ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ
କେଉଁ ଅନାଦି କାଳରୁ ସମଗ୍ର ବିଶ୍ଵରେ ଶ୍ରୀଜଗନ୍ନାଥ ଐକ୍ୟ, ସାମ୍ୟ, ସମନ୍ୱୟ ଓ ଉଦାରତାର ଦେବତା ଭାବେ ପୂଜା ପାଇ ଆସୁଛନ୍ତି । ଓଡ଼ିଆ ଜାତିର ଏହି ମହାନ୍ ଦେବତା ଭାରତୀୟ ମହାଜାତିର ଓ ବିଶ୍ୱ ପ୍ରେମର ସର୍ବ ଶ୍ରେଷ୍ଠ ଦେବତା ଭାବେ ଗୃହୀତ । ଶ୍ରୀଜଗନ୍ନାଥ ପ୍ରାଗୈତିହାସିକ କାଳରୁ ଅଦ୍ୟାବଧି ନାନା ଧର୍ମ ଓ ସଂସ୍କୃତିର ପ୍ରତୀକ ରୂପେ ବିଦ୍ୟମାନ ହୋଇ ଆସୁଛନ୍ତି । ଯେଉଁ ସବୁ ଗୁଣ ନେଇ ଗୋଟିଏ ଜାତି ବଡ଼ ହୋଇପାରେ ଶ୍ରୀଜଗନ୍ନାଥଙ୍କ ଠାରେ ସେହି ସବୁ ଗୁଣ ଯୁଗ ଯୁଗ ଧରି ପରିଲକ୍ଷିତ ଓ କୀର୍ତ୍ତିତ ହୋଇ ଗୋଟିଏ ଜାତିକୁ ବିଶ୍ୱ ଦରବାରରେ ଚିହ୍ନିତ କରିବାରେ ସଫଳ ହୋଇଛି । ଓଡ଼ିଶାର ଐତିହ୍ୟ, ପରମ୍ପରା , ଧର୍ମ ଓ ସଂସ୍କୃତିର ଜଗନ୍ନାଥ ହେଉଛନ୍ତି ଶ୍ରେଷ୍ଠ ପ୍ରତୀକ । ପୂର୍ବ-ବାରିଧି କୂଳରେ ଅବସ୍ଥିତ ଏହି ଦାରୁଦେବତା ଓଡ଼ିଆ ମାନଙ୍କ ଚିର ପ୍ରେରଣାର ଉତ୍ସ ପାଲଟିଛନ୍ତି । ତାଙ୍କର ସବୁ କିଛି ବଡ । ବଡ଼ ନାମରେ ସେ ଯେମିତି ବଡ଼ ଠାକୁର, ସେହିଭଳି ତାଙ୍କ ଦାଣ୍ତର ନାମ ବଡ଼ ଦାଣ୍ଡ । ଦେଉଳ ବଡ଼ ଦେଉଳ । ସମୁଦ୍ର ମହୋଦଧି , କ୍ଷେତ୍ର ଶ୍ରୀକ୍ଷେତ୍ର , ମନ୍ଦିର ଶ୍ରୀମନ୍ଦିର । ଚକ୍ରର ନାମ ନୀଳଚକ୍ର , ପତାକାର ନାମ ପତିତପାବନ ବାନା । ସେହି ରହସ୍ୟମୟ ଠାକୁରଙ୍କ ରହସ୍ୟ ଅପାର ।
ଶ୍ରୀଜଗନ୍ନାଥ ଓଡ଼ିଶାର ଜାତୀୟ ଜୀବନ, ଧର୍ମ, ସାଂସ୍କୃତିକ ଓ ସାମାଜିକ ଜୀବନରେ ମୂଳ ପ୍ରାଣକେନ୍ଦ୍ର ଓ ଅଙ୍ଗ ହୋଇ ରହିଛନ୍ତି । ତେଣୁ ଶ୍ରୀଜଗନ୍ନାଥ ତତ୍ତ୍ୱାଶ୍ରୟୀ ସୃଷ୍ଟିର ଧର୍ମ ଓ ଦର୍ଶନର ଶ୍ରେଷ୍ଠ ଦେବତା ଭାବେ ଓଡିଆ ମାନଙ୍କର ଗୀତ , ଗୀତିକା, ଚଉପଦୀ ଓ ଚଉତିଶା , ଚମ୍ପୁ , ଭଜନ ଓ ଜଣାଣ ଆଦିରେ ସବୁଠି ତାଙ୍କର ଉଚ୍ଚତମ ସ୍ଥାନରେ ସେ ବିଦ୍ୟମାନ ହୋଇ ପାରିଛନ୍ତି । କେଉଁଠି ସେ କାଳିଆ ଠାକୁର ପାଲଟି ସହସ୍ରାଧିକ ନାମରେ ନାମିତ ତ ପୁଣି ସେ କେଉଁଠି ଭକ୍ତର ଭଗବାନ , ଭାବର ଠାକୁର , ପୃର୍ଣ୍ଣବ୍ରହ୍ମ, ନିରାକାର, ସାକାର, ନୀଳମାଧବ, ନୀଳମଣି , କୃଷ୍ଣ ପୁଣି କାହ୍ନା ଭାବରେ ପ୍ରତିଫଳିତ ହୋଇଛନ୍ତି । ଭକ୍ତର ମାନ ଉଦ୍ଧାରଣ ଶରଣ ରକ୍ଷକ ପତିତପାବନ ଭାବରେ ସେ ପ୍ରତ୍ୟେକଟି ସୃଷ୍ଟିରେ ପ୍ରକୀର୍ତ୍ତିତ ହୋଇ ଆସିଛନ୍ତି । ଓଡ଼ିଆର ପ୍ରତ୍ୟେକଟି ଶୁଭ କାର୍ଯ୍ୟାରମ୍ଭରେ ‘ ନମସ୍ତସ୍ନୈ ଭଗବତେ ବାସୁଦେବାୟ’ ଉଚ୍ଚାରଣ ପରେ ପୂଜାବିଧି ଆରମ୍ଭ ହୋଇଥାଏ । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଚକ୍ର ରହିଛନ୍ତି, ସେହି ଦୃଷ୍ଟିରୁ ତାଙ୍କୁ ଚତୁର୍ଦ୍ଧାମୂରତି ବା ଚତୁର୍ଦ୍ଧାମୂର୍ତ୍ତି ବୋଲାଯାଏ । ଚକ୍ର ବିଷ୍ଣୁଙ୍କର ଅସ୍ତ୍ର । ଚକ୍ରର ଆକାର ‘ ଅଖଣ୍ଡ ମଣ୍ତଳାକାର ‘। ମଣ୍ତଳର ଆକାର ଅଖଣ୍ଡ, ଯାହାର ଆରମ୍ଭ କି ଶେଷ ନାହିଁ । ଏହି ଧର୍ମ ହେଉଛି ସନାତନ । ପ୍ରାୟତଃ ହଜାରରେ ଏଗାରଶହ ବର୍ଷରୁ ଜଗନ୍ନାଥ ବୌଦ୍ଧ ଶାସ୍ତ୍ରରୁ ଏହାର ପ୍ରମାଣ ମିଳିଥାଏ । ନବମ ଶତାବ୍ଦୀରେ ବଙ୍ଗଳାର ଦେବପାଳ ରାଜାଙ୍କ ଉପରେ ରମାଇ ପଣ୍ତିତ ଉଲ୍ଲେଖ କରିଛନ୍ତି – ” ନବମ ମୂର୍ତ୍ତିତେ ହରି ଜଗନ୍ନାଥ ନାମ ଧରି / ଜଳଧି ତୀରେ କୈଲାବାସ ” । ସେଭଳି ସାରଳା ଦାସ ତାଙ୍କ ମହାଭାରତରେ ଲେଖିଛନ୍ତି – ” ସଂସାର ଜନଙ୍କୁ ସେହୁ ତାରିବା ନିମନ୍ତେ / ବଉଦ୍ଧ ରୂପରେ ବିଜେ ଅଛି ଜଗନ୍ନାଥେ ” ।
