ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିବାସ ସ୍ଥଳୀ ଶ୍ରୀମନ୍ଦିରର ସୁରକ୍ଷା ଓ ବିଭିନ୍ନ ସଂରକ୍ଷଣ ବ୍ୟବସ୍ଥା ତଥା ମରାମତି ବିଷୟରେ ଆଲୋଚନା କରିବା ସମୟରେ ଉନବିଂଶ ଶତାବ୍ଦୀରେ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ହୋଇଥିବା ବିଶେଷ କାର୍ଯ୍ୟକ୍ରମ କଥା ଜାଣିଲେ। କିନ୍ତୁ ଏହା ପୂର୍ବରୁ ମଧ୍ୟ ଶ୍ରୀମନ୍ଦିରରେ ଅନେକ ଅଘଟଣ ଘଟିଛି ଓ ପ୍ରଭୁଙ୍କର ପ୍ରଥମ ସେବକ ହିସାବରେ ରାଜା, ମହାରାଜା ଓ ଗଜପତିମାନେ, ଅବା ତାଙ୍କର କେହି ଆତ୍ମୀୟ ମାନେ ବିଭିନ୍ନ ମରାମତି ଓ ସଂସ୍କାର ମୁଲକ ପଦକ୍ଷେପ ନେଇଛନ୍ତି । ମାଦଳାପାଞ୍ଜିରେ ଉଲ୍ଲେଖ ଥିବା କିଛି ଘଟଣା ଏହାର ମୁକସାକ୍ଷୀ ହୋଇ ରହିଛି। କୁହାଯାଏ ୧୬ .୧୦ .୧୬୯୪ ଦିନ ପ୍ରବଳ ଝଡ଼ତୋଫାନ ହେବାରୁ ବଡ଼ଦେଉଳ ଉପରୁ ନୀଳଚକ୍ର ଭାଙ୍ଗି ଆସି ଭଣ୍ଡ ଗଣେଷଙ୍କ ସାମ୍ନାରେ ପଡିଥିଲା। ଅନ୍ୟ କିଛି ପାର୍ଶ୍ଵ ମନ୍ଦିର ଉପରୁ ମଧ୍ୟ ପଥରଚକ ମାନ ଖସି ପଡିଲା, ଅନେକ ବର୍ଷ ପରେ ରାଜା ଦିବ୍ୟସିଂହ ଦେବ (ପ୍ରଥମ)ଙ୍କ ରାଜତ୍ୱ ସମୟରେ ଅଷ୍ଟଧାତୁରେ ନିର୍ମିତ୍ତ ବର୍ତ୍ତମାନ ଦୃଶ୍ୟମାନ ନୀଳଚକ୍ର ତାରିଖ ୨୬ .୧ .୧୭୧୫ ଦିନ ପୁନଃ ସ୍ଥାପନା କରାଗଲା। ସେହିଭଳି ଏକ ଅଘଟଣ ୧୮୭୫ ମସିହା ଜୁଲାଇ ମାସ ବା ଆଷାଢ଼ ମାସରେ ଶ୍ରୀଜୀଉମାନଙ୍କ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କାଳରେ ଘଟିଲା, ତିନୋଟି ବିରାଟ ପଥର ଶ୍ରୀମନ୍ଦିର ଗର୍ଭଗୃହ ମଧ୍ୟରୁ ଖସି ପଡିଲା, ଗର୍ଭଗୃହ ଶୂନ୍ୟ ଥିବାରୁ କେହି ଆହତ ବା ମୃତାହତ ହେଲେନି ରାଜା ଦିବ୍ୟସିଂହ ଦେବ (୩ୟ )ଙ୍କ ରାଜ୍ୱତ କାଳ (୧୮୫୯ -୧୮୮୮) ରେ ଏହାର ଯଥା ସମ୍ଭବ ମରାମତି ହୋଇ ଥିଲା। ଏହି ଦୁଇଟି ବିଶେଷ ଘଟଣା ପୂର୍ବରୁ ଖ୍ରୀଷ୍ଟାବ୍ଦ ୧୭୫୨ ପରେ ମରହଟ୍ଟାମାନେ ଓଡ଼ିଶା ତଥା ଶ୍ରୀମନ୍ଦିର ଶାସନ ଭାର ନେଇ। ଅନେକ କିଛି ସୁନ୍ଦର ପଦକ୍ଷେପ ଦ୍ୱାରା ଶ୍ରୀମନ୍ଦିର ର ସୁରକ୍ଷା ଓ ରକ୍ଷଣା ବେକ୍ଷଣ କରିଥିଲେ। ବାବା ବ୍ରହ୍ମଚାରୀ ନାମକ ଜଣେ ମରାଠୀ ସନ୍ୟାସୀଙ୍କ ଉଦ୍ୟମରେ ସିଂହଦ୍ୱାର ଗୁମୁଟ ଓ ମନ୍ଦିରର କେତେକ ସ୍ଥାନରେ ମରାମତି ତଥା ପୁନଃ ନିର୍ମାଣ ହୋଇଥିଲା ରାଜା ବୀରକେଶରୀ ଦେବ (ପ୍ରଥମ)ଙ୍କ ଠାକୁର ମା ରତ୍ନବେଦୀର ପୁନଃ ନିର୍ମାଣ କରିଥିଲେ। ତାଙ୍କ ଦ୍ୱାରା ମଧ୍ୟ୍ୟ ଭୋଗ ମଣ୍ଡପର ଜୀର୍ଣ୍ଣ ଉଦ୍ଧାର କାର୍ଯ୍ୟ ସହ ପଥର ଚଟାଣ ନିର୍ମିତ୍ତ ହୋଇଥିଲା ।