Latest Odisha News

BREAKING NEWS

ସାବଧାନ : ଜଙ୍ଗଲ ନିଆଁ ଏକ ଘାତକ ଚକ୍ର

ବିଶ୍ୱ ବନ୍ୟ ସପ୍ତାହ ଉପଲକ୍ଷେ ବିଭୂତି ପତିଙ୍କ ଆଲେଖ୍ୟ 

ଚଳିତ ବର୍ଷ ଅନ୍ୟ ବର୍ଷମାନଙ୍କ ତୁଳନାରେ ଯଥେଷ୍ଟ ପୂର୍ବରୁ ଗ୍ରୀଷ୍ମ ଋତୁ ଆସିଯାଇଛି, ଏବଂ ତା ସହିତ ଜଙ୍ଗଲ ନିଆଁ ମଧ୍ୟ ଆରମ୍ଭ ହୋଇଯାଇଛି । ନାସାର ଫାୟାର ଇନଫରମେସନ୍ ପର ରିସୋର୍ସ ମ୍ୟାନେଜମେଣ୍ଟ (ସମ୍ବଳ ପରିଚାଳନା ପାଇଁ ଅଗ୍ନିକାଣ୍ଡ ସମ୍ପର୍କିତ ସୂଚନା) ୱେବସାଇଟ୍ ଅନୁଯାୟୀ ୨୦୨୩ ମସିହାର ଫେବୃଆରୀ ୧୩ତାରିଖରୁ ୨୦ ତାରିଖ ମଧ୍ୟରେ ଭାରତର ବିଭିନ୍ନ ଅଞ୍ଚଳରେ ୧,୧୫୬ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଥିବାର ଜଣାଯାଇଛି । ଚଳିତବର୍ଷ ଜଙ୍ଗଲ ନିଆଁ ଲାଗିବାର ଋତୁ ଶୀଘ୍ର ଆରମ୍ଭ ହୋଇଛି ଯାହାକି ଭାରତର ବିଭିନ୍ନ ସ୍ଥାନରେ ଦିନବେଳର ଉତ୍ତାପ ସାଧାରଣ ବର୍ଷଗୁଡିକ ତୁଳନାରେ ହଠାତ୍ ବୃଦ୍ଧି ପାଇ ୫-୯ଡିଗ୍ରୀ ସେଲସିୟସ ଅଧିକ ରହିବା ସହ ସମକାଳୀନ । ଅନିୟବିତ ଜଙ୍ଗଲ ନିଆଁ ଯୋଗୁଁ ସମଗ୍ର ଦେଶରେ ବାୟୁରମାନକୁ ଖରାପ କରିଦେଇଛି । ଏହା ମଧ୍ୟ ଦେଶରେ ପ୍ରଥମ ଜୀବନ ହାନୀର କାରଣ ପାଲଟିଛି । ଗତ ଫେବୃଆରୀ ୧୮ତାରିଖରେ କର୍ଣ୍ଣାଟକର ହସନ ଜିଲ୍ଲାରେ ଲାଗିଥିବା ଜଙ୍ଗଲ ନିଆଁ ଲିଭାଇବାବେଳେ ଅନିବୀଡୁ ପୋଡି ହୋଇଯାଇଥିଲେ ଏବଂ ଏଥିପାଇଁ ମୃତ୍ୟୁବରଣ କରିଥିଲେ । ବିଗତ ଦଶନ୍ଧିଗୁଡିକରେ ଜଙ୍ଗଲ ନିଆଁ ଯୋଗୁଁ ଭାରତର ବ୍ୟାପକ ଅଞ୍ଚଳ ଧ୍ୱଂସ ହୋଇଯାଇଛି ଯାହାକି ଜଙ୍ଗଲ ପରିସଂସ୍ଥାନକୁ ଘୋର କ୍ଷତି ପହଞ୍ଚାଇବା ସଙ୍ଗେ ଜୈବ ବିବିଧତା ନଷ୍ଟ ଏବଂ ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକମାନଙ୍କ ଜୀବିକାକୁ ପ୍ରଭାବିତ କରିଛି ।