ଓଡ଼ିଶାର ଲୋକ ବିଶ୍ୱାସରେ ପୈାରାଣିକ କିମ୍ବଦନ୍ତୀ ନେଇ ଏକ ଦୃଢ ଧାରଣା ରହିଛି ଯେ ପ୍ରତିବର୍ଷ ଶ୍ରୀଜଗନ୍ନାଥ ମାଉସୀ ମା’ ଙ୍କୁ ସଂଙ୍ଖୋଳିବାକୁ ଗୁଣ୍ଡିଚା ନବର ରଥରେ ଯାତେ କରନ୍ତି । ଶ୍ରୀଜଗନ୍ନାଥଙ୍କ ଅନୁପସ୍ଥିତିରେ, ମା’ ଲକ୍ଷ୍ମୀ ବିରହରେ କଳା ଠାକୁରଙ୍କୁ ଝୁରି ହୁଅନ୍ତି , ଯାହାର ଏତାଦୃଶ ଭାବ ଦେଖି ଲୋକ କବି ଗାଇଛନ୍ତି – ” କୋଇଲି ରହିଲା ଯାଇ କୁଆର ବସାରେ/ ଜଗନ୍ନାଥ ରହିଲେ ଦେଖ ଗୁଣ୍ଡିଚା ନଅରେ / କାଳିଆକୁ ନଦେଖି ବଡ଼ ଦେଉଳରେ ହୋ / ଲକ୍ଷ୍ମୀ ଠାକୁରାଣୀ ଝୁରି ମରେ ହୋ ××” । ଗାଁ ମାଟିର ଲୈାକିକ ଧାରଣାରେ ଜଗନ୍ନାଥ ଓ କୃଷ୍ଣ ଅଭିନ୍ନ ଅଟନ୍ତି । କୃଷ୍ଣ ଓ ବଳରାମ ନିଜର ଭଗ୍ନୀ ସୁଭଦ୍ରାଙ୍କ ସହ ବଡ଼ଦେଉଳରେ ବିରାଜମାନ ଅଛନ୍ତି । ତେଣୁ ରଥଯାତ୍ରାରେ ନନ୍ଦନନ୍ଦନ ଦାରୁରୂପୀ କଳାକହ୍ନେଇ ଦେଖି ଲୋକ କବି ଲେଖିଛନ୍ତି- ” ଆଷାଢ଼ ମାସରେ ମେଘ ଛାଡଇ ରଡ଼ି/ ଘରୁ ବାହାରିଲା କାଳିଆ ନନ୍ଦିଘୋଷ ଚଢ଼ି / ନନ୍ଦିଘୋଷେ ବିଜୟ ନନ୍ଦେର ନନ୍ଦନ/ ତାଳଧ୍ଵଜ ଉପରେ ଭାଇ ବଳରାମ / ବିଜୟା ରତରେ ସୋହେନ୍ଦ୍ରା, ଗୁଣ୍ଡିଚା ଗମନ ହୋ..”। ପଶ୍ଚିମ ଓଡ଼ିଶାର ଡାଲଖାଇ ଲୋକ ସଂଗୀତରେ ସୁଭଦ୍ରାଙ୍କୁ ରଥାରୂଢ଼ ବଳଭଦ୍ରଙ୍କ ଶକ୍ତି ସ୍ୱରୂପିଣୀ ଭବାନୀ ଭାବେ ଗ୍ରହଣ କରାଯାଇଛି । ” ରଥେ ବିଜେ କଲେ ଜଗନ୍ନାଥ/ ଆଗେ ବଳଭଦ୍ର ପଛେ ଭବାନୀ / ପଛେ କୁଦାଇଲେ ଦୂତୀ ଗୋ / ସାରଙ୍ଗପାନି, ଡାଲ ଖାଇରେ..” । ରଥ ଉପରେ ଉପବିଷ୍ଟ ଜଗନ୍ନାଥ ହେଉଛନ୍ତି ପତିତ ତାରକ ଅବତାରୀ ପୁରୁଷ , ପରଂବ୍ରହ୍ମ ଷୋଳ କଳାର ସେ ହେଉଛନ୍ତି ପୂର୍ଣ୍ଣତମ । ଶ୍ରୀଜଗନ୍ନାଥଙ୍କ ସତ୍ତ୍ଵ, ରଜ, ତମ ଗୁଣକୁ ନେଇ ରାମକୃଷ୍ଣାଦି