ତରୁଣ କୁମାର ମିଶ୍ର
ଆସିଛି ଖରା, ତାତିଛି ଧରା
ଦେହରୁ ବହେ ଝାଳ ,
ପାଟି ଖୋଜଇ କାକୁଡ଼ି ଲସି
ତରଭୁଜ ଓ ତାଳ ।
କାକୁଡ଼ି କାଟି ଲଙ୍କା ଗୁଣ୍ଡ ଓ
ଲୁଣ ତହିଁରେ ଦେଇ,
ଖାଇଲେ ତାକୁ ଲାଗଇ ମଜା
ଶୋଷ ବି ଯାଏ ମରି ।
ଦେହକୁ ହିତ ଅଟଇ ସେତ
ସେ ଉପକାରୀ ଫଳ ,
ଚାଷୀ ଭାଇ ତା ବାଡ଼ିରେ ଚଷି
ବିକଇ ଛାଇ ତଳ ।
କାମ ପଡ଼ିଲେ ବଜାର ଗଲେ
ଲସି ଦୋକାନ ଯାଇ ,
ଦେଖିବା ତହିଁ ହେଉଛି ଲସି
ଦୋକାନେ ଠିଆ ହୋଇ ।
ବସା ଦହିରେ ନଡ଼ିଆ କୋରା
କାଜୁ, ଲେମ୍ବୁ ଓ ଚିନି ,
ବରଫ ଦେଇ ଗ୍ରାଇଣ୍ଡରରେ
ଫେଣ୍ଟି ଦେବ ଦୋକାନୀ ।
ବର୍ଣ୍ଣଭିଟା ଓ ଚେରି ପକାଇ
ଲସି ଦେବ ବଢ଼ାଇ ,
ଆନନ୍ଦେ ତାକୁ ପିଇବା ବସି
ମଜା ଆସିବ ତହିଁ ।
ଆଉ ଗୋଟିଏ ଫଳ ଯେ ଅଛି
ତରଭୂଜ ତା ନାମ ,
କଖାରୁ ପରି ଆକାର ତାର
ଭାରି ରସାଳ ଜାଣ ।
ବାହାର ପାଶ ଅଟେ ସବୁଜ
ଭିତର ଶସ ନାଲି ,
କଟାଇ ତାକୁ ଖଣ୍ଡକୁ ଧରି
ଖାଇବ ମଞ୍ଜି ଛାଲି ।
ଶେଷରେ ତା’ର ଚୋପା ଅଂଶକୁ
ବାହାରେ ଫିଙ୍ଗିଦେବ ,
ନଖାଇ ମଧ୍ଯ ଜୁସ୍ ବନାଇ
ତାକୁ ବି ପିଇହେବ ।
ଏ ସବୁଠାରୁ ସୁଆଦ ଅଟେ
ତାଳ ସଜଟି ଜାଣ ,
ଗାଆଁ ସହରେ ଛକ ଯାଗାରେ
ମିଳଇ ଏହା ପୁଣ ।
ଦୋକାନୀ ଭାଇ କଟାଇ ତାଳ
ବଢ଼ାଇ ଦିଏ ଯେବେ ,
ଉପର ଚୋପା କାଢ଼ି ତା ଶସ
ଖାଇବ ପରା ତେବେ ।
ଶସ ଭିତରେ ପାଣି ଯେ ଥିବ
ଆହାଃ କି ମିଠା ସେହି ,
ସେ ପାଣି ପିଇ ଖାଇବ ତାଳ
ମଜା ଆସିବ ତହିଁ ।
ଖରାଦିନରେ ନାଳି ପଇଡ଼
ଦେହକୁ ହିତ ଜାଣ ,
ଯଦିଓ ବାରମାସି ସେ ମିଳେ
ଖରାରେ ଖୋଜେ ମନ ।
ପାଣି ତା ପିଇ ଭିତର ଶସ
ଖାଇଲେ କାଢ଼ି ହାତେ ,
ଶୋଷ ସାଙ୍ଗକୁ ଭୋକ ବି ମରେ
ଦିଅଇ ଶାନ୍ତି କେତେ।
ପେଟକୁ ଥଣ୍ଡା ରଖେ ତା ପାଣି
ବହୁତ ସ୍ବାସ୍ଥ୍ଯକର ,
ପିଅନ୍ତି ରୋଗୀ ପଇଡ଼ ପାଣି
ପୂଜା ବି ହୁଏ ତା’ର
ଆମରି ପାଇଁ ଏସବୁ ଖଞ୍ଜି
ଦେଇ ପ୍ରକୃତି ରାଣୀ ,
ଦେହକୁ ହିତ ପାଟିକୁ ମିତ
ରଖିଛି ମନ ଜାଣି।
ଆସରେ ମିତ ଲଗାଇ ଗଛ
ପାଇବା ଜାଣି ଫଳ ,
ଶରୀର ଆମ ରହିବ ସୁସ୍ଥ
ପରିବେଶ ନିରିମଳ ।
ଖଣ୍ଡଗିରି
ଭୁବନେଶ୍ବର
Comments are closed.