Latest Odisha News

‘ବିରୋଧୀ’ ଏଥର ଯୋଡି ନ ହେଲେ ସଫା !

ଭୁବନେଶ୍ୱର: ବିରୋଧୀଙ୍କ ପାଇଁ ଏବେ କର ବା ମର ସ୍ଥିତି। ବିଭିନ୍ନ ପ୍ରକାର ଦୁର୍ନୀତିରେ ବିରୋଧୀ ଦଳଗୁଡିକ ଉପରେ ବିଜେପିର ଲଗାତର ଆଟାକକୁ ନେଇ ବିରୋଧୀ ଅଣନିଶ୍ୱାସୀ ହୋଇ ପଡ଼ିଥିବା କୁହାଯାଉଛି।

ଏପରିକି ଅଣବିଜେପି ଦଳ ଓ ନେତାଙ୍କ ଉପରେ ଲଗାତର ବିଭିନ୍ନ ପ୍ରସଙ୍ଗକୁ ନେଇ ଇଡି, ସିବିଆଇ ଓ ଆଇଟି ରେଡ଼ ବିରୋଧୀଙ୍କ ଚିନ୍ତା ବଢ଼ାଇ ଦେଇଥିବା କୁହାଯାଉଛି। ତେଣୁ ବିରୋଧୀ ଏହାକୁ ବିଜେପିର ଆକ୍ରୋସମୂଳକ ରାଜନୀତି ବୋଲି କହିବା ସହ ବିରୋଧୀଙ୍କ ସ୍ୱରକୁ ଚାପିଦେବା ପାଇଁ ବିଜେପି ସବୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଆସୁଛି। ଏପରିକି ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ଏହାର ଏକ ବଡ଼ ଉଦାହରଣ ବୋଲି ଆଲୋଚନା ହେଉଛି।

ଯାହାକୁ ନେଇ ବିରୋଧୀ ଏକ ହେବାରେ ଲାଗି ପଡିଛନ୍ତି। ଆଉ ନିଜ ଭିତରେ ଲଢେଇ ନ କରି ବିଜେପିକୁ ସତ୍ତାରୁ ହଟାଇବାକୁ ପଡିବ ବୋଲି ବିରୋଧୀ ଅନୁଭବ କରି ଗୋଟିଏ ମଞ୍ଚରେ ଏକାଠି ହେଉଥିବା ଦେଖିବାକୁ ମିଳୁଛି।

ଦୁଇଦିନ ତଳେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର, ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱି ଯାଦବ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟି ଆଲୋଚନା କରିଥିଲେ। ଏପରିକି ଏହା ପରେ ପରେ ନୀତିଶ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।

ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏନସିପି ମୁଖ୍ୟ ଶରଦ ପାୱାର ଦିଲ୍ଲୀ ଆସି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ଆଦାନି ପ୍ରସଙ୍ଗ ଓ ମୋଦିଙ୍କୁ ଡିଗ୍ରୀ ମାଗିବା ପ୍ରସଙ୍ଗରେ ଭିନ୍ନ ମତ ରଖିବା ପରେ ଶରଦଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଶରଦ ବଦଳୁଛନ୍ତି କି ବୋଲି ପ୍ରଶ୍ନ ଉଠିଥିଲା।

ଏପରିକି ଠିକ ଏହା ପରେ ପରେ ଭାରତୀୟ ନିର୍ବାଚନ କମିଶନ ଏନସିପିର ଜାତୀୟ ଦଳ ମାନ୍ୟତାକୁ ପ୍ରତ୍ୟାହାର କରିଥିଲେ। ଯାହାକୁ ନେଇ ଚର୍ଚ୍ଚା ଆହୁରି ବଢିଥିଲା। ଏହା ପରେ ପ୍ରଥମଥର ପାଇଁ ରାହୁଲ ଗାନ୍ଧି ଓ ଖଡ଼ଗେଙ୍କୁ ଭେଟିଛନ୍ତି ଶରଦ। ଦୁଇ କଂଗ୍ରେସ ମୁଖିଆଙ୍କ ସହ ଦୀର୍ଘସମୟ ଧରି ବୈଠକ କରିଛନ୍ତି ଶରଦ।

ସେପଟେ କଂଗ୍ରେସ ଖୁବଶୀଘ୍ର ଅନ୍ୟ ବିରୋଧୀ ଦଳର ନେତାଙ୍କୁ ନେଇ ବୈଠକ କରିବ ବୋଲି ଜଣାପଡ଼ିଛି। ଦେଶରେ ବିଜେପିକୁ ଚେକ ଦେବାକୁ ହେଲେ ନିଜ ଭିତରେ ଲଢେଇ ଛାଡି ମିଶିକି ଲଢ଼ିବାକୁ ପଢିବ। ନଚେତ ବିଜେପିକୁ ହରାଇବା କଷ୍ଟକର ବୋଲି ବିରୋଧୀ ଅନୁଭବ କରୁଥିବା କୁହାଯାଉଛି।

ତେଣୁ ବିରୋଧୀ ଏକ ହେବା କ୍ଷେତ୍ରରେ କେତେ ସଫଳ ହେବେ ଓ ବିଜେପିକୁ ଆଗାମୀ ନିର୍ବାଚନରେ ହରାଇବାରେ କେତେ ସକ୍ଷମ ହେବେ ତାକୁ ନେଇ ଆଲୋଚନା ଜୋର ଧରିଛି।

Comments are closed.