Latest Odisha News

BREAKING NEWS

ଶକ୍ତି ସାଉଣ୍ଟୁଛି କଂଗ୍ରେସ, ବିଜୟଙ୍କ ପରେ ହାତ ଧରିଲେ ସିକ୍ତା

ଭୁବନେଶ୍ୱର: କଂଗ୍ରେସ ପାଇଁ ସୃଷ୍ଟି ହେଉଛି ସମ୍ଭାବନା । ବିଜୟ ପଟ୍ଟନାୟକଙ୍କ ପରେ ଏବେ ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ଡକ୍ଟର ସିକ୍ତା ପତିଙ୍କ ଯୋଗଦାନ। ରାଜନୈତିକ ଚର୍ଚ୍ଚା ଦୃଷ୍ଟିକୋଣରୁ ଏହା ବିଶେଷ ଗୁରୁତ୍ୱ ରଖୁଛି। ରାଜ୍ୟର ରାଜନୈତିକ ସ୍ଥିତିକୁ ଦେଖିଲେ ଓଡ଼ିଶାରେ ବର୍ତ୍ତମାନ ବିଜେଡି ବିଜେପି ସମସ୍ତ କ୍ଷେତ୍ରରେ ମୁହାଁମୁହିଁ ହେଉଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେପି ମୁଖ୍ୟ ବିରୋଧି ଦଳ ହେବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ଲଢେଇ ବିଜେଡି ବିଜେପି ମଧ୍ୟରେ ହେଉଛି।

ବିଭିନ୍ନ ଉପନିର୍ବାଚନ ହେଉ କିମ୍ବା ପଂଚାୟତ ପୌର ନିର୍ବାଚନ ସବୁଠି କଂଗ୍ରେସ ସେତେ ଅଧିକ ପ୍ରଭାବୀ ପ୍ରଦର୍ଶନ କରିପାରି ନାହିଁ। ଏପରିକି ରାଜ୍ୟର ବିଭିନ୍ନ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ବିଜେଡି ବିଜେପି ପରସ୍ପର ବିରୋଧରେ ରାସ୍ତାକୁ ଓଲ୍ହାଉଥିବା ବେଳେ କଂଗ୍ରେସ ମୌନ ରହିବା ଯୋଗୁ ଲଢେଇରେ ରହିପାରୁନି। ଏପରିକି ସମୟକ୍ରମେ ବହୁ ନେତା ମଧ୍ୟ ଦଳ ଛାଡୁଛନ୍ତି। ଯାହାକି ଦଳ ବିରୋଧରେ ଏକ ଖରାପ ବାର୍ତ୍ତା ଦେଉଛି।

ଏବେ କିନ୍ତୁ ସାଧାରଣ ନିର୍ବାଚନ ଆସନ୍ନ ଥିବାବେଳେ କଂଗ୍ରେସକୁ ପ୍ରଭାବୀ ବ୍ୟକ୍ତିଙ୍କ ଆଗମନ ଭିନ୍ନ କିଛି ବାର୍ତ୍ତା ଦେଉଛି। ପ୍ରଥମେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଦଳରେ ଯୋଗଦାନ ଏବଂ ପରେ ପରେ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ସିକ୍ତା ଯୋଗଦାନ କିଛି ସମ୍ଭାବନାକୁ ଦର୍ଶାଉଛି। ରାଜ୍ୟ ରାଜନୀତି, ପ୍ରଶାସନକୁ ଦୀର୍ଘ ଦିନ ଧରି ଚଳାଉଥିବା ପ୍ୟାରୀ ବାବୁଙ୍କ ଝିଅ କଂଗ୍ରେସରେ ମିଶିବା ଦଳ ସପକ୍ଷରେ ଏକ ବାତାବରଣ ତିଆରି କରିବ ବୋଲି କୁହାଯାଉଛି।

ତାଙ୍କ ବାପା ପ୍ୟାରୀମୋହନ ମହାପାତ୍ରଙ୍କ ମୃତ୍ୟୁ ପରେ ଓଡ଼ିଶା ଜନମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ନେଇଥିଲେ ସିକ୍ତା । ତା ପରେ ୨୦୧୯ ମସିହାରେ ବିଜେଡିରେ ସିକ୍ତା ସାମିଲ୍ ହୋଇଥିଲେ । ବିଜେଡିରେ ମିଶିବା ସତ୍ତ୍ୱେ ସିକ୍ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନଥିଲା । ଏଭଳିକି ଦଳ ସେଭଳି କିଛି ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଦେଇ ନଥିଲା ।

ରାଜ୍ୟ ରାଜନୀତିକୁ ଯେଉଁମାନେ ଅତି ନିକଟରୁ ଜାଣନ୍ତି ସେମାନେ କଂଗ୍ରେସରେ ଯୋଗ ଦେବା ଦ୍ୱାରା ବିରୋଧୀ ମଧ୍ୟ କଂଗ୍ରେସର ଗୁରୁତ୍ୱ ଦେବାକୁ ବାଧ୍ୟ ହେବେ ବୋଲି ଚର୍ଚ୍ଚା ହେଉଛି। ସେପଟେ ବିଜୟ ପଟ୍ଟନାୟକଙ୍କ ପ୍ରଶାସନିକ ଅଭିଜ୍ଞତା ଓ ରାଜନୈତିକ ଗୋଟି ଚାଳନା କଂଗ୍ରେସକୁ ବେଶ ଲାଭଦାୟୀ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Comments are closed.