Latest Odisha News

BREAKING NEWS

ମାଗଣା ବିଜୁଳି, ରାଜସ୍ଥାନ ଦେବା ପରେ ଅନ୍ୟ ରାଜ୍ୟରେ ବି ଉଠିଲା ଦାବି

ଭୁବନେଶ୍ୱର: ଦେଶରେ ଏବେ ଚାଲିଛି ବିଜୁଳି ରାଜନୀତି। ପ୍ରତ୍ୟେକ ବ୍ୟକ୍ତି ବିଜୁଳି ବ୍ୟବହାର କରୁଥିବାବେଳେ ବିଜୁଳି ବିଲ ଲୋକଙ୍କ ପାଇଁ ବଡ଼ ବୋଝ ଭାବେ ଗଣାଯାଉଛି। ତେଣୁ ଏହାକୁ ଆଖି ଆଗରେ ରଖି ରାଜନୈତିକ ଦଳ ଓ ସରକାର ବିଜୁଳିକୁ ନେଇ ରାଜନୀତି କରୁଥିବା ଦେଖିବାକୁ ମିଳିଛି।

ପୂର୍ବରୁ ଆମ ଆଦମୀ ପାର୍ଟି ଏହି ଫଣ୍ଡା ଆପଣାଇଥିବାବେଳେ ଏବେ କଂଗ୍ରେସ ପାଇଁ ବିଜୁଳି ପ୍ରସଙ୍ଗ ଏକ ଲାଭଜନକ ରାଜନୈତିକ ପ୍ରସଙ୍ଗ ଭାବେ ଉଭା ହୋଇଛି। କର୍ଣ୍ଣାଟକରେ ମାଗଣା ବିଜୁଳି ପ୍ରସଙ୍ଗ କଂଗ୍ରେସକୁ ସଫଳତା ଦେବାରେ ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ କର୍ଣ୍ଣାଟକ ସଫଳତା ପରେ ମଧ୍ୟପ୍ରଦେଶରେ ଦଳ ମାଗଣା ବିଜୁଳିକୁ ପ୍ରଚାରର ମୁଖ୍ୟ ଅସ୍ତ୍ର କରିଛି।

ସେପଟେ ରାଜସ୍ଥାନରେ ଥିବା କଂଗ୍ରେସ ସରକାର ଆଉ ଦୁଇ ପାଦ ଆଗକୁ ଯାଇ ନିର୍ବାଚନ ପୂର୍ବରୁ ଲୋକଙ୍କୁ ମାଗଣା ବିଜୁଳି ଦେଇଛି। ଲୋକଙ୍କୁ ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଘୋଷଣା କରିଛି କଂଗ୍ରେସ ସରକାର।

ରାଜ୍ୟର ଏକ କୋଟି ଉପଭୋକ୍ତା ଏହାଦ୍ୱାରା ଲାଭବାନ ହେବେ। ଯାହାକୁ କଂଗ୍ରେସକୁ ବେଶ ଲାଭଦାୟୀ ହେବ ବୋଲି କୁହାଯାଉଛି। ଏହି ମୁକ୍ତ ବିଜୁଳି ଓ ଅନ୍ୟାନ୍ୟ ଫ୍ରି ପ୍ରସଙ୍ଗକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ କରୁଥିବା ବେଳେ ଲୋକେ କିନ୍ତୁ ଏହାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।

ଖାଲି ସେତିକି ନୁହେଁ କଂଗ୍ରେସର ଏହି ମୁକ୍ତ ବିଜୁଳି ଫଣ୍ଡା ଅନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପିଲାଣି। ରାଜସ୍ଥାନ ସରକାର ମୁକ୍ତ ବିଜୁଳି ଦେବା ପରେ ଉତ୍ତରପ୍ରଦେଶରେ ମାଗଣା ବିଜୁଳି ପାଇଁ ଦାବି ଉଠିଛି।

ଉତ୍ତରପ୍ରଦେଶରେ ରାଷ୍ଟ୍ରୀୟ ଲୋକଦଳ ଗେହଲଟଙ୍କ ମାଗଣା ବିଜୁଳି ପ୍ରସଙ୍ଗକୁ ସମର୍ଥନ କରିବା ସହ ୟୁପିରେ ମାଗଣା ବିଜୁଳି ପାଇଁ ଦାବି କରିଛନ୍ତି। ରାଷ୍ଟ୍ରିୟ ଲୋକଦଳ ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ ଏହି ଦାବିକୁ ଜୋରଦାର କରିଛନ୍ତି।

