Latest Odisha News

BREAKING NEWS

ଭାଷା ଭାଗବତ : ଥରେ ଭାବଂତୁ ତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ହୋଇ କେବଳ ତତ୍ତ୍ବଦର୍ଶୀ
ବ୍ୟକ୍ତି ପାଇଲେ ସୁଦ୍ଧା ଖୁସି
ପାଲଟେ ବଚନ ବିଳାସୀ
ହୁଏନି କେବେ ବି ପ୍ରୟାସୀ

ଏପରି ଅଗଣିତ ବ୍ୟକ୍ତି
ଏହି ବିଶ୍ବରେ ରହିଥାଂତି
କେବଳ କଥା କହି କହି
ଜୀବିକା ନିଅଂତି ଚଳାଇ

ତତ୍ତ୍ବକୁ ନ କଲେ ପ୍ରୟୋଗ
ହୋଇପାରେନି କର୍ମଯୋଗ
ତତ୍ତ୍ବ ସଂଗ୍ରହ ହୋଇ ବହି
ଗ୍ରଂଥାଗାରରେ ଥାଏ ରହି

ଏପରି ବହୁ ଗ୍ରଂଥାଗାର
ତତ୍ତ୍ବ ଜ୍ଞାନର କାରାଗାର
ରୂପରେ ଥିଲେ ସୁଦ୍ଧା ତିଷ୍ଠି
ହୁଏନି କିଛି ନୂଆ ସୃଷ୍ଟି

ମୁଖ୍ୟତଃ କହି ‘ଏହା ଥିଲା’
ଏବେ ବି ବୁଢ଼ା ଆଉ ପିଲା
ହୁଅଂତି ଖୁବ୍‌ ଉଲ୍ଲସିତ
କେହି ନ ନିଅଂତି ଦାୟିତ୍ୱ

ଏତେ ଅଧିକ ଅବହେଳା
ହେଲେ ହେଁ ଭାଷା କାମଚଳା
ହୋଇ ରହିଛି ଏଠି ଜିଇଁ
ଜ୍ଞାନ ବାହକ ହୋଇନାହିଁ

ଭାଷୀଏ ହୋଇଲେ ନିସ୍ପୃହ
କ୍ରମଶଃ ସ୍ଥିତି ଭୟାବହ
ହେବାର ଅଛି ସଂଭାବନା
କରିହେଉନି ଏହା ମନା

ସ୍ବଭାଷୀ ଲୋକେ ସବୁ ଜାଣି
ଶୁଣାଂତି ଅତୀତ କାହାଣୀ
ଅଥଚ ଭବିଷ୍ଯତ ବାଣୀ
କରଂତିନାହିଁ ଜ୍ଞାନୀ, ଗୁଣୀ

ସ୍ବଭାଷା ହେଲେ ଅନାଦୃତ
ହେବନି ସ୍ବଭାଷୀଂକ ହିତ
ରହିଲେ ଅତୀତ ସହିତ
କି ହେବ ଥରେ ଭାବଂତୁ ତ !

Comments are closed.