ଜଙ୍ଗଲ ନିଆଁ ଯୋଗୁଁ ଜୈବସମ୍ବଳରେ ଆବଦ୍ଧ ହୋଇ ରହିଥିବା ଅଙ୍ଗାରକ ଏଥିରୁ ମୁକ୍ତ ହୋଇଯାଇଥାଏ । ତେଣୁ ଜଙ୍ଗଲଗୁଡିକ ଅଙ୍ଗାରକକୁ ସଞ୍ଜିତ କରି ରଖିବାର ଉତ୍ସ ବଦଳରେ ଅଙ୍ଗାରକ ଉତ୍ସଜନର ଉତ୍ସ ପାଲଟି ଯାଇଥାଆନ୍ତି । ଏହା ଭାରତର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ଲକ୍ଷ୍ୟଗୁଡିକୁ ହାସଲ କରିବା ତଥା ଜୈବବିବିଧତା ବୃଦ୍ଧି କରିବାର ଅଙ୍ଗୀକାର ପ୍ରତି ବିପଦ ପାଲଟିଛି ।

ଭାରତ ଶପଥ ଗ୍ରହଣ କରିଛି ଯେ, ୨୦୩୦ସୁଦ୍ଧା ୨.୫ରୁ ୩ଶହ କୋଟି ଟନ ଅଙ୍ଗାରକ ଶୋଷଣ କରିବା ସକାଶେ ଯଥେଷ୍ଟ ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦ ସୃଷ୍ଟି କରିବ । ଭାରତ ଏହି ଘୋଷଣା ମଧ୍ୟ କରିଛି, ୨୦୩୦ସୁଦ୍ଧା
୨.୬କୋଟି ହେକ୍ଟର ଉଜୁଡ଼ା ଜଙ୍ଗଲର ପୁନର୍ବାହାଲ କରିବ । ଜଙ୍ଗଲ ନିଆଁର ପରିଚାଳନାରେ ବ୍ୟାପକ ଉନ୍ନତି ନ ଘଟିଲେ ଭାରତ ଏହି ଲକ୍ଷ୍ୟ ହାସଲ କରିପାରିବ ନାହିଁ । ଭାରତୀୟ ଜଙ୍ଗଲ ସର୍ବେକ୍ଷଣ (ଏଫ.ଏସ.ଆଇ.)ର ୨୦୨୧ମସିହାରେ ଜଙ୍ଗଲର ସ୍ଥିତି ରିପୋର୍ଟ ଅନୁଯାୟୀ ୨୦୧୩ରୁ ୨୦୨୧ମସିହା ମଧ୍ୟରେ ଭାରତରେ ଜଙ୍ଗଲ ଆଚ୍ଛାଦନ ୦.୪୮% ବୃଦ୍ଧି ପାଇଥିବାବେଳେ ସେହି ଅବଧି ମଧ୍ୟରେ ଜଙ୍ଗଲ ନିଆଁ ଘଟଣା ୧୮୬%କୁ ବୃଦ୍ଧି ପାଇଛି । ଏଫ.ଏସ.ଆଇ.ପକ୍ଷରୁ ୨୦୧୯ରେ କରାଯାଇଥିବା ଏକ ବିଶ୍ଳେଷଣ ଅନୁଯାୟୀ ଭାରତର ଜଙ୍ଗଲଗୁଡିକ ମଧ୍ୟରୁ ପ୍ରାୟ ୩୬% ପ୍ରତି ଜଙ୍ଗଲ ନିଆଁର ବିପତ୍ତି ରହିଥିବାବେଳେ ଏହାର ପ୍ରାୟ ଏକ ତୃତୀୟାଂଶ ଜଙ୍ଗଲ ଅତ୍ୟନ୍ତ ବିପଦ ପ୍ରବଣ । ବିଗତ ବର୍ଷମାନଙ୍କରେ ସମଗ୍ର ଦେଶରେ ଜଙ୍ଗଲ ନିଆଁର ଘଟଣାମାନ ବୃଦ୍ଧି ପାଇଥିବାବେଳେ ପରିବେଶ, ଜଙ୍ଗଲ ଏବଂ ଜଙ୍ଗଲ ମବଣାଳୟ ପକ୍ଷରୁ ନିଆଁର ମୁକାବିଲା ପାଇଁ ପ୍ରଦାନ କରାଯାଇଥିବା ସହାୟତା ରାଶି ୨୦୧୬ରୁ ୨୦୨୧ ମଧ୍ୟରେ ପ୍ରାୟ ୨୬% ହ୍ରାସ ପାଇଛି । ଲୋକସଭାରେ ବିଭିନ୍ନ ପ୍ରଶ୍ନର ଉତ୍ତରରେ ପ୍ରଦାନ କରାଯାଇଥିବା ତଥ୍ୟର ବିଶ୍ଳେଷଣରୁ ଏକଥା ଜଣାପଡିଛି । ଅଳ୍ପ କେଇକାଳ ପୂର୍ବ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଜଙ୍ଗଲ ନିଆଁ ପାଇଁ ଜଳବାୟୁ ପରିବର୍ତ୍ତନକୁ ପ୍ରତ୍ୟକ୍ଷ ରୂପେ ଦାୟୀ କରିବାକୁ କୁ୍‌ଣ୍ଠା ପ୍ରକାଶ କରୁଥିଲେ । ତେବେ, ଗତବର୍ଷ ମିଳିତ ଜାତିସଂଘ ଜଳବାୟୁ କାର୍ଯ୍ୟକ୍ରମ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟ ସ୍ପେଡିଙ୍ଗ୍ ଲାଇକ୍ ୱାଇଲ୍ଡ ଫାୟାର: ଦି ରାଇଜିଙ୍ଗ୍ ଥ୍ରେଟ୍ ଅଫ୍ଏ କଷ୍ଟ୍ରାଅର୍ଡିନାରୀ ଲ୍ୟାଣ୍ଡସ୍କେପ ଫାୟାର୍ସ (ବନାଗ୍ନି ପରି ବ୍ୟାପିବା: ଅସାଧାରଣ ଭୂଭାଗ ଅଗ୍ନିକାଣ୍ଡର କ୍ରମବର୍ଦ୍ଧିଷ୍ଣୁ ବିପଦ)ରେ ସତର୍କ କରି ଦିଆଯାଇଛି ଯେ, ଜଳବାୟୁ ପରିବର୍ତ୍ତନ ଏବଂ ଭୂବ୍ୟବହାରରେ ପରିବର୍ତ୍ତନ ଜଙ୍ଗଲ ନିଆଁକୁ ଆହୁରି କ୍ଷତିକାରକ କରିଦେଉଛନ୍ତି ।

