ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ସ୍ବୈଚ୍ଛିକ ଅନର୍ଗଳ ଚିଂତା
ପ୍ରାୟତଃ ହୁଏନି କବିତା
ଶୃଂଖଳା ସହ ସ୍ବାଧୀନତା
ରହିଲେ ସଂଭବ କବିତା
ଭାଷାର ପ୍ରଚଳିତ ରୀତି
ପ୍ରତି ରହିଲେ କିଛି ପ୍ରୀତି
କବିତା କରେ ଧୀରଗତି
ସୁସ୍ପଷ୍ଟ ହୁଏ କାବ୍ୟକୃତି
ନ କଲେ ଅଧିକ ବର୍ଣନା
କବିର ମନୋଭାବ ଜଣା
ପଡ଼ଇ ଅତି ସହଜରେ
ପଶେ ପାଠକ ମଗଜରେ
ବିଶ୍ବ ବ୍ୟକ୍ତିରେ ସମାହିତ
ହେଲେ ହିଁ ଉତ୍ତମ ସାହିତ୍ୟ
ହୁଅଇ ନିଶ୍ଚୟ ସଂଭବ
ଏ ସତ୍ୟ କରୁଁ ଅନୁଭବ
ବିଶ୍ବମନସ୍କ ଜଣେ କବି
ହୋଇଲେ ଜୀବନାନୁଭବୀ
ସାହିତ୍ୟ ହୁଏ ବହିର୍ଗତ
ଏହା ତ ପରୀକ୍ଷିତ ସତ
ମନ ହୋଇଲେ ସୀମାୟିତ
ସୃଷ୍ଟିଶୀଳତା ଅପହୃତ
ହେବାର ଅଜସ୍ର ପ୍ରମାଣ
ଦିଶେ ସଂସାରେ ପ୍ରତିଦିନ
ଜଟିଳତାର ସଂରକ୍ଷଣ
ହେତୁ ଯେ ଭାଷା ବିଲୋପନ
ଘଟେ ବିଶ୍ବରେ ଘନଘନ
ଏ କଥା ବୁଝେନାହିଁ ମନ
ଯାହା ପଢ଼ିଛୁଁ, ତାହା ଲେଖି
ଆଗକୁ ବଢ଼ିପାରିବା କି ?
ନିଜକୁ ପଚାରି ଏ ପ୍ରଶ୍ନ
କରିବା ନୂତନ ଲିଖନ
କଲେ ବେଶି ପୁନରାବୃତ୍ତି
ହୁଏନି ଭାଷାର ଉନ୍ନତି
ଯୁଗୋଚିତ ନ ହେଲେ ଭାଷା
ବଢ଼ାଇପାରେନି ଭରସା
ତ୍ରୁଟି-ପ୍ରମାଦ-ଶୂନ୍ଯ ଲେଖା
ହୁଏ ଭାଷାର ପ୍ରିୟ ସଖା
ଲେଖିବା ପରେ ସଂଶୋଧନ
ଅତ୍ୟାବଶ୍ୟକ ବୋଲି ଜାଣ
ଲୋକମୁଖରେ ଉଚ୍ଚାରିତ
ନ ହେଲେ ସତରେ ଲିଖିତ
ଭାଷା ବି ହୋଇଥାଏ ମୃତ
ସ୍ବୀକୃତ ହେଉ ଏହି ସତ୍ୟ
ଭାଷୀଏ ନ ହେଲେ ସକ୍ରିୟ
ତାଂକର ଭାଷା ହୁଏ କ୍ଷୟ
କେବଳ ସାହିତ୍ୟ ପାଠକ
ନୁହଂତି ଭାଷାର ରକ୍ଷକ
ହୋଇ ପରସ୍ପରର ଭ୍ରାତା
ହେବା ସଭିଏଁ ରକ୍ଷାକର୍ତା
Comments are closed.