Latest Odisha News

ପୁରୁଷ କାଉର ବସା

ପୁରୁଷ କାଉର ବସା

ଶଶାଙ୍କ ପ୍ରିୟସଖା

ପତ୍ନୀ କହିଲେ: ବୁଝିଲ, ମୋତେ ମୃତ୍ୟୁଦଣ୍ଡ ଦେଲେବି ମୁଁ ସ୍ୱୀକାର କରିବି । ହେଲେ ମୁଁ ଗୋଟେ ସାଂଘାତିକ ଭୁଲ କରିଦେଇଛି ।
: କ’ଣ ଖୋଲିକରି କୁହ ।
: ମୁଁ ପୁଣି ଥରେ ଗର୍ଭବତୀ ।

ମୋ’ର ବିଚଳିତ ହବାର ଅନେକ କାରଣ ଥିଲା । ସେମାନଙ୍କ ମଧ୍ୟରୁ ପ୍ରଥମ ହେଲା, ଆମର ଦ୍ୱିତୀୟ ସନ୍ତାନ ପରେ ନିକଟରେ ମୁଁ ନିଜେହିଁ ଭେସେକ୍ଟୋମୀ ଅପେରେସନ ହେଇଥିଲି । ମୁଁ ପଚାରିଲି: ସେଇ କଳାକାର କିଏ?
: ତମ ସାଂଗ – ଭର୍ଗିଜ ।

ମୋର ସେମିତି କିଛି ପ୍ରତିକ୍ରିୟା ହେଲାନି । ସମୟ ଓ ସୁଯୋଗର ଅଭାବରୁ ମୁଁ ଯଦି ଭର୍ଗିଜ ପରି କିଛି କରିପାରିନାହିଁ ଓ ସେଥିପାଇଁ ମୋତେ କେହି ଯଦି ମହାମଣିଷ କହିବ କହିପାରେ, ହେଲେ ସଜୀବ ହିସାବରେ ଭର୍ଗିଜର ଯେତିକି ଜୈବିକ କ୍ଷୁଧା ରହିଚି, ମୋ’ର ବି ସେତିକି ଅଛି; ଏକଥାକୁ ମୁଁ ସ୍ୱୀକାର କରେ । ଦିନେ ମୁଁ ବି ଭର୍ଗିଜର ୟୁରୋପିୟାନ ପତ୍ନୀ ପ୍ରତି ଖୁବ ଆସକ୍ତ ଥିଲି । ଅବଶ୍ୟ ଖୋଦ ଭର୍ଗିଜ ହିଁ ଏଥିପାଇଁ ଦାୟୀ । ଭର୍ଗିିଜର ପରିବାର ଦୁଇ ଶତାବ୍ଦୀ ଧରି ଏବର ପାକିସ୍ଥାନରେ ସେଟଲ୍ଡ । ୟୁରୋପର ଏକ ଲିଡିଂ ବି-ସ୍କୁଲରୁ ଏମବିଏ ଡି୍ରଗୀ ହାସଲ କରିସାରି ଏକ ନାମୀ ଏମ.ଏନ.ସି.ର ଇଣ୍ଡିଆ ବିଜିନେସ ସେଗମେଣ୍ଟରେ ଆମେ ଜଏନ କଲୁ- ମୁଁ ଓ ଭର୍ଗିଜ । ଭର୍ଗିଜ ସେତେବେଳକୁ ତା’ ଗାର୍ଲଫ୍ରେଣ୍ଡ ବିଷୟରେ ମୋତେ ଅନେକକଥା କହିସାରିଥାଏ । ଏପରିକି ତା’ର କିଛି ବ୍ୟକ୍ତିଗତ ଫଟୋଗ୍ରାଫ ବି ଭର୍ଗିଜ ତା’ ପର୍ସନାଲ ଫାଇଲ ଭିତରେ ରଖିଥିଲା । ବେଳେ ବେଳେ ସେ ମୋ ଲ୍ୟାପଟପରୁ ତା’ ଗାର୍ଲଫ୍ରେଣ୍ଡକୁ ଇ-ମେଲ କରେ । ଯେମିତି ଥରେ ଭର୍ଗିଜ ଲେଖିଥିଲା: ପ୍ରିୟତମା, ମୋ’ ପୃଥିବୀରେ ଖାଲି ଶୀତଋତୁ । ମହାସାଗରର ଏପାଖରେ ରହି ମୁଁ ଜାଣିପାରୁନାହିଁ ତମ ପୃଥିବୀର ବ୍ଳାକବେରୀ ଗଛରେ ରଂଗବେରଂଗର ଚଢେ଼ଇମାନଙ୍କ ମେଳା ବସଲାଣି କି ନାହିଁ । ବ୍ଲାକବୋରୀ ପାଚିଲେ ତେଣୁ ମୋ’ ମନରେ ହସଠାରୁ ସଂଶୟ ବେଶୀ, ଆବେଗଠାରୁ ଉଦବେଗ ବେଶୀ । କେବେ ଆସୁଛ ମୋ’ର ସଂପତ୍ତି ହୋଇ? ତମ ପୃଥିବୀରେ ଋତୁ ପରିବର୍ତ୍ତନ, ଋତୁସ୍ରାବ ସବୁ କେମିତି ଚାଲିଛି?