ଏହି ରିପୋର୍ଟ ଏପରି ପୂର୍ବାନୁମାନ ମଧ୍ୟ କରିଛି ଯେ, ପୂର୍ବରୁ ଜଙ୍ଗଲ ନିଆଁ ଲାଗୁନଥିବା ଅଞ୍ଚଳରେ ମଧ୍ୟ ଚରମ ଅଗ୍ନିକାଣ୍ଡ ଘଟଣାମାନ ବୈଶ୍ୱିକ ସ୍ତରରେ ବୃଦ୍ଧି ପାଇପାରେ । ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ଆନ୍ତଃସରକାରୀ ବିଶେଷଜ୍ଞ ମଣ୍ଡଳୀର ୨୦୦୭ମସିହାର ରିପୋର୍ଟର ପୂର୍ବ ୨୦ବର୍ଷର ତଥ୍ୟରୁ ଜଣାପଡିଛି, ଏସିଆରେ ଜଙ୍ଗଲ ନିଆଁର ତୀବ୍ରତା ଓ ବ୍ୟାପକତା ବୃଦ୍ଧି ପାଇବା ତଥା ଉତ୍ତାପ ବୃଦ୍ଧି ଏବଂ ବୃଷ୍ଟିପାତ ହ୍ରାସ ସହିତ ଜଡ଼ିତ । ଏ ସଙ୍ଗେ ସଙ୍ଗେ ଭୂବ୍ୟବହାର ପରିବର୍ତ୍ତନର ତୀବ୍ରତା ମଧ୍ୟ ଏହା ସହିତ ଜଡ଼ିତ ।

