ଥିରଚିତ୍ତ

ସାହିତ୍ୟ ହୋଇବା ସକାଶେ
ଭାବ ସହିତ ଭାଷା ମିଶେ
ଏଥିରେ ହେଲେ ବ୍ୟତିକ୍ରମ
ସାହିତ୍ୟ ହୁଏନି ଉତ୍ତମ

ନିର୍ଦିଷ୍ଟ ଗୋଷ୍ଠୀର ପାଠକ
ହେଲେ ହେଁ ଲେଖାର ସ୍ତାବକ
ଘଟେ ଭାଷାର ମାନହାନି
ଏହା ତ ପାରୁଁ ଆମେ ଜାଣି

ତେବେ ବି ନ ହୋଇ ସକ୍ରିୟ
କରିଚାଲିଲେ କାଳ କ୍ଷୟ
ସଂଭବ ନୁହେ ଭାଗ୍ୟୋଦୟ
ମନରେ ରହିଥାଏ ଭୟ

ସ୍ବଭାଷା ସହି ଅନାଦର
ଏବେ ତ ନୁହଇ କାହାର
ସ୍ବୟଂ ବର୍ଧନଶୀଳ ଭାଷା
ନ ଥାଏ, କିଆଁ କରୁଁ ଆଶା ?

ଆମର ଭାଷା ଆନୁଗତ୍ୟ
ହୋଇପାରିନି ନିର୍ଧାରିତ
ତେଣୁ ତ ଏତେ ଅବ୍ୟବସ୍ଥା
ହୋଇଛି ସାଧାରଣ କଥା

ଏଥିରୁ ପାଇବାକୁ ତ୍ରାହି
ସ୍ବଭାଷୀ ମନେ ସ୍ପୃହା ନାହିଁ
ସ୍ବଭାଷା ନିମଂତେ ସ୍ବଭାଷୀ
କେବଳ ରହିଛଂତି ବସି

Comments are closed.