ଏଇ ଚିଠିର ଉତ୍ତରରେ ଭର୍ଗିଜର ଗାର୍ଲଫ୍ରେଣ୍ଡ କ’ଣ ସବୁ ଲେଖିପାରେ, କେତେ ଅଶ୍ଳୀଳ ହୋଇପାରେ ତା’ର ବର୍ଣ୍ଣନା ଏଥିପାଇଁ ମୋ’ ମନରେ ଏକ ଉତ୍କଣ୍ଠା ଥିଲା ।

ଭର୍ଗିଜର ଇ-ମେଲ ଆକାଉଣ୍ଟର ପାସୱାଡଟା ଅତି ଚତୁରତାର ସହ ଅକ୍ତିଆର କରନେଇଥିଲି ତା’ ଅଗୋଚରରେ । ଏକାଏକା ଭର୍ଗିଜର ଇ-ମେଲ ଆଇଡି ଖୋଲି ଅନେକଥର ପଢ଼ିଚି ତା’ ଗାର୍ଲଫ୍ରେଣ୍ଡର ଅଶାଳୀନ ଚିଠି ଓ ସି.ଡିରେ ରାଇଟ କରି ପ୍ରିଣ୍ଟ କରି ରଖିଚି ତା’ର ଅନେକ ଅସଂଯତ ଫଟୋଗ୍ରାଫ । ସେସବୁକୁ ଏବେ ବି ମୁଁ ରଖିଚି ଯତ୍ନରେ ସାଇତି । ଭର୍ଗିଜର ସେଦିନର ଗାର୍ଲଫ୍ରେଣ୍ଡ ପରେ ପରେ ତା’ର ପତ୍ନୀ ହୋଇଛି ।

ଏସବୁ ଛଡ଼ା ଭର୍ଗିଜ ସହ ମୋ’ର ବଂଧୁତା ଖୁବ ଘନିଷ୍ଠ ହିଁ ଥିଲା । ଆମେ ଦି’ଜଣ ଅନେକ କଥା ସେୟାର କରୁଥିଲୁ । ଭର୍ଗିଜ ଇଣ୍ଡିଆନ ଓରିଜିନ ଓ ଇଂଲିଶ ନେସନାଲ ଏବଂ ମୁଁ ଭାରତୀୟ ହେଉଥିବାରୁ ଆମ ଭିତରେ ଯେଉଁ ବିଭିନ୍ନତା ଥିଲା; ତାହାହିଁ ଆମ ଘନିଷ୍ଠତାର କାରଣ ଥିଲା । କ୍ରମେ ମୁଁ ଆଉ ଗୋଟେ କମ୍ପାନୀରେ ଜଏନ କରିଥିଲି ଓ ସେ ପାକିସ୍ଥାନ ଫେରି ନିଜର ଏକ ବିରାଟ ବ୍ୟବସୟ ପ୍ରତିଷ୍ଠାନ ଖୋଲିଥିଲା । ଅନେକଥର ବିଜିନେସ ନେଇ ସେ ଭାରତ ଆସିଲେ ମୋ’ ପାଖକୁ ଆସେ ।

