କରାଚୀ: ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଶାହୀଦ ଆଫ୍ରିଦୀ କ୍ରମାଗତ ଭାରତକୁ ନେଇ ଅଦ୍ଭୁତପୂର୍ଣ୍ଣ ବୟାନ ଦେବାରେ ଲାଗିଛନ୍ତି । ଏବେ ତାଜା ବୟାନରେ ସେ କହିଛନ୍ତି ଯେ, ୨୦୦୫ରେ ଭାରତରେ ପାକିସ୍ତାନ କ୍ରିକେଟରଙ୍କୁ ନେଇ ଯାଉଥିବା ବସ ଉପରେ ଆକ୍ରମଣ ହୋଇଥିଲା । ଏକ ପ୍ରେସ କନଫେରେନ୍ସରେ ଅବଦୁଲ ରଜାକଙ୍କ ସହ ସେ ମିଳିତ ଭାବେ ଏହି ବୟାନ ଦେଇଛନ୍ତି । କେତେକ ଅସାମାଜିକ ଯୁବକ ଆମ ବସ ଉପରେ ପଥର ମାଡ କରିଥିଲେ । ବାଙ୍ଗାଲୋର ଟେଷ୍ଟ ଜିତିବା ଉପରେ ଏହି ଆକ୍ରମଣ ହୋଇଥିଲା । ଷ୍ଟାଡିୟମରେ ଆମେ ଚୌକା, ଛକା କିମ୍ବା ୱିକେଟ ନେଲେ କେହି ତାଳି ବଜାଉ ନ ଥିଲେ । ତେବେ ଏହି ଚାପଭରା ପରିସ୍ଥିତିରେ ଆମେ ଭଲ ପ୍ରଦର୍ଶନ କରିଥିଲୁ ।
ଭାରତ-ପାକିସ୍ତାନ ମ୍ୟାଚ ରାଜନୈତିକ ହସ୍ତକ୍ଷେପ ଯୋଗୁ ସମ୍ଭବପର ହୋଇପାରୁ ନାହିଁ ବୋଲି ସେ କହିଛନ୍ତି । ଆମ ଖେଳାଳିମାନେ ଭାରତ ଯିବାକୁ ମନା କରୁଛନ୍ତି । ମୋ ମତରେ ସେଠାକୁ ଜିତିକି ଆସିବା ଆମ ପାଇଁ ବହୁତ ବଡ କଥା ହେବ । ଆଫ୍ରିଦୀଙ୍କ ବସ ଆକ୍ରମଣ ବୟାନ ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି । ଭାରତ ପକ୍ଷର ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ । ସୂଚନାଯୋଗ୍ୟ, ଭାରତରେ ବିଶ୍ୱକପ ଆୟୋଜିତ ହେବାକୁ ଥିବାରୁ ଏଠାରେ ଖେଳିବା ନେଇ ପାକିସ୍ତାନ ପକ୍ଷରୁ ବିଭିନ୍ନ ପ୍ରକାର ବୟାନବାଜି ହେବାରେ ଲାଗିଛି ।
Comments are closed.