ସାକାର ରୂପ ଗ୍ରହଣ କରିଛନ୍ତି । ଅବତାରୀ ତତ୍ତ୍ଵକୁ ନେଇ ଲୋକ ସଂଗୀତରେ ବର୍ଣ୍ଣନା ଅଛି – ” ନନ୍ଦିଘୋଷ ଅବତାରୀ ମୁରୁକି ହସୁଛି/ ସେହି ହସରୁ ତିନି ଗୁଣ ଜନମ ନେଇଛି..” । ଓଡ଼ିଆ ସଂସ୍କୃତି ପରମ୍ପରା ସହ ଜଡ଼ିତ ଶ୍ରୀଜଗନ୍ନାଥଙ୍କ ରଥ ଏ ଓଡ଼ିଆ ଜାତିର “ଜାତି ନନ୍ଦିଘୋଷ” ର ପ୍ରତୀକ ଭାବେ ସର୍ବ ବିଦିତ । ନନ୍ଦିଘୋଷ ଉପରେ ବିରାଜମାନ ମହାବାହୁ ହେଉଛନ୍ତି ପତିତପାବନ ରୂପୀ ବାମନ । ବଡ଼ଦେଉଳର ଆଡମ୍ବର ପୂର୍ଣ୍ଣ ଆଭିଜାତ୍ୟକୁ ଦୂରେଇ ସାଧାରଣ ମଣିଷ ସହ ଏକୀଭୂତ ହେବା ନିମନ୍ତେ ଓ ସଂକଳ୍ପ କରି ପତିତ ମାନଙ୍କ ତାରଣ ପାଇଁ ପହଣ୍ଡି ବିଜେ କରି ରଥାରୂଢ଼ ହୁଅନ୍ତି । ପୁରୁଷ ଶ୍ରେଷ୍ଠ ପୁରୁଷୋତ୍ତମ ବଡ଼ ଦାଣ୍ଡର ଧୁଳି ମାଟିର ଜୀବନ ଚକ୍ର ମଧ୍ୟକୁ ସ୍ୱୟଂ ଓହ୍ଲାଇ ଆସନ୍ତି । ପଶ୍ଚିମ ଓଡ଼ିଶା ଲୋକ ଗୀତରେ – ” ଚାଲ ଦେଖିବା ଗୋ ସଖୀ ପହଣ୍ଡି ବିଜଏ..” ।
ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ଧର୍ମ ଏକ ମାନବୀୟ ଧର୍ମରେ ରୂପାନ୍ତରିତ ହୋଇଯାଏ । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସକଳ ମଣିଷଙ୍କ ପାଇଁ ଶ୍ରୀକ୍ଷେତ୍ରର ପବିତ୍ର ମାଟିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ନାମ ମହିମା ଓଡ଼ିଶାର ଗାଁ ଗହଳିରେ ଭାଗବତ ଟୁଙ୍ଗିରେ ପ୍ରକଟିତ ହେଉଥିଲା । ବହୁ ସାଧକ, କବି, କାବ୍ୟକାର ତଥା ଭଜନକାରମାନେ ଅପୂର୍ବ ଭାବ ଶୈଳୀରେ ଜଗନ୍ନାଥଙ୍କ ମହତ୍ତ୍ୱ ମହିମା ସେମାନଙ୍କ ସର୍ଜନଶୀଳ ସୃଷ୍ଟିରେ ଉଲ୍ଲେଖ କରିଛନ୍ତି- ” ପୁରୁଷୋତ୍ତମ କ୍ଷେତ୍ର ଯେ କୋଟିଏ ତୀର୍ଥ ଘେନି/ ବସିଲେ ହରି ବଳରାମ ସୁଭଦ୍ରା ଯେ ତିନି “। ପଞ୍ଚସଖା ଯୁଗର କବିମାନେ ଶୂନ୍ୟର ପୂଜାରୀ । ଶରୀର ଭେଦ ଭଜନରେ ତତ୍ତ୍ଵ ଦୃଷ୍ଟିରୁ ” ରୂପରେଖ ନାହିଁ ହେ ଶୂନ୍ୟ ଦେହୀ/ ଅଛି ଉଭା ହୋଇ ” କହିଥାନ୍ତି । ଏପରିକି ” ଦିଅଁ ଦେଖି ଯିବା ଗୋ ସହୀ/ ଦେଉଳେ ଦିଅଁ ଦେବତା ନାହିଁ ” ଗାନ କରିଥାନ୍ତି । କିନ୍ତୁ ଭୀମ ଭୋଇ ମାନବବାଦୀ କଣ୍ଠରେ ଶ୍ରୀଜଗନ୍ନାଥଙ୍କ ଦୀପ୍ତି ଓ ଦ୍ୟୁତି ପ୍ରକାଶ କରି କହିଛନ୍ତି – ” ତିନି ବ୍ରହ୍ମାଣ୍ଡରେ ଲୋଡି ଆମ୍ଭ ତୁଣ୍ଡେ ଏକ ଜଣ ଏକ ଜାତି/ ସେ ସବୁଙ୍କୁ ଜାତି ରହିଛି ତାହାର ରଞ୍ଚିଲା ପୃଥ୍ବୀ “। ସତରେ ଶ୍ରୀଜଗନ୍ନାଥ ହେଉଛନ୍ତି, ଓଡ଼ିଆ ଜାତିର ଆତ୍ମା ଓ ଶ୍ରେଷ୍ଠ ବୈଭବ । ସହସ୍ର ସହସ୍ର ବର୍ଷ ଧରି ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଯେଉଁ ଧର୍ମ ପୃଥିବୀରେ ଗଢି ଉଠିଛି ତା’ର ତୁଳନା ନାହିଁ । ଉଦାରତା ପଣରେ ସକଳ ଧର୍ମକୁ ଆପଣେଇ ” ବସୁଧୈବ କୁଟୁମ୍ବକମ୍ ” ନୀତିକୁ ସାର୍ଥକ କରୁଛି । ଶବରର ଦେବତା ହୋଇ ଆର୍ଯ୍ୟ ସଂସ୍କୃତିର ଦେବତା ଭାବେ ପୂଜିତ ହୋଇଛନ୍ତି । ଯୁଗେ ଯୁଗେ ତାଙ୍କରି ସୈାନ୍ଦର୍ଯ୍ୟରେ ଭକ୍ତ, ସାଧକ, କବିକୁଳ ମୁଗ୍ଧ ଚକିତ ପାଗଳ ହୋଇଉଠିଛନ୍ତି । ଶ୍ରୀରାମ ଚଂଦ୍ର ଦେବ ଇସଲାମ ଧର୍ମ ଗ୍ରହଣ କରି ମଧ୍ୟ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପାଗଳ ହୋଇ ସିଂହଦ୍ଵାରରେ ଜଗନ୍ନାଥଙ୍କ ପତିତପାବନ ମୂର୍ତ୍ତି ପ୍ରତିଷ୍ଠା କରିଥିଲେ । ତେଣୁ ସେ ପାତକ ନାଶକ ପତିତପାବନ ଦେବତା ଅଟନ୍ତି । ‘ ସତ ମୋ ବଚନ ରାମା ସତ ମୋ ବଚନ/ ଜଗନ୍ନାଥଙ୍କର ଚନ୍ଦ୍ରମୁଖ ଦେଖିବାରେ ମୋ ମନ । ଆରେ ମୁଁ କ୍ଷେତ୍ର ଯିବି..” । ଏକଦା ସନ୍ଥ କବୀର ପୁରୀ ମନ୍ଦିରରେ ଜଗନ୍ନାଥଙ୍କ ଦର୍ଶନ କରି ଗାଇଥିଲେ- ” ଠାକୁର ! ଭଲେ ବିରାଜେ ଜୀ/ ଓଡ଼ିଶା ଜଗନ୍ନାଥ ପୁରୀ ମେଁ ” ।