ଆଜି ହୁଏତ ପତ୍ନୀଙ୍କୁ ଗର୍ଭବତୀ କରିଦେଇ ଧରାପଡ଼ି ଯାଇଥିବାରୁ ମୁଁ ଭର୍ଗିଜକୁ ବିଶ୍ୱାସଘାତକ କହିପାରେ, ହେଲେ ଭର୍ଗିଜର ଇ-ମେଲ ଆକାଉଣ୍ଟର ପାସୱାଡର଼୍ ଅକ୍ତିଆର କରି ତା’ର ଏବର ପତ୍ନୀଙ୍କ ଅନେକ ଅଶାଳୀନ ଫଟୋଗ୍ରାଫକୁ ଚୋରାଇ ଆଣି ତାକୁ ଏଯାବତ ସାଇତି ରଖିବା ଯେ ବଂଧୁତ୍ୱର ବିଶ୍ୱାସଘାତକତା ନୁହେଁ, ଏକଥା କହି ମୁଁ ମୋ’ ନିଜ ପାଖରେ ଅନ୍ତତଃ ମୋତେ ନିଦେ୍ର୍ଧାଷ ବୋଲି କହିପାରିବି ନାହିଁ । ଭର୍ଗିଜର ଧରାପଡ଼ି ଯାଇଥିବା ଜୈବିକତା ଓ ଚତୁରତା ଯୋଗୁଁ ଧରାପଡ଼ି ନଥିବା ମୋ’ର ଜୈବିକତା ଭିତରେ ଯେ ପାର୍ଥକ୍ୟ କିଛି ନାହିଁ ଏକଥା ଅନ୍ୟକେହି ନହେଲେବି ମୁଁ ହିଁ ବିଶ୍ୱାସ କରେ । ମୁଁ ଏକଥା ବି ବିଶ୍ୱାସ କରେ ଯେ ଜୈବିକତା ଆମ ଭିତରେ ପଶୁ ତିଆରି କରେନି ବରଂ ଏହା ଜଣେଇ ଦିଏ ଯେ ଆମେ ଜୀବିତ ଓ କ୍ରିୟାଶୀଳ । ହେଲେ ଅନ୍ୟର ସୁଖକୁ ହତ୍ୟା କରିବାର ଆମର କି ଅଧିକାର ଅଛି? ଆମେ ଜୀବିତ ଓ କ୍ରି୍ରୟାଶୀଳ ବୋଲି ପ୍ରମାଣ କରିବାକୁ ଯାଇ ଅନ୍ୟର ସୁଖ ଲୁଟ କରିବା ହିଁ ନିଜ ଭିତରେ ଥିବା ପଶୁତ୍ୱକୁ ପ୍ରମାଣ କରିବା, ଏକଥା ମୁଁ ବିଶ୍ୱାସ କରେ । ଇଣ୍ଡିଆନ ୱାଇଫ ମାଧ୍ୟମରେ ସ୍ୱର୍ଗସୁଖ ପାଇବାର କ୍ଷୁଧା ପାଇଁ ଭର୍ଗିଜ ଯେଉଁ ଏକ୍ସପେରିମେଣ୍ଟର ଆଶ୍ରା ନେଇଥିଲା, ସେଥିପାଇଁ ଭର୍ଗିଜ ଯେତିକି ଦୋଷୀ, ମୋ’ ପତ୍ନୀ ମଧ୍ୟ ସେତିକି ଦୋଷୀ ।

