Latest Odisha News

BREAKING NEWS

ଅଂଶୁଘାତରେ ୮ ଅସୁସ୍ଥ, ସବୁ ଡାକ୍ତରଖାନାକୁ ସତର୍କ ରହିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ବର: ଖରାରେ କଲବଲ ସାରା ଓଡ଼ିଶା । ପ୍ରଚଣ୍ଡ ତାତି ସାଙ୍ଗକୁ ଗରମ ପବନରେ ସିଝୁଛନ୍ତି ରାଜ୍ୟବାସୀ । ରାଜ୍ୟରେ ତାତି ବଢିବା ସହ ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ୮ ଜଣ ଅସୁସ୍ଥ ହେଲେଣି । ଚିକିତ୍ସା ନିମନ୍ତେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ ଅସୁସ୍ଥଙ୍କ ମଧ୍ୟରେ ଅନୁଗୁଳରୁ ୫ ଜଣ, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ଥିବା ସୂଚନା ଦେଇଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର । ବର୍ତ୍ତମାନ ସୁଦ୍ଧା ଅଂଶୁଘାତରେ କାହାର ମୃତ୍ୟୁ ହୋଇନାହିଁ ।

ବଢୁଥିବା ତାତିକୁ ନଜରରେ ରଖି ସବୁ ଡାକ୍ତରଖାନାରେ ଅଂଶୁଘାତ ପାଇଁ ସତର୍କ ରହିବାକୁ କୁହାଯାଇଛି । ଜିଲ୍ଲା ହସ୍ପିଟାଲ, ସିଏଚସି, ପିଏଚସି ଗୁଡିକରେ ସ୍ୱତନ୍ତ୍ର ଶଯ୍ୟା ବ୍ୟବସ୍ଥା ସହ ଆବଶ୍ୟକୀୟ ଔଷଧ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହିଟ୍ କ୍ରାମ୍ପସ୍, ହିଟ୍ ଷ୍ଟ୍ରୋକସ ର ଶିକାର ହୋଇ ଆସୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ଡାକ୍ତରଖାନା ଗୁଡିକୁ କୁହାଯାଇଛି ।

ଆଜି ଦିନ ସାଢ଼େ ୧୧ ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ୩୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ା ଓ ସମ୍ବଲପୁର ତାପମାତ୍ରା ୩୭.୪ ଡିଗ୍ରୀ, ଭୁବନେଶ୍ୱରରେ ୩୬.୨ ଡିଗ୍ରୀ, ଚାନ୍ଦବାଲି ୩୭.୨ଡିଗ୍ରୀ, ହୀରାକୁଦ ୩୬.୯ଡିଗ୍ରୀ, ରାଉରକେଲା ୩୬.୬ ଡିଗ୍ରୀ ରେକର୍ଡ କରାଯାଇଛି ।

Comments are closed.