ଶ୍ରୀଜଗନ୍ନାଥ ସ୍ୱୟଂ ପ୍ରଭୁ ଦାରୁବ୍ରହ୍ମ ରୂପରେ ଶ୍ରୀକ୍ଷେତ୍ରକୁ ପୁରୁଷୋତ୍ତମ କ୍ଷେତ୍ରରେ ପ୍ରସିଦ୍ଧ କରିଛନ୍ତି । ତେଣୁ କୁହାଯାଇଛି- ” ସର୍ବେଷାମପି ଦେବାନାଂ ରାଜା ପୁରୁଷୋତ୍ତମଃ/ ସର୍ବେଷାମପି କ୍ଷେତ୍ରାଣାଂ ରାଜା ଶ୍ରୀପୁରୁଷୋତ୍ତମଃ “। କହିବାକୁ ଗଲେ ଶ୍ରୀଜଗନ୍ନାଥ ଓ ପୁରୁଷୋତ୍ତମ କ୍ଷେତ୍ର ଯୁଗ ଯୁଗ ଧରି ସର୍ବଧର୍ମ ସମନ୍ୱୟର ଏକ ପ୍ରତିଷ୍ଠିତ ପୀଠ ଓ ବିଭିନ୍ନ ଧର୍ମାବଲମ୍ବୀଙ୍କ ଏକ ଅପୂର୍ବ ସଙ୍ଗମର ସ୍ଥଳ ଭାବରେ ଖ୍ୟାତ ହୋଇଛି । ଏଯାବତ୍ ଏକ ଆଧ୍ୟାତ୍ମିକ ଓ ବୌଦ୍ଧିକ ବିସ୍ମୟ ଭାବରେ ବିରାଜିତ ହୋଇ କୈାଣସି ନିର୍ଦ୍ଦିଷ୍ଟ ସଂପ୍ରଦାୟର ଉପାସନା ପରିସର ଠାରୁ ବହୁ ଉର୍ଦ୍ଧ୍ବରେ ରହିଛି । ଧାର୍ମିକ ସହିଷ୍ଣୁତା, ରାଜନ୍ୟ ଶିଷ୍ଟାଚାର ଓ ଉଦାରତା ଓ ଆଦର୍ଶର ଅନୁପ୍ରାଣିତ ସଂପ୍ରଦାୟମାନଙ୍କ ମଧ୍ୟରେ ସମନ୍ୱୟ ଆଣିବା କେବଳ ପୁରୁଷୋତ୍ତମ କ୍ଷେତ୍ରରେ ବିରାଜମାନ ଶ୍ରୀଜଗନ୍ନାଥଙ୍କ ଠାରେ ଦେଖିବାକୁ ମିଳେ । ଅଦ୍ଵୈତବାଦୀ ଶ୍ରୀଶଙ୍କରାଚାର୍ଯ୍ୟ, ଦ୍ବୈତବାଦୀ ଶ୍ରୀରାମାନୁଜ, ବୌଦ୍ଧ ଧର୍ମ ପ୍ରଚଳିତ ଶୂନ୍ୟବାଦ ଓ ମାଧ୍ୱ ଆଚାର୍ଯ୍ୟଙ୍କର ଦ୍ବୈତାଦ୍ବୈତ ବାଦ ଆଦି ଶ୍ରୀ ବୈଷ୍ଣବ ସଂପ୍ରଦାୟର “ପଞ୍ଚରାତ୍ରିକ” ସଂପ୍ରଦାୟ ତଥା ଜୈନ ଧର୍ମ ଓ ଅନ୍ୟ ସବୁ ଉପଧର୍ମର ସାରାଂଶ ସ୍ୱାକ୍ଷର ବହନ କରିଛି । ଏହାହିଁ ସମନ୍ୱିତ ବିଗ୍ରହର ଏକ ଅଦ୍ୱିତୀୟ ଓ ଅଭିନବ ପରିକଳ୍ପନା “ପୁରୁଷୋତ୍ତମ” । ଅର୍ଥାତ୍ ଆକ୍ଷରିକ ଅର୍ଥରେ ” ଶ୍ରୀପୁରୁଷୋତ୍ତମ କେବଳ ଗୋଟିଏ ଉତ୍ତମ ପୁରୁଷ ହୁଅ ” ବାର୍ତ୍ତାର ପ୍ରତୀକ । ଶ୍ୱେତ, କୃଷ୍ଣ ଓ ଲୋହିତ ବର୍ଣ୍ଣ ବିଶିଷ୍ଟ ସମଗ୍ର ମାନବ ଜାତିର ପ୍ରତୀକାତ୍ମକ ତ୍ରିମୂର୍ତ୍ତି ବିଗ୍ରହ ଏକ ଅଭିନବ ମାନବବାଦୀ ପରିକଳ୍ପନା । ଯେଉଁଠି ସବୁ ଧର୍ମର, ସଂପ୍ରଦାୟର ଏକତ୍ରିତ ହୋଇ ମହାପ୍ରସାଦ ସେବନ ଓ ସହିଷ୍ଣୁତାର ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ହୋଇଛନ୍ତି ଏକ ଅପୂର୍ବ ଏବଂ ଅଦ୍ୱିତୀୟ ସଂଗମ । ଫଳତଃ ସେ ଚିରନ୍ତନ ସାର୍ବଜନୀନତାର ମାନବବାଦୀ ଠାକୁର ପାଲଟି ଯାଇଛନ୍ତି ।
ସମଗ୍ର ଭାରତୀୟ ଓ ପାଶ୍ଚାତ୍ୟ ଦର୍ଶନ ପୁରୁଷୋତ୍ତମ ଦର୍ଶନରେ ଅନୁପ୍ରାଣିତ ହେଉଛନ୍ତି । ପୁରୁଷୋତ୍ତମ ଭାବଧାରା ବିଶ୍ୱ ଜୀବନକୁ ପ୍ରଭାବିତ କରୁଛନ୍ତି । ଏହାହିଁ ସର୍ବୋତ୍ତମ, ସର୍ବୋଚ୍ଚ, କଲ୍ୟାଣ ପଦ, ପାବନତମ, ସାର୍ବଜନୀନ, ସାର୍ବଭୌମ, ସୁବ୍ୟବସ୍ଥିତ, ସର୍ବାଙ୍ଗୀନ ଓ ଅତ୍ୟନ୍ତ ବ୍ୟବହାରିକ । ସେ ବିଶ୍ୱର ସାମନ୍ତ । ତାଙ୍କ ପରି ସାମନ୍ତ ଅନ୍ୟ କେଉଁଠି ଥିବାର ଦେଖା ଯାଏ ନାହି । ସେ ଭାବ ବିନୋଦିଆ । ଭାବକୁ ନିକଟ, ଅଭାବକୁ ଦୂର । ସେ ଜଗତର ବନ୍ଧୁ, ଦୀନ ବନ୍ଧୁ , ସବୁରିର ବନ୍ଧୁ । ତେଣୁ ଭକ୍ତ ଉଚ୍ଚାଟ କଣ୍ଠରେ ଗାଇଉଠେ – ” ଜଗବନ୍ଧୁ ପରି ସାମନ୍ତ ନାହିଁ ନାହିଁ ତ / ଚଉଦ ଭୁବନ ବାରତା ଜାଣନ୍ତି/ ଚକ୍ରରେ ଛେଦନ୍ତି ଆରତ “। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ବ୍ରହ୍ମାଙ୍କୁ ପବିତ୍ର ପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ ବଖାଣି କହିଥିଲେ – ହେ ବ୍ରହ୍ମା ! ସର୍ବମଙ୍ଗଳ ପରିତ୍ୟାଗ କରି ସୁରାସୁର ମାନଙ୍କୁ ଅତିକ୍ରମ କରି, କ୍ଷର ତଥା