ବିଏସପି ମୁଖ୍ୟ ମାୟାବତୀ ମାଗଣା ବିଜୁଳି ନିର୍ବାଚନ ଏଜେଣ୍ଡା ବୋଲି କହିଛନ୍ତି। କିନ୍ତୁ ୟୁପିରେ ରାଷ୍ଟ୍ରୀୟ ଲୋକଦଳ ଯେଉଁ ମାଗଣା ବିଜୁଳିର କଥା ଉଠାଇଛନ୍ତି ତାର ପ୍ରଭାବ ଲୋକଙ୍କ ଉପରେ ପଡିପାରେ ବୋଲି କୁହାଯାଉଛି।

ଯଦି ରାଜସ୍ଥାନ ସରକାର ଓ ଅନ୍ୟଆଡ଼େ କଂଗ୍ରେସ ମାଗଣା ବିଜୁଳି ଦେଉଛି ତେବେ ଉତ୍ତରପ୍ରଦେଶରେ କାହିଁକି ନୁହେଁ ବୋଲି ପ୍ରଶ୍ନ ଉଠିପାରେ ବୋଲି କୁହାଯାଉଛି। ରାଜସ୍ଥାନରେ ଗେହଲଟ ମହଂଗାଇ ରାହତ କ୍ୟାମ୍ପ ମାଧ୍ୟମରେ ଲୋକଙ୍କୁ ମାଗଣା ଓ ସବ୍ସିଡିରେ ବହୁ ସାମଗ୍ରୀ ଦେଉଛନ୍ତି। ଯାହାକୁ ଅଧିକ ଲୋକପ୍ରିୟ ହେଉଛି।

ବିଜେପି ଏହାକୁ ସମାଲୋଚନା କରିଛି। କିନ୍ତୁ ଲୋକେ ପାଉଛନ୍ତି ଓ ଖୁସି ହେଉଥିବା ଦେଖିବକୁ ମିଳିଛି। ଏପରିକି ରାଜସ୍ଥାନ ଗସ୍ତରେ ଯାଇ ପ୍ରଚାର କରିଥିବା ପ୍ରଧାନମନ୍ତ୍ରୀ ମୋଦି ଗେହଲଟ ସରକାର ଉପରେ ବର୍ଷିଥିଲେ।

ରାଜସ୍ଥାନରେ ଲୋକେ କଂଗ୍ରେସକୁ ନିର୍ବାଚିତ କରିଥିବା ବେଳେ ସରକାର ଲୋକଙ୍କୁ କଣ ଦେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ ମୋଦି। ଏହାକୁ କାଉଣ୍ଟର କରିବାକୁ କଂଗ୍ରେସ ଏକ ଭିଡିଓ ପ୍ରସ୍ତୁତ କରିଛି। ମୋଦୀଙ୍କ ଭାଷଣର ପ୍ରଶ୍ନ ସହ ଲୋକଙ୍କ ଉତ୍ତରକୁ ଯୋଡି ଦଳ ଜୋରଦାର ପ୍ରଚାର କରୁଛି।

ଲୋକେ କଣ ପାଇଛନ୍ତି ବୋଲି ମୋଦି ପଚାରୁଥିବା ବେଳେ ଲୋକେ ଯାହା ପାଇଛନ୍ତି କହୁଛନ୍ତି। ସବୁ କିଛି ପାଇଛୁ ବୋଲି ଲୋକେ କହୁଛନ୍ତି। ଯାହାକି ମୋଦିଙ୍କ ପ୍ରଶ୍ନ ସହ ଯୋଡି ଭିଡିଓ ପ୍ରସ୍ତୁତ କରାଯାଇଛି। ତେଣୁ ମାଗଣା ବିଜୁଳି ସମେତ ଅନ୍ୟାନ୍ୟ ମାଗଣା ସାମଗ୍ରୀ ଘୋଷଣାକୁ ନେଇ ଏବେ ରାଜନୀତି ଚଳଚଞ୍ଚଳ ହୋଇଛି। ଲୋକେ ବି ଏଥିରୁ ଲାଭ ପାଉଛନ୍ତି। ତେଣୁ ଏହାକୁ ବିଜେପି କିଭଳି କାଉଣ୍ଟର କରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.