ସରଳ ଭାବରେ କହିବାକୁ ଗଲେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଉତ୍ତାପ ବୃଦ୍ଧି ପାଉଛି, ଅଧିକ ମାତ୍ରାରେ ମରୁଡି ପଡୁଛି ଏବଂ ମରୁଡି ଦ୍ୱାରା ପ୍ରଭାବିତ ହୋଇ ଉଦ୍ଭିଦମାନେ ପତ୍ରଝଡ଼ା ଦେଉଛନ୍ତି ଯାହାକି ଜଙ୍ଗଲ ନିଆଁକୁ ଇନ୍ଧନ ଯୋଗାଉଛି । ଏହା ସଙ୍ଗେ ସଙ୍ଗେ ବାୟୁ ଅଧିକ ଶୁଷ୍କ ଏବଂ ଉତ୍ତପ୍ତ ହେବା ଫଳରେ ନିଆଁ ବ୍ୟାପିବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହେଉଛି । ଏଠାରେ ଏକଥା ଉଲ୍ଲେଖ କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାରତର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ.ଡି.ଏମ.ଏ.) ଜଙ୍ଗଲ ନିଆଁକୁ ଏକ ପ୍ରାକୃତିକ ବିପତ୍ତି ରୂପେ ବିବେଚନା କରେ ନାହିଁ କାରଣ ଭାରତରେ ସଂଘଠିତ ହେଉଥିବା ଅଧିକାଂଶ ଜଙ୍ଗଲ ନିଆଁ ଲୋକମାନଙ୍କ ଦ୍ୱାରା ଉଦ୍ଦେଶ୍ୟମୂଳକ ଭାବେ ସୃଷ୍ଟି କରାଯାଇଥାଏ । ମୁଖ୍ୟତଃ କୃଷି ପାଇଁ ଅସାବଧାନତାବଶତଃ ଅଥବା ଉଦ୍ଦେଶ୍ୟମୂଳକ ଭାବେ ଲୋକେ ଏହି ନିଆଁ ଲଗାଇ ଦେଇଥାଆନ୍ତି । ଏନ.ଡି.ଏମ.ଏ.ର ନିର୍ଯ୍ୟାସ ହୁଏତ୍ ଠିକ୍ ହୋଇପାରେ, କିନ୍ତୁ ଆଜିର ଦିନରେ ମିଳୁଥିବା ସମସ୍ତ ପ୍ରମାଣ ଏହି ବାସ୍ତବତା ଆଡଙ୍କୁ ଇଙ୍ଗିତ କରୁଛି, ବୈଶ୍ୱିକ ତାପନ ଜଙ୍ଗଲ ନିଆଁ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ସେ କଥାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ଏହି ଜଙ୍ଗଲ ନିଆଁ ଉତ୍ତାପକୁ ଆହୁରି ବଢାଇ ଦେଉଛି । ଏହା ହେଉଛି ଏକ ଘାତକ ଚକ୍ର ।

୨୦୨୩ ମସିହାରେ ପରିସ୍ଥିତି ଆହୁରି ଖରାପ ହେବାକୁ ଯାଉଛି । କାରଣ ବିଗତ ଦୁଇବର୍ଷ ଯାକ ପ୍ରବାହିତ ହେଉଥିବା ‘ଲା ନୀନା’ର ସ୍ଥିତି ଦୁର୍ବଳ ହୋଇ ଚାଲିଛି । ସମ୍ଭବତଃ ଚଳିତ ବର୍ଷର ଶେଷ ଭାଗ ବେଳକୁ ଉଷ୍ମ ‘ଏଲ୍‌ ନୀନୋ’ର ପ୍ରବାହ ପାଇଁ ଏହା ପଥ ପ୍ରସ୍ତୁତ କରୁଛି । ଜାତୀୟ ମହାସାଗରୀୟ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ ଦ୍ୱାରା କରାଯାଇଥିବା ମଡ଼େଲରୁ ଏକଥା ଜଣାପଡିଛି । ଏଲ୍ ନୀନୋ ସମୟରେ ମହାସାଗର ବାୟୁମଣ୍ଡଳକୁ କିଛି ଅତିରିକ୍ତ ଉତ୍ତାପ ଏବଂ ଆର୍ଦ୍ରତା ଯୋଗାଇଥାଏ । ବୈଶ୍ୱିକ ତାପନ ଧାରା ବ୍ୟତିରକେ ଏକ ଦୃଢ଼ ଏଲ୍ ନୀନୋ ବିଶ୍ୱର ହାରାହାରି ତାପମାତ୍ରାକୁ ୦.୨ଡିଗ୍ରୀ ସେଣ୍ଟିଗ୍ରେଡ ପର୍ଯ୍ୟନ୍ତ ବଢାଇ ଦେଇପାରେ । ଏହାର ଅର୍ଥ ହେଲା ସ୍ୱଳ୍ପ ବୃଷ୍ଟିପାତ, ଅଧିକ ଉତ୍ତାପ ଏବଂ ଜଙ୍ଗଲ ନିଆଁ ବଢିବା ।

