Latest Odisha News

‘ତିନି ତଲାକ୍ ବିଲ୍’ କୁ ନେଇ ବିଧାନସଭାରେ ଝଡ଼

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ‘ତିନି ତଲାକ୍ ବିଲ୍’ କୁ ନେଇ ହଟ୍ଟଗୋଳ ହେବା ପରେ ଗୃହକୁ ବାଚସ୍ପତି ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ । ବିରୋଧୀ ଦଳ ଉପ-ନେତା ତଥା ବରିଷ୍ଠ ବିଜେପି ନେତା ବିଷ୍ଣୁ ଚରଣ ସେଠୀ ‘ତିନି ତଲାକ୍ ବିଲ୍’ କୁ ନେଇ ମନ୍ତବ୍ୟ ପ୍ରଦାନ କରିବା ପରେ ବିରୋଧୀ କଂଗ୍ରେସ ଓ ଶାସକ ବିଜେଡ଼ି ସଦସ୍ୟମାନେ ଗୃହରେ ଏହାକୁ ବିରୋଧ କରି ହଟ୍ଟଗୋଳ ସୃଷ୍ଟି କରିଥିଲେ ।

ଏହା ଗୃହର ଶୂନ୍ୟକାଳ ସମୟରେ ଯେତେବେଳେ ଶ୍ରୀ ସେଠୀ ‘ତିନି ତଲାକ୍ ବିଲ୍’କୁ ସମର୍ଥନ କରି କହିଥିଲେ ଯେ, ତଲାକ୍ ପାଇ ସ୍ୱାମୀଙ୍କଠାରୁ ଦୂରରେ ରହିବା ପରେ ମୁସଲିମ୍ ମହିଳାମାନଙ୍କୁ ରେର୍ଡ଼ ଲ ଲାଇଟ୍ ଏରିଆରେ ଦେଖାଯାଉଥିବାର କେତେକ ଦୃଷ୍ଟାନ୍ତ ରହିଛି ।

ଏହା କ୍ରମେ ବିବାଦୀୟ ହୋଇପଡ଼ିଥିଲା ଯେତେବେଳେ ଶ୍ରୀ ସେଠୀ ବିରୋଧୀ କଂଗ୍ରେସକୁ ଇଙ୍ଗିତ କରି କହିଥିଲେ, ଏହି ‘ତିନି ତଲାକ୍’ ନିୟମ ଭାରତରେ ଆଦୌ ପ୍ରଚଳନ କରିବା କଥା କିମ୍ବା ପ୍ରଶୟ ଦେବା କଥା ନୁହେଁ, କାରଣ ଏହା ୩୮ଟି ମୁସଲିମ୍ ଦେଶମାନଙ୍କରେ ବ୍ୟାନ୍ ହୋଇସାରିଛି । ଏପରିକି ଶ୍ରୀ ସେଠୀ କହିଥିଲେ ଯେ, ଏହା କୋରାନରେ ମଧ୍ୟ ଉଲ୍ଲେଖ କରାଯାଇନାହିଁ । ଅନେକ ସ୍ୱାମୀ ପରିତ୍ୟକ୍ତା ମୁସଲିମ୍ ମହିଳାଙ୍କୁ ଦିଲ୍ଲୀ ଓ ମୁମ୍ବାଇ ପରି ସହରର ରେଡ୍ ଲାଇଟ୍ ଏରିଆରେ ଦେଖିବାକୁ ମିଳିଛି ।

ବିରୋଧୀଦଳ ନେତା ଶ୍ରୀ ସେଠୀଙ୍କ ଏହି ବୟାନକୁ ବିରୋଧକରି ଉତ୍ତେଜିତ ବିଜେଡ଼ି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସି କେନ୍ଦ୍ରର ଏନଡ଼ିଏ ସରକାର ବିରୋଧରେ ବିଭିନ୍ନ ସ୍ଲୋଗାନମାନ ଦେଇଥିଲେ ।

ଗୃହକାର୍ଯ୍ୟରେ ବାଧାସୃଷ୍ଟି ହେବାରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ ।

Comments are closed.