Latest Odisha News

BREAKING NEWS

ବିଜେପି କହିଲା ରାବଣକୁ ହରାଅ, କଂଗ୍ରେସ କହିଲା ମିଛ ଧର୍ମଯୁଦ୍ଧ!

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନରେ ୨୦୦ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୨୬୦୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଦର୍ଶ ନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଠୁ ଅଧିକ ୩୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସରିବା ପରେ ଯାଞ୍ଚ କରାଯାଇଛି। ୯ ତାରିଖ ମଧ୍ୟରେ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ। ଯାହାକୁ ନେଇ ପ୍ରମୁଖ ଦଳଗୁଡିକ ବେଶ ତତ୍ପର ହୋଇଉଠିଛନ୍ତି।

ଉଭୟ କଂଗ୍ରେସ ଓ ବିଜେପିର ବହୁ ବିଦ୍ରୋହୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାରୁ ସେମାନେ କିଭଳି ଏହାକୁ ପ୍ରତ୍ୟାହାର କରିବେ ସେଥିପାଇଁ ଶୀର୍ଷ ନେତୃତ୍ୱ ସେମାନଙ୍କୁ ବୁଝାଇଵାକୁ ଲାଗି ପଡିଛନ୍ତି।

ସେପଟେ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସର ପ୍ରମୁଖ ନେତାଙ୍କ ନିର୍ବାଚନ ପ୍ରଚାର ଓ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗେହଲୋଟ ସରକାରର କ୍ୟାବିନେଟ ମନ୍ତ୍ରୀ ଶାଲେ ମହମ୍ମଦ କହିଛନ୍ତି କି ନିର୍ବାଚନ କୌଣସି ଧର୍ମଯୁଦ୍ଧ ନୁହେଁ।

ବିନା କୌଣସି କାରଣ ଥାଇ ଏହି ନିର୍ବାଚନକୁ ଧର୍ମଯୁଦ୍ଧର ଆଖ୍ୟା ଦିଆଯାଉଛି। କିନ୍ତୁ ଏହା କଂଗ୍ରେସ ଓ ବିଜେପିର ବିଚାରଧାରା ମଧ୍ୟରେ ଲଢେ଼ଇ। ତେଣୁ ଲୋକଙ୍କୁ ଯାହା ଠିକ ଲାଗିବ ଲୋକେ ତାଙ୍କୁ ନିର୍ବାଚିତ କରିବେ ବୋଲି ସେ କହିଛନ୍ତି। ଯାହାକୁ ନେଇ ରାଜସ୍ଥାନରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ସେପଟେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଗଜେନ୍ଦ୍ର ସିଂ ସେଖାୱତ କଂଗ୍ରେସ ସରକାର ଓ ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କ ଉପରେ ବର୍ଷିଛନ୍ତି।

ରାବଣ ଜୀବନର ଉଦାହରଣ ଦେଇ ସେ କହିଛନ୍ତି କି ଯେମିତି ରାବଣର ଜୀବନ ତାଙ୍କ ନାଭିରେ ଥିଲା ।ସେହିଭଳି ଭ୍ରଷ୍ଟାଚାର ରାବଣର ନାଭିକେନ୍ଦ୍ର ଭଳି ସରଦାରପୁରାରେ ରହିଛି। ଯେଉଁଠି ତାଙ୍କୁ ହରାଇବାକୁ ପଡିବ।

ଏହି ସିଟରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଲଢ଼ୁଥିବାରୁ ବିଜେପି କର୍ମୀମାନେ ସମସ୍ତ ଉଦ୍ୟମ କରି ତାଙ୍କୁ ହରାଇବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।

କଂଗ୍ରେସ ସରକାର ସମୟରେ ହୋଇଥିବା ଦୁର୍ନୀତିକୁ ନେଇ କେନ୍ଦ୍ରମନ୍ତ୍ରୀ ମୁଖ୍ୟ ପ୍ରସଙ୍ଗ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ତେଣୁ ଗୋଟିଏ ପଟେ ପ୍ରାର୍ଥୀତ୍ୱକୁ ନେଇ ଅସନ୍ତୋଷର ନିଆଁ ଉଭୟ ବିଜେପି ଓ କଂଗ୍ରେସରେ ଦେଖିବାକୁ ମିଳିଥିବା ବେଳେ ଏହାକୁ କିଭଳି ଶାନ୍ତ କରାଯିବ ସେଥିପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି।

Comments are closed.