Latest Odisha News

BREAKING NEWS

ଭାଷା ଭାଗବତ : ଅତୀତ ଅନୁସାରୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭା

ସଂସ୍କୃତ ହେବାରୁ ଦୁର୍ବୋଧ୍ୟ
ଲେଖକେ କଲେ ଅନୁବାଦ
ଅନେକ ସ୍ଥାନୀୟ ଭାଷାରେ
ବ୍ୟାପିଲା ସମଗ୍ର ଦେଶରେ

ଲୌକିକ ଭାଷାକୁ ଆଶ୍ରୟି
ଗ୍ରଂଥ, ପୁରାଣ କାଳଜୟୀ
ହୋଇଲେ, ପାଇଲେ ସ୍ବୀକୃତି
ଏପରି ହେଲା ଜ୍ଞାନୋନ୍ନତି

ଏବେ ପୁଣି ପଛକୁ ଫେରି
ହେଲେ ଅତୀତ ଅନୁସାରୀ
ପଡ଼ିବ ବହୁ ବାଧା, ବିଘ୍ନ
ଦୁର୍ଲଭ ହେବ ନୂଆ ଜ୍ଞାନ

ଏହି ଚଢ଼ାଉତୁରା ଖେଳ
ଭାଷାକୁ କରିଲେ ଦୁର୍ବଳ
କିଏ ପାଇବ ଫଳ ତା’ର
ସଭିଏଁ କରିବା ବିଚାର

ଯେଉଁ ଭାଷା ଆସିଛି ବ୍ୟାପି
ତାହାକୁ ଦେଲେ ଏବେ ଚାପି
ସୀମା ବଂଧନ ସବୁ ଟପି
ଭାଷା କି ତିଷ୍ଠିବ ତଥାପି ?

ଭାଷାଟେ ହେଲେ ଗୋଠବଂଧା
ତା ଗତିପଥ ହୁଏ ରୁଂଧା
ଏପରି ହେଲେ ସୁନିଶ୍ଚିତ
ବିକାଶ ବର୍ଧନ ବ୍ୟାହତ

ଭାଷା ହୋଇଲେ ସର୍ବଗ୍ରାହୀ
ଲୋକଂକ ସମର୍ଥନ ପାଇ
ହୁଅଇ ଆପେ ଭାବବାହୀ
ମନରେ ସଂଦେହ କିପାଇଁ ?

ହେଲେ ଅଧିକ ବ୍ୟବହୃତ
ଭାଷାଟେ ହୁଏନି ବିକୃତ
ପରସ୍ପରକୁ ଶୁଣି ଦେଖି
ଲୋକେ ପାରଂତି ପଢ଼ି ଲେଖି

ଅଯଥା ଶବ୍ଦ ଆଡ଼ଂବର
ଏବେ ତ ନୁହେ ହିତକର
ବହୁତ ଲୋକ ରାଜି ହେଲେ
ଭାଷାଟେ ଦୀର୍ଘକାଳ ଚଳେ

ଚଳିତ କାଳ ସହ ଯୋଡ଼ି
ହେଲେ ହିଁ ଭାଷା ପାରେ ବଢ଼ି
ଏହା ତ ଜଣାଶୁଣା କଥା
ଏବେ ତ ହେବନି ଅନ୍ୟଥା

Comments are closed.