କର୍ଣ୍ଣାଟକ: କର୍ଣ୍ଣାଟକର ଦାବଣଗେରେ ଉପକଣ୍ଠ ଅନ୍ତର୍ଗତ ହେବ୍ୱାଲୁ ଟୋଲ୍ ନିକଟ ଚେକ୍ପୋଷ୍ଟ୍ରେ ବଲିଉଡ଼ ପ୍ରଯୋଜକ ବୋନି କପୁରଙ୍କ କାରରୁ ୪୦ ଲକ୍ଷ ଟଙ୍କାର ରୂପା ସାମଗ୍ରୀ ଜବତ କରାଯାଇଛି । ଏହି ସବୁ ସାମଗ୍ରୀକୁ ଭାରତର ନିର୍ବାଚନ କମିଶନ ଜବତ କରିଛନ୍ତି । ଏହି ଘଟଣାରେ ପୋଲିସ ଦାବଣଗେରେ ଥାନାରେ କାର ଡ୍ରାଇଭର ସୁଲତାନ ଖାଁ ଓ ତାଙ୍କ ସହଯୋଗୀ ହରି ସିଂଙ୍କ ନାମରେ ମାମଲା ରୁଜୁ କରିଛି । ସେମାନେ ଏହି ରୂପାକୁୁ ଚେନ୍ନାଇରୁ ମୁମ୍ବାଇ ନେଇ ଯାଉଥିବା ପୋଲିସ ନିକଟରେ ପ୍ରକାଶ କରିଛନ୍ତି ।
ମେ ୧୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଭାରତର ନିର୍ବାଚନ କମିଶନ୍ ବିଭିନ୍ନ ଗାଡ଼ି ଯାଞ୍ଚ କରୁଥିଲେ । ଏହି ସମୟରେ ଡ଼୍ରାଇଭର ସୁଲତାନ ଏକ ବିଏମଡ଼ବ୍ଲ୍ୟୁ କାରରେ ୫ଟି ପେଟିରେ ୬୬ କିଲୋ ଓଜର ବିଭିନ୍ନ ରୂପା ସାମଗ୍ରୀ ନେଇ ଯାଉଥିଲେ । ଦାବଣଗେରେ ନିକଟ ଚେକ୍ପୋଷ୍ଟରେ ନିର୍ବାଚନ କମିଶନ ଏହି ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ । ଏଥିରେ ବିଭିନ୍ନ ରୂପା ସାମଗ୍ରୀ ଥିବା ଜାଣିବାକୁ ପାଇଥିଲେ । ଡ଼୍ରାଇଭର ଜଣକ ରୂପା ସାମଗ୍ରୀର କୌଣସି କାଗଜପତ୍ର ଦେଖାଇ ପାରି ନ ଥିଲେ । ଡ଼୍ରାଇଭର ସୁଲତାନ ଓ ତାଙ୍କ ସହଯୋଗୀ ଏହି ସବୁ ସାମଗ୍ରୀ ବଲିଉଡ଼ ପ୍ରଯୋଜକ ବୋନି କପୁରଙ୍କ ପରିବାରର ବୋଲି ପୋଲିସ ନିକଟରେ ସ୍ୱୀକାର କରିଛନ୍ତି । ତଦନ୍ତ ବେଳେ ଜଣାପଡ଼ିଛି ଯେ, ‘ବେଭିୟୁ ପ୍ରୋଜେକ୍ଟ୍ ପ୍ରାଇଭେଟ୍ ଲିମିଟେଡ୍’ରେ ପଞ୍ଜିକୃତ ହୋଇଥିବା ଏହି କାରର ମାଲିକ ହେଉଛନ୍ତି ବୋନି କପୁର । ପ୍ରକୃତରେ ଏସବୁ ବୋନି କପୁରଙ୍କ ପରିବାରର କି ନୁହେଁ, ତାହା ଜାଣିବା ଲାଗି ପୋଲିସ ଅଧିକ ତଦନ୍ତ ଚଳାଇଛି ।
Comments are closed.