ଭଲ ଖବର ହେଉଛି, ଭାରତ ଜଙ୍ଗଲ ନିଆଁ ଉପରେ ନଜର ରଖିବା ସକାଶେ ଏହାର ବ୍ୟବସ୍ଥାକୁ ଯଥେଷ୍ଟ ଉନ୍ନତ କରିସାରିଛି ଏବଂ ଖୁବଶୀଘ୍ର ଜଙ୍ଗଲ ନିଆଁ ପରିଚାଳନା ଏନ.ଡି.ଏମ.ଏ. ପରିସରଭୁକ୍ତ ହେବ । କେନ୍ଦ୍ର ସରକାର ଯଦି ତାଙ୍କର ଜଳବାୟୁ ଏବଂ ଜୈବବିବିଧତା ସମ୍ପର୍କିତ ପ୍ରତିଶ୍ରୁତିଗୁଡିକର ପାଳନ କରିବାକୁ ଗୁରୁତ୍ୱ ପ୍ରଦାନ କରୁଛନ୍ତି ତେବେ ଏକଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ, କେବଳ ଉପଗ୍ରହର ତଥ୍ୟ ବ୍ୟବହାର କରି ଜଙ୍ଗଲ ନିଆଁ ଉପରେ ନିଘା ରଖିବା ସଙ୍ଗେ ସଙ୍ଗେ ଏକ ଉତ୍ତପ୍ତରେ ବିଶ୍ୱରେ ଜଙ୍ଗଲ ନିଆଁକୁ ସଫଳତାର ସହ ପରିଚାଳନା କରିବା ପାଇଁ, ଏହାକୁ ବୁଝିବା ପାଇଁ ପ୍ରୟାସ କରିବା ସଙ୍ଗେ ସଙ୍ଗେ ଜଙ୍ଗଲ ବିଭାଗଗୁଡିକର ଅଗ୍ନି ନିର୍ବାପନ କ୍ଷମତା ଓ ଦକ୍ଷତା ବୃଦ୍ଧି କରିବା ଏବଂ ସ୍ଥାନୀୟ ଗ୍ରାମଗୋଷ୍ଠୀ ଗୁଡିକର ଅଂଶଗ୍ରହଣକୁ ବଢାଇଲେ ଯାଇ ଜଙ୍ଗଲ ନିଆଁର ପ୍ରତିକାର କରାଯାଇ ପାରିବ ।

