ତରୁଣ କୁମାର ମିଶ୍ର
ବିଶ୍ବନିୟନ୍ତାଙ୍କ ସୃଷ୍ଟିରେ
ଟିକି ଜୀବଟେ ମୁହିଁ ,
ଫୁଲରୁ ଫୁଲକୁ ଉଡ଼ିଣ
ମହୁ ଶୋଷି ଆଣଇ ।
ବିନ୍ଦୁ ବିନ୍ଦୁ ମହୁ ସଞ୍ଚଇ
ନେଇ ଫେଣାରେ ମୋର ,
ହାଲିଆ କେବେ ମୁଁ ହୁଏନି
ଥାଏ କର୍ମ ତତ୍ପର ।
ପ୍ରିୟ ପରିଜନ ସାଥିରେ
ମଧୁ ସଂଗ୍ରହେ ଯାଏ ,
ଡେଣା ଝାଡ଼ି ଝାଡ଼ି ଆନନ୍ଦେ
ମୁଁ ଗୀତ ଗାଉଥାଏ ।
ଫେଣାରେ ଅସଂଖ୍ଯ କୋଠରୀ
ମଧୁ ତହିଁରେ ଭରି ,
ଯାଏ ଉଡ଼ି ଉପବନକୁ
ସାଥିମାନଙ୍କୁ ଧରି ।
ସୂର୍ଯ୍ଯମୁଖୀ ଆଉ ସୋରିଷ
ସାଥେ ଅଳସୀ କ୍ଷେତେ ,
ଉଡ଼ୁଥାଏ ଦିନ ତମାମ
ମଧୁ ସଂଗ୍ରହ ଆଶେ ।
ନିଦାଘ ବରଷା ଶୀତକୁ
ତିଳେ ନାହିଁ ମୋ ଡର ,
ଫୁଲ ଖୋଜି ମଧୁ ସଂଗ୍ରହ
ଅଟେ କାମ ମୋହର ।
ସଞ୍ଚି ସଞ୍ଚି ମୁହିଁ ରଖଇ
ମଧୁ ମାନବ ପାଇଁ ,
ନିର୍ଦ୍ଦୟ ହୋଇ ସେ ଲୁଟଇ
ତିଳେ ଦୟା ତା ନାହିଁ ।
ପୋଡ଼ି ଜାଳି ପିଟି ମାରଇ
ବନ୍ଧୁ କୁଟୁମ୍ବ ମୋର ,
ତଥାପି ତା ହିତେ ସଞ୍ଚଇ
ମଧୁ ନ ଭାବି ପର ।
ନିଜ ସ୍ବାର୍ଥ ପାଇଁ ଜନମି
ନାହିଁ ଧରାରେ ମୁହିଁ ,
ମଧୁ ବାଣ୍ଟି ଦେଇ ଅନ୍ଯକୁ
ଆନନ୍ଦ ପାଉଛଇଁ ।
ଏ ମହାନ ତ୍ଯାଗ ଗୁଣଟି
ଆପଣାଇଲେ ନର ,
ଧରଣୀ ହସିବ ଖୁସିରେ
ବନି ସରଗପୁର ।
ଖଣ୍ଡଗିରି ,ଭୁବନେଶ୍ବର
ମୋ-୯୭୫୩୩୧୦୨୯୨
Comments are closed.