ଅକ୍ଷର ଠାରୁ ଉର୍ଦ୍ଧ୍ବରେ ରହି ଦେହ ଧାରଣ ପୂର୍ବକ ପୁରୁଷୋତ୍ତମ ସ୍ୱରୂପରେ ମୁଁ ଅଧିଷ୍ଠିତ ହୋଇଛି । ଏହି ପାବନ ତମ, ସର୍ବକଲ୍ୟାଣ ପ୍ରଦ ପୁରୁଷୋତ୍ତମ କ୍ଷେତ୍ର ସୃଷ୍ଟି ପ୍ରଳୟର ଆବର୍ତ୍ତନରୁ ବହିର୍ଭୂତ । ଏଠାରେ ଗନ୍ଧର୍ବ, ଅପ୍ସରା, ଦେବତା, ମନୁଷ୍ୟ, ଯକ୍ଷ, ରକ୍ଷ, ବିଦ୍ୟାଧର, ସିଦ୍ଧ, ମୁନି, ଋଷି, ପ୍ରଜାପତି, କିନ୍ନର, ନାଗ, ସ୍ୱର୍ଗବାସୀ, ଚତୁର୍ବେଦ, ବିବିଧ ଶାସ୍ତ୍ର , ଇତିହାସ , ପୁରାଣ, ଯଜ୍ଞ, ପୁଣ୍ୟ ନଦୀ, ମହୋଦଧି,ନାନା ତୀର୍ଥ ଓ ଶୈଳ ଆଦି ଜଗତର ସକଳ ବିଦ୍ୟମାନ । ପୁରୁଷୋତ୍ତମ ଦର୍ଶନ ମାତ୍ରେକେ ସମସ୍ତ ଭୁକ୍ତି ମୁକ୍ତିଲାଭ କରନ୍ତି । ମୂର୍ଖଙ୍କ ଠାରୁ ଆରମ୍ଭ କରି ଶାନ୍ତି ବୈରାଗ୍ୟ ବିମଣ୍ଡିତ ବିମଳାତ୍ମା ଜ୍ଞାନୀ ପର୍ଯ୍ୟନ୍ତ । ସମସ୍ତଙ୍କ ପାଇଁ ଏହା ଅତ୍ୟନ୍ତ ଦୁର୍ଲ୍ଲଭ ଓ ମୋକ୍ଷପ୍ରଦ କ୍ଷେତ୍ର ଅଟେ । ତୀର୍ଥ, ବ୍ରତ, ଯଜ୍ଞ, ଦାନରେ ଯେଉଁ ଫଳ ଲାଭ ହୁଏ, ଏସମସ୍ତ ଫଳ ଏହି ପୁରୁଷୋତ୍ତମ କ୍ଷେତ୍ରରେ ଗୋଟିଏ ଦିନ ନିବାସରେ ପ୍ରାପ୍ତ ହୁଏ । ଯିଏ ଯେଉଁ ଭାବେ ଦର୍ଶନ କରେ, ସେ ସେହି ସ୍ୱରୂପ ଦର୍ଶନରେ ଚତୁବର୍ଗ ଫଳ ଲାଭ କରେ । କୀଟ ପତଙ୍ଗାଦି ପ୍ରାଣୀମାନଙ୍କ ଠାରୁ ଆରମ୍ଭ କରି ମନୁଷ୍ୟାଦି ଦେବତାମାନଙ୍କ ପର୍ଯ୍ୟନ୍ତ ଚର୍ମ ଚକ୍ଷୁରେ ମୋତେ ଦର୍ଶନ କଲାମାତ୍ରେ ମୋର ସାଯୁଜ୍ୟକୁ ପ୍ରାପ୍ତ ହୁଅନ୍ତି ” ।
ଗୀତାରେ କହିଛନ୍ତି – ” ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ” ।
® ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
ଦୂରଭାଷ – ୯୦୪୦୧୫ ୧୪୭୫
laxmansahoo9040@gmail.com
Comments are closed.