ଖାଲି ସଜୀବ ହେଲେ ତ କିଛି ନାହିଁ, ସଜୀବ ଛଡ଼ା ଯେହେତୁ ଆମେ ସମସ୍ତେ ମଣିଷ ସେଇଥିପାଇଁ ମୋ’ ଭିତରର ଘୃଣା, ହିଂସା ଓ କ୍ରୋଧ ଭୟଙ୍କର ଭାବେ ବଢ଼ିଯାଇଥିଲା ଭର୍ଗିଜ ପାଇଁ । ଫୋନ ଲଗେଇଲି ଭର୍ଗିଜକୁ । ସେପାଖରେ ରିସିଭର ଉଠିବାକ୍ଷଣି ମୁଁ କହିଲି: ବିଶ୍ୱାସ ଘାତକ…

ଭୋ ଭୋ ହୋଇ କାନ୍ଦିଲା ଭର୍ଗିଜ । କେତେ ଶହ ଥର ସେଦିନ କ୍ଷମା ମାଗିଥିଲା ଭର୍ଗିଜ । କିନ୍ତୁ ମୋ’ ଭିତର ହିଂସା, କ୍ରୋଧ ଓ ଘୃଣା କମିନଥିଲା ଭର୍ଗିଜ ପାଇଁ । ଅଥଚ ମୁଁ ଯେ ଅନେକଥର ସେଇସବୁ ଅଶାଳୀନ ଫଟୋ ଦେଖି ଅନେକଥର ଖୋଜିଚି ତା’ ପତ୍ନୀର ସାନ୍ନିଧ୍ୟ!

ସେଇଦିନ ହିଁ ଜାଣିଲି ପ୍ରକୃତ କାରଣ କାହିଁକି ଭର୍ଗିଜ ଏତେଦିନ ହେଲା ମୋ ପାଖକୁ ଆସିନାହିଁ । ମୁଁ ଧରିନେଇଥିଲି ଯେ ଭାରତ-ପାକିସ୍ଥାନ ମଧ୍ୟରେ କୁଟନୈତିକ ସଂପର୍କ ଭଲ ନଥିବାରୁ ବସ, ଟ୍ରେନ ଓ ବିମାନ ଚଳାଚଳ ବନ୍ଦ ଥିବା ଯୋଗୁଁ ହିଁ ଭର୍ଗିଜ ଆଉ ଭାରତ ଆସିନାହିଁ ।

ମୋ’ ପତ୍ନୀ ବି ବେଶ ଆଧୁନିକା । ପତ୍ନୀଙ୍କ ସହ ମୋର ପ୍ରେମ ବିବାହ ହେଇଥିଲା । ପ୍ରେମରେ ପଡ଼ିବା ପରେ ଜାଣିଲି ପତ୍ନୀଙ୍କ ମମ୍ମି ଥରେ ଡିଭୋର୍ସ କରି ଅନ୍ୟଜଣେ ପୁରୁଷଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଏଇଭଳି ପତ୍ନୀଙ୍କ ପାଇଁ ଏ ଘଟଣାଟା ଏତେ ବେଶୀ ସିରିୟସ ଇସୁ୍ୟ କଦାପି ନୁହେଁ । ତଥାପି ପତ୍ନୀ ମୋ’ର ମୋ’ ପ୍ରତି ଥିଲେ ଅନୁରକ୍ତା । ପତ୍ନୀଙ୍କ ଆବୋର୍ସନ ନିଶାକୁ ଅଗ୍ରାହ୍ୟ କରି ମୋତେ ଗୋଟେ ନାଟକ କରିବାକୁ ପଡ଼ିଥିଲା ଅନ୍ୟମାନଙ୍କ ଆଗରେ ପତ୍ନୀଙ୍କ ଇଜ୍ଜତ ପାଇଁ । ମୋ’ର ଭେସେକ୍ଟୋମୀ ଅପେରସନ ନିଷ୍ଫଳ ହୋଇଛି କହି ଆଉ ଥରେ ଅସ୍ତେ୍ରାପଚାର ବାହାନା କରି ଏଲ.ଟି.ସି. ନେଇ ବୁଲିଗଲେ ଭେଲୋର।