କଳା ଗ୍ରୀଷ୍ମ

ଏକ ଗବେଷଣାରୁ ସୂଚନା ମିଳିଛି ଜଙ୍ଗଲ ନିଆଁରୁ ବାହାରୁଥିବା ଧୂଆଁ ପୃଥିବୀର ଓଜନ ସ୍ତର ଉପରେ ଭୟଙ୍କର ବିପଦ ସୃଷ୍ଟି କରିଚାଲିଛି । ଏହି ଜଙ୍ଗଲ ଧୂଆଁ ପୃଥିବୀର ଓଜନ ସ୍ତର କ୍ଷତି କରିବା ସହିତ ଏହାର ପୁନରୁଦ୍ଧାର ପ୍ରକ୍ରିୟାକୁ ନଷ୍ଟ କରି ଦେଉଛି । ସମଗ୍ର ପୃଥିବୀର ପ୍ରାଣୀ ଓ ଉଦ୍ଭିଦ ଜଗତର ସ୍ଥିତି ବିପର୍ଣ୍ଣ ହେଉଛି । ଆମେରିକାର ମାସାଚ୍ୟୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମଆଇଟି)ଦ୍ୱାରା କରାଯାଇଥିବା ଏକ ଗବେଷଣାର ନିବନ୍ଧରୁ ଏହା ଜଣାପଡିଛି । ଏହି ଗବେଷଣାର ନିବନ୍ଧ ନେଚର ପତ୍ରିକାରେ ପ୍ରକାଶ ପାଇଛି । ଓଜନସ୍ତର ହେଉଛି ବାୟୁମଣ୍ଡଳର ଏକ ସୁରକ୍ଷା ବଳୟ ଯାହା ପୃଥିବୀ ପୃଷ୍ଠକୁ ସୂର୍ଯ୍ୟଙ୍କର ଅତ୍ୟଧିକ କ୍ଷତିକାରକ ଅତି ବାଇଗଣି ରଶ୍ମି (ଅଲଟ୍ରା ଭାଓଲେଟ୍ ରେ)ରୁ ସୁରକ୍ଷା ଦେଇଥାଏ । ଏମଆଇଟିର ଗବେଷକମାନେ ଦର୍ଶାଇଛନ୍ତି, ଜଙ୍ଗଲ ନିଆଁ ଯୋଗୁଁ ବାୟୁମଣ୍ଡଳର ସମତାପମଣ୍ଡଳ (ଷ୍ଟ୍ରାଟୋସ୍ପିଅର) ସ୍ତରରେ ବିପୁଳ ପରିମାଣର ଧୂଆଁ ଠେଲି ହୋଇ ପଶିବା ଦ୍ୱାରା ଏହି ଧୂଆଁ ବର୍ଷାଧିକ କାଳ ପର୍ଯ୍ୟନ୍ତ ଆଚ୍ଛାଦିତ ହୋଇ ଘୁରି ବୁଲିବ । ସେଠାରେ ଘୁରି ବୁଲିବା ଧୂଆଁ କଣିକାଗୁଡିକ ଏକ ରସାୟନିକ ପ୍ରକ୍ରିୟା ଆରମ୍ଭ କରିବା ଫଳରେ ଓଜନସ୍ତରକୁ କ୍ଷୟ କରିଦେବ ।

ବିଗତ ବର୍ଷମାନଙ୍କରେ ଅଷ୍ଟ୍ରେଲିଆ ଓ ଆମାଜନ ଜଙ୍ଗଲର ଭୟଙ୍କର ନିଆଁ ସମୟରେ ଏହି ଗବେଷଣା ଦୁଇ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ଚାଲିଥିଲା । ଏହି ଜଙ୍ଗଲ ନିଆଁକୁ ‘କଳା ଗ୍ରୀଷ୍ମ’ ନାମକରଣ କରାଯାଇ ଏହା ବିଶ୍ୱବାସୀଙ୍କୁ ସାବଧାନ କରାଯାଇଛି । କେବଳ ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁ ପ୍ରାୟ ୧୦ଲକ୍ଷ ଟନରୁ ଅଧିକ ଧୂଆଁ ବାୟୁମଣ୍ଡଳକୁ ଛାଡିଥିଲା । ଏହି ଧୂଆଁ ସୃଷ୍ଟି କରିଥିବା ରସାୟନିକ ପ୍ରକ୍ରିୟା ଦ୍ୱାରା ଦକ୍ଷିଣ ଗୋଲାର୍ଦ୍ଧର ମଧ୍ୟ ଅକ୍ଷାଂଶରେ ମୋଟ ଓଜନସ୍ତରର ପ୍ରାୟ ୩.୫ପ୍ରତିଶତକୁ କ୍ଷୟ ହେବାରେ ସହଯୋଗ କରିଛି । ବାୟୁମଣ୍ଡଳର ଓଜନସ୍ତର କ୍ଷୟ ପାଇଥିବା ଅଞ୍ଚଳର ଦେଶ ହେଉଛନ୍ତି, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆଫ୍ରିକା ଓ ଦକ୍ଷିଣ ଆଫ୍ରିକା ଦେଶ ସମୂହର କେତେକାଂଶ ଉପରେ ପରିବ୍ୟାପ୍ତ ।