ଆମେମାନେ ଶୈଶବରୁ ଶୁଣି ଆସିଛୁ ଶ୍ରୀମନ୍ଦିରରୁ ପଥର ଖସିବା କଥା, କିନ୍ତୁ ତାରିଖ ୧୪ .୬ .୧୯୯୦ ରେ ବଡ଼ଦେଉଳ ଶିଖରରେ ଥିବା ଅଁଳା ବେଢାର ପଶ୍ଚିମପଟୁ ଏକ ବିରାଟ ପଥର ପ୍ରାୟ ଛଅ ଟନ ଓଜନର ଖସି ପଡିବା ପରେ ସମସ୍ତେ ଭୟଭୀତ ହୋଇଥିଲେ। କିନ୍ତୁ ପ୍ରତ୍ନତତ୍ତ୍ୱ ବିଭାଗର ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ଏହାକୁ ୧୯୯୧ ମସିହାରେ ମରାମତି କରାଯାଇଥିଲା। ସେହିପରି ୨୯ .୧୧ .୧୯୯୨ ତାରିଖରେ ଶ୍ରୀଜୀଉମାନଙ୍କୁ ଅସ୍ଥାୟୀ ଶାଳ କାଠରେ ନିର୍ମିତ୍ତ ସିଂହାସନରେ ବିଜେ କରାଯାଇ ଶ୍ରୀମନ୍ଦିର ଗର୍ଭଗୃହର ଅଭ୍ୟନ୍ତରକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଗଲା ସ୍ୱତନ୍ତ୍ର ଭାବରେ ଇସ୍ପାତ ରଡ଼ ଦେଇ ଓ ସ୍ୱତନ୍ତ୍ର ତରଳ ଯାନ୍ତୁଣୀ ମସଲା ଦ୍ୱାରା ଢ଼ଳେଇ କରାଯାଇ ଦୃଢ଼ କରାଗଲା । ଗର୍ଭ ଗୃହର ତିନିଟି ମହଲା ମଧ୍ୟରୁ ପ୍ରଥମ ଓ ଦ୍ବିତୀୟ ମହଲାରେ ଏହି ଢ଼ଳେଇ ସମ୍ଭବ ହୋଇଥିଲା। ପ୍ରାୟ ଏକଶହ ପଚାଶ ଖଣ୍ଡ ନୂତନ ପଥର ବିଭିନ୍ନ ସ୍ଥାନରେ ପୁନଃ ଖଞ୍ଜା ଯିବାପରେ ତାରିଖ ୨ .୭ .୧୯୯୩ ରେ ଶ୍ରୀଜୀଉ ମାନେ ପୁନଃ ରତ୍ନ ସିଂହାସନକୁ ବିଜେ କରିଥିଲେ। ଆଗାମୀ ଅଧ୍ୟାୟମାନଙ୍କରେ ପ୍ରଭୁଙ୍କର ଏହି ଅଦ୍ଭୁତ ଲୀଳା କଥା ଜାଣିବା, ଇଚ୍ଛାମୟଙ୍କ ଇଚ୍ଛାରେ ଯେ ସବୁ ହେଉଛି ଓ ସବୁ କାର୍ଯ୍ୟ ସମ୍ପାଦିତ ହେବ , ଏହି ଆଶା ରଖିବା ସହ କରିବା ଆରାଧନା ଓ ଭାଗବତ ଓ ପଠନ ସବୁଦିନ ପରି ।
ଯୁଗ ବେଭାର ପରିମାଣି
ସକଳ ଧର୍ମ ଆମ୍ଭେ ଜାଣି ।
ଏ ପ୍ରଶ୍ନ ଶୁଭ ଆମ୍ଭ ମତେ
ସାର ଉଦ୍ଧରି ତୁମ୍ଭ ଚିତ୍ତେ ।
କହ କେମନ୍ତେ ପ୍ରାଣୀଙ୍କର
ଏ ଘୋର ମାୟା ରୁ ନିସ୍ତାର ।
ଯେଣେ ପ୍ରସନ୍ନ ହୋଇକରି
ଏ ଜୀବ ଆତ୍ମାକୁ ଉଦ୍ଧରି ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.