ଭେଲୋରରେ ଥିବାବେଳେ ମୋ’ ସେଲକୁ ଗୋଟେ ଏସଏମଏସ. ଆସିଲା ପାକିସ୍ଥାନରୁ । ଏସଏମଏସଟିୁ ପଠେଇଥିଲେ ଭର୍ଗିଜ୍‍ର ବିଜିନେସ ପାର୍ଟନର । ମେସେଜଟି ଥିଲା; ଆଜି ପ୍ରତୁ୍ୟଷରେ ମିଷ୍ଟର୍‍ ଭର୍ଗିଜ ତାଙ୍କର ପତ୍ନୀ ଓ ଦୁଇ ସନ୍ତାନଙ୍କ ସହ ନିଜ କାରରେ ଯାଉଥିବା ବେଳେ ଫ୍ଲାଇ-ଓଭରରୁ ସିନ୍ଧୁନଦୀକୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି । ଏହା ଏକ ଆତ୍ମହତ୍ୟା ବୋଲି ଜଣାପଡ଼ୁଛି । ତାଙ୍କ ଡାଏରୀରେ ସିଏ ତମ ପାଇଁ ଏକ ମେସେଜ ଛାଡ଼ି ଯାଇଛନ୍ତି- ‘ମିଷ୍ଟର ଲଳିତ, ପ୍ଳିଜ ଫରଗିଭ ଆଣ୍ଡ ଫରଗେଟ ଦି’ ୟୁରୋପିୟାନ ରେପ୍ଟାଇଲ କଲ୍ଡ ଭର୍ଗିଜ ।’ ମୋତେ ଟିକେ ଅସହଜ ଲାଗିଥିଲା । ଗୋଟେ ଦୀର୍ଘଶ୍ୱାସ ନେଇ ସେଲଟିକୁ ପତ୍ନୀଙ୍କ ହାତକୁ ବଢ଼ାଇଲି । ମେସେଜଟି ପଢ଼ି ପତ୍ନୀ ମୋ’ ସେଲର ଫୋନ ବୁକରୁ ଭର୍ଗିଜର ନମ୍ବର କାଢ଼ି ଗୋଟେ ଏସଏମଏସ କଲେ- “ମିଃ ଭର୍ଗିଜ, ମେଁ ୟୋ’ର ସୋଲ ରେଷ୍ଟ ଇନ ପିସ ।”

ବିଚରା ଭର୍ଗିଜ! ଦିନେ ଯଉଁ ନଦୀକୂଳରେ ଯଉଁ ମହାଭାରତୀୟ ସଭ୍ୟତାର ଅୟମାରମ୍ଭ ହୋଇଥିଲା ସେହି ମହାଭାରତୀୟ ସଭ୍ୟତାରେ କଳଙ୍କ ବୋଳିଥିବାରୁ ସେଇ ନଦୀ ବକ୍ଷକୁ ଡେଇଁ ଆତ୍ମଗ୍ଳାନିରେ ଆତ୍ମହତ୍ୟା କରିଛି ଭର୍ଗିଜ ନାମକ ଗୋଟେ ୟୁରୋପୀୟ ସରିସୃପ । ହାୟ!

ପୁଣି ଭାବିଲି, ଏହା ଭର୍ଗିଜର ଏକ ନାଟକ ନୁହେଁ ତ? ମାନେ ଭର୍ଗିଜ ଜୀବିତ ଥାଇ ଏସବୁ ନାଟକ କରଉ ନାହିଁ ତ? ଅବଶ୍ୟ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏବେ ଉନ୍ନତି ହେଲାଣି । ଭର୍ଗିଜ ବିଷୟରେ ଅନୁସନ୍ଧାନ କରିବା ପାଇଁ ମୁଁ ହୁଏତ କେବେ ପାକିସ୍ଥାନ ଯିବିନାହିଁ । ମୋ ଭିତରେ ଭର୍ଗିଜର ପତ୍ନୀଙ୍କ ପାଇଁ ସଂଚିତ ଜୈବିକ କ୍ଷୁଧାକୁ କାଳେ ସିନ୍ଧୁନଦୀ କବର ଦେଇଦବ!