ଗବେଷଣାର ଅନୁଧ୍ୟାନ ସୂଚାଇ ଦେଇଛି, ଜଙ୍ଗଲ ନିଆଁ ମେରୁ ଅଞ୍ଚଳର ବାୟୁମଣ୍ଡଳ ଉପରେ ପ୍ରଭାବ ପକାଇଛି, ଯାହା ଫଳରେ ଆଣ୍ଟାର୍ଟିକା ମହାଦେଶ ଉପରେ ଥିବା ଓଜନସ୍ତର କଣାର ସୀମାଗୁଡିକୁ କ୍ଷୟ କରି ଦେଇଛି । କେବଳ ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁରୁ ନିର୍ଗତ ଧୂଆଁ ଆଣ୍ଟାର୍ଟିକା ବାୟୁମଣ୍ଡଳର ଓଜନସ୍ତର କଣାକୁ ପ୍ରାୟ ୨୫ଲକ୍ଷ ବର୍ଗ କିଲୋମିଟରରୁ ଅଧକ ଚଉଡ଼ା କରିଦେଇଛି । ଏହି ଓଜନସ୍ତରର କଣା ବିଗତ ବର୍ଷ (୨୦୨୧) ଆକାରଠାରୁ ପ୍ରାୟ୧୦ପ୍ରତିଶତ ଅଧିକ । ଗବେଷଣାର ଅଧ୍ୟୟନ ଦର୍ଶାଇଛି ଜଙ୍ଗଲ ନିଆଁର ଧୂଆଁ ଓଜନ ସ୍ତରର ପୁର୍ନବାହାଲ ଉପରେ କେତେ ପରିମାଣରେ ଏବଂ କିପରି ଦୀର୍ଘକାଳୀନ କ୍ଷତିକାରକ ପ୍ରଭାବ ପକାଉଛି ତାହା ଉପରେ ଅଧିକ ଗବେଷଣା ଚାଲିଛି । ତେବେ ମିଳିତ ଜାତିସଂଘ ଓଜନ ସ୍ତର କ୍ଷତିକାରକ ରସାୟନଗୁଡିକୁ କ୍ରମାଗତ ଭାବେ ନିଷିଦ୍ଧ କରିବା ପାଇଁ ଆନ୍ତର୍ଜାତିକ ସ୍ତରରେ ଯେଉଁ ଉଦ୍ୟମ ଆରମ୍ଭ କରି ବିଶ୍ୱରେ ସାମାନ୍ୟ ସଫଳତା ପାଇଥିଲା ତାହାକୁ ଏହି ଜଙ୍ଗଲ ନିଆଁର ଧୂଆଁ ଘୋର କ୍ଷତି ପହଞ୍ଚାଇଛି । ଗବେଷଣାର ଅଧ୍ୟୟନରୁ ଜଣାପଡୁଛି ଏହି ରସାୟନଗୁଡିକ ବାୟୁମଣ୍ଡଳରେ ଉପସ୍ଥିତ ଥିବା ପର୍ଯ୍ୟନ୍ତ ବଡ଼ ଧରଣର ଜଙ୍ଗଲ ନିଆଁ ଏପରି ପ୍ରତିକ୍ରିୟା ଆରମ୍ଭ କରିପାରେ, ଯାହାକି ଓଜନ ସ୍ତରକୁ କ୍ଷୟ କରିବାରେ ଯଥେଷ୍ଟ ସହାୟକ ହେବ । ଜଙ୍ଗଲ ନିଆଁ ବିଶ୍ୱ ପାଇଁ ଏକ ସତର୍କ ଘଣ୍ଟି- ଓଜନ ସ୍ତରର ମରାମତି ବାବଦକୁ କରାଯାଇଥିବା ପ୍ରାକ୍ ଆକଳନ କରିବାବେଳେ ଜଙ୍ଗଲ ନିଆଁକୁ ହିସାବକୁ ନିଆଯାଇନଥିଲା । କିନ୍ତୁ ବର୍ତ୍ତମାନର ଏହି ଘାତକଚକ୍ର ଓ କଳା ଗ୍ରୀଷ୍ମ ଆମକୁ ସାବଧାନ କରିଦେଇଛି ପୃଥିବୀରେ ଆଗାମୀ ଦିନର ଜଳବାୟୁ ପରିବର୍ତ୍ତନର ଅନ୍ୟ ଏକ ଭୟଙ୍କର ଦିଗକୁ ।

୯୯୧୦୭୪୦୮୩୯ 

Comments are closed.