Latest Odisha News

ନିର୍ବାଚନ ପ୍ରଚାର ହେଲା କାଳ: ଇକ୍ବାଡରର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା

କ୍ବିଟୋ ( ଇକ୍ବାଡୋର) ୨୦ ତାରିଖରେ ଇକ୍ବାଡୋରର ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ  । ହେଲେ ଏହାପୂର୍ବରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ଇକ୍ବାଡୋରର ରାଷ୍ଟ୍ରପତି ପ୍ରାର୍ଥୀ ଫର୍ଣ୍ଣାଡୋ ଭିଲାଭିକେନସିଓଙ୍କୁ ନିର୍ବାଚନ ରାଲି ବେଳେ ଗୁଳି କରି ହତ୍ୟା କରାଯାଇଛି  ।

ରାଷ୍ଟ୍ରପତି ପଦ ନିମନ୍ତେ ୮ ଜଣ ରେସରେ  ଥିବା ବେଳେ ୫୯ ବର୍ଷୀୟ ଫର୍ଣ୍ଣାଡୋ ଭିଲାଭିକେନସିଓ ବି ଜଣେ ପ୍ରମୁଖ ଦାବିଦାର ରହିଥିଲେ । ତେବେ ଗତକାଲି  ଫର୍ଣ୍ଣାଡୋ ଭିଲାଭିକେନସିଓ ଏକ ପ୍ରଚାର ରାଲିରେ ଯାଇଥିଲେ । ଏହି ସମୟରେ ଅସମ୍ଭାଳ ଭିଡ଼ ହୋଇଥିବା ଯୋଗୁଁ ଫର୍ଣ୍ଣାଡୋ ଭିଲାଭିକେନସିଓ କାରରୁ ଓହ୍ଲାଉଥିବା ବେଳେ ତାଙ୍କ ଉପରକୁ କେହି ଦୁର୍ବୃତ୍ତ ଗୁଳି ଚାଳନା କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହାକୁ ନେଇ ବିଭିନ୍ନ ସ୍ଥାନରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି  । ଏହାର ମୁକାବିଲା ଲାଗି  ଶୀର୍ଷ ସ୍ତରୀୟ ବୈଠକ ମଧ୍ୟ ଡକାଯାଇଛି। ଦେଶରେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ବିରୋଧୀମାନେ  ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି  । ପୂର୍ବରୁ ମଧ୍ୟ ଫର୍ଣ୍ଣାଡୋଙ୍କୁ ଧମକ ମିଳୁଥିଲା। ମାଦକ ପଦାର୍ଥ ତସ୍କରୀ କରୁଥିବା ଏକ ଗ୍ୟାଙ୍ଗ ତାଙ୍କୁ ହତ୍ୟା ଧମକ ଦେଇଥିଲା । ଫର୍ଣ୍ଣାଡୋ ପୂର୍ବରୁ ଜଣେ ସାମ୍ବାଦିକ ରହିଥିଲେ  ।

Comments are closed.