ମୋ ବାଲକୋନୀ ସେଦିନ ଆଇଁସିଣିଆ ପଚା ଗନ୍ଧରେ ପୋତିପଡ଼ୁଥିଲା । ଝର୍କା ଖୋଲି କାଉ ବସାଆଡେ଼ ଅନେଇଲି । ମା’ କାଉ ସମେତ ତିନୋଟି ଶିଶୁ ଶାବକ ମରି ପଡ଼ିଛନ୍ତି । ପାଖରେ ଏକ ଡାଳ ଉପରେ ବସିଛି ପୁରୁଷ କାଉ । ହଠାତ ମୋର ନିଦ ଭାଙ୍ଗିଗଲା । ମୁଁ କହିଲି; ତମେ କେଉଁଠ ଅଛ ପ୍ରିୟତମା? ଠିକ ତ ଅଛ ନା?

ବିଲ୍‍କୁଲ୍‍ ଡାର୍ଲିଂ- କହିଲେ ପତ୍ନୀ । ଫୁଙ୍ଗୁଳା ଦେହରେ ପତ୍ନୀ ଠିଆ ହୋଇଥିଲେ ଦର୍ପଣ ପାଖରେ । ଟେବୁଲ ଉପରେ ମୋ ବ୍ରିଫକେଶ ଖୋଲାଥିଲା । କାନ୍ଥସାରା ଭର୍ଗିଜର ତତ୍କାଳୀନ ଗାର୍ଲଫ୍ରେଣ୍ଡର ଅସଂଖ୍ୟ ଅଶାଳୀନ ଲାମିନେଟେଡ ଫଟୋଗ୍ରାଫ ଉପରେ ପ୍ରତିଫଳିତ ହେଉଥିଲା ପତ୍ନୀଙ୍କ ତନୁବଳ୍ଲରୀ । ମୁଁ ହାତ ବଢ଼ଉଥିଲି ପତ୍ନୀଙ୍କ ଆଡ଼କୁ । ସେପାଖ ରୁମରେ ସାନଝିଅ କାନ୍ଦିଲା । ପତ୍ନୀ ନାଇଟ ଗାଉନଟା ଦେହରେ ଗଳେଇ ଦେଇ ଚାଲିଗଲେ ଆରପାଖ ରୁମକୁ । ମୁଁ ରେଜେଇ ଘୋଡେ଼ଇ ହୋଇ ଶୋଇପଡ଼ିଲି ।

ସକାଳେ ଉଠି ମୋ ସେଲକୁ ପାକିସ୍ଥାନରୁ ଗତକାଲି ଆସିଥିବା ମେସେଜ୍‍ଟିକୁ ଆଉଥରେ ପଢ଼ିଲି । ଭାବିଲି ପୃଥିବୀରେ ଭର୍ଗିଜ ଏକା ନୁହେଁ କ୍ଷୁଧିତ ସରୀସୃପ ।

ମୋ’ ସେଲର ମେସେଜ ବକ୍ସକୁ ଯାଇ ଲେଖିଲି; ସରୀସୃପର କ୍ଷୁଧାର ଶେଷନାହିଁ । ମଣିଷ ସରୀସୃପ ହେଇ ଜନ୍ମେ, ସରୀସୃପ ହେଇ ବଂଚିରହେ ଓ ସରୀସୃପ ହେଇ ମରେ । ତମେ ମୋତେ କ୍ଷମା କର ଭର୍ଗିଜ ।

ଭର୍ଗିଜର ପ୍ରେମିକା-ପତ୍ନୀର ସେଇ ସବୁ ଅଶାଳୀନ ଫଟୋଗୁଡ଼ାକ କାନ୍ଥରୁ ଓହ୍ଲାଇ ବ୍ରିଫକେସରେ ଭରୁଭରୁ ଭର୍ଗିଜର ନମ୍ବରରେ ଏସଏମଏସ କରିଦେଲି ଲେଖାଟିକୁ ସିଲେକ୍ଟ କରି ।

Comments are closed.